ଇଚ୍ଛା ଶକ୍ତିର ଫଳ; ଅପହଞ୍ଚ ଅଞ୍ଚଳକୁ ରାସ୍ତା ନିର୍ମାଣ କରୁଛନ୍ତି ପ୍ରବାସୀ ଶ୍ରମିକ

ସମ୍ବଲପୁର : ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ। କରୋନା କାଳରେ ବିଶ୍ୱର ସମସ୍ତ ବ୍ୟବସ୍ଥା ଓଲଟ ପାଲଟ ହୋଇଯାଇଥିବାବେଳେ ମନୁଷ୍ୟ ଜାତି ତାର ଇଚ୍ଛା ଶକ୍ତି ଓ ଲଢ଼ୁଆ ମନୋବୃତ୍ତି ଯୋଗୁଁ କରୋନାକୁ ହରାଇବା ପାଇଁ ସବୁ ଉଦ୍ୟମ ଜାରି ରଖିଛି। କିଛି ମାସ ସମସ୍ତ ବ୍ୟବସ୍ଥା ଠପ୍ ହୋଇଯିବା ପରେ ଅନଲକ୍ ଚାଲୁ ହେବା ପରେ ଜନତା ନିଜ ନିଜ ସ୍ତରରେ ସ୍ଥିତିକୁ ସାଧାରଣ କରିବା ଦିଗରେ ଅହରହ ପ୍ରୟାସରତ ରହିଛନ୍ତି। କରୋନା ଜନିତ ଲକ୍ ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କର ଭିଟାମାଟିକୁ ଜୀବନ ବିକଳରେ ଚାଲି ଆସିଥିଲେ। ସେ ସମୟରେ ସେମାନଙ୍କୁ ନିଜ ନିଜ ରାଜ୍ୟରେ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲା, ଯଦ୍ୱାରା କି ସେମାନେ ଲକ୍ ଡାଉନ୍ ପରବର୍ତ୍ତି ସମୟରେ ସେମାନେ ପୁନଃ ପ୍ରବାସୀ ଶ୍ରମିକ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହେବେ ନାହିଁ। ଏଣୁ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଅନୁଯାୟୀ ପ୍ରବାସୀମାନଙ୍କୁ ନିଜ ନିଜ ଗ୍ରାମରେ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ଯୋଜନାରେ ୧୦୦ ଦିନର ନିଶ୍ଚିତ କର୍ମ ଯୋଗାଣର ପ୍ରାବଧାନ ଥିବା ବେଳେ ବାକି ୨୬୫ ଦିନ ଶ୍ରମର ଅଭାବ ଯୋଗୁଁ ଶ୍ରମିକ ମାନେ ରୋଜଗାର ପାଉ ନାହାନ୍ତି। ଏଭଳି ସ୍ଥିତିରେ ବହୁ କ୍ଷେତ୍ରରେ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ସେମାନଙ୍କ ଅଞ୍ଚଳରୁ ଶ୍ରମିକ ପଳାୟନକୁ ରୋକିବାରେ ଅସମର୍ଥ ହେଉଥିଲେ। ତେବେ ଗତ ଜୁନ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ନିଷ୍ପତ୍ତି କେନ୍ଦ୍ର ସରକାର ନେବା ଦ୍ୱାରା ଏବେ ପ୍ରବାସୀ ଶ୍ରମିକ ମାନଙ୍କୁ ଅଧିକ ରୋଜଗାର ଯୋଗାଇବା ସମ୍ଭବପର ହେବ।

ସମ୍ବଲପୁର ଜିଲାର ଅଗମ୍ୟ ଅଞ୍ଚଳ ଯୁଯୁମୁରା ବ୍ଲକ ଅର୍ନ୍ତଗତ ମେଘପାଳ ଗ୍ରାମ ପଞ୍ଚାୟତର ଅପହଞ୍ଚ ଗ୍ରାମ ଚଉଦ ଏକର ଏବଂ ବାଣ୍ଡିଝରନ ଗ୍ରାମ କୁ ସ୍ୱାଧିନତା ପରଠାରୁ ରାସ୍ତାଟିଏ ନ ଥିଲା। ଫଳରେ ଗ୍ରାମବାସୀ ମାନେ ବ୍ଲକ ଠାରୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ସବୁ ଆଡେ ହାରି ଗୁହାରୀ କରିବା ସତ୍ୱେ ରାସ୍ତା ପାଇ ନ ଥିଲେ। ତେଣୁ ଘଞ୍ଚ ଜଙ୍ଗଲ ଓ ପାହାଡ ଘେରା ଏହି ଗ୍ରାମରୁ କୌଣସି ସ୍ଥାନକୁ ରୋଜଗାର ପାଇଁ ପ୍ରତ୍ୟହ ଯାତାୟାତ କରିବା ଅସମ୍ଭବ ଥିଲା। ଏଣୁ ଏହି ଗ୍ରାମ ଗୁଡିକରେ ରହୁଥିବା ଶତାଧିକ ପରିବାରର ୫ ଶହରୁ ଉର୍ଦ୍ଧ ସଦସ୍ୟ ନାହିଁ ନ ଥିବା ଅସୁବିଧା ଭୋଗ କରି ଆସୁଥିଲେ। ସେମାନେ ବାଧ୍ୟ ହୋଇ ରୋଜଗାର ପାଇଁ ଗୁଜରାତ, ମଧ୍ୟପ୍ରଦେଶ, ତାମିଲନାଡୁ ଆଦି ରାଜ୍ୟକୁ ପଳାୟନ କରୁଥିଲେ। ଲକ ଡାଉନ ପରେ ଏଠାରେ କୌଣସି ରୋଜଗାର ପନ୍ଥା ସେମାନଙ୍କୁ ଦିଶୁ ନ ଥିବା ବେଳେ ପ୍ରବାସୀ ଶ୍ରମିକ ଭାବରେ ପୁନଃ ରାଜ୍ୟ ବାହାରକୁ ଯିବାକୁ ମନବଳାଉ ଥିଲେ। ଏହି ବିଷୟରେ ମେଘପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ପ୍ରଧାନ ଅବଗତ ହେବା ପରେ ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପ୍ରବାସୀ ଶ୍ରମିକ ମାନେ ସ୍ୱାଧିନତା ପରଠାରୁ ଏ ପର୍ଯ୍ୟନ୍ତ ଗ୍ରାମକୁ ରାସ୍ତା ନ ଥିବା, ଜବ କାର୍ଡ ଓ ରାସନ କାର୍ଡ ନ ଥିବା ସର୍ମ୍ପକରେ ସରପଞ୍ଚଙ୍କୁ କହିଥିଲେ। ସମସ୍ୟା ସହିତ ଅବଗତ ହେବା ପରେ ସେ ସେମାନଙ୍କର ସୁବିଧା କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ତାହା କାର୍ଯ୍ୟକାରି ହେବାର ଆରମ୍ଭ ମଧ୍ୟ ହୋଇସାରିଛି ବୋଲି ସରପଞ୍ଚ ମମତା ପ୍ରଧାନ କହିଛନ୍ତି। ରାସ୍ତା କାମ ଆରମ୍ଭ ହୋଇଯାଇଥିବା ବେଳେ ଖୁବ ଶିଘ୍ର ଏହାର କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସରପଞ୍ଚ କହିଛନ୍ତି।

ଇତି ମଧ୍ୟରେ ଚଉଦ ଏକର ଗ୍ରାମକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଟାମ୍ପରସିଂହ ଆରଡି ଛକରୁ ଚଉଦ ଏକର ଗ୍ରାମକୁ ଏକ ମାଟି ରାସ୍ତା ୯ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ କରିବାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମେଘପାଳ ଗ୍ରାମ ପଞ୍ଚାୟତ ଓ ଜଳ ସମ୍ପଦ ବିଭାଗର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ପ୍ରକଳ୍ପର ନିର୍ମାଣରେ ପ୍ରବାସୀ ମାନଙ୍କୁ ରୋଜଗାର ମଧ୍ୟ ଦିଆଯାଇଛି। ଏହା ସହିତ କିଛି ପ୍ରବାସୀ ଶ୍ରମିକ ମାନଙ୍କୁ ଜବ କାର୍ଡ ଯୋଗାଇ ଦିଆଯିବା ସହିତ ରାସନ କାର୍ଡ ମିଳି ସାରିଥିବା ବେଳେ ଅନ୍ୟ ମାନଙ୍କୁ ଶିଘ୍ର ମିଳିଯିବ।

ସୁଚନାଯୋଗ୍ୟ ଯେ ଗରୀବ କଲ୍ୟାଣ ଯୋଜନା ଦେଶର ଓଡିଶା ରାଜ୍ୟରେ ୪ଟି, ବିହାର ରାଜ୍ୟରେ ୩୨ଟି, ଉତ୍ତର ପ୍ରଦେଶ ରାଜ୍ୟରେ ୩୧ଟି, ମଧ୍ୟପ୍ରଦେଶ ଜିଲାରେ ୨୪ଟି, ରାଜସ୍ଥାନ ରାଜ୍ୟରେ ୨୨ଟି ଏବଂ ଝାରଖଣ୍ଡ ରାଜ୍ୟରେ ୩ଟି ଜିଲାରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି। ରାଜ୍ୟରେ ୪ଟି ଜିଲା ମାନଙ୍କ ମଧ୍ୟର ସମ୍ବଲପୁର ଜିଲା ଏଥିରେ ସାମିଲ ରହିଛି। ଏହି ଅଭିଯାନରେ ସଂପୃକ୍ତ ଥିବା ସାମାଜିକ କର୍ମୀ ଡା. ରାଜାରାମ ଷଡଙ୍ଗୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗ୍ରାମ ପଞ୍ଚାୟତ ଭବନ, କୂପ ଖନନ, ଜଳ ସଂରକ୍ଷଣ, ସିଞ୍ଚନ, ଚାରାରୋପଣ, ଅଙ୍ଗନୱାଡି କେନ୍ଦ୍ର ଆଦି କାର୍ଯ୍ୟ କରାଯାଇ ପ୍ରବାସୀ ମାନଙ୍କ ସମେତ ଗରିବ ମାନଙ୍କୁ ନିଶ୍ଚିତ କର୍ମ ଯୋଗାଣର ବ୍ୟବସ୍ଥା କରିବା ପାଇଁ ସରପଞ୍ଚ ପ୍ରଧାନଙ୍କ ସହିତ କାର୍ଯ୍ୟରତ ରହିଛନ୍ତି। ଜାତୀୟ ସ୍ତରରେ ସାମାଜିକ, ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଏହା ଏକ ଅନନ୍ୟ ଉଦାହରଣ ଅଟେ। ଏହି ଅଭିଯାନ ଦ୍ୱାରା ଏକ ସଙ୍ଗରେ ପ୍ରବାସୀ ଶ୍ରମିକ ଓ ଗରିବ ମାନଙ୍କ ରୋଜଗାର ସମସ୍ୟାର ଦୂରିକରଣ ଏବଂ ଗ୍ରାମକୁ ସଂଯୋଗିକରଣ କାର୍ଯ୍ୟକାରୀ ହେଉଛି, ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି।

Comments are closed.