ନିଗମ କତ୍ତୃପକ୍ଷଙ୍କ ଅଜବ ନିତି : ବଡବଡିଆଙ୍କୁ ସବୁ ମାଫ ଏବଂ ତଳିଆଙ୍କୁ ଫାଇନ ଓ ଦୋକାନ ସିଲ

ସମ୍ବଲପୁର : କରୋନା ପାଇଁ ମାର୍ଚ୍ଚ ମାସରୁ ଦେଶକୁ ଲକ ଡାଉନ କରାଯାଇଥିବା ବେଳେ ଧିରେ ଧିରେ ପର୍ଯ୍ୟାୟ କ୍ରମେ ସରକାରଙ୍କ ନିର୍ଦ୍ଦେଶରେ ଦୋକାନ ବଜାର ଖୋଲିବାକୁ ଆରମ୍ଭ କରିଛି। ସେପ୍ଟେମ୍ବର ୧ରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳି ଜାରି ହେବା ପରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ଆଦି କୋଭିଡ – ୧୯ ନିୟମାନୁଯାୟୀ ସମ୍ବଲପୁରରେ ଦୋକାନ, ବଜାର, ମଲ ଆଦି ବ୍ୟବସାୟ ଆରମ୍ଭ କରିଛନ୍ତି। ତେବେ ପ୍ରତି ଥର ବିଳମ୍ବରେ ହେଉ ପଛେ କେନ୍ଦ୍ର ଓ ରାଜ୍ୟ ସରକାର ଗାଇଡଲାଇନ ଜାରି କରିବା ପାଇଁ ସ୍ଥାନୀୟ ସ୍ଥିତିକୁ ଅନୁଧ୍ୟାନ କରି ଜିଲା ପାଇଁ ଗାଇଡଲାଇନ ଜାରି କରୁଥିଲେ। କିନ୍ତୁ ଚଳିତ ଥର ୩ ଦିନ ଧରି ଗାଇଡଲାଇନ ସ୍ପଷ୍ଟ କରା ନ ଯିବା ଏବଂ ଜଣେ ନାଗରିକଙ୍କ ଟ୍ୱିଟର ଜବାବରେ ଦୋକାନ ବଜାର ଖୋଲିବାରେ କୌଣସି କଟକଣା ନାହିଁ ବୋଲି ସ୍ପଷ୍ଟ କରିବାକୁ ୪ ତାରିଖରୁ ବ୍ୟବସାୟୀ ମାନେ ଦୋକାନ ବଜାର ଖୋଲିଛନ୍ତି।

ନଗର ନିଗମ ପକ୍ଷରୁ ଦୋକାନ ଖୋଲିବା ଦିନ ଠାରୁ ହିଁ କୋଭିଡ ନିୟମ ପାଳନ ହେଉଛି କି ନାହିଁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି। କିନ୍ତୁ କୋଭିଡ ନିୟମ ଲାଗୁ କରିବାରେ ବ୍ୟାପକ ପ୍ରିୟାପ୍ରିତ ନିତି ପୋଷଣ କରାଯାଉଥିବା ଅଭିଯୋଗ ସବୁ ମହଲରୁ ହେଉଛି। ନିଗମର ଚେକିଂ ସ୍କ୍ୱାର୍ଡ ବଡ ବଡିଆ ମଲ, ସପିଂ ସେନ୍ଟର, ନର୍ସିଂହୋମ, ସପିଂ ମଲ କମ୍ପେକ୍ସ ଆଦି ମାନଙ୍କ ପ୍ରତି ଆଖି ବୁଜି ଦେଇଥିବା ବେଳେ ରାସ୍ତାକଡରେ ଥିବା ଛୋଟ ମୋଟ ଦୋକାନ ଗୁଡିକ ଉପରେ ଜରିମାନା କରି ଦୋକାନ ଗୁଡିକୁ ସିଲ କରି ଦିଆଯାଉଛି। ଗତ ୪ ତାରିଖରେ ୪ଟି ଦୋକାନକୁ ଫାଇନ କରାଯାଇ ସିଲ କରିଦିଆଯାଇଥିବା ବେଳେ କିନ୍ତୁ ସେହି ଦିନ ବୁଢ଼ାରଜା ସ୍ଥିତ ଏକ ବଡ ମଲକୁ କିନ୍ତୁ ମାତ୍ର ୧୦ ହଜାର ଟଙ୍କା ଫାଇନ କାଟି ଛାଡି ଦେଇଛନ୍ତି। ଅଭ୍ୟାସଗତ ଭାବରେ ଏହି ମଲଟି ପୂର୍ବରୁ ମଧ୍ୟ ଲକ ଡାଉନ ସମୟରେ କୋଭିଡ ନିୟମ ଉଲ୍ଲଂଘନ, ସନ୍ଧ୍ୟା ସମୟରେ ମଲ ଖୋଲିବା ପାଇଁ ଏକାଧିକ ବାର ନିୟମ ଉଲ୍ଲଂଘନ କରି ଚାଲିଥିବା ବେଳେ କିନ୍ତୁ ମଲକୁ ସିଲ କରିବାକୁ ସାହାସ କତ୍ତୃପକ୍ଷଙ୍କ ନିକଟରେ ନ ଥିବାର ଅଭିଯୋଗ ହେଉଛି।

ମୋଦିପଡା ସ୍ଥିତ ମଲ, ବୁଢ଼ାରଜା ସ୍ଥିତ ଅନେକ ବଡ ବଡ ମଲ ଗୁଡିକରେ ପ୍ରତ୍ୟହ ନାହିଁ ନ ଥିବାର ଭିଡ ଦେଖାଯିବା ସହିତ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ଚାଲିଥିବା ବେଳେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ବ୍ୟବସାୟୀ ମାନଙ୍କ ସମେତ ସଚେତନ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସୋମବାର ଚେକିଂ ସମୟରେ ମୋଦିପଡା ସ୍ଥିତ ଏକ ମଲରେ ଚେକିଂ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ ଦେଖାଯାଇଥିଲା। କିନ୍ତୁ ପରେ ମଲ କତ୍ତୃପକ୍ଷଙ୍କୁ ନିଗମ ସ୍କ୍ୱାର୍ଡ ଅଧିକାରୀ ତାଗିଦ କରି ଛାଡି ଦିଆଯାଇଥିବାର ଜଣାପଡିଛି। ଏହା ସହିତ କିଛି ସ୍ଥାନରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେପାର ଚାଲିଥିବା ଏବଂ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ପୂର୍ବରୁ କରୋନା ମାଡରେ ସବୁ କିଛି ହରାଇ ସାରି ପୁର୍ନବାର ସାହାସ ଯୁଟାଇ ବ୍ୟବସାୟ ଛିଡା କରି ପରିବାର ଭରଣପୋଷଣ କରିବାକୁ ଉଦ୍ୟମରତ ଛୋଟ ବ୍ୟବସାୟୀ ମାନଙ୍କୁ ହଇରାଣ ନ କରିବାକୁ ସବୁ ମହଲରେ ଦାବି ହେଉଛି।

 

Comments are closed.