ସମ୍ବଲପୁର ପୁଲିସ ହାତରେ ଆନ୍ତଃ ରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗ : ୪ ଗିରଫ

କ୍ଲୋନ ଏଟିଏମ କାର୍ଡ ସହିତ ଟଙ୍କା ଓ ଅନ୍ୟାନ୍ୟ ଏଟିଏମ ହ୍ୟାକିଂ ସାମଗ୍ରୀ ଜବତ

ସମ୍ବଲପୁର :  ସମ୍ବଲପୁର ଜିଲା ପୁଲିସ ଏଟିଏମ ହ୍ୟାକିଂ କରି ଟଙ୍କା ଲୁଟ କରୁଥିବା ଏକ ଆନ୍ତଃ ରାଜ୍ୟ ଗ୍ୟାଙ୍ଗକୁ ଧରିବାରେ ସଫଳତା ହାସଲ କରିଛି। ଶୁକ୍ରବାର ପୂର୍ବାହ୍ନରେ ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକ ଡା. କନୱର ବିଶାଳ ସିଂହ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ, ସମ୍ବଲପୁରର କ୍ଷେତରାଜପୁର ଥାନା ଓ ସ୍ୱତନ୍ତ୍ର ଦଳ ମିଳିତ ଭାବରେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଧରିଛନ୍ତି। କିନ୍ତ ଏ ପର୍ଯ୍ୟନ୍ତ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଓ ଅନ୍ୟ ଜଣେ ସଦସ୍ୟ ଫେରାର ରହିଛନ୍ତି। ଏଣୁ ପୁଲିସ ସ୍ୱତନ୍ତ୍ର ଦଳ ଗଠନ କରି ସେମାନଙ୍କୁ ଧରିବାର ପ୍ରୟାସ କରୁଛି। ଏହି ଗ୍ୟାଙ୍ଗ ଓଡିଶା ସମେତ ଅନ୍ୟ ରାଜ୍ୟ ମାନଙ୍କରେ ବିଭିନ୍ନ ଏଟିଏମ ମାନଙ୍କର ରେକି କରିବା ପରେ ସେହି ଏଟିଏମ ଗୁଡିକୁ ଯାଉଥିବା ଗ୍ରାହକ ମାନଙ୍କୁ ଟାରଗେଟ କରୁଥିଲା। ସେମାନେ ଦୁଇ ପ୍ରକାରର ଉପାୟରେ ଏଟିଏମ ହ୍ୟାକ କରି ଲୋକ ମାନଙ୍କୁ ଲୁଟୁ ଥିଲେ।

ପ୍ରଥମେ ସେମାନେ ବିନା ସୁରକ୍ଷା କର୍ମୀ ଥିବା ଏଟିଏମ ମେସିନର ଏଟିଏମ କାର୍ଡ ଭର୍ତ୍ତି କରିବା ସ୍ଥାନରେ ଅନ୍ୟ ଏକ ମେସିନ ଲଗାଇ ଦେଉଥିବା ବେଳେ ସେହି ମେସିନରେ ଗ୍ରାହକର ସମସ୍ତ ଏଟିଏମ ତଥ୍ୟ ରେକର୍ଡ ହୋଇଯାଉଥିଲା। ଏହା ପରେ ସେମାନେ ସେହି ମେସିନକୁ ସୁବିଧା ଦେଖି ଖୋଲି ଆଣି ନିଜ ଲାପଟଫ ଓ ଏକ ସ୍ୱତନ୍ତ୍ର ସପ୍ଟୱେର ମାଧ୍ୟମରେ ପୂର୍ବରୁ ସଂଗୃହିତ ପୁରୁଣା ଏଟିଏମ କାର୍ଡରେ ତାକୁ କପି କରି କ୍ଲୋନିଂ କାର୍ଡ ନିର୍ମାଣ କରୁଥିଲେ।

ସେହିଭଳି ସେମାନେ ଦ୍ୱିତୀୟ ଉପାୟରେ, ସେମାନେ ପୂର୍ବରୁ ଏଟିଏମ ଭିତରେ ଉପସ୍ଥିତ ରହି ଗ୍ରାହକ ମାନଙ୍କର ଭରସା ଜିଣି ସେମାନଙ୍କର ଟ୍ରାନଜେକ୍ସନ ସମୟରେ ସେମାନଙ୍କୁ ସାହାର୍ଯ୍ୟ କରିବା ବାହାନାରେ ସେମାନଙ୍କର ଏଟିଏମ କାର୍ଡର ଗୁପ୍ତ ସଂଖ୍ୟା ସମେତ ଏଟିଏମ କାର୍ଡକୁ ଏକ ନାନୋ ସ୍କୁମିଂ (କାର୍ଡ ସ୍କାନର) ମେସିନ ଜରିଆରେ କାର୍ଡକୁ କପି କରୁଥିଲେ। ଏହା ପରେ ସେମାନେ ତୁରନ୍ତ ଏଟିଏମ ବାହାରେ ଥିବା ତାଙ୍କର ସାଥୀକୁ କହି ଟ୍ରାନଜେକସନର ସମୟ ସହିତ କାର୍ଡର ଗୁପ୍ତ ସଂଖ୍ୟା ଏକ ଡାଏରୀର ଲେଖି ରଖୁଥିଲେ। ଏହା ପରେ ସେମାନେ ନାନୋ ସ୍କୁମିଂ ମେସିନରୁ ଡାଟା ବାହାର କରି କ୍ଲୋନିଂ ମେସିନ ଜରିଆରେ କ୍ଲୋନ କାର୍ଡ ନିର୍ମାଣ କରୁଥିଲେ। ଏହା ପରେ ସେମାନେ ଏଟିଏମକୁ ଯାଇ ସେହି କାର୍ଡ ଜରିଆରେ ବାଲାନ୍ସ ଚେକ କରୁଥିଲେ। ଯଦି ଏଟିଏମ କାର୍ଡଧାରୀଙ୍କର ଆକାଉନ୍ଟରେ ଭଲ ମୋଟା ଅଙ୍କର ଟଙ୍କା ରହୁଥିଲା, ତାହା ହେଲେ ସେମାନେ ତୁରନ୍ତ ଟଙ୍କା ବାହାର କରି ନେଉଥିଲେ। କମ ବାଲାନସ ଥିବା ଆକାଉନ୍ଟରେ ଟଙ୍କା ଭର୍ତ୍ତି ହେବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରୁଥିଲେ।

କ୍ଷେତରାଜପୁର ଅଞ୍ଚଳରେ ଏଟିଏମ ହ୍ୟାକିଂ ଦଳ ମାତିଥିବାର ଖବର ପାଇ ପୁଲିସ ଓ ସ୍ୱତନ୍ତ୍ର ଦଳ ମିଳିତ ଭାବରେ ଚଢ଼ଉ ଅଭିଯାନ କରି ଏହି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ। ପୁଲିସ ସେମାନଙ୍କ ଠାରୁ ଗୋଟିଏ ମାରୁତି ୱାଗନ ଆର କାର (ଜେଏଚ-୦୧-ଡିଡି-୩୬୪୯), ନଗଦ ୧ ଲକ୍ଷ ୪୬ ହଜାର ୯୦୦ ଟଙ୍କା, ଲାପଟଫ, ଏଟିଏମ କାର୍ଡ ସ୍ଲଟ, ଏଟିଏମ କ୍ଲୋନିଂ ମେସିନ, ଦୁଇଟି ଏଟିଏମ କାର୍ଡ ରିଡର, ୩୪ ଟି ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ, ଗୋଟିଏ ଖାତା (ଏଟିଏମ ପିନ ଓ କୋଡ ଲିଖିତ), ଗୋଟିଏ ଡାଏରୀ (ଏଟିଏମ ନଂ ଓ ସିଭିଭି ନଂ ଲିଖିତ), ୪ଟି ମୋବାଇଲ ଫୋନ, ଲାପଟଫ ଚାର୍ଜର, ଗୋଟିଏ ପେପର କଟର, ଗୋଟିଏ ସ୍କୃ ଡ୍ରାଇଭର, ଦୁଇଟି ସେଲୋ ଟେପ ଓ ୪ଟି ଡାଟା କେବୁଲ ଜବତ କରିଛି। ପୁଲିସ ଏ ସଂକ୍ରାନ୍ତରେ ସମ୍ବଲପୁରର ସିଂହପାଲୀ ଗ୍ରାମର ସ୍ୱାଧିନ ବହିଦାର (୨୭), ବିହାର ନୱାଡା ଜିଲାର ମୂଳନିବାସୀ ତଥା ଏବେ ସମ୍ବଲପୁରର ବରେଇପାଲି ଅଞ୍ଚଳରେ ରହୁଥିବା ରାଜେଶ ପ୍ରସାଦ ସିଂହ (୩୭), ବିହାର ଗୟା ଜିଲାର ସୌରଭ କୁମାର (୨୦) ଓ ଶଶି ଭୂଷଣ କୁମାର (୨୫) ଙ୍କୁ ପୁଲିସ ଗିରଫ କରିଛି। ଏ ନେଇ କ୍ଷେତରାଜପୁର ପୁଲିସ ମାମାଲା ନଂ ୩୨୧/୨୦୧୯ ରୁଜୁ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୁଲିସ ଧରିବା ପାଇଁ ଚେଷ୍ଟା କରୁଛି ବୋଲି ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ବିଶାଳ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର, ସଦର ଏଡିପିଓ ତପନ ମହାନ୍ତି, କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ, ସବ ଇନିସପେକ୍ଟର ବିଭୁତି ଦଳାଇ ଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.