ବିବାହ ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲାର କୁଚିଣ୍ଡା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କ ସହିତ ଜଣେ ଓଡିଶା ପୁଲିସର ଓଏପିଏଫ ଯବାନ ବିବାହ ପ୍ରତିଶୃତି ଦେଇ ଶାରୀରିକ ସର୍ମ୍ପକ ରଖିବା ପରେ ବାହା ହେବାକୁ ମନା କରିବା ଏବଂ ପୀଡିତା ଏସପିଙ୍କ ନିକଟରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହେବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି। କୁଚିଣ୍ଡା ଉପଖଣ୍ଡ ଅଧିନସ୍ଥ ମହୁଲପାଲି ଥାନା ଅର୍ନ୍ତଗତ ଲାଙ୍ଗପୋଷ ଗ୍ରାମର ନିବାସୀ ପୀଡିତା ମହିଳା ବବିତା କିଷାନ ଏସପିଙ୍କୁ ଦେଇଥିବା ପତ୍ର ଅନୁଯାୟୀ ତାଙ୍କୁ ବିବାହର ପ୍ରତିଶୃତି ଦେଇ ବିଗତ ୪ ବର୍ଷ ହେବ ଝସକେତନ ବାଗ ନାମକ ଜଣେ ଯବାନ ଶାରୀରିକ ସର୍ମ୍ପକ ରଖିଥିଲେ। କିନ୍ତୁ ସେ ଏବେ ବିବାହ କରିବାକୁ ମନା କରିବାରୁ ସେ କୁଚିଣ୍ଡା ଥାନାର ଦ୍ୱାରସ୍ଥ ହୋଇଥିଲେ। ଏଣୁ ଏହି ମାମଲାରେ ସେ ୯ ଦିନ ଜେଲରେ ରହିଥିଲେ। ତେବେ ସେ ଜେଲରୁ ମୁକୁଳିବା ପରେ ସେହି କୁଚିଣ୍ଡା ଥାନାରେ ନିଯୁକ୍ତ ପାଇବା ପରେ ରକ୍ଷକ ଭକ୍ଷକ ସାଜି ଜୁଲମ ଆରମ୍ଭ କରିଥିଲା। ଉକ୍ତ ଯବାନ ପ୍ରାୟ ୫ ମାସ ହେବ ଗ୍ରାମବାସୀଙ୍କୁ ମତାଇ ଗାଁରେ ଗ୍ରାମସଭା କରାଇ ମହିଳା, ତାଙ୍କର ୯ ବର୍ଷୀୟ ଶିଶୁ କନ୍ୟା ଓ ପରିବାରବର୍ଗଙ୍କୁ ନିଆଁ ପାଣି ବନ୍ଦ କରି ବାସନ୍ଦ କରାଇ ଦେଇଛନ୍ତି। ତେବେ ବହୁ ଗୁହାରୀ କରିବା ପରେ ଶନିବାର ପୁଣି ଗ୍ରାମ ସଭା କରାଯାଇଥିଲା ଏବଂ ସେଠାରେ ତାଙ୍କୁ କମ୍ପ୍ରମାଇଜ କରିବା ପାଇଁ ବାଧ୍ୟ କରାଯାଇଥିଲା। ତେବେ ପୀଡିତା ଏଥିରେ ରାଜି ନ ହେବାରୁ ତାଙ୍କ ପରିବାର ଉପରେ ଲାଗିଥିବା ବାସନ୍ଦକୁ ହଟାଇବା ପାଇଁ ମନା କରିଦେଇଥିଲେ। ଏଣୁ ସେମାନେ ମହୁଲପାଲି ଥାନାକୁ ଯାଇ ଏ ବାବଦରେ କହିବାରୁ ଥାନାଧିକାରିଣୀ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ସେ ଚରିତ୍ରହୀନ ଏବଂ ଅନ୍ୟାନ୍ୟ ଅଭିଯୋଗ କରିବା ସହିତ ମୋବାଇଲ ଛଡାଇ ନେଇଥିଲେ। ଏହା ସହିତ ଚପଲରେ ମାରି ମାରି ଜେଲରେ ଭରି ଦେବାକୁ ଧମକଚମକ ଦେଇ ଥାନାରୁ ବିଦା କରି ଦେଇଥିଲେ। ଏଣୁ ସେ ନ୍ୟାୟ ପାଇବା ଆଶାରେ ଏସପି ସମ୍ବଲପୁରଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଗୁହାରୀ କରିଛନ୍ତି। ତେବେ ଏସପି କାର୍ଯ୍ୟାଳୟରେ ଉପସ୍ଥିତ ନ ଥିବାରୁ ଅନ୍ୟ ଅଧିକାରୀ ତାଙ୍କର ଅଭିଯୋଗ ଗ୍ରହଣ କରିବା ସହିତ ଜଣେ ମହିଳା ଡିଏସପିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେବା ପାଇଁ କହିଛନ୍ତି ବୋଲି ପୀଡିତା ବବିତା କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିଧବା ବବିତାଙ୍କ ସ୍ୱାମୀ ୮ ବର୍ଷ ପୂର୍ବେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଏଣୁ ମହିଳା ଜଣକ ତାଙ୍କର ଶିଶୁ କନ୍ୟାକୁ ଧରି କାମ କରି ନିଜ ବାପ ଘରେ ରହୁଛନ୍ତି। ତେବେ କୁଚିଣ୍ଡା ଥାନାରେ କାର୍ଯ୍ୟରତ ଓଏପିଏଫ ଯବାନ ଝସକେତନ ବାଗ ତାଙ୍କୁ ବିବାହ ପ୍ରଲ୍ଲୋଭନ ଦେଖାଇ ଶାରୀରିକ ସର୍ମ୍ପକ ରଖି ଆସୁଥିଲେ। ଏବେ ପୀଡିତାଙ୍କ ସାମାଜିକ ବାସନ୍ଦ କରାଯାଇ ମାନସିକ ନିର୍ଯ୍ୟାତନା ଦିଆଯାଉଥିବାବେଳେ ପୁଲିସ ନିଜର ଯବାନକୁ ବଞ୍ଚାଇବା ପାଇଁ ଦୁର୍ବ୍ୟବହାର ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି। ଯଦି ରକ୍ଷକ ହିଁ ଭକ୍ଷକ ହେବ ତାହା ହେଲେ ଜନତା କାହାକୁ ଭରସା କରିବେ ବୋଲି ପୁଲିସର କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇବା ସହିତ ପୀଡିତାଙ୍କୁ ନ୍ୟାୟ ଦେଇ ପୁଲିସ ‘ଆମ ପୁଲିସ’ର ଭାବମୂର୍ତ୍ତିକୁ ରକ୍ଷା କରୁ ବୋଲି ସବୁ ମହଲରେ ଦାବି ହେଉଛି।

Comments are closed.