ସମ୍ବଲପୁର ଜିଲା ପୁଲିସ ପକ୍ଷରୁ ରକ୍ତଦାନ ଶିବିର

ଆବଶ୍ୟକସ୍ଥଳରେ ରୋଗୀଙ୍କୁ ପୁଲିସ ଯୋଗାଇ ଦେବ ରକ୍ତ

ସମ୍ବଲପୁର : ସମ୍ବଲପୁର ଜିଲା ପୁଲିସ ତରଫରୁ ଏକ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ସ୍ଥାନୀୟ ରିର୍ଜବ ପୁଲିସ ଲାଇନ ସ୍ଥିତ ପୁଲିସ କମ୍ୟୁନିଟି ହଲରେ ଆୟୋଜିତ ଏହି ଶିବିରକୁ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଡା. କନୱର ବିଶାଳ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାରର ଅଧିକାରୀ ଡ. କଳ୍ପେଶ କକଡ ଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ରକ୍ତଦାନକାରୀ ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ୧୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସଂଗୃହିତ ସମସ୍ତ ରକ୍ତ ୟୁନିଟ ଗୁଡିକୁ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାରକୁ ଦାନ କରାଯାଇଛି।

ଏହି ଅବସରରେ ଏସପି ବିଶାଳ ସିଂହ ସୂଚନା ଦେଇ କହିଥିଲେ ଯେ, ସମ୍ବଲପୁର ପୁଲିସ ପକ୍ଷରୁ ଆଗାମୀ ଦିନରେ ନିୟମିତ ବ୍ୟବଧାନରେ ରକ୍ତଦାନ ଶିବିର ଆୟୋଜିତ କରାଯିବ। ଏହା ସହିତ ସମ୍ବଲପୁର ଜିଲା ପୁଲିସ ବିଭାଗ ଅଧିନସ୍ଥ ୪୮୦ ଜଣ ରକ୍ତଦାନକାରୀ ପୁଲିସ କର୍ମଚାରୀ ଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଯଦି କୌଣସି ରୋଗୀଙ୍କୁ ଜରୁରୀକାଳୀନ ଭାବରେ ରକ୍ତର ଆବଶ୍ୟକ ପଡେ ତାହା ହେଲେ ତାଙ୍କର ସର୍ମ୍ପକୀୟ ଅଥବା ଚିହ୍ନା ପରିଚିତ ବ୍ୟକ୍ତି ୨୪ ଘଣ୍ଟିଆ ପୁଲିସ ହେଲ୍ପ ଲାଇନ ନଂ ୧୦୦, ୫ଟି କଲ ସେନ୍ଟର ନଂ ୮୪୫୮୦୦୨୯୫୦ ଓ ଟ୍ୱିଟର ଆକାଉନ୍ଟ ((@spsambalpur)) ମାଧ୍ୟମରେ ଅନୁରୋଧ କରିପାରିବେ। ଖବର ପାଇବା ପରେ ପୁଲିସ ତରଫରୁ ଯଥାଶିଘ୍ର ରକ୍ତଦାନକାରୀଙ୍କୁ ନେଇ ରକ୍ତ ପ୍ରଦାନର ବ୍ୟବସ୍ଥା କରାଯିବ। ଏଥି ପାଇଁ ରିଜର୍ବ ପୁଲିସ ଅଧିକାରୀ ମଧୁସୂଦନ ମହାପାତ୍ରଙ୍କୁ ସମ୍ବଲପୁର ଜିଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପୁଲିସ ଏହି ମାନବସେବା କାର୍ଯ୍ୟ ଜିଲାରେ ରେଡକ୍ରସ ଓ ଅନ୍ୟ ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କ ସହିତ ମିଳିତ ଭାବରେ କାର୍ଯ୍ୟାନ୍ୱିତ କରିବ ବୋଲି ଏସପି ବିଶାଳ ସିଂହ କହିଛନ୍ତି। ପୁଲିସର ଏହି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

 

Comments are closed.