ଚର୍ଚ୍ଚିତ ବ୍ୟବସାୟୀ ଅପହରଣ ମାମଲା; ମୁଣ୍ଡ ବଦଳରେ ୨ କୋଟି ଟଙ୍କା ଦାବି, ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ସମ୍ବଲପୁର : ସମ୍ବଲପୁର ସହରର ବହୁ ଚର୍ଚ୍ଚିତ ପ୍ରତିଷ୍ଠିତ ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ (୬୩) ଅପହରଣ ମାମଲାର ପର୍ଦ୍ଦଫାଶ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଉତ୍ତରାଖଣ୍ଡର ରାଜୀବ ଦୁଆକୁ ଡେରାଡୁନ ପୁଲିସ ଗିରଫ କରିଛି। ଅନ୍ୟ ପଟରେ ଅନ୍ୟ ଅଭିଯୁକ୍ତ ଧନକଉଡାର ମହମ୍ମଦ ସୌଫୁଲ୍ଲା ତାରିକ୍ୟୁ (୨୪), ମାୟାବାଗିଚାର ମହମ୍ମଦ ଅଲ୍ଲୀ (୨୫) ଓ ମୋତିଝରନର ମହମ୍ମଦ ଆସିଫଙ୍କୁ ସମ୍ବଲପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ରବିବାର ପୁଲିସ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ବରେଇପାଲି ଅଞ୍ଚଳର ଷ୍ଟିଲ ଆଣ୍ଡ ଷ୍ଟିଲର ମାଲିକ ନରେଶ ଅଗ୍ରୱାଲ ଗତ ୧୦ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଶାସନ ସ୍ଥିତ ତାଙ୍କର ତିନି ଏକର ଜମିର ପାଚେରୀ କାମ ଦେଖିବାକୁ ଗାଡି ନମ୍ବର (ଓଡି ୧୫ କେ- ୬୭୮୯) ଯୋଗେ ଯାଇଥିଲେ। ଶ୍ରମିକମାନେ କାମ ସାରି ପାଖରେ ଥିବା ଷ୍ଟାଫ୍ କ୍ୱାଟରକୁ ଖାଇବାକୁ ଯାଇଥିବାବେଳେ ଡ୍ରାଇଭର ସୁରେନ୍ଦ୍ର ନାୟକ ଓ କିଛି ହାତଗଣତି ଶ୍ରମିକ ପାଚେରୀ କାମ କରୁଥିଲେ। ଭୀଷଣ ଗରମ ହେଉଥିବାରୁ ଏହି ବ୍ୟବସାୟୀ ଜଣକ ଗାଡିର ଗେଟ ଖୋଲି ବସିଥିଲେ। ଏହି ସମୟରେ ପୂର୍ବ ଯୋଜନାମୁତାବକ ଏହି ଅଭିଯୁକ୍ତମାନେ ଏକ ଧଳା ରଙ୍ଗର ସ୍ୱିଫ୍ଟ କାରରେ ଆସି ତାଙ୍କୁ ରାସାୟନିକ ପଦାର୍ଥ ସୁଙ୍ଘାଇ ଅପହରଣ କରି ନେଇଥିଲେ। ଏଥି ସହ ବ୍ୟବସାୟୀ ବସିଥିବା ଗାଡିର ଆଗ ଓ ପଛ ଚକ କାଟି ଦେଇଥିବାରୁ ତାଙ୍କୁ କେହି ପିଛା କରି ପାରି ନ ଥିଲେ। ଅପହରଣ ସ୍ଥଳ ଶାସନ ଥାନା ଠାରୁ ମାତ୍ର ୩ ଶହ ମିଟର ଦୂର ହୋଇଥିବାବେଳେ ପ୍ରତ୍ୟକ୍ଷଦର୍ଶୀମାନେ ଥାନାରେ ସୂଚନା ଦେଇଥିଲେ। ତେବେ ପୁଲିସର ତ୍ୱରିତ ପଦକ୍ଷେପ ଅଭାବରୁ ସେମାନେ ଖସି ପଳାଇଥିଲେ। ସେମାନେ ଅପହୃତ ବ୍ୟବସାୟୀଙ୍କୁ ନେଇ ଜମାଦାରପାଲିଠାରେ ଏକ ଦୁଇ ମହଲା ବିଶିଷ୍ଟ ଭଡା ଘରେ ହାତଗୋଡ ବାନ୍ଧି ରଖିଥିଲେ। ପରେ ପରିବାର ଲୋକଙ୍କୁ ମୁଣ୍ଡ ବଦଳରେ ୨ କୋଟି ଟଙ୍କା ଦାବି କରିଥିଲେ। ତୁଣ୍ଡ ଖୋଲିଲେ ମୁଣ୍ଡ ଯିବ ଓ ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି ଚେତାବନୀ ଦେଇଥିଲେ। ତେବେ ଅପହୃତ ବ୍ୟବସାୟୀଙ୍କ ପୁଅ ଦୀପକ କୁମାର ଅଗ୍ରୱାଲ ଅପହରଣ ଘଟଣା ସର୍ମ୍ପକରେ ଶାସନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ବାପାଙ୍କୁ ୩ ରୁ ୪ ଜଣ ଅଜଣା ବ୍ୟକ୍ତି ବନ୍ଧୁକ ମୁନରେ ଅପହରଣ କରି ନେଇଥିବାର ଦର୍ଶାଇଥିଲେ। ଏନେଇ ଶାସନ ଥାନାରେ ୧୨୩/୨୦୨୦ ଦଫା ୩୬୪-ଏ, ୩୯୪, ୧୨୦-ବି ଆଇପିସି ଧାରାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହା ସମ୍ବଲପୁର ଜିଲା ପୁଲିସ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ଆରକ୍ଷୀ ଅଧିକ୍ଷକ ଡା. କନୱର ବିଶାଳ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ତଦନ୍ତ କାରି ଦଳ ଗଠନ ହୋଇଥିଲା। ସଦର ଏସଡିପିଓ ତପନ ମହାନ୍ତି ଏହାର ନେତୃତ୍ୱ ନେଇଥିଲେ। ବିଭିନ୍ନ ଦଳ ଗଠନ କରାଯାଇ ଜିଲା ତଥା ଜିଲା ବାହାରକୁ ପଠାଯାଇଥିଲା। ପୁଲିସ ଓ ଗଣମାଧ୍ୟମର ସକ୍ରିୟତା ଦେଖି ଅପହରଣକାରୀମାନେ ଚିନ୍ତିତ ହୋଇ ପଡିଥିଲେ। ତେଣୁ ସେମାନେ ଏହି ବ୍ୟବସାୟୀଙ୍କୁ ରୁଟି ଓ ଡାଲମା ଖାଇବାକୁ ଦେବା ସହିତ କୌଣସି କ୍ଷତି ନ ଘଟାଇ ସେହି ଦିନ ରାତିରେ ହୀରାକୁଦ ସ୍ଥିତ ଏଫସିଆଇ ଗୋଦାମ ନିକଟରେ ଛାଡି ଚାଲି ଯାଇଥିଲେ। ଏଥି ସହ ଦୀପକ ଙ୍କ ମୋବାଇଲ ଫୋନକୁ ମେସେଜ କରି ତାଙ୍କର ବାପାଙ୍କୁ ନେଇ ଯିବାକୁ କହିଥିଲେ। ପରେ ପୁଲିସ ଏହାର ତଦନ୍ତ କରି ଝାରସୁଗୁଡା ଜିଲାରେ ସମାସିଂଘା ଅଞ୍ଚଳର ହିମାଂଶୁ ବନଛୋରଙ୍କୁ ଗିରଫ କରିଥିଲା। ତାଙ୍କୁ ଜେରା କରିବା ବେଳେ ପୁଲିସ ଏହି ଅଭିଯୁକ୍ତ ମାନଙ୍କର ନାମ ଜାଣିବାକୁ ପାଇଥିଲା। ସେ ଅନୁଯାୟୀ ବିଭିନ୍ନ ସ୍ଥାନରେ ଚ ଢ଼ଉ କରାଯାଇ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଅପହରଣ ସମୟରେ ବ୍ୟବହୃତ କାର, ସ୍କୁଟି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ତେବେ ସାଇଣ୍ଟିଫିକ ଦଳ ଓ ପୁଲିସ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ ଜାରି ରଖିଛି।

ଉତ୍ତରାଖଣ୍ଡ ପୁଲିସ ଦ୍ୱାରା ମୁଖ୍ୟ ଅଭିଯୁକ୍ତ ରାଜୀବ ଦୁଆ ଗିରଫ
ସମ୍ବଲପୁର ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନର ବରିଷ୍ଠ ପୁଲିସ ଅଧିକାରୀଙ୍କ ଏହି ଅପହରଣ ସର୍ମ୍ପକରେ ସୂଚିତ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ରାଜୀବ ଦୁଆ ଏହି ଅଞ୍ଚଳରେ ଲୁଚି ରହିଥିବା ସେଥିରେ ଦର୍ଶା ଯାଇଥିଲା। ତେଣୁ ଡେରାଡୁନ ପୁଲିସ ଦ୍ୱାରା ଏକ ଟିମ ଗଠନ କରାଯାଇ ସୂଚନା ମୁତାବକ ମୋବାଇଲ ଟ୍ରାକିଂ, ପୁଲିସ ସୂଚନାକାରୀ ଓ ଅନ୍ୟାନ୍ୟ ସୁତ୍ରରୁ ଖବର ନିଆଯାଇ ବିଭିନ୍ନ ଚ ଢ଼ଉ କରାଯାଇଥିଲା। ତେବେ ଚଢ଼ଉ ବେଳେ ଡେରାଡୁନ ଅଞ୍ଚଳର ରାୟପୁର ଥାନା ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ରାଜୀବକୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ନିକଟରୁ ଅପହରଣରେ ବ୍ୟବହୃତ କାର ଓ ମୋବାଇଲ ଜବତ କରାଯାଇଛି। ଏଥି ସହ ପୁଲିସ ତାଙ୍କୁ ଘଟଣା ସର୍ମ୍ପକରେ ପଚରାଉଚୁରା କରିଛି। ସେ ଦର୍ଶାଇଛନ୍ତି ଯେ ପଲଟନ ବଜାର ଅଞ୍ଚଳରେ ଏକ କପଡା ଦୋକାନ ରହିଥିଲା। ମାତ୍ର ବ୍ୟବସାୟରେ କ୍ଷତି ହେବାରୁ ସେ ୨୦୧୮ ମସିହାରେ ସମ୍ବଲପୁର ନିବାସୀ ତାଙ୍କର ମାମୁଁ ରମେଶ ଆହୁଜାଙ୍କ ନିକଟକୁ ଚାଲି ଆସିଥିଲେ। ସମ୍ବଲପୁରରେ ପୁଣି କପଡା ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ବ୍ୟବସାୟ ଭଲ ନ ଚାଲିବାରୁ ତାହା ବନ୍ଦ ହୋଇଯାଇଥିଲା। ତେବେ ସମ୍ବଲପୁରରେ ବ୍ୟବସାୟ ସମୟରେ ସେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ସୌଫୁଲ୍ଲା ସହିତ ସାକ୍ଷାତ ହୋଇଥିଲା। ଏହି ବ୍ୟକ୍ତି ଜଣକ ବହୁ ସମୟରେ ତାଙ୍କ ଦୋକାନକୁ ଆସିଥିବାରୁ ସେମାନଙ୍କର ମଧ୍ୟରେ ବନ୍ଧୁତା ହୋଇଥିଲା। ପରେ ରାଜୀବଙ୍କ ମହମ୍ମଦ ଅଲ୍ଲୀଙ୍କ ମଧ୍ୟ ବନ୍ଧୁତା ହୋଇଥିଲେ। ଏହି ସମସ୍ତ ଅଭିଯୁକ୍ତ ମାନେ ବିଭିନ୍ନ କାରଣରୁ ଋଣଗ୍ରସ୍ତ ହୋଇଥିଲେ। ତେଣୁ ସେମାନେ ନରେଶ ଅଥବା ତାଙ୍କ ପରିବାରର କୌଣସି ଏକ ସଦସ୍ୟଙ୍କୁ ଅପହରଣ କରି ପ୍ରତିବଦଳରେ ଋଣ ଟଙ୍କା ସୁଝିବାକୁ ଯୋଜନା କରିଥିଲେ। ତେଣୁ ୩ ରୁ ୪ ମାସ ପର୍ଯ୍ୟନ୍ତ ଅପହରଣକାରୀ ମାନେ ନରେଶଙ୍କ ଗତିବିଧି ଉପରେ ନଜର ରଖିଥିଲେ। ତେବେ ଘଟଣା ଦିନ ସେମାନେ ପୂର୍ବ ଯୋଜନା ମୁତାବକ ନରେଶ ଶାସନ ସ୍ଥିତ ତାଙ୍କ ଜମିରେ ପାଚେରୀ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବାର ଜାଣିବାକୁ ପାଇଥିଲେ। ତେଣୁ ମୁଖ୍ୟ ଅଭିଯୁକ୍ତ ରାଜୀବ ଦୁଆ ନିଜର କାରରେ ଅନ୍ୟ ସାଥି ମାନଙ୍କୁ ଅଇଁଠାପାଲି ଛକରୁ ନେଇଥିଲା। ସେମାନେ ଏକ ଧାରୁଆ ଅସ୍ତ୍ର ଦେଖାଇ ଏହି ବ୍ୟବସାୟୀ ଙ୍କୁ ଅପହରଣ କରି ନେଇଥିଲେ। ତାଙ୍କୁ ପୂର୍ବ ଯୋଜନା ମୁତାବକ ଭଡା ଘରେ ରଖିଥିଲେ। କିନ୍ତୁ ପୁଲିସର ତନାଘନା ଦେଖି ବିଚଳିତ ହୋଇ ପଡି ଅପହୃତଙ୍କୁ ଛାଡି ଦେଇଥିଲେ। ପରେ ୧୮ ତାରିଖରେ ମୁଖ୍ୟ ଅଭିଯୁକ୍ତ କାରର ନମ୍ବର ପ୍ଲେଟ ବଦଳାଇ ଉତ୍ତରାଖଣ୍ଡ ଚାଲି ଯାଇଥିଲେ। ଡେରାଡୁନ ପୁଲିସ ମୁଖ୍ୟ ଅଭିଯୁକ୍ତ ରାଜୀବକୁ ଧରିବା ପରେ ସମ୍ବଲପୁର ପୁଲିସ ତାକୁ ଆଣିବାକୁ ଉତ୍ତରାଖଣ୍ଡ ଯାଇଛି।

Comments are closed.