ସମ୍ବଲପୁରୀ ହସ୍ତତନ୍ତ ଷ୍ଟଲ ଅନ୍ତର୍ଭୁକ୍ତ ହେବ; ୮ରୁ ଆରମ୍ଭ ହେବ ହୀରାକୁଦ ଇକୋ ରିଟ୍ରିଟ୍‌

ସମ୍ବଲପୁର : ଗତବର୍ଷ କୋଣାର୍କ ମେରାଇନ ଡ୍ରାଇଭରେ ‘ଇକୋ ରିଟ୍ରିଟ’ କାର୍ଯ୍ୟକ୍ରମର ସଫଳତା ପରେ ଚଳିତବର୍ଷ ଚୟନ ହୋଇଥିବା ରାଜ୍ୟର ୫ଟି ସ୍ଥାନ ମଧ୍ୟରେ ରହିଛି ହୀରାକୁଦ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ତିନିମାସିଆ କାର୍ଯ୍ୟକ୍ରମ ସକାଶେ ମଙ୍ଗଳବାର ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମ୍ବଲପୁର ଗସ୍ତରେ ଆସି ଏହାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ଏହାଦ୍ବାରା ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ସହିତ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ହୀରାକୁଦ ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଥିଲେ। ସମୀକ୍ଷା ପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ, ଡିସେମ୍ବର ପହିଲା ବଦଳରେ ଡିସେମ୍ବର ୮ ତାରିଖରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାର ପାର୍ଶ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଗାମୀ ଦିନରେ ପର୍ଯ୍ୟଟନରେ ହୀରାକୁଦ ପଶ୍ଚିମ ଓଡ଼ିଶାରେ ଗେମ୍ ଚେଞ୍ଜର ହେବ ବୋଲି ସେ କହିଛନ୍ତି। ଚଳିତ ବର୍ଷ ହୀରାକୁଦରେ ଇକୋରିଟ୍ରିଟ ସଫଳ ହେଲେ ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ପର୍ଯଟନସ୍ଥଳୀ ତଥା ଅଞ୍ଚଳର ବିକାଶ ସହିତ କରୋନା ପରବର୍ତ୍ତୀ ସମୟରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ସମସ୍ତ ୫ଟି ସ୍ଥାନରେ କୋଭିଡ କଟକଣା ମାନି ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ସମ୍ବଲପୁର ଜିଲାପାଳ ଶୁଭମ ସକ୍ସେନା, ଏସପି ଡା. କନୱର ବିଶାଲ ସିଂହ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତବର୍ଷ କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ଆୟୋଜିତ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ସଫଳତା ପରେ ଚଳିତବର୍ଷ ରାଜ୍ୟର ୫ଟି ସ୍ଥାନ କୋଣାର୍କ, ଭିତର କନିକା, ଦାରିଙ୍ଗବାଡ଼ି, ସାତକୋଶିଆ ଓ ହୀରାକୁଦରେ ଏହା ଆୟୋଜିତ ହେଉଛି।
ପ୍ରଥମ ପର୍ଯ୍ୟାୟରେ ସମସ୍ତ ସୁବିଧାଯୁକ୍ତ ୨୫ଟି କଟେଜ ବ୍ୟବସ୍ଥା କରାଯାଇଛି। ବୁକିଂରେ ବୃଦ୍ଧି ହେଲେ କଟେଜ ସଂଖ୍ୟାରେ ବୃଦ୍ଧି କରାଯିବ। ପର୍ଯ୍ୟଟକ ମାନଙ୍କ ପାଇଁ ହୀରାକୁଦ ଜଳଭଣ୍ଡାରରେ ଜଳକ୍ରୀଡ଼ା ବ୍ୟବସ୍ଥା ସହ ଦେବ୍ରିଗଡ଼ ଅଭୟାରଣ୍ୟ, ହୀରାକୁଦ ରୋପୱେ, ସମଲେଶ୍ବରୀ ମନ୍ଦିର, ଘଣ୍ଟେଶ୍ବରୀ ମନ୍ଦିର, ହୁମା ତଥା ଆଖ ପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପେକେଜ୍‌ଡ ଟୁର୍‌ ବ୍ୟବସ୍ଥା କରାଯିବ। ପ୍ରାରମ୍ଭରେ କଟେଜ୍‌ର ମୂଲ୍ୟ ୬ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ। ଏହାସହିତ ସମ୍ବଲପୁରୀ ହସ୍ତତନ୍ତ ଷ୍ଟଲ ଅନ୍ତର୍ଭୁକ୍ତ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଟିଡିସି ପକ୍ଷରୁ ଓଡ଼ିଆ ଖାଦ୍ୟ ପିଠାପଣା ସହିତ ସମ୍ବଲପୁର ଅଞ୍ଚଳର ଖାଦ୍ୟ ମଧ୍ୟ ପର୍ଯ୍ୟଟକଙ୍କୁ ପରଶାଯିବ ବୋଲି ଜଣାପଡ଼ିଛି। ଜିଲା ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସେବା ପର୍ଯ୍ୟଟକଙ୍କ ସକାଶେ ଉପଲବ୍ଧ ହେବ।
ଚଳିତ ବର୍ଷ ପ୍ରଥମଥର ପାଇଁ ହୀରାକୁଦ ଲେଫ୍ଟ ଡାଇକ୍ ପାଖ ବଲବସପୁର ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସକାଶେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଶୀତକାଳୀନ ଆମୋଦପ୍ରମୋଦ ସକାଶେ ଜୋରସୋର‌ରେ ପ୍ରସ୍ତୁତି ଆରମ୍ଭ ହୋଇଛି। କଟେଜ୍ ମାନଙ୍କରେ ଷ୍ଟାର ହୋଟେଲ ଶ୍ରେଣୀର ସୁବିଧା ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଇକୋ ରିଟ୍ରିଟ ସକାଶେ ଗତ ୧୧ ତାରିଖ ଲୋଗୋ ଉନ୍ମୋଚନ କରିବା ସହ ବୁକିଂର ଶୁଭାରମ୍ଭ କରିଛନ୍ତି। ଏହାର ଅନ୍‌ଲାଇନ ବୁକିଂ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ୨୫ଟି ସ୍ବିସ୍‌ କଟେଜ୍‌ ସହିତ କନଫରେନ୍ସ ହଲ, ଡାଇନିଂ ହଲ, ନାଚଗୀତ ପାଇଁ ହଲ ଆଦି ମଧ୍ୟ ରହିବ। ଜଳକ୍ରୀଡ଼ା, ସାଇକେଲିଂ, ରାଇଫଲ ସୁଟିଂ ଆଦି ସହିତ ଦେବ୍ରିଗଡ଼, ହୁମା, ସମ୍ବଲପୁର ଆଦି ଆଖପାଖ ଅଞ୍ଚଳକୁ ଭ୍ରମଣ ବ୍ୟବସ୍ଥା ରହିବ। ପର୍ଯ୍ୟଟନ ବିଭାଗ ଆର୍ଥିକ ସହାୟତାରେ ଜିଲା ପ୍ରଶାସନ ପକ୍ଷରୁ ଭିତ୍ତିଭୂମି ଯୋଗାଇ ଦିଆଯାଉଥିବାବେଳେ ସ୍ବିସ୍ କଟେଜ୍‌ ନିର୍ମାଣ, ଜଳକ୍ରୀଡ଼ା ଆଦି ସକାଶେ ଲାଲୁଜୀ ଆଣ୍ଡ ସନ୍ସକୁ ଟେଣ୍ଡର ଦିଆଯାଇଥିବା ଜଣାପଡ଼ିଛି। ସମ୍ବଲପୁରର ହୀରାକୁଦରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ବେଳେ ଏହି ସ୍ଥାନର ଦୂରତା ଅଇଁଠାପାଲିରୁ ୧୨ କିଲୋମିଟର, ବିଜୁ ଏକ୍ସପ୍ରେସ ୱେ ଟୋଲଗେଟ୍‌ ଛକରୁ ୬ କିଲୋମିଟର ଏବଂ ଜମାଦାରପାଲି ଏୟାରଷ୍ଟ୍ରିପରୁ ମାତ୍ର ୧ କିଲୋମିଟର ଦୂର ବୋଲି ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.