ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ ମାମଲା : ଅଭିଯୁକ୍ତର ବୟାନ ରେକର୍ଡ  

ସମ୍ବଲପୁର :  ସମ୍ବଲପୁରର ଧନୁପାଲି ଥାନା ପରିସର ମଧ୍ୟରେ ଜଣେ ବ୍ୟକ୍ତି ରବିବାର ସନ୍ଧ୍ୟା ସମୟରେ ନିଜ ଉପରେ କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାରେ ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତ ବୟାନ ରେକର୍ଡ କରାଯାଇଛି। ପ୍ରାପ୍ତସୂଚନାନୁଯାୟୀ, ଧନୁପାଲି ଥାନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁମ୍ଭାରପଡାର ନିବାସୀ ଭୋଳା ମହନ୍ତ (୨୪) ଏବେ ଭିମସାରର ବର୍ଣ୍ଣ ୟୁନିଟରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ସେ ପ୍ରାୟ ୪୦ ପ୍ରତିଶତ ପୋଡି ଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାର ଜଣାପଡିଛି। ପୂବାର୍ହ୍ନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଭୋଳାର ବୟାନ ରେକର୍ଡ କରିଛି ବୋଲି ଥାନାଧିକାରି କହିଛନ୍ତି।

ଏ ସର୍ମ୍ପକରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଟୋ ଚାଳକ ଭୋଳାର ବଡ ଭାଇ ବଦ୍ରି କହିଛନ୍ତି ଯେ, ଆମେ ୩ ଭାଇ ଓ ୩ ଭଉଣୀ ସହିତ ମା ମଧ୍ୟ ଅଛନ୍ତି। ମୁଁ ସେହି କୁମ୍ଭାରପଡାରେ ଅନ୍ୟତ୍ର ଭଡାରେ ରହୁଥିବା ବେଳେ ଆମ ପରିବାର ସେହି ଘରେ ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ ହେବ ଭଡାରେ ରହିଆସୁଛୁ। ଘର ମାଲିକଙ୍କ ବାପା ଓ ମା ମୃତ୍ୟୁବରଣ କରିବା ପରେ ସେ ଆମର ପରିବାରକୁ ଘରୁ ବାହାର କରିବା ପାଇଁ ବାରମ୍ବାର ବିଭିନ୍ନ ଉପାୟ କରିଆସୁଛି। ଏଣୁ ଗତ ୧୨ ତାରିଖରେ ଭାଇ ଓ ଘର ମାଲିକ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା। ଏହା ପରେ ଥାନାରେ ଦୁଇ ପକ୍ଷ ମଧ୍ୟରେ ଆପୋଷ ମିଳାମିଶା କରିବା ପରେ ମଧ୍ୟ ଘର ମାଲିକ ସେହିଭଳି ଗାଳିଗୁଲଜ କରିବା ସହିତ ଶୌଚାଳୟ ବ୍ୟବହାର କରି ନ ଦେବା, ଘର ଛାଡିବା ପାଇଁ ବିଭିନ୍ନ ପ୍ରକାରର ଚାପ କରୁଥିବାରୁ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଭାଇ ବିତସ୍ପୃହ ହୋଇ ଥାନାକୁ ତାର ନିଜର ଅଟୋରେ ଯାଇଥିଲା। ସେ ଥାନାବାବୁଙ୍କ ସହିତ ଦେଖା କରିବା ପାଇଁ ଚାହୁଁଥିବା ବେଳେ ତାହା ସମ୍ଭବପର ନ ହେବାରୁ ସେ ରାଗିକି ଏଭଳି କାଣ୍ଡ କରିଛି। ଏବେ ଭାଇର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଭାଇ ବଦ୍ରି କହିଛନ୍ତି।

ଅନ୍ୟ ପଟରେ ଗାଡି ମେକାନିକ ତଥା ଗୃହ ମାଲିକ ଦିବାକର ରଣା କହିଛନ୍ତି ଯେ, ମୋର ବାପା ଓ ମା ବଞ୍ଚଥିବା ସମୟରୁ ହିଁ ସେମାନେ ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ ସମୟ ହେବ ରହିଆସୁଛନ୍ତି। ସେମାନେ ମାସିକ ୫ ଶହ ଟଙ୍କା ଘର ଭଡା ଦେଉଥିବା ବେଳେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ହେବ ଭଡା ମଧ୍ୟ ଦେଉ ନାହାନ୍ତି। ପ୍ରାୟ ଦୁଇ ବର୍ଷ ହେବ ମୁଁ ଘର ପୁରଣା ହୋଇଯାଇଥିବା ଏବଂ ମରାମତିର ନିତାନ୍ତ ଆବଶ୍ୟକ ଥିବାରୁ ତାଙ୍କ ସହିତ ଅନ୍ୟ ଭଡା ରହୁଥିବା ବ୍ୟକ୍ତି ମାନଙ୍କୁ ଘର ଖାଲି କରିବା ପାଇଁ କହିଥିଲି। ଅନ୍ୟ ଭଡାଟିଆ ମାନେ ଘର ଖାଲି କରିଲେ ଆମେ କରିବୁ ବୋଲି ସେ ସମୟରେ କହିଥିଲେ। ବାକି ଭଡାଟିଆ ମାନେ ଘର ଖାଲି କରି ଚାଲି ଯାଇଥିବା ବେଳେ କିନ୍ତୁ ସେମାନେ ଘର ଖାଲି ନ କରି ପ୍ରାୟତଃ ଝଗଡା କରି ଆସୁଛନ୍ତି। ବାପା ଓ ମା ମୃତ୍ୟୁବରଣ କରିବା ପରେ ସେମାନେ ଏଭଳି କରି ଆସୁଛନ୍ତି। ସେମାନେ ୩ ଭାଇ ଥିବା ବେଳେ ମୁଁ ଏକୁଟିଆ ଥିବାରୁ ବହୁ ସମୟରେ ଚୁପ ରହିଯାଇଥାଏ। ସେଦିନ ଘର ଖାଲିକୁ ନେଇ ଝଗଡା ହୋଇଥିବା ବେଳେ ଥାନାରେ ଆପୋଷ ମିଳାମିଶା କରିବା ପରେ ମୁଁ ଘରକୁ ଆସିଲା ପରେ ବିଦ୍ୟୁତ ଲାଇନ ଚାଲୁ କରି ଦେଇଥିଲି। ତେବେ ଭଡାଟିଆ ମାନେ ପୂର୍ବରୁ ବ୍ୟବହାର କରୁଥିବା ଶୌଚାଳୟଟି ବହୁତ ପୁରୁଣା ଏବଂ ତାହା ବହୁ ଦିନ ହେବ କାର୍ଯ୍ୟକ୍ଷମ ନାହିଁ। ଏଣୁ ସେମାନେ ଆମର ପରିବାର ବ୍ୟବହାର କରୁଥିବା ଶୌଚାଳୟ ଖୋଲିବାକୁ ବାରମ୍ବାର ଚାପ ପକାଇ ଆସୁଛନ୍ତି। ଆମେ କେବେ ବି ଆମେ ବ୍ୟବହାର କରୁଥିବା ଶୌଚାଳୟକୁ କୌଣସି ଭଡାଟିଆଙ୍କୁ ବ୍ୟବହାର କରିବା ପାଇଁ ଦେଇ ନାହୁଁ।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ କୁମ୍ଭାରପଡା ନିବାସୀ ଦିବାକର ରଣା ଓ ତାଙ୍କର ଘରେ ବହୁ ବର୍ଷ ହେବ ଭଡାରେ ରହୁଥିବା ଭୋଳା ମହନ୍ତ ମଧ୍ୟରେ ଘର ଭଡା ଏବଂ ଘର ଖାଲି କରିବାକୁ ନେଇ ଝଗଡା ଓ ମାଡପିଟ ହୋଇଥିଲା। ଏଣୁ ଏ ନେଇ ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଦୁଇଟି ମାମଲା ଧନୁପାଲି ଥାନାରେ ରୁଜୁ କରାଯାଇ ଘର ମାଲିକ ଦିବାକର ଓ ଭଡାଟିଆ ଭୋଳା କୁ ଥାନାରେ ଅଟକ ରଖାଯାଇଥିଲା। କିନ୍ତୁ ପରେ ଦୁଇ ଜଣଙ୍କୁ କାଉନସେଲିଂ କରାଯିବା ପରେ ଆପୋଷ ମିଳାମିଶା କରାଯାଇ ଦୁଇ ଜଣ ସମ୍ମତି ପ୍ରକାଶ କରିବାରୁ ପୁଲିସ ସେମାନଙ୍କୁ ନୋଟିସ ଦେଇ ଛାଡି ଥିଲା। କିନ୍ତୁ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ ଅଚାନକ ଭୋଳା ଧନୁପାଲି ଥାନାକୁ ଆସିଥିଲେ। ଥାନାର ସିଡି ପାଖରେ ସାଥିରେ ଆଣିଥିବା କିରୋସିନି ନିଜ ଉପରେ ଢ଼ାଳି ହୋଇଯାଇ ନିଆଁ ଲଗାଇ ଦେଇଥିଲେ। ତେବେ ଥାନାରେ ଲାଗିଥିବା ସିସିଟିଭି ଦେଖି ତୁରନ୍ତ ଥାନାଧିକାରୀ ଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ମାନେ ଦୌଡି ଯାଇ ନିଆଁ ଲିଭାଇ ତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ଉଦ୍ଧାର ପରେ ଆହତ ଭୋଳାଙ୍କୁ ତୁରନ୍ତ ଅଇଁଠାପାଲି ସ୍ଥିତ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଭିମସାରକୁ ରେଫର କରି ଦିଆଯାଇଥିଲା ଏବଂ ତାଙ୍କୁ ଭିମସାରର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଥାନା ପରିସର ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ଆହତ ଭୋଳାର ନାମରେ ଏକ ମାମଲା ରୁଜୁ କରାଯାଇଛି।

Comments are closed.