ଚିର ଅବହେଳିତ ବରପୁତ୍ର … କେବଳ ଜୟନ୍ତୀ ସମାରୋହରେ ପ୍ରଶାସନର ମନେ ପଡନ୍ତି, ବର୍ଷତମାମ ଅବହେଳିତ ଭାବେ ପଡି ରୁହନ୍ତି

ସମ୍ବଲପୁର : ପଶ୍ଚିମ ଓଡିଶାର ପ୍ରମୁଖ ତଥା ପ୍ରାଣକେନ୍ଦ୍ର ଭାବରେ ପରିଚିତ ସମ୍ବଲପୁର ସହର ମଧ୍ୟରେ ମାଟିର ବରପୁତ୍ର ମାନଙ୍କୁ ସମ୍ମାନ ଜଣାଇବା ସହିତ ପିଢ଼ି ପରେ ପିଢ଼ିଙ୍କୁ ସେମାନଙ୍କର ତ୍ୟାଗ, ଜୀବନ ଆଦର୍ଶରୁ ଅନୁପ୍ରାଣିତ ହେବା ଲକ୍ଷ୍ୟ ନେଇ ଅନେକ ସ୍ଥାନରେ ପାର୍କ ଗୁଡିକ ବିଭିନ୍ନ ସମୟରେ ମହାନଗର ନିଗମ (ପୂର୍ବରୁ ମ୍ୟୁନିସିପାଲିଟି) ତରଫରୁ ନିର୍ମାଣ କରାଯାଇଛି। ସହର ସାରା ରହିଥିବା ଅନେକ ପାର୍କରେ ବରପୁତ୍ର ମାନଙ୍କର ପ୍ରତିମୁର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। କିନ୍ତୁ ଚିରାଚରିତ ସରକାରୀ ଅବହେଳାର ଶିକାର ହୋଇ ନଷ୍ଟ ହେବାକୁ ବସିଲାଣି।

ପଶ୍ଚିମ ଓଡିଶାର ଗାନ୍ଧୀ ଭାବରେ ପରିଚିତ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନୃସିଂହ ଗୁରୁଙ୍କ ନାମ ଅତି ସମ୍ମାନର ସହିତ ନିଆଯିବା ସହିତ ତାଙ୍କର ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ତାଙ୍କର ଦେଶ ଓ ସମାଜ ପାଇଁ ତ୍ୟାଗ, ବଳିଦାନ ଓ ଜୀବନ ଆଦର୍ଶରୁ ଆଗାମୀ ପିଢ଼ି ଅନୁପ୍ରାଣିତ ହେବେ ବୋଲି ତାଙ୍କର ନାମରେ ଏକ ପାର୍କ ମନ୍ଦଲିଆ ଠାରେ ତତ୍କାଳୀନ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ୨୮ ଅକ୍ଟୋବର ୨୦୦୬ରେ ନିର୍ମାଣ କରାଯାଇଥିଲା। ସେହି ସମୟରେ ନୃସିଂହ ଗୁରୁ ସ୍ମୃତି କମିଟି ତରଫରୁ ଉଦ୍ୟମରେ ନିଗମ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପାର୍କ ଓ ବରପୁତ୍ର ନୃସିଂହ ଗୁରୁଙ୍କ ଏକ ପୂର୍ଣ୍ଣାବୟ ପ୍ରତିମୂର୍ତ୍ତିକୁ ତତ୍କାଳୀନ ରାଜ୍ୟପାଳ ରାମେଶ୍ୱର ଠାକୁର ଉନ୍ନମୋଚନ କରିଥିଲେ।

ସେହି ସମୟରୁ ହିଁ ଏହି ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ସମ୍ବଲପୁର ମ୍ୟୁନିସିପାଲିଟୀ (ମହାନଗର ନିଗମ) ର ଦାୟିତ୍ୱରେ ରହିଛି। କିନ୍ତୁ ଦୁଃଖର ବିଷୟ ଯେ, କେବଳ ଜୟନ୍ତୀ ସମାରୋହ ମାନଙ୍କୁ ଫୁଲ ମାଳଟିଏ ପକାଇ ଦେଇ ନିଗମ କତ୍ତୃପକ୍ଷ ତାଙ୍କର ଦାୟିତ୍ୱ ସାରି ଦେଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ସମ୍ପୁର୍ଣ୍ଣ ରୁପେ ଉଦାସୀନ ରହିଛି। ଫଳ ସ୍ୱରୂପ ବରପୁତ୍ରଙ୍କ ପୂର୍ଣ୍ଣାବୟ ପ୍ରତିମୂର୍ତ୍ତିଟି ନଷ୍ଟ ହେବାକୁ ବସିଥିବା ବେଳେ ପ୍ରତିମୂର୍ତ୍ତି ଉପରେ ଚଢ଼େଇ ମାନଙ୍କର ମଳ ଓ ଧୁଳି ଜମି ଅତ୍ୟନ୍ତ ଦୁସ୍ଥ ଅବସ୍ଥାରେ ରହିିଛି। ଗୋଟିଏ ପଟରେ ପ୍ରତିମୂର୍ତ୍ତିଟି ନଷ୍ଟ ହେବାକୁ ବସିଥିବା ବେଳେ ଏହାର ଚାରିପଟରେ ଲାଗିଥିବା ବାଡ, ୱାଟର ଫାଉନ୍ଟେନ ସବୁ ଭାଙ୍ଗି ସାରିଲାଣି। ମୂର୍ତ୍ତି ସ୍ଥାପିତ ସ୍ତମ୍ଭରୁ ଟାଇଲ ଓ ସିମେଣ୍ଟ ଝଡି ଭାଙ୍ଗିବା ଆରମ୍ଭ କଲାଣି।

ପାର୍କରେ ଲୋକଙ୍କ ପାଇଁ ରହିଥିବା ଅବସର ବିନୋଦନ ସାମଗ୍ରୀ ଓ ଶିଶୁ ମାନଙ୍କର ଖେଳିବା ସାମଗ୍ରୀ ଗୁଡିକ ଭଙ୍ଗୁର ହୋଇ ଇତସ୍ଥତଃ ଭାବରେ ପଡି ରହିଛି। ମହାନଦୀର କୂଳରେ ରହିଥିବା ଅତ୍ୟନ୍ତ ମନୋରମ ପରିବେଶ ମଧ୍ୟରେ ରହିଥିବାରୁ ଏହି ପାର୍କରେ ନିୟମିତ ଭାବରେ ଅନେକ ଭିଡ ପରିଲକ୍ଷିତ ହେଉଥିବା ବେଳେ କିନ୍ତୁ ସଞ୍ଜ ନଇଁବା ପରେ ଅନ୍ଧକାର ମଧ୍ୟରେ ଡୁବି ରହିଥିବା ଏହି ପାର୍କ ଏବେ ଅସାମାଜିକ ତତ୍ୱ ମାନଙ୍କର ଆଡ୍ଡାସ୍ଥଳୀରେ ପରିଣତ ହୋଇ ସାରିଛି। ଅବହେଳିତ ହେଇ ପଡି ରହିଥିବା ନୃସିଂହ ଗୁରୁଙ୍କ ପ୍ରତିମୂର୍ତ୍ତି ଓ ପାର୍କର ରକ୍ଷଣାବେକ୍ଷଣ ପାଇଁ ଅନେକବାର ପ୍ରଶାସନକୁ ନୃସିଂହ ଗୁରୁ ସ୍ମୃତି କମିଟି ତରଫରୁ ଅନୁରୋଧ କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି।

ଜୟନ୍ତୀ ସମାରୋହ ଗୁଡିକରେ ମାଟିର ବରପୁତ୍ର ମାନଙ୍କର ସମ୍ମାନରେ ଲମ୍ବା ଲମ୍ବା ଭାଷଣରେ ପୋତି ପକାଉଥିବା ପ୍ରଶାସନ କିନ୍ତୁ ବର୍ଷ ତମାମ ରକ୍ଷଣାବେକ୍ଷଣ ସମୟରେ ସବୁ ଭୁଲି ଯାଇଥାଏ। ଏଥିରୁ ମାଟିର ବରପୁତ୍ର ମାନଙ୍କର ପ୍ରତି କେତେ ସମ୍ମାନ ପ୍ରଶାସନ ମଧ୍ୟରେ ରହିଛି ତାହା ସହଜେ ଅନୁମେୟ। ଏଭଳି ଉଣାଅଧିକେ ଅବସ୍ଥା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ରହିଥିବା ସମସ୍ତ ପାର୍କ ଓ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିର ଅବସ୍ଥା ରହିଛି। ଏଣୁ ବରପୁତ୍ର ମାନଙ୍କ ପ୍ରତି ଏହି ଅସମ୍ମାନକୁ ତୁରନ୍ତ ବନ୍ଦ କରି ଉଚିତ ସମ୍ମାନ ଦିଆଯିବାକୁ ସବୁ ମହଲରୁ ଦାବି ହେଉଛି।

 

Comments are closed.