ନିଷ୍କ୍ରିୟ ପ୍ରଶାସନକୁ ସମ୍ବେଦନହୀନ ଜନତା : ସମ୍ବଲପୁରରେ ଗୋଟିଏ ଦିନରେ ୧୬୮ ସଂକ୍ରମିତ ଚିହ୍ନଟ

ସମ୍ବଲପୁର : ସମ୍ବଲପୁର ଜିଲାରେ ଦିନକୁ ଦିନ କରୋନା ନୂତନ ଉଚ୍ଚତା ହାସଲ କରିବାରେ ଲାଗିଛି। ଏଥି ପାଇଁ ଜିଲା ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଲଗାଯିବା ସହିତ ଗତ ମାସରେ ୧୦ ଦିନ ଜିଲାକୁ ସଟ ଡାଉନ ଓ ଚଳିତ ମାସ ପ୍ରତି ଶନିବାର ଓ ରବିବାର ସଟଡାଉନ କରିଛନ୍ତି। ବିଭିନ୍ନ ପ୍ରକାରର କଟକଣା ଲଗାଯିବା ସତ୍ୱେ ପ୍ରତ୍ୟହ ସଂକ୍ରମଣର ସଂଖ୍ୟା ଆକାଶ ଛୁଆଁ ହେବାରେ ଲାଗିଛି। ଗତ ଶନିବାର ଓ ରବିବାର ଜିଲା ସଟ ଡାଉନ ଥିବା ବେଳେ ସୋମବାର ପର୍ଯ୍ୟନ୍ତର ସର୍ବାଧିକ ୧୬୮ଟି ସଂକ୍ରମିତ ଚିହ୍ନଟ ହେବା ପରେ ଉଭୟ ପ୍ରଶାସନ ଓ ଜନତାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି। କିନ୍ତୁ ବିଡମ୍ବନାର ବିଷୟ ଯେ ଏବେ ସମ୍ବଲପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାରରୁ ଉର୍ଦ୍ଧ ହୋଇ ସାରିଥିବା ବେଳେ ସୋମବାର କେବଳ ଦିନକରେ ୧୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସତ୍ୱେ ପ୍ରଶାସନ ଯେତିକି ସକ୍ରିୟ ହେବା କଥା ତାହା ପରିଲକ୍ଷିତ ହେଉ ନ ଥିବା ବେଳେ ସେହି ଅନୁପାତରେ ଜନତା ମଧ୍ୟ ସଚେତନ ନୁହେଁ।

ବିଶେଷଜ୍ଞଙ୍କ ମତରେ ସମ୍ବଲପୁର ଜିଲାରେ କରୋନା ସଂକ୍ରମଣ ପ୍ରଥମେ ମେ ୧୭ ତାରିଖରେ ପ୍ରବେଶ କରିବା ପରେ ଉଭୟ ପ୍ରଶାସନ ଓ ଜନତା ଅଧିକ ସର୍ତକତା ଅବଲମ୍ବନ କରିବାର ଥିଲା। ଯାହାକି ସମ୍ବଲପୁର ଜିଲା ବିଶେଷ କରି ମହାନଗର ନିଗମ ଅଞ୍ଚଳରେ କରାଯାଇ ନାହିଁ। ପ୍ରଶାସନ ତରଫରୁ ବାରମ୍ବାର ସର୍ତକତା ଅବଲମ୍ବନ କରାଯାଇ ଜନସଚେତନତା ସୃଷ୍ଟି କରିବାର ଡିଣ୍ଡିମ ପିଟା ଯାଇଥିବା ବେଳେ କିନ୍ତୁ ତାହା ପ୍ରକୃତ କ୍ଷେତ୍ରରେ ପ୍ରତିଫଳିତ ହୋଇ ନ ଥିବାରୁ ଆଜି ଏହି ଅବସ୍ଥା ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ କଂଟାକ୍ଟ ଟ୍ରେସିଂରେ ଅବହେଳା, ସଂକ୍ରମିତ ଚିହ୍ନିତ ରୋଗୀ ରହୁଥିବା ଘର ଓ ଅଞ୍ଚଳକୁ ସାନିଟାଇଜ କରା ନ ଯିବା, କୋଭିଡ ନିୟମାବଳୀ ପାଳନରେ ଅବହେଳା, ରୋଗୀକୁ ବିନା ସର୍ତକତାରେ ଆମ୍ବୁଲାନ୍ସ ଚାଳକ ଓ ଅଙ୍ଗନୱାଡି କର୍ମୀଙ୍କ ଜରିଆରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ, ନିଗମ ଅଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ଜମି ରହିବା, ରିପୋର୍ଟ ଦେବାରେ ଅହେତୁକ ବିଳମ୍ବ ଆଦି ବହୁ ପ୍ରକାରର ଅବହେଳା ଓ ନିୟମ ଖିଲାପି କରାଯାଇଥିବାର ଦେଖାଯାଇଛି। ଯାହାର ପରିଣତି ଏବେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ସୋମବାର ଜିଲାରେ ପ୍ରକାଶିତ ସଂକ୍ରମଣ ସୂଚୀ ଅନୁଯାୟୀ ସମୁଦାୟ ୧୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ସିଂହଭାଗ ନିଗମ ଅଞ୍ଚଳର ନିବାସୀ ଅଟନ୍ତି। ଷ୍ଟେସନପଡାରୁ କେବଳ ଅର୍ଦ୍ଧାଧିକ ୮୫ ଜଣ ସଂକ୍ରମିତ ହେବା ଘଟଣା ପ୍ରଶାସନର ଦାବିର ପୋଲ ଖୋଲି ଦେଉଛି। ଅନ୍ୟ ପଟରେ ଜିଲା ପ୍ରଶାସନ କରୋନା ନିୟନ୍ତ୍ରଣ ଓ କୋଭିଡ ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇଁ ସବୁ ପ୍ରକାରର ସୁବ୍ୟବସ୍ଥା କରାଯାଇଥିବାର ଟ୍ୱିଟ କରୁଥିବା ବେଳେ କିନ୍ତୁ ହସ୍ପିଟାଲ ମଧ୍ୟରୁ ଖୋଦ ରୋଗୀ ମାନେ ନିତି ପ୍ରତିଦିନ ଅବ୍ୟବସ୍ଥାର ପୋଲ ଖୋଲୁଥିବାର ଭିଡିଓ ଓ ଫଟୋ ଚିତ୍ର ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ପଠାଉଛନ୍ତି। ଯାହାର ସନ୍ତୋଷଜନକ ଉତ୍ତର ଏ ପର୍ଯ୍ୟନ୍ତ ପ୍ରଶାସନ ଦେଇ ପାରି ନ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରୁ ଯଥା ସମ୍ଭବ ଦୂରତା ଜିଲା ପ୍ରଶାସନ ଅବଲମ୍ବନ କରୁଛି।

ଅନ୍ୟ ପଟରେ ଜନତା ମଧ୍ୟ ଯେତିକି ଏହି ସଙ୍କଟଜନକ ପରିସ୍ଥିତିରେ ସମ୍ବେଦନଶୀଳ ଓ ଦାୟିତ୍ୱବାନ ହେବାର ଦରକାର ତାହା ମଧ୍ୟ ପରିଲକ୍ଷିତ ହେଉ ନାହିଁ। ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ଜିଲାରେ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ପରେ ଜରୁରୀକାଳିନ ସେବା ବ୍ୟତିତ ସମସ୍ତ ଦୋକାନ ବଜାର, ଯାତାୟାତ ଆଦିକୁ ବାତିଲ କରାଯାଇଛି। କିନ୍ତୁ ତାହା ପ୍ରକୃତ କ୍ଷେତ୍ରରେ କାର୍ଯ୍ୟକାରୀ ହେଉ ନାହିଁ। କେବଳ ମୁଖ୍ୟ ସ୍ଥାନ ଓ ରାସ୍ତା ଗୁଡିକ ଉପରେ ରହିଥିବା ଦୋକାନ ଓ ବଜାର ଗୁଡିକ ବନ୍ଦ ରହୁଥିବା ବେଳେ ବାକି ଗଳିକନ୍ଦି, ପଡା, ବସ୍ତି ଅଞ୍ଚଳ ଗୁଡିକରେ ସବୁ ଖୋଲା ରହୁଛି। ଲୋକେ ବିଭିନ୍ନ ବାହାନାରେ ଘୂରି ବୁଲୁଥିବା ବେଳେ ଦାୟିତ୍ୱହୀନ ଭାବରେ ବସ୍ତି ଅଞ୍ଚଳ ଗୁଡିକରେ ଏକ ସାଥିରେ ବସି ଗପସପ କରୁଥିବାର ଦେଖାଯାଉଛି। ସକାଳ ପାଇଲା ମାତ୍ରେ ପରିବା କିଣିବା ନାମରେ ବଜାର ଗୁଡିକରେ ନାହିଁ ନ ଥିବାର ଭିଡ ଦେଖାଯାଉଛି ଏବଂ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ଦେଖାଯାଉଛି। ଅଧିକାଂଶ ଅଂଳରେ ଜନତା ନିଜେ ଦାୟିତ୍ୱହୀନ ରହି ସବୁ ପ୍ରଶାସନ ଉପରେ ଛାଡି ଦେଉଥିବା ବେଳେ ବହୁ ସ୍ଥାନରେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳୁଛି। ଅନ୍ୟ ପଟରେ ପୁଲିସ ବିଭାଗ ଏବେ ନିଜେ ସଂକ୍ରମଣ ଜନିତ ସ୍ଥିତି ସହିତ ଲଢ଼ୁଥିବା ବେଳେ କରୋନା ନିୟମ ଲାଗୁ କରିବାରେ ପୂର୍ବ ଭଳି ଆନ୍ତରିକତା ପ୍ରଦର୍ଶନ କରୁ ନ ଥିବାର ଦେଖାଯାଉଛି। ଏଭଳି ଘଡି ସନ୍ଧି ମୁହୁର୍ତରେ ଯେ ପର୍ଯ୍ୟନ୍ତ ଜନତା ଓ ପ୍ରଶାସନ ଉଭୟ ଦାୟିତ୍ୱବାନ ହୋଇ ପରସ୍ପରକୁ ସହଯୋଗ ନ କରିବେ, ସେ ପର୍ଯ୍ୟନ୍ତ କରୋନା ଭଳି ମହାମାରୀକୁ ରୋକିବାର ସମ୍ଭବପର ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.