ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସର୍ମ୍ପକରେ ଜିଲାପାଳଙ୍କ ସହିତ ଆଲୋଚନା

ସମ୍ବଲପୁର: ସମ୍ବଲପୁର ଜିଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସର୍ମ୍ପକରେ ନୂତନ ଭାବରେ କାର୍ଯ୍ୟରେ ଯୋଗଦାନ କରିଥିବା ଜିଲାପାଳ ଅନନ୍ୟା ଦାସ ଙ୍କ ସହତି ଗୁରୁବାର ସାମ୍ବାଦିକ ମାନଙ୍କ ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତକାର କରିଛନ୍ତି। ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲା ଶାଖାର ଉପ ସଭାପତି ସୁକାନ୍ତ କୁମାର କରଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳ ଜିଲାପାଳ ଦାସ ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହି ଅବସରରେ ଜିଲାପାଳଙ୍କ ସହିତ ଆଲୋଚନା ସମୟରେ ତାଙ୍କର ଜରିଆରେ ରାଜ୍ୟ ସରକାର ଠାରେ ଦାବି କରାଯାଇଥିବା ‘ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ଆଗାମୀ ବିଧାନସଭା ଅଧିବେଶନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସକାଶେ ‘ସାମ୍ବାଦିକ ସୁରକ୍ଷା ଆଇନ’ ବିଲ ଆଗତ କରିବା, କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କୁ ଆକ୍ରମଣ ପାଇଁ ଆଇନ ଅନୁଯାୟୀ କଠୋର ଦଣ୍ଡ ବିଧାନ ଲାଗୁ କରିବା, ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକ ମାନଙ୍କ ପାଇଁ ପେନସନ ବୀମା ଭୁକ୍ତ କରିବା, ଏକ୍ରିଡିଏସନ ନିୟମ ପରିବର୍ତ୍ତନ କରିବା, ଯାତାୟାତ ସମୟରେ ରିହାତି ଦେବା ସହିତ ଟୋଲ ଟିକସ ଛାଡ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପାଇଁ ରାଜ୍ୟ ଗେଜେଟ ପ୍ରକାଶ କରିବା, ସାମ୍ବାଦିକ ଆବାସ ଯୋଜନା, ସାମ୍ବାଦିକଙ୍କ ସକାଶେ ଉଦ୍ଦିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ, ସମ୍ବେନଦଶୀଳ ଘଟଣା ଅନୁସନ୍ଧାନ ଯଥା ମାଓ ପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା ଆଦି ଗୁଡିକର ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କ ଭୂମିକା ପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା ଜାରି କରିବା, ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ ଆଦି ଦାବି ଗୁଡିକ ସର୍ମ୍ପକରେ ଜିଲାପାଳଙ୍କୁ ଅବଗତ କରାଯାଇ ଆଲୋଚନା କରାଯାଇଥିଲା।

ସଂଘର ଦ୍ୱାରା ବିଗତ ବର୍ଷ ଗୁଡିକରେ କରାଯାଇଥିବା ସଂକ୍ଷିପ୍ତ ବିବରଣୀ ସର୍ମ୍ପକରେ ଅବଗତ ହେବା ପରେ ଜିଲାପାଳ ଅନନ୍ୟା ଦାସ ଖୁସି ବ୍ୟକ୍ତ କରି ସାମ୍ବାଦିକ ମାନଙ୍କର ଉତ୍ସାହବର୍ଦ୍ଧନ କରିଥିଲେ। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ସରୋଜ ସାହୁ, ବିରାଜ କୁମାର ମିଶ୍ର, ହରି ଶଙ୍କର ମିଶ୍ର, ସତ୍ୟଜିତ ମହାପାତ୍ର, ଚୈତନ୍ୟ ନାୟକ, ସାଧବ ପ୍ରଧାନ, ସୁବ୍ରତ ପାଢ଼ୀ, ସଞ୍ଜୀବ ପାଣିଗ୍ରାହୀ ଓ ନର୍ସିଂହ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.