ସାର ପ୍ୟାକେଟରୁ ବାହାରୁଛି କାଠ ଗଣ୍ଡି, ଇଟା, ପ୍ଲାଷ୍ଟିକ : ଉଚ୍ଚସ୍ତରୀୟ ତଦନ୍ତ ଦାବି

ସମ୍ବଲପୁର : ସମ୍ବଲପୁରର ବରେଇପାଲି ସ୍ଥିତ ମାର୍କେଟ ୟାର୍ଡରେ ଚାଷୀ ମାନଙ୍କୁ ନକଲି ସାର ବିକ୍ରି କରାଯାଉଥିବାର ଗୁରୁତର ଅଭିଯୋଗ ହେଉଛି। ସୋମବାର ପୂର୍ବାହ୍ନରେ ଆରଏମସି ଅଧିକାରୀଙ୍କୁ ଚାଷୀ ମାନେ ନକଲି ସାର ବିକ୍ରି ଅଭିଯୋଗରେ ଘେରାଉ କରିଥିଲେ। ଜିଲା କୃଷି ଅଧିକାରୀଙ୍କର ନିର୍ଦ୍ଦେଶ କ୍ରମେ ହଜାର ହଜାର ଟଙ୍କା ଦେଇ ଆରଏମସି ମାର୍କେଟ ୟାର୍ଡରେ ରହିଥିବା ସରକାରୀ ଗୋଦାମରୁ ସାର (ଇଣ୍ଡିଆନ ପୋଟାସ ଲିମିଟେଡ)ର ଶହ ଶହ ବସ୍ତା କିଣିଛନ୍ତି। ଗତ ରବିବାର ଦିନ ଡେଙ୍ଗିମଞ୍ଚା ଗ୍ରାମର ନାଟୁରାମ ବିଶ୍ୱାଳ ନିଜ ଚାଷ ଜମିରେ ସାର ଦେବା ପାଇଁ ଆରଏମସିରୁ କିଣିଥିବା ସାର ପ୍ୟାକେଟ ଖୋଲିବାରୁ ସାର ବସ୍ତାରେ ଇଟା, କଂକ୍ରିଟ ଖଣ୍ଡ, ପ୍ଲାଷ୍ଟିକ, କାଠ ଗଣ୍ଡି ଆଦି ରହିଥିବାର ଦେଖିଥିଲେ।

 

ନାଟୁରାମଙ୍କ କହିବାନୁଯାୟୀ, ସେ ଗୁରୁବାର ଦିନ ୧୨୫୦ ଟଙ୍କା ପ୍ରତି ବସ୍ତା (୫୦ କିଗ୍ରା) ଦେଇ ୧୦ ବସ୍ତା ସାର ସେ କିଣିଥିଲେ। ଏଣୁ ନାଟୁରାମଙ୍କର ଖୋଲା ଯାଇ ନ ଥିବା ସାରବସ୍ତା ଗୁଡିକୁ ଧରି ଜିଲା ଚାଷୀ ସଙ୍ଗଠନର ସଦସ୍ୟ ଓ ଚାଷୀ ମାନେ ଆରଏମସି ଅଧିକାରୀଙ୍କୁ ଘେରି ଯାଇଥିଲେ। ଅଧିକାରୀ ଙ୍କ ସମେତ ସାର ସପ୍ଲାଇ କରିଥିବା ଇଣ୍ଡିଆନ ପୋଟାସ ଲିମିଟେଡର କର୍ମଚାରୀ ମାନେ ମଧ୍ୟ ଏଭଳି ଘଟଣା ସର୍ମ୍ପକରେ କୌଣସି ସନ୍ତୋଷଜନକ ଉତ୍ତର ଚାଷୀ ମାନଙ୍କୁ ଦେଇ ନ ପାରି ମାମଲାକୁ ଘଣ୍ଟ ଘୋଡାଇବାରେ ବ୍ୟସ୍ତ ରହିଥିବାର ଦେଖାଯାଇଥିଲା। ଅନ୍ୟ ପଟରେ ବହୁ ବର୍ଷର ପୁରୁଣା ସାର ଚାଷୀ ମାନଙ୍କୁ ଦେଇ ଆରଏମସି ଅଧିକାରୀ ମାନେ ମାଲା ମାଲ ହେଉଥିବାର ଚାଷୀ ମାନେ ଅଭିଯୋଗ କରୁଛନ୍ତି। ତେବେ ସରକାରୀ ଗୋଦାମକୁ କିଛି ଦିନ ପୂର୍ବେ ୫୦୦ ପ୍ୟାକେଟ ସାର ଆସିଛି। ଏ ସର୍ମ୍ପକରେ ଜିଲା କୃଷି ଅଧିକାରୀ ଜଗନ୍ନାଥ ଦାଶ କହିଛନ୍ତି ଯେ, ସରକାରୀ ନିୟମାନୁଯାୟୀ ସାର ଆସିବା ପରେ ତାକୁ ପରୀକ୍ଷଣ ପରେ ଚାଷୀ ମାନଙ୍କୁ ବଣ୍ଟନର ବ୍ୟବସ୍ଥା ରହିଛି। ଏହି ମାମଲାରେ ତଦନ୍ତ କରାଯାଇ ଯେଉଁ କମ୍ପାନୀରୁ ଏହି ସାର ଆସିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଏହି ସାରକୁ ପରୀକ୍ଷଣ ନ ହେବା ପର୍ଯ୍ୟନ୍ତ ତାକୁ ବଣ୍ଟନ କରାଯିବ ନାହିଁ ଏବଂ ସକ୍ଷତିଗ୍ରସ୍ତ ହୋଇଥିବା ଚାଷୀକୁ କ୍ଷତିପୂରଣ ଦିଆଯିବ ବୋଲି କୃଷି ଅଧିକାରୀ ଦାଶ କହିଛନ୍ତି।

ତେବେ ଏହି ଘଟଣାକୁ ଯେପରି ଭାବରେ ଚପାଇ ଦେବା ପାଇଁ ଉଦ୍ୟମ ହେଉଛି ଏବଂ କୃଷି ବିଭାଗର ଅଧିକାରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ଗୋଦାମକୁ ସାର ଆସିବା ପରେ ସରକାରୀ ନିୟମର ଅଣଦେଖା କରାଯାଉଛି। ସାର ବିକ୍ରି କରିବାରୁ କଣ ପାଇଁ ପରୀକ୍ଷଣ କରାଯାଉ ନାହିଁ ତାହା ଏବେ ଏକ ବଡ ପ୍ରଶ୍ନ ହୋଇଥିବା ବେଳେ ଏହାର ଉତ୍ତର ଦେବାକୁ କେହି ପ୍ରସ୍ତୁତ ନୁହନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ପୂର୍ବରୁ ବୋଝ ତଳେ ଦବିଥିବା ଚାଷୀକୁ ହରିଲୁଟର ଶିକାର କରିବା ପାଇଁ ସାର କମ୍ପାନୀ ଓ ଅଧିକାରୀ ମାନଙ୍କ ମଧ୍ୟରେ ଏକ ବଡ ଷଡଯନ୍ତ୍ର ପ୍ଲାନ କରାଯାଇଛି। ଯାହା ଫଳରେ ଚାଷୀ ଲକ୍ଷ ଲକ୍ଷ ଟଙ୍କା ଦେଇ ଠକେଇର ଶିକାର ହେଉଛି। ଏଣୁ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଚାଷୀ ମାନେ ଦାବି କରୁଛନ୍ତି ଥିବା ଦେଖିବାକୁ ମିଳିଥିଲା ।

 

Comments are closed.