ବଲିଉଡ ଅଭିନେତ୍ରୀ ‘ଇଲା ଅରୁଣ’ଙ୍କ ସହ ସାକ୍ଷାତକାର : ସମସ୍ତ ପ୍ରକାରର ସଙ୍ଗୀତର ମୂଳ ଜଡ ହେଉଛି ଲୋକ ସଙ୍ଗୀତ

ସମ୍ବଲପୁର (ବିରାଜ କୁମାର ମିଶ୍ର) : ବଲିଉଡର ଖ୍ୟାତମାନା ଇଲା ଅରୁଣଙ୍କୁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଦୀର୍ଘ ୪୦ ବର୍ଷ ହେବ ଲୋକ କଳାକାର ଓ ବଲିଉଡ ଅଭିନେତ୍ରୀ ଭାବରେ ଜନତା ଙ୍କର ମନୋରଞ୍ଜନ କରିଆସୁଥିବା ଇଲା ୧୯୯୪ ମସିହାରେ ବେଷ୍ଟ ଫ୍ଲିମ ଫେୟାର ଆୱାର୍ଡ ପ୍ରାପ୍ତ କରିସାରିଛନ୍ତି। ଇଲା ରାଜସ୍ଥାନୀ ଲୋକ ସଙ୍ଗୀତରୁ ନିଜର କେରିୟର ଆରମ୍ଭ କରିଥିବା ବହୁମୁଖୀ ପ୍ରତିଭାର ଧନୀ ଇଲା ଏକାଧାରରେ ଲୋକ ଗୀତ କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶିକା, ଅଭିନେତ୍ରୀ, ଭିଡିଓ ଜକି ଭାବରେ ସମେତ ବହୁ ଭିଡିଓ ଆଲବମ, କ୍ୟାସେଟ ମଧ୍ୟ ନିର୍ମାଣ କରିଛନ୍ତି। ଚଳିତ ବର୍ଷ ସମ୍ବଲପୁର ଜିଲା ୨୩ତମ ‘ଲୋକ ମହୋତ୍ସବ -୨୦୨୦’ ରେ ଅତିଥି ଭାବରେ ସମ୍ବଲପୁର ଆସିଥିଲେ । ଏହି ଅବସରରେ ସମାଜ ପ୍ରତିନିଧିଙ୍କ ସହିତ ତାଙ୍କର ସାକ୍ଷାତକାର ସମୟରେ ଇଲା କହିଛନ୍ତି ଯେ ସମସ୍ତ ପ୍ରକାରର ସଙ୍ଗୀତର ମୂଳ ଜଡ ହେଉଛି ଲୋକ ସଙ୍ଗୀତ। ଏଣୁ ଲୋକ କଳାକାର ମାନେ ନିଜକୁ କୌଣସି ଗୁଣରେ କମ ଭାବିବା ଉଚିତ ନୁହେଁ।

(୧)- ସମାଜ : ଆପଣ ଓଡିଶାକୁ ପୂର୍ବରୁ ଆସିଛନ୍ତି କି ?

ଇଲା : ହଁ, ମୁଁ ପୂର୍ବରୁ ଥରେ ଓଡିଶାକୁ ଆସିଛି। ଏହା ଓଡିଶାକୁ ଦ୍ୱିତୀୟ ଥର ପାଇଁ ମୋର ଗସ୍ତ। ପ୍ରଥମ ଗସ୍ତରେ ପୂର୍ବରୁ ଭୂବନେଶ୍ୱରକୁ ଆସିଥିବା ବେଳେ ଦ୍ୱିତୀୟ ଗସ୍ତରେ ସମ୍ବଲପୁରକୁ ଆସିଛି।

(୨)- ସମାଜ : ସମ୍ବଲପୁରର ଅତିଥି ଚର୍ଚ୍ଚା କିଭଳି ଲାଗୁଛି ?

ଇଲା : ମୁଁ ଗତକାଲି ସନ୍ଧ୍ୟାରେ ଏଠାକୁ ପହଞ୍ଚିଥିଲେ। ଏଠାରେ ଆୟୋଜକ ମାନେ ବହୁତ ଭଲ ଭାବରେ ଆତିଥି ଚର୍ଚ୍ଚା ଉଚ୍ଚକୋଟୀର ଅଟେ। ଏଠାରେ ଲୋକ ମାନେ ଖୁବ ନମ୍ର ସ୍ୱଭାବର ଅଟନ୍ତି। ଆୟୋଜକ ମାନେ ନିଜ ପରିବାର ଭଳି ସମସ୍ତ ପ୍ରକାରର ଦେଖା ରେଖା କରୁଛନ୍ତି।

(୩)- ସମାଜ : ସମ୍ବଲପୁରୀ ଲୋକ ସଙ୍ଗୀତ ଓ କଳା ସର୍ମ୍ପକରେ କଣ କହିବା ପାଇଁ ଚାହିଁବେ?

ଇଲା : ବିଗତ ୨୩ ବର୍ଷରୁ ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଏହି ମହୋତ୍ସବ ଚାଲୁ ରହିଛି ବୋଲି ଜାଣି ମୋତେ ବହୁତ ଖୁସି ଲାଗିଲା। ଲୋକ ସଙ୍ଗୀତ ସମସ୍ତ ପ୍ରକାରର ସଙ୍ଗୀତର ମୂଳ ଅଟେ। ଏପରିକୁ ଶାସ୍ତ୍ରୀୟ ସଙ୍ଗୀତ ମୂଳ ମଧ୍ୟ ଲୋକ ସଙ୍ଗୀତରୁ ହିଁ ଅଟେ। ମୁଁ କୌଣସି ଲୋକ କଳାକାରର ଝିଅ ନୁହେଁ, ମୁଁ ଲୋକ ସଙ୍ଗୀତ ଶୁଣିବା ପରେ ଏଥିରେ ସମ୍ପୁର୍ଣ୍ଣ ଭାବରେ ମଜ୍ଜି ଯାଇ ଲୋକ ସଙ୍ଗୀତ ଶୁଣିକି ଶିଖିଛି। ଲୋକ ଏବେ ପାଶ୍ଚାତ୍ୟ ସଙ୍ଗୀତ ପଟକୁ ଢ଼ଳୁଛନ୍ତି। ଏଠାରେ ଲୋକ କଳା, ସଙ୍ଗୀତ ଓ ସଂସ୍କୃତି ର ପ୍ରଥାକୁ ବିଗତ ୨୩ ବର୍ଷ ହେବ ଏଠିକାର ଲୋକେ ନିଷ୍ଠାପର ଭାବରେ କାର୍ଯ୍ୟକାରି କରିଆସୁଛନ୍ତି ଏବଂ ଏଭଳି ମହୋତ୍ସବକୁ ଜନତା ସମର୍ଥନ କରି ହଜାର ହଜାର ସଂଖ୍ୟାରେ ଦେଖି ଆସୁଛନ୍ତି। ଏହା ଏକ ବହୁତ ବଡ ଓ ଲୋକ ସଙ୍ଗୀତ ପାଇଁ ଏକ ଭଲ ଲକ୍ଷଣ ଅଟେ।

(୪)- ସମାଜ : ସମ୍ବଲପୁରରୁ ଫେରିବା ପରେ ଏଠାକାର ଲୋକ ସଙ୍ଗୀତ ଓ କଳା ର ପ୍ରଚାର ପ୍ରସାର ପାଇଁ କିଛି ଯୋଜନା ରଖିଛନ୍ତି କି ?

ଇଲା :ପ୍ୟାସା କୁଆଁ କେ ପାସ ଯାତା ହେ। ଠିକ ଏହି ପରି ଲୋକ ସଙ୍ଗୀତକୁ କୌଣସି ପ୍ରଚାର ପ୍ରସାରର ଦରକାର ପଡେ ନାହିଁ। ଏଣୁ ମୁଁ ଏଠାକାରର ଲୋକ ସଙ୍ଗୀତ, କଳା ଓ ସଂସ୍କୃତି ବିଷୟରେ ଜାଣିବା ପରେ ଏଠାକୁ ଧାଇଁ ଆସିଛି। ଏଠାକାର ଲୋକ କଳା ବହୁତ ମଜବୁତ ଓ ଭବ୍ୟ ଅଟେ। ଏଠାରୁ ଯେଉଁ ଅନୁଭୂତିକୁ ମୁଁ ନେଇକି ଯିବି ତାହା ସମସ୍ତଙ୍କୁ କହିବି। ଫ୍ଲମ ଇଣ୍ଡଷ୍ଟ୍ରିରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶକ ମାନେ ନୂତନ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେମାନଙ୍କୁ ଲୋକ ସଙ୍ଗୀତ ଶୁଣିବାର ବହୁ ଆବଶ୍ୟକତା ରହିଥାଏ। ଏଣୁ ଜରୁର ଏଠାକୁ ଲୋକେ ଏହି ଭବ୍ୟ ଲୋକ ସଙ୍ଗୀତ ଓ କଳା ବିଷୟରେ ଜାଣିବା ପାଇଁ ଧାଇଁ ଆସିବେ।

(୫)- ସମାଜ : ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ବିଷୟରେ ପୂର୍ବରୁ କିଛି ଜାଣିଥିଲେ କି ?

ଇଲା : ମୁଁ ପୂର୍ବରୁ ଜାଣିଛି ଯେ ଓଡିଶାରେ ଶାସ୍ତ୍ରୀୟ ନୃତ୍ୟ, ମୂର୍ତ୍ତିକଳା, ସମ୍ବଲପୁରୀ ଫେବ୍ରିକ୍ସ, ଲୋକ ସଙ୍ଗୀତର ବହୁତ ଗଭୀର ଜଡ ରହିଛି।

(୬)- ସମାଜ :ସମ୍ବଲପୁରରେ କେଉଁ କେଉଁ ସ୍ଥାନ ପରିଭ୍ରମଣ କରିଲେ ?

ଇଲା : ସକାଳୁ ପ୍ରଥମେ ମାଁ ସମଲେଶ୍ୱରୀଙ୍କର ମନ୍ଦିର ଯାଇ ମାଆଙ୍କର ଦର୍ଶନ କଲି। ସେଠାରେ ମାଆଙ୍କର ମନ୍ଦିରର ଇତିହାସ ସର୍ମ୍ପକରେ ମଧ୍ୟ ଜାଣିବାକୁ ପାଇଲି। ହୀରାକୁଦ ଡ୍ୟାମ ମଧ୍ୟ ଯାଇ ବୁଲିକି ଦେଖିଲି।

(୭)- ସମାଜ : ସମ୍ବଲପୁର ଗସ୍ତ ସମୟରେ ଆପଣ କଣ ବାର୍ତ୍ତା ଦେବା ପାଇଁ ଚାହୁଁଛନ୍ତି ?

ଇଲା : ମୁଁ ତ ଏଠାରୁ ବହୁତ କିଛି ଶିଖିକି ଯାଉଛି। ଏଣୁ ମୁଁ କଣ ବାର୍ତ୍ତା ଦେବି। ତେବେ ଗୋଟିଏ କଥା କହିବାକୁ ଚାହିଁବି ଯେ ରାଜସ୍ଥାନ ରାଜ୍ୟରେ ଲୋକ କଳାର ସମାବେଶ ରହିଛି। ସେଠାକାର ରାଜ୍ୟ ସରକାର ମଧ୍ୟ ଲୋକ କଳାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରୋଜଗାର ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାର ମଧ୍ୟ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଜୋନ ଆଦି କରି ବିଭିନ୍ନ ସ୍ତରରେ ଲୋକ କଳାକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଏବେ ଲୋକ କଳାକାର ମାନଙ୍କର ଦାୟିତ୍ୱ ହେଉଛି ଯେ ସେମାନେ ନିଜକୁ କୌଣସି ଗୁଣରେ କମ ଭାବିବା ଉଚିତ ନୁହେଁ। ସେମାନେ କାହାରିକୁ ଅନୁସରଣ କରନ୍ତୁ ନାହିଁ। ଅନ୍ୟ ମାନଙ୍କୁ ଆପଣ ଅନୁସରଣ ଓ ଅନୁକରଣ କରନ୍ତୁ। କାରଣ ଆପଣଙ୍କର ପାଖରେ ଲୋକ ସଙ୍ଗୀତ ଶୈଳୀ, ନୃତ୍ୟ ଭଳି ବହୁତ ବଡ ଭଣ୍ଡାର ରହିଥିବାରୁ କୌଣସି ବିଷୟକୁ ଡରିବାର କିଛି ନାହିଁ।

Comments are closed.