ସମ୍ବଲପୁରୀ ମାସ୍କ ଲୋକସଭା ସାଂସଦଙ୍କୁ ବାଣ୍ଟିଲେ ବରଗଡ ସାଂସଦ ସୁରେଶ

ସମ୍ବଲପୁର : କରୋନା ମହାମାରୀ ବିଶ୍ୱବାସୀଙ୍କୁ ଅନେକ ଶିକ୍ଷା ଦେଇ ଚାଲିଛି। ଏହି ଘଡସନ୍ଧି ମୁହୁର୍ତ୍ତରେ ଗୋଟିଏ ଦେଶ ଅନ୍ୟ ଦେଶକୁ ସାହାର୍ଯ୍ୟ କରିବାରେ କୁନ୍ଥ କୁନ୍ଥ ହେଉଥିବାବେଳେ ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳ ଦେଶଗୁଡିକର ଅବସ୍ଥା ସାଙ୍ଘାତିକ ଅଟେ। ଏଥିରୁ ଶିକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହିତ ‘ଭୋଲାଲ ଫର ଲୋକାଲ’ ର ସ୍ଲୋଗାନ ଦେଇ ଦେଶକୁ ଆଗେଇ ନେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି। ଏଣୁ ଦେଶବାସୀ ଏବେ ଦେଶରେ ନିର୍ମିତ ସାମଗ୍ରୀ ଉପରେ ସେମାନଙ୍କର ଆସ୍ଥା ପ୍ରକଟ କରିବା ସହିତ ବ୍ୟବହାର ମଧ୍ୟ କରୁଛନ୍ତି।
ଏଭଳି କ୍ଷେତ୍ରରେ ସମ୍ବଲପୁରର ନିବାସୀ ତଥା ବରଗଡର ଲୋକସଭା ସାଂସଦ ‘ସମ୍ବଲପୁରୀ ହେଣ୍ଡଲୁମ’ କୁ ପ୍ରଚାର ପ୍ରସାର କରିବା ପାଇଁ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ରାଜଧାନୀ ନୂଆଦିଲ୍ଲୀରେ ଆରମ୍ଭ ହୋଇଯାଇଛି। ସରକାର ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ସମଗ୍ର ଦେଶର ନଜର ରହିଥିବାବେଳେ ଅଚାନକ ବରଗଡ ସାଂସଦଙ୍କ ସମ୍ବଲପୁରୀ ହେଣ୍ଡଲୁମର ପ୍ରଚାର ପ୍ରସାର ପାଇଁ ଲୋକସଭା ସାଂସଦମାନଙ୍କୁ ‘ସମ୍ବଲପୁରୀ ମାସ୍କ’ ବଣ୍ଟନ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ପଶ୍ଚିମ ଓଡିଶାର ହସ୍ତକଳା (ସମ୍ବଲପୁରୀ)କୁ ଦେଶର କୋଣ ଅଣୁକୋଣରେ ପହଞ୍ଚାଇବା ପାଇଁ ସାଂସଦ ସୁରେଶ ପୂଜାରୀ ୫ ଶହ ‘ସମ୍ବଲପୁରୀ ମାସ୍କ’ ବଣ୍ଟନ କରିଛନ୍ତି। ଏଥି ପାଇଁ ମହାରାଷ୍ଟ୍ରର ମହିଳା ସାଂସଦ ତଥା ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ନିଜେ ଟୁଇଟ କରି ସମ୍ବଲପୁରୀ ମାସ୍କ ପାଇଁ ସାଂସଦ ସୁରେଶଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସମ୍ବଲପୁରୀ ମାସ୍କ ପିନ୍ଧି ସାଂସଦମାନେ ଫଟୋ ଉଠାଇ ଟ୍ୱିଟ କରିବା ସହିତ ସାଂସଦ ପୂଜାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୁରେଶ ତାଙ୍କର ଟ୍ୱିଟର ହେଣ୍ଡେଲ ଜରିଆରେ କହିଛନ୍ତି ଯେ, ଭାରତବର୍ଷର ଲୋକସଭା ସଦନରେ ସାଂସଦମାନଙ୍କୁ ବରଗଡର ବୟନିକା ନିର୍ଦ୍ଦେଶକ ସଞ୍ଜୟ ମେହେରଙ୍କ ଦ୍ୱାରା ନିର୍ମିତ ସମ୍ବଲପୁରୀ ମାସ୍କ ଉପହାର କରିଛି। ଆମ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଞ୍ଚାୟତରେ ପ୍ରଚାର କରି ଭାରତର କୋଣ ଅଣୁକୋଣରେ ପହୁଞ୍ଚାଇବା ପାଇଁ ଏକ ଛୋଟ ପ୍ରୟାସ ଅଟେ ବୋଲି ସୁରେଶ କହିଛନ୍ତି। ସାଂସଦଙ୍କ ଏହି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି।
ସୂଚନାଯୋଗ୍ୟ ଯେ ସମ୍ବଲପୁରୀ ବସ୍ତ୍ର ଓ କପଡାର ବିଶ୍ୱ ଦରବାରରେ ଅନେକ ଚାହିଦା ସହିତ ବଡ ବଜାର ରହିଛି। ତେବେ ଏହି ହସ୍ତତନ୍ତ ବଜାରର ଚାହିଦା ଅନୁଯାୟୀ ଯେତେ ପ୍ରୋତ୍ସାହନ ଦିଆଯିବା କଥା ତାହା ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ ହୋଇ ପାରି ନାହିଁ। ଏବେ ପର୍ଯ୍ୟନ୍ତ ଯାହାବି ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ହୋଇଛି, ତାହା କେବଳ ଜନତାଙ୍କ ଦ୍ୱାରା ସମ୍ଭବପର ହୋଇଛି। ଏଣୁ ସରକାରୀ ସ୍ତରରେ ଏହାକୁ ଉଚିତ ପ୍ରୋତ୍ସାହନ ଦିଆଯାଇ ଦେଶ ବିଦେଶରେ ପ୍ରଚାର ପ୍ରସାର କଲେ ସମ୍ବଲପୁରୀ ହସ୍ତତନ୍ତ କାରିଗର ମାନେ ଉତ୍ସାହିତ ହେବା ସହିତ ସେମାନେ ବ୍ୟାପକ ଲାଭାନ୍ୱିତ ହୋଇ ପାରିବେ ଏବଂ ଏହାହିଁ ପ୍ରକୃତରେ ‘ଭୋକାଲ ଫର ଲୋକାଲ’ ର ଲକ୍ଷ୍ୟକୁ ସାଧନ କରିବ।

Comments are closed.