ସମ୍ବଲପୁରରେ କଂଗ୍ରେସର ମାନସ ମନ୍ଥନ

ସମ୍ବଲପୁର : ଓଡିଶା ରାଜ୍ୟର କଂଗ୍ରେସ ଦଳ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଓଡିଶା ଗସ୍ତରେ ୧୪ ତାରିଖରୁ ଆସିଛନ୍ତି। ଏହି କ୍ରମରେ ମଙ୍ଗଳବାର ଦିନ ସୁନ୍ଦରଗଡ ଜିଲା ଗସ୍ତ କରି ଝାରସୁଗୁଡା, ରାଉରକେଲା ଆଦି ଅଞ୍ଚଳର ନେତା ଓ କର୍ମୀ ମାନଙ୍କ ସହିତ ମାନସ ମନ୍ଥନ କରିଥିଲେ। ମଙ୍ଗଳବାର ରାତ୍ରିରେ ସମ୍ବଲପୁର ପହଞ୍ଚି ବୁଧବାର ସକାଳୁ ସମ୍ବଲପୁର ଜିଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ୫ଟି ଜିଲା ସମ୍ବଲପୁର, ବରଗଡ, ସୋନପୁର, ଦେବଗଡ ଓ ବଲାଙ୍ଗୀର ଜିଲାର ନେତା ଓ କର୍ମୀ ମାନଙ୍କର ସହିତ ମାନସ ମନ୍ଥନ କରିଛନ୍ତି। ବିଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପରେ କର୍ମୀ ମାନଙ୍କୁ ସଙ୍ଗଠିତ କରିବା ପାଇଁ ଦଳ ପକ୍ଷରୁ ତ୍ରୃଣମୂଳ ସ୍ତରରୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ବୈଠକ କରାଯାଇଥିଲା। ଏହି ବୈଠକରେ ପ୍ରତି ଜିଲାରେ ବିଗତ ନିର୍ବାଚନରେ ଦଳ ପକ୍ଷରୁ ଛିଡା ହୋଇଥିବା ସାଂସଦ ଓ ବିଧାୟକ ପ୍ରାଥୀ, ଜିଲା କଂଗ୍ରେସ କମିଟୀର ନେତା ଓ କର୍ମୀ, ଯୁବ କଂଗ୍ରେସ, ମହିଳା କଂଗ୍ରେସ ସମେତ ବିଭିନ୍ନ ଛାମୁଆ ସଙ୍ଗଠନ ମାନଙ୍କର ନେତା ଓ କର୍ମୀ ମାନଙ୍କ ସହିତ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ରୁଦ୍ଧ ଦ୍ୱାର ବୈଠକ କରି ବିଭିନ୍ନ ପ୍ରସ୍ତାବ ମାନ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଓଡିଶାର ବିଭିନ୍ନ ସ୍ଥାନରେ ପୌର ଓ ପଞ୍ଚାୟତ ନିର୍ବାଚନ ଗୁଡିକ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଥିରେ ଦଳ ଯେପରି ସଫଳତା ଲାଭ କରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିବାର ଜଣାପଡିଛି। ଏହି ବୈଠକରେ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ସମେତ ଦଳର ବରିଷ୍ଠ ନେତା ମାନେ ଯୋଗ ଦେଇଥିଲେ।

 ଗଣମାଧ୍ୟମ ସହିତ ଆଲୋଚନା ସମୟରେ କେନ୍ଦ୍ର ସରକାର ଆଣିଥିବା ସିଏଏକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ହେଉଛନ୍ତି ବିଜେପିର ଟିମ। ଅନ୍ୟ ପଟରେ ବିଜେପିର ନେତା ମାନେ କେବଳ ମିଛ କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ସିଏଏକୁ ନେଇ ବିଜେଡି ଦିଲ୍ଲୀରେ କେନ୍ଦ୍ର ସରକାରଙ୍କର ସମର୍ଥନ କରୁଥିବା ବେଳେ ରାଜ୍ୟରେ ନା କହୁଛି। ଏଣୁ ବିଜେଡି ଲୋକ ଙ୍କ ସମ୍ମୁଖରେ ତାର ଆଭିମୁଖ୍ୟକୁ ସ୍ପଷ୍ଟ କରୁ। ଏଣୁ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ଦଳକୁ ତ୍ରୃଣମୂଳ ସ୍ତରରୁ ସଙ୍ଗଠିତ କରି ସିଏଏ ଓ ଏନଆରସି ଭଳି ବିଷୟରେ ଏକ ଅଭିଯାନ ଚଳାଯିବ। ଏଣୁ ଏହି ବୈଠକ କରାଯାଇ ସମସ୍ତ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି। ଆଗାମୀ ପଞ୍ଚାୟତ ଓ ମ୍ୟୁନିସିପାଲିଟୀ ନିର୍ବାଚନରେ ଦଳ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ କରିବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି।

 ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିଳମ୍ବରେ ହେଉ ପଛେ କଂଗ୍ରେସ ଦଳ ନିଜକୁ ସଜାଡିବାକୁ ନିଷ୍ପତ୍ତି ନେଇଛି। ସେଥି ପାଇଁ ତୃଣମୂଳ ସ୍ତରରୁ ବିଭିନ୍ନ ଅଞ୍ଚଳକୁ ଯାଇ ଏଆଇସିସି ପ୍ରଭାରୀ କର୍ମକର୍ତ୍ତା, ନେତା, ବିଧାୟକ, ପୂର୍ବତନ ମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରି ଗଠନ ମୂଳକ ପ୍ରସ୍ତାବ ଆହ୍ୱାନ କରୁଛନ୍ତି। ଆଗାମୀ ଦିନରେ କଂଗ୍ରେସର ପଦାଧିକାରୀ ମାନେ ଏକତ୍ରିତ ହୋଇ ରଣନୀତୀ ପ୍ରସ୍ତୁତ କରିବେ ବୋଲି ନିରଞ୍ଜନ କହିଛନ୍ତି।

 ବହୁ ଦିନ ପରେ ସମ୍ବଲପୁର ଜିଲା କଂଗ୍ରେସ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଥିବା ବେଳେ ଏହି ଅବସରରେ ଦଳ ନୂତନ ପଦାଧିକାରୀ ମାନଙ୍କ ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ଏଣୁ ନେତା ମାନେ ସେମାନଙ୍କର ସମର୍ଥକ ମାନଙ୍କ ସହିତ ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ। ସମ୍ବଲପୁର ଜିଲା ସଭାପତି ପାଇଁ ଆଶାୟୀ ଦୁଇ ଜଣ ପ୍ରାର୍ଥୀ ଙ୍କର ସମର୍ଥକ ମାନେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଙ୍କ ସମ୍ମୁଖରେ ନାରାବାଜି କରିଥିଲେ। ତ୍ରୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଗୋଷ୍ଠୀ ବିବାଦ ଚାଲିଥିବା ବେଳେ ସେ ସବୁକୁ ମଧ୍ୟ ପ୍ରଶମିତ କରି ଦଳକୁ କିପରି ଭାବରେ ଜିତେନ୍ଦ୍ର ଆଗକୁ ନେବେ ତାହ ସମୟ କହିବ। ତେବେ ପୂର୍ବ ନଜୀର ଅନୁଯାୟୀ ବହୁବାର କଂଗ୍ରେସ ମାନସ ମନ୍ଥନ କରିଛି, କିନ୍ତୁ ପରେ ଯଥା ପୂର୍ବଂ ତଥା ପରଂ ସ୍ଥିତ ଦେଖିବାକୁ ମିଳିଛି। ତେବେ ଦୀର୍ଘ ଦିନ ପରେ କଂଗ୍ରେସ କାର୍ଯ୍ୟାଳୟରେ ପଦାଧିକାରୀ ଓ କର୍ମୀ ମାନଙ୍କ ବୈଠକ ହୋଇଥିବାରୁ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ବୈଠକରେ ଏଆଇସିସି ସଚିବ ମସ୍ତାନ ଅଲ୍ଲୀ, ବରିଷ୍ଠ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.