ବେସରକାରୀ ସ୍କୁଲ ମାନଙ୍କର ଫି’ ବୃଦ୍ଧି ଓ ଆଦାୟକୁ ଅଭିଭାବକଙ୍କ ବିରୋଧ

ସମ୍ବଲପୁର: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପି ଲକ ଡାଉନ କରାଯାଇଛି। କରୋନା ସଙ୍କଟ ଯୋଗୁଁ ଲକ ଡାଉନ ପାଇଁ ସମସ୍ତ ବ୍ୟବସ୍ଥା ଠପ ହୋଇଯାଇଛି। ଯାହା ଫଳରେ ଲୋକେ ବ୍ୟାପକ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ଏଣୁ ଏହି ଘଡିସନ୍ଧି ମୁହୁର୍ତ୍ତରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରୋନା ପାଇଁ ସମସ୍ତଙ୍କୁ ନିଜର ସାମର୍ଥ୍ୟ ମତେ ପରସ୍ପରକୁ ସହଯୋଗ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି। ତେବେ ଲକ ଡାଉନ ସମୟରେ ବେସରକାରୀ ସ୍କୁଲ ମାନେ ସେମାନଙ୍କ ବାର୍ଷିକ ଫିସ ବୃଦ୍ଧି ଓ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ସ୍କୁଲ ଫିସ ଦେବା ପାଇଁ ଅଭିଭାବକ ମାନଙ୍କୁ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ ହେଉଛି। ଯାହା ଫଳରେ ଅଭିଭାବକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଜାରି ରହିଛି। ଦିନକୁ ଦିନ ସ୍କୁଲ ମାନେ ସେମାନଙ୍କର ଚାପ ବୃଦ୍ଧି କରୁଥିବାରୁ ଓଡିଶା ଅଭିଭାବକ ସଂଘ, ସମ୍ବଲପୁର ଶାଖା ତରଫରୁ ମଙ୍ଗଳବାର ପୂର୍ବାହ୍ନରେ ସ୍କୁଲ ଫିସ ବୃଦ୍ଧିକୁ ରୋକ ଓ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଫିସକୁ ମାଫ କରିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ସ୍ଥାନୀୟ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ସଂଘର ସମ୍ବଲପୁର ଶାଖା ତରଫରୁ ପ୍ରଦାନ କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଏବେ କରୋନା ପାଇଁ ସମସ୍ତଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ଏଣୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବେସରକାରୀ ସ୍କୁଲ ମାନଙ୍କୁ ଲକ ଡାଉନ ସମୟର ଫିସ ଛାଡ କରିବା ପାଇଁ ଆହ୍ୱାନ କରିଛନ୍ତି। କିନ୍ତୁ ଦେଶ ମୁଖ୍ୟ ଓ ରାଜ୍ୟ ମୁଖ୍ୟଙ୍କ ଆହ୍ୱାନକୁ ହେୟଜ୍ଞାନ କରି ସମ୍ବଲପୁରରେ ଥିବା ବହୁ ବେସରକାରୀ ସ୍କୁଲ ମାନେ ସେମାନଙ୍କର ବାର୍ଷିକ ଦେୟ ଫିସ ବୃଦ୍ଧି ସହିତ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଫିସ ଦେବା ପାଇଁ ଅଭିଭାବକ ମାନଙ୍କ ଉପରେ ନିୟମିତ ଭାବରେ ଚାପ ପକାଇ ଆସୁଛନ୍ତି। ସିଂହଭାଗ ଅଭିଭାବକ ମାନେ ନିଜେ ସ୍ୱାବଲମ୍ବି ହେବା ସହିତ ଛୋଟମୋଟ ବ୍ୟବସାୟ କରି ପରିବାର ଭରଣ ପୋଷଣ କରୁଛନ୍ତି। କିନ୍ତୁ କରୋନା ମାଡରେ ଏବେ ସେମାନଙ୍କର ଆୟ ଶୂନ୍ୟ ହୋଇଯାଇଥିବା ବେଳେ ଥିବା ଜମାପୁଞ୍ଜି ମଧ୍ୟ ଶେଷ ହୋଇଯାଇଛି। ଏଭଳି ସ୍ଥଳରେ ସ୍କୁଲ ମାନଙ୍କ ଦ୍ୱାରା ଫିସ ବୃଦ୍ଧି ଓ ଆଦାୟ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଏଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ସଂଘ ତରଫରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି। ଦିଆଯାଇଥିବା ଦାବିପତ୍ରରେ ଗୁରୁନାନକ ପବ୍ଲିକ ସ୍କୁଲ, ସେନ୍ଟ ଯୋଶେଫ କନଭେଣ୍ଟ ସ୍କୁଲ, ବିକାଶ କନସେପ୍ଟ ସ୍କୁଲ, ସେନ୍ଟ ଜନ ସ୍କୁଲ ସମେତ ୭ଟି ସ୍କୁଲର ଅଭିଭାବକ ମହମ୍ମଦ ରୁସ୍ତମ, ନିଆର ଖାନ, ଏସକେ ସବ୍ୱିର, ସଞ୍ଜୟ ସାହୁ, ରୋହିତ ମିଶ୍ର, ଯଶୋବନ୍ତ ପାଣ୍ଡେ, ତୃପ୍ତି ରଞ୍ଜନ ମିଶ୍ର, ଅଜୟ ଶର୍ମା, ପ୍ରଦୀପ ପାଢ଼ୀ, ଅମିତ ଚୌଧୁରୀ, ଏନ. କେ. ପାଣ୍ଡେ, ନିଳମାଧବ ସାହୁ, ରବିନ୍ଦ୍ର ଶର୍ମା, ବିଷ୍ଣୁ ସ୍ୱାଇଁ, ରାଜେଶ ରଥ, ବିଷ୍ଣୁ ସାହୁ ଙ୍କର ଦସ୍ତଖତ ରହିଛି।

ସୂଚନାଯୋଗ୍ୟ ଯେ, ଏପ୍ରିଲ ମାସରେ ସମ୍ବଲପୁରର ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ ଲକ ଡାଉନ ମାର୍ଚ୍ଚରୁ ଜୁନ ମାସ ଅଥବା ସ୍କୁଲ ଆରମ୍ଭ ନ ହେବା ପର୍ଯ୍ୟନ୍ତ ବେସରକାରୀ ସ୍କୁଲ ମାନଙ୍କୁ ଫିସ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି। ଏହା ମାମଲାର ଶୁଣାଣିରେ ମାନ୍ୟବର ହାଇକୋର୍ଟ ଓଡିଶା ସରକାରଙ୍କୁ ନୋଟିସ ଜାରି କରି ଓଡିଶା ସରକାରଙ୍କୁ ପକ୍ଷ ରଖିବା ପାଇଁ କହିଛନ୍ତି। ଆଇନଜୀବୀ ଅନସାରୀଙ୍କ ଜନସ୍ୱାର୍ଥ ମାମଲା ପରେ ସ୍କୁଲ ଫିସ ଛାଡ, ବେସରକାରୀ ସ୍କୁଲ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା, ବିଜୁଳି ମାଫ ଇତ୍ୟାଦି ବିଷୟକୁ ନେଇ ଆହୁରୀ ଜନସ୍ୱାର୍ଥ ମାମଲା ଗୁଡିକ ହାଇକୋର୍ଟରେ ଦାଖଲ କରାଯିବାରୁ ମାନ୍ୟବର ହାଇକୋର୍ଟ ସମସ୍ତ ମାମଲା ଗୁଡିକୁ ଏକତ୍ରିତ କରି ଏକା ସାଙ୍ଗରେ ଶୁଣାଣି ଜାରି ରଖିଛନ୍ତି। ଏହି ମାମଲାରେ ଗତ ୧୧ ତାରିଖରେ ଶୁଣାଣି ପରେ ଆଗାମୀ ଜୁଲାଇ ମାସରେ ଶୁଣାଣି ହେବ ବୋଲି ହାଇକୋର୍ଟ ତାରିଖ ସ୍ଥିର କରିଥିବା ବେଳେ ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଜୁନ ପର୍ଯ୍ୟନ୍ତ ଫିସ ଆଦାୟକୁ ବନ୍ଦ ରଖିଛନ୍ତି। କିନ୍ତୁ ବେସରକାରୀ ସ୍କୁଲ ମାନେ ମାନ୍ୟବର ହାଇକୋର୍ଟଙ୍କ ଫଇସଲା ଆସିବା ପୂର୍ବରୁ କୌଣସି ଉପାୟରେ ଫିସ ଆଦାୟ ଲକ୍ଷ୍ୟରେ ଅଭିଭାବକ ମାନଙ୍କ ଉପରେ ଚାପ ପ୍ରୟୋଗ କରିଚାଲିଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି।

Comments are closed.