ସମାଜ ପ୍ରଭାବ ; ରେଳବାଇ ତମ୍ବା ତାର ଚୋରି ଘଟଣାରେ ୩ ଗିରିଫ

ସମ୍ବଲପୁର : ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ହାତୀବାରି ସ୍ଥିତ ରେଳବାଇ ବିଦ୍ୟୁତ ସବ ଷ୍ଟେସନରୁ ଟ୍ରାନ୍ସଫର୍ମର ଚୋରି ହେବାର ଘଟଣାକୁ ଚପାଇ ଦେବାର ଉଦ୍ୟମ ଚାଲୁଥିବା ବେଳେ ଏସର୍ମ୍ପକୀତ ଏକ ଖବର ୧୦ ତାରିଖରେ ଶତବାର୍ଷିକ ଦୈନିକ ଖବରକାଗଜ ‘ସମାଜ’ରେ ପ୍ରକାଶିତ ହୋଇଥିଲା। ଏହାର ପ୍ରଭାବରେ ସମ୍ବଲପୁର ଓ ରେଢ଼ାଖୋଲର ରେଳ ସୁରକ୍ଷା ବାହିନୀ ତତ୍ପର ହୋଇ ଚଢ଼ଉ କରି ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ଚୋରି ମାଲ ଜବତ କରିଥିବାର ଜଣାପଡିଛି।

ରେଢ଼ଖୋଲ ରେଳବାଇ ଅଧିକାରୀ ବିବେକ କୁମାରଙ୍କ ସୂଚନାନୁଯାୟୀ, ଚୋରି ଘଟଣା ପରେ ୮ ତାରିଖରେ ରେଢ଼ାଖୋଲ ରେଳବାଇ ଥାନାରେ ମାମଲା ନଂ ୫/୨୦୧୯ ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ୯ ତାରିଖ ରାତ୍ରିରେ ଇନିସପେକ୍ଟର ବିବେକ କୁମାର, ସବ ଇନିସପେକ୍ଟର ଅଜୟ ସ୍ୱାଇଁ, କନେଷ୍ଟବଳ ସୁଶିଳ କୁମାର ପ୍ରଧାନ, ସୁଦାମ ସେନ୍ଦିୟା, ସୁଶାନ୍ତ କୁମାର ବିଶ୍ୱାଳ ଏବଂ ସମ୍ବଲପୁର ଆରପିଏଫ ସିଆବି ଦଳ ବିମଳ କୁମାର ଦାସ, ଏସଟିଏଫ ଦଳର ଶ୍ରବଣ ପ୍ରଧାନ ଙ୍କର ମିଳିତ ଏକ ସ୍ୱତନ୍ତ୍ର ଦଳ ଚଢ଼ଉ କରି ଚୋର ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଆରପିଏଫ ଦ୍ୱାରା ଧରା ହୋଇଥିବା ଅଭିଯୁକ୍ତ ଚୋର ମାନେ ହେଲେ ପୁଟିବନ୍ଧ ଏସଏସସିବି କଲେଜ ନିକଟ ନିବାସୀ ସଞ୍ଜୀବ ପଟେଲ, ନୁଆପଡା ଗୋଲବଜାରର ଇରଫାନ ମହମ୍ମଦ ଓ ଚୋରି ହୋଇଥିବା ତମ୍ବା ତାର କିଣିଥିବା କ୍ରେତା ଭୂତାପଡାର ଧିରେନ୍ଦ୍ର ସିଂହ ଅଟନ୍ତି। ଆରପିଏଫ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ୬ ତାରିଖ ରାତ୍ରିରେ ଟ୍ରାନ୍ସଫର୍ମର ଚୋରି ହେବା ପରେ ବିଦ୍ୟୁତ ସରବରାହରେ ବ୍ୟାଘ୍ରାତ ସୃଷ୍ଟି ହେବାରୁ ଘଟଣାଟି ଜଣାପଡିଥିଲା। ଖବର ପାଇ ରେଢ଼ାଖୋଲ ଆରପିଏଫ ଘଟଣାସ୍ଥଳକୁ ଯାଇ ଦେଖିବା ସମୟରେ ଟ୍ରାନ୍ସଫର୍ମର ଚୋରି ହୋଇଥିବାରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଶୁକ୍ରବାର ଦିନ ସମ୍ବଲପୁର ଷ୍ଟେସନରେ ଥିବା ପାର୍ସଲ କାର୍ଯ୍ୟାଳୟରେ ଭାରିମାତ୍ରାରେ ଏକାଧିକ ବସ୍ତାରେ ତମ୍ବା ତାର ଭର୍ତ୍ତି କରାଯାଇ ବୁକିଂ ପାଇଁ ଆସିଥିବାର ଜଣାପଡିବା ପରେ ରେଢ଼ଖୋଲ ଆରପିଏଫ ପୁଲିସ ଆସି ଏହାକୁ ଯାଞ୍ଚ କରିଥିଲା। ଯାଞ୍ଚ ପ୍ରକ୍ରିୟାରେ ସମ୍ବଲପୁରର ଏକ କବାଡି ମାଲିକ ଏହି ବସ୍ତା ଗୁଡିକୁ ଆଣିଥିବା ଓ ଏହା ରାଜ୍ୟ ବାହାରକୁ ପଠାଯିବା ପାଇଁ ଅଣାଯାଇଥିଲା ବୋଲି ଜଣାପଡିଛି। ପୁଲିସର ଯାଞ୍ଚ ସମୟରେ ବସ୍ତା ଭିତରେ ହାତିବାରୀ ସବଷ୍ଟେସନରୁ ଚୋରି ହୋଇଥିବା ତମ୍ବା ତାର ରହିଥିବାର ଜଣାପଡିଥିଲା। ଏ ସର୍ମ୍ପକରେ ସମ୍ବଲପୁର ମଣ୍ଡଳ ସୁପରିନ୍ଟେଣ୍ଡାନ୍ଟ ଅଜିତ କୁମାର ବର୍ଣ୍ଣାୱାଲା ଙ୍କୁ ପଚରାଯିବାରୁ ସେ ଏଭଳି ଏକ ଘଟଣା ହୋଇଥିବାର ଏବଂ ତାହାର ତଦନ୍ତ କରାଯାଉଛି ବୋଲି କହିଥିଲେ। ତେବେ ଏହି ମାମଲାକୁ ତଦନ୍ତ ଆଳରେ ଚପାଇବାର ଉଦ୍ୟମ ଜୋରସୋରରେ ଚାଲୁ ରହିଥିଲା। ଏବେ ସମାଜର ପ୍ରଭାବରେ ଚୋର ମାନଙ୍କୁ ଆରପିଏଫ ପାର୍ସଲ କାର୍ଯ୍ୟାଳୟରେ ଥିବା ୫ଟି ବସ୍ତା ଗୁଡିକୁ ଏବେ ମଧ୍ୟ ଅଟକ ରଖି ଖାନତଲାସି ଚଳାଇଛି। ପ୍ରଥମରୁ ଏହି ମାମଲାକୁ ଚପାଇବାର ପ୍ରଚେଷ୍ଟା କରି ଏବେ ଆରପିଏଫ ହରଡଘଣାରେ ପଡିଯାଇଥିବାର ବିଶ୍ୱସ୍ତସୂତ୍ରରୁ ପ୍ରକାଶ।

Comments are closed.