କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ନୀତିକୁ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ବିରୋଧ

ସମ୍ବଲପୁର : ସାରା ଦେଶର ଶ୍ରମିକ ସଂଘ ମାନଙ୍କର ଆହ୍ୱାନ କ୍ରମେ ସମ୍ବଲପୁର ଠାରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ଶ୍ରମିକ ନୀତିକୁ ବିରୋଧ କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶ୍ରମିକ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇ ଏକ ସ୍ୱରରେ ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦତ୍ତ ଦାବିପତ୍ରରେ ଶ୍ରମିକ ଆଇନ ଓ ଶ୍ରମିକ କୋଡ ବ୍ୟବସ୍ଥାକୁ ବିରୋଧ କରାଯାଇଛି। ଏହା ସହିତ ୧୨ ଘଣ୍ଟା କାର୍ଯ୍ୟ ସମୟକୁ ୮ ଘଣ୍ଟାକୁ ହ୍ରାସ କରିବା, ଆୟକର ପଇଠ କରୁ ନ ଥିବା ପରିବାର ମାନଙ୍କୁ ଆଗାମୀ ୬ ମାସ ପାଇଁ ପ୍ରତ୍ୟେକ ମାସ ୭ ହଜାର ୫ ଶହ ଟଙ୍କା ସହାୟତା ପ୍ରଦାନ, ପ୍ରବାସୀ ଶ୍ରମିକ ମାନଙ୍କୁ ୧୦ କିଗ୍ରା ଚାଉଳ ଅଥବା ଗହମ ଆଗାମୀ ୬ ମାସ ପାଇଁ ପ୍ରଦାନ, ମନରେଗାରେ ପ୍ରବାସୀ ଶ୍ରମିକ ମାନଙ୍କୁ ଆଗାମୀ ୬ ମାସ ପାଇଁ କାର୍ଯ୍ୟ ପ୍ରଦାନ ସହିତ ଦିନକୁ ସର୍ବନିମ୍ନ ୬ ଶହ ଟଙ୍କା ପାଉଣା ପ୍ରଦାନ, ରାଷ୍ଟ୍ରାୟତ୍ତ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ମାନଙ୍କର ଅଂଶଧର ବିକ୍ରୀ ଓ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୂଞ୍ଜି ବିନିଯୋଗ ବନ୍ଦ କରିବା, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀ ମାନଙ୍କର ମହଙ୍ଗାଭତ୍ତା ପ୍ରଦାନ କ୍ଷେତ୍ରରେ କଟକଣା ଉଠାଇବା ଓ ଠିକା ଚାଷୀ ଅଧ୍ୟାଦେଶ, କେନ୍ଦୁପତ୍ର ଓ ବିଡି ଶିଳ୍ପକୁ ଆର୍ଥିକ ସହାୟତା ପ୍ରଦାନ ସହିତ ଜିଏସଟି ଉଠାଇବା ଏବଂ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ସଂଶୋଧନ ଅଧ୍ୟାଦେଶ ବାତିଲ କରିବା ଆଦି ଦାବି କରାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦତ୍ତ ଆଉ ଏକ ଦାବିପତ୍ର ପ୍ରଦାନ କରାଯାଇ କୋଭିଡ – ୧୯ର ମୁକାବିଲା ପାଇଁ ଅଗ୍ରଣୀ ଧାଡିର ସମସ୍ତ ଯୋଦ୍ଧା ମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା, ଉଚ୍ଚ କ୍ୱାଲିଟିର ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ ପ୍ରଦାନ, କରୋନା ଯୋଦ୍ଧା ଓ ସେମାନଙ୍କର ପରିବାରବର୍ଗର ସମସ୍ତ ଚିକିତ୍ସା ମାଗଣାରେ କରିବା, ଡ୍ୟୁଟି ସମୟରେ କରୋନାରେ ଆକ୍ରାନ୍ତ ହେଲେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ, ସମସ୍ତଙ୍କ କରୋନା ଯାଞ୍ଚ, ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆଦି ଦାବି କରାଯାଇଛି। ଜିଲା ପ୍ରଶାସନ ଜରିଆରେ ପ୍ରଦତ୍ତ ଦାବିପତ୍ରରେ ହିନ୍ଦ ମଜଦୁର ସଂଘର ଗୋକୁଳ ମେହେର, ସିଟୁର ମହେଶ୍ୱର ଷଣ୍ଢ, ଏଆଇଟିୟୁସିର ନଟ୍ଟୁ ଗୋପାଳ, ଆଇନଟିୟୁସିର ବବିତା ବଡପଣ୍ଡା, ଏସଡବଲ୍ୟୁଇସିସିର ଗଦାଧର କୁଅଁର, ସିପିଆଇର ଅଶୋକ ବିଶି, ଓସ୍ରୁର ମହମ୍ମଦ କୌଶର ଖାନ, ମିତ୍ରଭାନୁ ପୋଢ଼, ସୁନିଲ କୁମାର ସିଂହ, ସୁଶାନ୍ତ ପଟ୍ଟନାୟକ, ଭକ୍ତବନ୍ଧୁ ମାଝୀ, ରାଧେଶ୍ୟାମ ରାୟ, ହେମନ୍ତ କୁମାର ସାହୁ, ଭକ୍ତ ପ୍ରଧାନ, ଅନାଦୀ ସାହୁ, ଲଳିତ ପଟ୍ଟନାୟକ, ପ୍ରଣୟ କୁମାର ନାୟକ, ତ୍ରିବିକ୍ରମ ସାହୁ, ସୁଶାନ୍ତ କୁମାର ପଟ୍ଟନାୟକ, ସତ୍ୟଜିତ ପରିଡା, ଜୟଦେବ ମିଞ୍ଜ ଓ ରବିନ୍ଦ୍ର ମହାନ୍ତିଙ୍କର ଦସ୍ତଖତ ରହିଛି।

Comments are closed.