ଅଦାଲତଙ୍କ ନିର୍ଦେଶ- ୱେସ୍କୋ ଗଣିବ ୧୨ ଲକ୍ଷ

ମୁକୁଳା ଟ୍ରାନ୍ସଫର୍ମର ଜୀବନ ନେଲା

ସମ୍ବଲପୁର : ବାଟଘାଟରେ ୱେସ୍କୋ ବସାଇଥିବା ଖୋଲା ମୁକୁଳା ଟ୍ରାନ୍ସଫର୍ମର ଓ ସେଥିରୁ ରହିଥିବା ବଡ଼ ଧରଣର ବିପଦ ଆଶଙ୍କା ନେଇ ‌ଗଣମାଧ୍ୟମ ଅନେକ ସମୟରେ ସଚେତନ କରି ଆସିଛି। କିନ୍ତୁ ୱେ​‌େ​‌ସ୍କା ଉପରେ ତା’ର ପ୍ରଭାବ ପଡ଼ିନାହିଁ। ୫ ବର୍ଷ ତଳେ ଏହିଭଳି ଏକ ମୁକୁଳା ଟ୍ରାନ୍ସଫର୍ମରରେ ଜଣକର ଜୀବନ ଯାଇଥିବାରୁ ଏବେ ୱେସ୍କୋକୁ ୧୨ ଲକ୍ଷ ଟଙ୍କା ଜୋରିମାନା ଗଣିବାକୁ ପଡ଼ୁଛି। ତାହା ପୁଣି ଅଦାଲତଙ୍କ ନିର୍ଦେଶରେ। ମୃତ ବ୍ୟକ୍ତିଙ୍କ ବିଧବା ଓ ଦୁଇ ଛୋଟ ଛୁଆଙ୍କୁ ୧୨ ଲକ୍ଷ ୨୫ ହଜାର ୨୦୦ ଟଙ୍କା ସହିତ ୬ ପ୍ରତିଶତ ହାରରେ ୫ ବର୍ଷର ସୁଧ ସହିତ କ୍ଷତିପୂରଣ ଦେବାକୁ ସମ୍ବଲପୁର ଦେୱାନୀ ଅଦାଲତଙ୍କ ନିର୍ଦେଶ ୱେ​‌େ​‌ସ୍କାକୁ ବଡ଼ ଝଟକା ଦେଇଛି।
ଯୁଯୁମୁରା ବ୍ଲକ ​‌କେଶାପାଲି ‌ପାଖ ପଦପାଣି ଗ୍ରାମର ଅକୁଜ ସେଠୀ (୩୦) ଗତ ୨୦୧୫ ମସିହା ଜୁନ ୨ ତାରିଖରେ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଗାଁ ମୁଣ୍ଡରେ ବସା ଯାଇଥିବା ମୁକୁଳା ଟ୍ରାନ୍ସଫର୍ମର ପାଖରେ ଗାଈ ପଟେ ଠିଆ ହୋଇଥିବା ଦେଖିଥିଲେ। କାଳେ ଟ୍ରାନ୍ସଫର୍ମରରେ ଲାଗି ଗାଈଟି ମରିଯିବ ଭାବି ସେ ତାକୁ ସେଠାରୁ ସୁରକ୍ଷିତ ଅବସ୍ଥାରେ ଘଉଡ଼ାଇ ଆଣିବାକୁ ଚେଷ୍ଟା କରୁଥିଲା ବେଳେ ଟ୍ରାନ୍ସଫର୍ମରୁ ଝୁଲୁଥିବା ତାରରେ ତାଙ୍କ ହାତ ବାଜିଯିବାରୁ ସେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ହାଇ-ଭୋଲଟେଜ କରେଣ୍ଟ ମାଡ଼ରେ ତାଙ୍କ ଦେହ ଏକ ପ୍ରକାର ଜଳି ଯାଇଥିଲା। ସେତେବେଳେ ଏହି ଘଟଣାରେ ଯୁଯୁମୁରା ଥାନାରେ ୦୯/୨୦୧୫ ନମ୍ବର ମାମଲା ମଧ୍ୟ ରୁଜୁ ହୋଇଥିଲା ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ବିଦ୍ୟୁତ ଆଘାତରେ ଅକୁଜଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। ମିସ୍ତ୍ରୀ କାମ କରୁଥିବା ସ୍ବଳ୍ପ ରୋଜଗାର ସଂପନ୍ନ ଅକୁଜଙ୍କ ଏଭଳି ଅପ୍ରତ୍ୟାଶିତ ଓ ଅଭାବନୀୟ ମୃତ୍ୟୁରେ ତାଙ୍କ ପତ୍ନୀ ଗୁରୁବାରୀ ( ୨୭), ଝିଅ ମ​‌େ​‌ନାରମା (୯) ଓ ପୁଅ ମନୋରଞ୍ଜନ (୫) ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ସ୍ବାମୀଙ୍କ ମୃତ୍ୟୁର ୨ ମାସ ପରେ ଅଗଷ୍ଟ ୧୦ ତାରିଖରେ ଗୁରୁବାରୀ ୱେସ୍କୋକୁ ସହାୟତା ମାଗି ଦରଖାସ୍ତ ଦେଇଥିଲେ। କିନ୍ତୁ ୱେସ୍କୋ ସହାୟତା ଦେବା ଦୂରକଥା ତାଙ୍କ ଆବେଦନର ଉତ୍ତର ସୁଦ୍ଧା ଦେବାକୁ ଆବଶ୍ୟକ ମଣି ନଥିଲା। ତେଣୁ ଗୁରୁବାରୀ ୱେସ୍କୋ ନାମରେ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ୱେସ୍କୋ ପରିଚାଳନା ନିର୍ଦେଶକଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରି ସମ୍ବଲପୁର ଦେୱାନୀ ଅଦାଲତରେ ସିଭିଲ ସୁଟ୍ ନମ୍ବର ୩୮୨/୨୦୧୫ ରୁଜୁ ହୋଇଥିଲା। ଜନବସତି ପାଖରେ ମୁକୁଳା ଟ୍ରାନ୍ସଫର୍ମର ବସାଇବା, ସେଠାରେ ସୁରକ୍ଷା କର୍ମୀ ନିୟୋଜିତ କରାନଯିବା, ଭୂଇଁରୁ ୨/୩ ଫୁଟ ଉଚ୍ଚତାରେ ଅତି ବିପଜ୍ଜନକ ଅବସ୍ଥାରେ ଉଚ୍ଚ ପରିବାହୀ ତାର ଝୁୁଲୁଥିଲେ ମଧ୍ୟ ତା’ର ପ୍ରତିକାର ବ୍ୟବସ୍ଥା କରା ନ ଯିବା ଓ କେହି ତାର ସଂସ୍ପର୍ଶରେ ଆସିଲେ ତାଙ୍କ ଜୀବନ ରକ୍ଷା ପାଇଁ ବିିଦ୍ୟୁତ ସଂଯୋଗ ଅଟୋମେଟିକ ବିଚ୍ଛିନ୍ନ ହେଉଥିବା ବୈଦ୍ୟୁତିକ ଉପକରଣ ଖଞ୍ଜା ଯାଇ ନଥିବାରୁ ଅଦାଲତ ୱେସ୍କୋକୁ ଅକୁଜଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ଏହାର ପ୍ରତି ଜବାବରେ ୱେସ୍କୋ ପକ୍ଷରୁ ପାଲଟା ଯୁକ୍ତି କରା ଯାଇଥିଲା ଯେ ଅକୁଜ ନିଜେ ସ୍ବଇଚ୍ଛାରେ ଟ୍ରାନ୍ସଫର୍ମର ଉପରକୁ ଚଢ଼ିଥିଲେ। ତେଣୁ ସେଥି ପାଇଁ ଅନ୍ୟ କିଏ କାହିଁକି ଦାୟୀ ହେବ। କିନ୍ତୁ ଅକୁଜ ନିଜେ ଟ୍ରାନ୍ସଫର୍ମରକୁ ଚଢ଼ିଥିବାର କୌଣସି ପ୍ରମାଣ କମ୍ପାନୀ ଦାଖଲ କରି ପାରିନଥିଲା। ଟ୍ରାନ୍ସଫର୍ମରର ତମ୍ବା ତାର ଚୋରି ହୋଇ ଯାଇଥିବାରୁ ସେଥିରେ ଲାଇନ ନ ଥିଲା। ତେଣୁ ଅକୁଜ ବିଦ୍ୟୁତ ଆଘାତରେ ମରିବାର ପ୍ରଶ୍ନ ଉଠୁନି ବୋଲି ୱେ​‌େ​‌ସ୍କା ପୁଣି ଯୁକ୍ତି କରିଥିଲା। କିନ୍ତୁ ଏହାର ପ୍ରମାଣ ମଧ୍ୟ ଦାଖଲ କରିବାରେ ବିଫଳ ହେବାରୁ ଅଦାଲତ ତା’ ଯୁକ୍ତିକୁ ଖାରଜ କରି ଦେଇ ଗୁରୁବାରୀ ଓ ଦୁଇ ଛୁଆଙ୍କୁ ୩ ମାସ ଭିତରେ ୧୨ ଲକ୍ଷ ୨୫ ହଜାର ୨୦୦ ଟଙ୍କା ସହିତ ୬ ପ୍ରତିଶତ ହାରରେ ୫ ବର୍ଷର ସୁଧ ମିଶାଇ କ୍ଷତିପୂରଣ ଦେବାକୁ ସିନିଅର ସିଭିଲ ଜଜ୍ ସଙ୍ଗୀତା ପାଣି ନିର୍ଦେଶ ଦେଇଛନ୍ତି। ଗୁରୁବାରୀଙ୍କ ତରଫରୁ ଆଡଭୋକେଟ ରବିନ୍ଦ୍ରନାଥ ଦେବତା, ବିଦ୍ୟାଧର ସାହୁ ଓ ପ୍ରୀତିଶ ଦେବତା ଏହି ମକଦ୍ଦମା ପରିଚାଳନା କରିଥିଲେ।

Comments are closed.