ସମ୍ବଲପୁରରେ ଯୋଗ ଦେଲେ ନୂତନ ଆଇଜି ଓ ଏସପି

ଅପରାଧ ନିୟନ୍ତ୍ରଣ ଓ ଜନତା ସହିତ ସୁସର୍ମ୍ପକକୁ ପ୍ରାଥମିକତା

ସମ୍ବଲପୁର : ପଶ୍ଚିମ ଓଡିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜିଲା ସମ୍ବଲପୁରଠାରେ ସ୍ଥିତ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଓ ଏସପି ପଦ ମାସାଧିକ କାଳ ଖାଲି ରହିଥିଲା। ସମ୍ବଲପୁର ଜିଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଦିନକୁ ଦିନ ନିମ୍ନଗାମୀ ହେଉଥିବାରୁ ତୁରନ୍ତ ଖାଲି ପଡିଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ପଦଗୁଡିକ ଭର୍ତ୍ତି କରିବା ପାଇଁ ଜିଲା ଓକିଲ ସଂଘ ସମେତ ଜନତା ଦାବି କରି ଆସୁଥିଲେ। ଏଣୁ ଗତ ୨୩ ତାରିଖରେ ସରକାର ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଭାବରେ ବରିଷ୍ଠ ଆଇପିଏସ ଅଧିକାରୀ ନରସିଂହ ଭୋଳ ଓ ଏସପି ଭାବରେ ଆଇପିଏସ ଅଧିକାରୀ ବାଟ୍ଟୁଲା ଗଙ୍ଗାଧରଙ୍କୁ ନବ ନିଯୁକ୍ତି ଦେଇଥିଲେ। ଏହି କ୍ରମରେ ଶୁକ୍ରବାର ରାତ୍ରି ଭାରପ୍ରାପ୍ତ ଉତ୍ତରାଞ୍ଚ ପୁଲିସ ରେଞ୍ଜ ଡିଆଇଜି କବିତା ଜଲାନଙ୍କଠାରୁ ଆଇଜି ନରସିଂହ ଭୋଳ ଏବଂ ଭାରପ୍ରାପ୍ତ ଏସପି ଅମରେଶ ପଣ୍ଡାଙ୍ଠାରୁ ଏସପି ବାଟ୍ଟୁଲା ଗଙ୍ଗାଧର ସମ୍ବଲପୁରଠାରେ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି।

ଅପରାଧ ନିୟନ୍ତ୍ରଣ ଓ ଜନତା ସହିତ ସୁସର୍ମ୍ପକକୁ ପ୍ରାଥମିକତା : ଆଇଜି ନରସିଂହ ଭୋଳ
ଏହି ଅବସରରେ ସମାଜ ସହିତ କଥାବାର୍ତ୍ତା ହେବା ସମୟରେ ଆଇଜି ଭୋଳ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପୁଲିସ ରେଞ୍ଜ ହୋଇଥିବାରୁ ଆଇନ ଶୃଙ୍ଖଳା, ଜନତା ଓ ପୁଲିସ ମଧ୍ୟ ସୁସର୍ମ୍ପକ, ମହିଳା ଓ ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱ, ସାଇବର ଅପରାଧ ଉପରେ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ସହିତ ପୁଲିସ ବିଭାଗରେ ରିଫର୍ମକୁ ପ୍ରାଧାନ୍ୟ ଦିଆଯିବ। ସମ୍ବଲପୁର ଜିଲାରେ ଅନେକ ସମସ୍ୟା ରହିଛି। ବିଶେଷ ଭାବରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ବିଭାଗ ସର୍ବଦା ଉଦ୍ୟମ କରୁଛି। ତେବେ ରାଜ୍ୟ ସରକାର ମୋ ଉପରେ ଆସ୍ଥା ଓ ବିଶ୍ୱାସ ରଖି ଏଭଳି ଏକ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। ଏହାକୁ ମୁଁ ସୁଚାରୁ ରୂପେ ତୁଲାଇବାକୁ ଉଦ୍ୟମ କରିବି। ପୁଲିସ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହାକୁ ଉତ୍ତରାଞ୍ଚଳ ରେଞ୍ଜରେ କାର୍ଯ୍ୟକାରୀ କରାଯିବ। ଅପରାଧ କ୍ଷେତ୍ରରେ ନୂଆ ନୂଆ ଚ୍ୟାଲେଞ୍ଜ ରହିଛି। ସମ୍ବଲପୁର ଏକ ପ୍ରମୁଖ ସହର ଅଟେ। ଶିଳ୍ପାନୁଷ୍ଠାନ, ସହରୀକରଣ ସହିତ ସମସ୍ତ ପ୍ରକାରର ସମସ୍ୟା ରହିଛି। ମାଓ ସମସ୍ୟା ହେଉ, ବିଭିନ୍ନ ଦାବିକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ସବୁ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରେଞ୍ଜ ଅଟେ। ଏ ସବୁ ସମସ୍ୟା ଗୁଡିକୁ ଆମକୁ ସାମନା କରିବାକୁ ହେବ। ଯେଭଳି ଏହାକୁ ସୁଚାରୁ ରୂପେ ତୁଲାଇ ପାରିବୁ ସେଥିପାଇଁ ସଦାସର୍ବଦା ଚେଷ୍ଟା ରହିବ। ଆଇନ ଶୃଙ୍ଖଳା ରକ୍ଷା କରିବା ଆମର ପ୍ରାଥମିକତା ଅଟେ। ମହିଳା ଓ ଶିଶୁ ମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ସହିତ ଅପରାଧକୁ ରୋକିବା ସହିତ ଅପରାଧି ମାନେ କିଭଳି ଆଇନ ଅନୁଯାୟୀ କୋର୍ଟ ମାଧ୍ୟମରେ ଦଣ୍ଡ ପାଇପାରିବେ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ପୁଲିସକୁ ଆହୁରୀ ବଳଶାଳୀ କରିବା ପାଇଁ ଡିଜିଙ୍କ ଏକ ସୂଦୁର ପ୍ରସାରୀ ଯୋଜନା ରହିଛି। ଏଣୁ ସାଇବର କ୍ରାଇମକୁ ରୋକିବା ପାଇଁ ଦକ୍ଷ ଅଧିକାରୀ ମାନଙ୍କୁ ଆହୁରୀ ତାଲିମ ଦିଆଯିବ। ଇତି ମଧ୍ୟରେ କିଛି ଦିନ ତଳେ ଅଧିକାରୀ ମାନଙ୍କର ସାଇବର ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି। ଆଗାମୀ ମାସେ ଦୁଇ ମାସ ଭିତରେ ପ୍ରଶିକ୍ଷିତ ଅଧିକାରୀ ମାନଙ୍କ ମଧ୍ୟରୁ ଦକ୍ଷ ଅଧିକାରୀ ମାନଙ୍କୁ ଚୟନ କରାଯାଇ ଆହୁରୀ ତାଲିମ ଦିଆଯାଇ ସାଇବର ଅପରାଧକୁ ରୋକିବାରେ ଲଗାଯିବ। ଥାନା ଗୁଡିକୁ ସାଇବର ମାମଲା ଗୁଡିକୁ ଦର୍ଜ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେବି। ଯାହା ଦ୍ୱାରା କିଭଳି ଭାବରେ ଏହାକୁ ରୋକାଯାଇ ପାରିବ ତାହା ଉପରେ ଆମେ ବିଶ୍ଲେଷଣ କରି ଆଗାମୀ ଦିନରେ ରଣନିତି ପ୍ରସ୍ତୁତ କରିବୁ। ବର୍ତ୍ତମାନ ସମୟରେ ନିଶା କାରବାର ଓ ନିଶା ସେବନ ଏକ ବଡ ଆହ୍ୱାନ ହୋଇ ଛିଡା ରହିଛି। ବିଶେଷକରି ଯୁବ ପିଢ଼ି ମାନେ ଏହାକୁ ସେବନ କରି ପଥଭ୍ରଷ୍ଟ ହେଉଛନ୍ତି। ବିଭିନ୍ନ ଅପରାଧରେ ସଂଶ୍ଲିଷ୍ଟ ହେଉଛନ୍ତି। ଏଣୁ ଯୁବକ ମାନେ ଦିଗଭ୍ରଷ୍ଟ ନ ହୋଇ ସୁମାର୍ଗରେ ଯିବାକୁ ଅନୁରୋଧ କରିବି। ଯେଉଁ ମାନେ ଏହି କାରବାର ଚଳାଉଛନ୍ତି ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କର ସମ୍ପତ୍ତି ଗୁଡିକୁ ଜବତ କରାଯିବ ବୋଲି ଆଇଜି ଭୋଳ କହିଛନ୍ତି।

ଅପରାଧ ନିୟନ୍ତ୍ରଣ ହିଁ ପ୍ରାଥମିକତା : ବି. ଗଙ୍ଗାଧର
ଦିର୍ଘ ୧ ମାସ ୫ ଦିନର ବ୍ୟବଧାନ ପରେ ସମ୍ବଲପୁର ଜିଲାର ନୂତନ ଏସପି ଭାବରେ ବାଟ୍ଟାଲୁ ଗଙ୍ଗାଧର ଯୋଗଦାନ ପରେ ସମାଜ ସହିତ କଥାବର୍ତ୍ତା ସମୟରେ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସମ୍ବଲପୁରରେ ଅଳ୍ପ କିଛି ଦିନ ମଧ୍ୟରେ ଅନେକ ହତ୍ୟା, ଚୋରି, ଡକାୟତି, ଲୁଟ ଆଦି ଘଟଣା ଦେଖିବାକୁ ମିଳିଥିଲା। ତେଣୁ ବିଭିନ୍ନ ବର୍ଗର ଲୋକେ ଖାଲି ପଡିଥିବା ଏସପି ପଦବୀ ପୂରଣ ଦାବି କରିଥିଲେ। ଜନତାଙ୍କ ଦାବି ପରେ ଏସପି ନିଯୁକ୍ତି ପରେ ନିଶା କାରବାର ରୋକିବା, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଜନତାଙ୍କ ମତାମତ ଲୋଡି ଆଗାମୀ ଦିନରେ ପ୍ରଭାବୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସେହିପରି ଅପରାଧ ଓ ଅପରାଧିଙ୍କ ସମ୍ବନ୍ଧରେ ସୁଚନା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷଙ୍କ ନାମ ଓ ପରିଚୟ ଗୋପନ ରଖାଯିବ, ଯେଭଳି ସେମାନେ ନିସଂକୋଚରେ ସୂଚନା ପ୍ରଦାନ କରି ପାରିବେ। ଏଣୁ ଏ ସବୁକୁ ଦୃଷ୍ଟିରେ ରଖି ଖୁବ ଶିଘ୍ର ସମାଜର ବିଭିନ୍ନ ବର୍ଗଙ୍କୁ ନେଇ ବୈଠକ କରାଯିବ। ଏଥିରେ ଜିଲାର ଆଇନ ଶୃଙ୍ଖଳା, ନିଶାକାରବାର, ଟ୍ରାଫିକ ନିୟନ୍ତ୍ରଣ, ସାଇବର ଅପରାଧ ରୋକିବା ଓ ଜନତାଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଇ ବିଧିବଦ୍ଧ ଭାବରେ ନିଷ୍ପତ୍ତି ନିଆଯିବ। ସେହି ଆଧାରରେ ଅପରାଧ ନିୟନ୍ତ୍ରଣ ପାଇଁ ଏକ ପ୍ରଭାବୀ ଖସଡା ପ୍ରସ୍ତୁତ ହେବ ବୋଲି ଏସପି ଗଙ୍ଗାଧର କହିଛନ୍ତି।

 

Comments are closed.