ଅବୈଧ୍ୟ କରତ କଳରେ ବନ ବିଭାଗର ଚଢ଼ାଉ : ୧୦ ଲକ୍ଷ ଟଙ୍କାର ସାମଗ୍ରୀ ସହିତ କାଠ ଜବତ

ସମ୍ବଲପୁର : ସମ୍ବଲପୁର ଜିଲା ବନ ବିଭାଗ ତରଫରୁ ସ୍ଥାନୀୟ ବଡବଜାର ସ୍ଥିତ ବଙ୍ଗାଲିପଡା ସ୍ଥିତ ଏକ ଅବୈଧ୍ୟ କରତ କଳ ଉପରେ ଚଢ଼ଉ କରାଯାଇଛି। ଏହି ଚଢାଉ ସମୟରେ ବିପୁଳ ପରିମାମର ସରଞ୍ଜାମ ସହ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି।

ପ୍ରାପ୍ତସୂଚନାନୁଯାୟୀ, ସହରର ଅନ୍ୟତମ ପୁରୁଣା ବସ୍ତ ବଡବଜାର ଅଞ୍ଚଳରେ ଅବୈଧ୍ୟ ଭାବରେ ଏକ କରତ କଳ ଚାଲୁଥିବାର ବିଶ୍ୱସ୍ତ ସୂତ୍ରୁ ଖବର ପାଇଁ ଶୁକ୍ରବାର ଦିନ ସକାଳୁ ବନ ବିଭାଗ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ବହୁ ମାତ୍ରାରେ ମୂଲ୍ୟବାନ ଶାଗୁଆନ କାଠ, ଶାଳା କାଠ ଓ ଅନ୍ୟାନ୍ୟ କାଠ ପଟା ସମେତ କାଠ ସାଇଜରେ କାଟିବା ବ୍ୟବହୃତ ଯନ୍ତ୍ରାଂଶ ବନ ବିଭାଗ ଜବତ କରିଥିଲା। ମିଳିଥିବା କାଠ ଗୁଡିକ ୨୫୦ ଘନଫୁଟରୁ ଅଧିକ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୮ ଲକ୍ଷରୁ ଉର୍ଦ୍ଧ ହେବ। ଏହା ସହିତ ଜବତ ହୋଇଥିବା ଯନ୍ତ୍ରାଂଶ ଗୁଡିକର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ହେବ ବୋଲି ବନଖଣ୍ଡ ଅଧିକାରୀ ଡ. ସଞ୍ଜିତ କୁମାର କହିଛନ୍ତି। ଜବତ ହୋଇଥିବା କାଠ ଗୁଡିକ ବହୁ କାଠ ପଟା ଅତି ଉତ୍ତମ ମାନର ବୋଲି ବନ ଅଧିକାରୀ କହିଛନ୍ତି। ଚଢ଼ଉ ସମୟରେ ବନ ବିଭାଗ ତରଫରୁ ସମସ୍ତ କାଠ ପଟା ଓ ଯନ୍ତ୍ରାଂଶ ଗୁଡିକୁ ଜବତ କରିବା ପରେ ସେଠାରେ ଥିବା ଏକ କାଠ ପଟା ନିର୍ମିତ ଘରକୁ ମଧ୍ୟ ଭଙ୍ଗା ଯାଇ ସେହି ଘରେ ଲାଗିଥିବା ସମସ୍ତ କାଠ ପଟା ଗୁଡିକୁ ମଧ୍ୟ ଜବତ କରାଯାଇଛି।

ଏହି ଚଢ଼ଉରେ ବନ ବିଭାଗର ଆଏଏଫଏସ ଅଧିକାରୀ ଲଳିତ କୁମାର ପାତ୍ର, ଏସିଏଫ ଲକ୍ଷ୍ମଣ ମାରଡି, ତେଜରାଜ ନାୟକ, ମଦନ ଲାଲ ଶର୍ମା, ହିମାଂଶୁ ମିଶ୍ର ଓଏଫଏସ (ପ୍ରଶିକ୍ଷଣ), ରେଞ୍ଜର ସଦର ପ୍ରଭାକର ବେହେରା, ରେଞ୍ଜର ରେଙ୍ଗାଲୀ ହରିହର ପାତ୍ର, ରେଞ୍ଜର ଧମା ଆଲୋକ କୁମାର ଷଡଙ୍ଗୀ, ପଡିଆବାହାଲ ରେଞ୍ଜର ସୁରେଶ ଚନ୍ଦ୍ର ମିର୍ଦ୍ଧା, ବିଦ୍ୟାଧର ସାହୁ, ପୃଥିବୀରାଜ ବେହେରା, ଅଶୋକ କୁମାର ଦାଶ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ସମେତ ସମୁଦାୟ ୫୦ ରୁ ଉର୍ଦ୍ଧ ବନ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ସରକାରୀ ଜମିକୁ ବେଆଇନ ଭାବରେ ଜବର ଦଖଲ କରାଯାଇ ଏହି କରତ କଳକୁ ଚଳାଯାଉଥିଲା। ଏହା ସହିତ ଏହି କଳକୁ ବେଆଇନ ଭାବରେ ଚୋରା ବିଦ୍ୟୁତ ଲାଇନ ନିଆଯାଇଥିଲା। ଏଣୁ ବନ ବିଭାଗ ଚଢ଼ଉ ସମୟରେ ବିଦ୍ୟୁତ ବିଭାଗର ସହାୟତାରେ ପ୍ରଥମେ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିବା ପରେ ଯାଇ ଚଢ଼ଉ ଅଭିଯାନ ଆରମ୍ଭ ହୋଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ଚୋରା ବିଦ୍ୟୁତ ଲାଇନ ସର୍ମ୍ପକରେ ବିଦ୍ୟୁତ ବିଭାଗକୁ ବନ ବିଭାଗ ଚିଠି କରି ଜଣାଇଥିବା ବେଳେ କରତ କଳରୁ ସମସ୍ତ କାଠ ଓ ଯନ୍ତ୍ରାଂଶକୁ ଜବତ କରାଯାଇ ବନ ବିଭାଗର ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଅବୈଧ୍ୟ କରତ କଳକୁ ଚଳାଉଥିବାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବନ ବିଭାଗ ପ୍ରୟାସ କରୁଛି ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ବିଗତ ମାସ ୧୬ ତାରିଖରେ ମଧ୍ୟ ସମ୍ବଲପୁରର ସହର ମଧ୍ୟରୁ ଏକ ସଙ୍ଗରେ ବେଆଇନ ଦୁଇଟି କରତ କଳ ଉପରେ ବନ ବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ କରିଥିଲା। ଏବେ ମଧ୍ୟ ସହର ମଧ୍ୟରେ ବହୁ ବେଆଇନ କରତ କଳ ଚାଲୁଥିବାର କୁହାଯାଉଛି। ତେବେ ସହରର ମଧ୍ୟ ଭାଗରେ ମାତ୍ର ଏକ ମାସର ବ୍ୟବଧାରନରେ ତିନିଟି ବେଆଇନ କରତ କଳ ସରକାରୀ ଜମିରେ ବର୍ଷ ବର୍ଷ ଧରି ଚାଲିବା ଏବଂ ଚଢ଼ଉ ସମୟରେ ପ୍ରାୟ ୨୦ ଲକ୍ଷରୁ ଟଙ୍କାର ସାମଗ୍ରୀ ଜବତ କରିବା ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇବାକୁ ବାଧ୍ୟ କରୁଛି ବୋଲି ପରିବେଶବିତ ମାନଙ୍କ ସମେତ ସହରବାସୀ ମତ ପ୍ରକାଶ କରୁଛନ୍ତି।

Comments
Loading...