ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ବଲପୁର ଗସ୍ତ

ସମସ୍ତଙ୍କ ସହଯୋଗରେ କରୋନା ମୁକାବିଲା ଚାଲିଛି : ଡିଜି ଅଭୟ

ସମ୍ବଲପୁର : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସିଥିଲେ। ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ୱରରୁ ଆସି ପୂର୍ବାହ୍ନ ୧୦ ଟା ୩୫ରେ ପୁଲିସ ରିଜର୍ଭ ଲାଇନରେ ଅବତରଣ କରିଥିଲେ। ତାଙ୍କୁ ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ଡିଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଡ. କନୱର ବିଶାଳ ସିଂହ ସ୍ୱାଗତ କରିଥିଲେ। ଡିଜିଙ୍କ ସହିତ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିବା ବେଳେ ବିପଦପୂର୍ଣ୍ଣ ପରିସ୍ଥିତିରେ ନିଜର ସାହାକସିକତା ଓ ଦାୟିତ୍ୱବୋଧ ସୁଚାରୁ ରୁପେ ତୁଲାଇଥିବା ତିନି ଜଣ ମହିଳା ପୁଲିସ କର୍ମଚାରୀ ରମା ଶତପଥୀ, ମରିୟମ ରେଡ୍ଡୀ ଓ ଟେରେସ ଖେସଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କର ଅଦମ୍ୟ ସାହସ ପାଇଁ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ ସେମାନଙ୍କର ବ୍ୟକ୍ତିଗତ ଓ ପାରିବାରିକ ସ୍ଥିତି ଉପରେ ଆଲୋଚନା କରି ଉତ୍ସାହିତ କରିଥିଲେ। ଏହା ପରେ ପୁଲିସ ରିଜର୍ଭ ବ୍ୟାରେକ ବୁଲି ଦେଖିଥିଲେ। ସେଠାରେ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପଚାରିବା ସହିତ ଭିତ୍ତିଭୂମି ସର୍ମ୍ପକରେ ଆଲୋଚନା କରିଥିଲେ।

ଏହା ପରେ ଡିଆଇଜି କାର୍ୟ୍ୟାଳୟରେ କରୋନା ମୁକାବିଲା ସର୍ମ୍ପକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଓ ସମ୍ବଲପୁର ଜିଲାପାଳ ଶୁଭମ ସକ୍ସସେନାଙ୍କ ସମେତ ଜିଲା ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ଡିଜି ସମ୍ବଲପୁର ସହର ବୁଲି ସ୍ଥିତି ସମୀକ୍ଷା କରିଥିଲେ। ଲକ୍ଷ୍ମୀ ଟକିଜ ଛକରେ ଟ୍ରାଫିକ ପୁଲିସ ଡିଏସପି ହିମାଂଶୁ ବେହେରାଙ୍କ ସହିତ ଟ୍ରାଫିକ ବ୍ୟବସ୍ଥା, ଯାନବାହାନ ଚେକିଂ ଇତ୍ୟାଦି ପଚାରି ବୁଝିଥିଲୋ। ଏହା ପରେ ଜେଲଖାନା ଛକ, କଚେରୀ ଛକ, ସମଲେଶ୍ୱରୀ ମନ୍ଦିର ଛକରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପରେ କ୍ଷେତରାଜପୁର ଆଦର୍ଶ ଥାନା ପରିଦର୍ଶନ କରିବା ସହ ପରିସରରେ ଥିବା ପୁଲିସ ବ୍ୟାରେକ, ଶିଶୁ ଓ ମହିଳା ଡେସ୍କ ସହିତ ଥାନାର ସୌନ୍ଦର୍ୟ୍ୟକରଣ ବୁଲି ଦେଖିବା ସହ ଭୂୟସୀ ପ୍ରଶଂସା କରିଥିଲେ। ଥାନା ଅଧିକାରିଣୀ ମମତା ନାଏକଙ୍କ ସହିତ ଥାନାର ସ୍ଥିତି, ମାମଲା ସଂଖ୍ୟା, କରୋନା ମୁକାବିଲା, କ୍ଷେତରାଜପୁର ମାଲଗୋଦାମ ଓ ମନ୍ଦଲିଆ ହାଟ ଆଦି ସର୍ମ୍ପକରେ ଆଲୋଚନା କରିଥିଲେ। କ୍ଷେତରାଜପୁର ଆଦର୍ଶ ଥାନା ପରିଦର୍ଶନ ପରେ ଡିଜି ରିଙ୍ଗ ରୋଡ ଦେଇ ଧନୁପାଲୀ ଥାନା ପରିଦର୍ଶନ କରିଥିଲେ। ସେଠାରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଥାନାଧିକାରୀ କମଳ ଲୋଚନ ପଣ୍ଡାଙ୍କ ସହିତ ଥାନାର ମାମଲା ସଂଖ୍ୟା, କରୋନା ମୁକାବିଲା ଓ ଆଇନ ଶୃଙ୍ଖଳା ବିଷୟରେ ପଚାରି ବୁଝିଥିଲେ।
ଶେଷରେ ଗସ୍ତ ସର୍ମ୍ପକରେ ଡିଜି ଅଭୟ ଗଣମାଧ୍ୟମଙ୍କୁ ସୂଚନା ଦେଇ କହିଥିଲେ ଯେ, ସମ୍ବଲପୁର ଜିଲାର ଥିବା ସମସ୍ତ ଅଧିବାସୀଙ୍କୁ ମୋର ନମସ୍କାର। ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଡିଆଇଜି, ଜିଲାପାଳ, ଏସପି ଓ ଜିଲା ପଦସ୍ଥ ଅଧିକାରୀଙ୍କ ସହିତ କରୋନା ମୁକାବିଲା ସମ୍ବନ୍ଧରେ ଆଲୋଚନା କରିଛି। ପ୍ରଶାସନ ଓ ପୁଲିସର ମିଳିତ ସହଯୋଗରେ ଭଲ କାମ ଚାଲଛି। ସମ୍ବଲପୁରର ଜନସାଧାରଣ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ଏଥିପାଇଁ ସମ୍ବଲପୁର ଜନତାଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ସମ୍ବଲପୁରର ପୁଲିସ କର୍ମଚାରୀମାନେ ଖରା, ବର୍ଷା, ଶୀତ ନ ମାନି କଠିନ ପରିଶ୍ରମ କରୁଛନ୍ତି। ସେମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛନ୍ତି। ମୋର ଆଶା ଓ ବିଶ୍ୱାସରେ ସମ୍ବଲପୁରବାସୀ, ପ୍ରଶାସନ ଓ ସମ୍ବଲପୁର ପୁଲିସ ମିଶି କରୋନା ମୁକାବିଲା କରିବେ ଏବଂ ଏଥିରେ ସେମାନେ ଜୟଲାଭ କରିବେ। ସମ୍ବଲପୁର ଗସ୍ତ ପରେ ଡିଜି ବରଗଡ ଜିଲା ଗସ୍ତରେ ଯାଇ ରାଜ୍ୟ ସୀମା ସିଲ, କରୋନା ମୁକାବିଲା ଏବଂ ଅନ୍ୟାନ୍ୟ ଦିଗ ଉପରେ ସ୍ଥିତି ସମୀକ୍ଷା କରିଥିବାର ଜଣାପଡିଛି। ଡିଜିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଟ୍ରାଫିକ ଓ ପୁଲିସ ବ୍ୟବସ୍ଥା କଡାକଡି କରାଯାଇଥିଲା।

Comments are closed.