ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିଶୃତି ପରେ ଟଳିଲା ୨୧ର ମାନବ ଶୃଙ୍ଖଳ

ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ଗୋ ସୁରକ୍ଷା ଆନ୍ଦୋଳନ

ସମ୍ବଲପୁର: ବିଗତ କିଛି ମାସ ହେବ ନିୟମିତ ଭାବରେ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ଗୋ ସମ୍ପଦ ଚୋରା ଚାଲାଣ, ଗୋ ମାଂସ ଓ ଚମଡା ଜବତ ସମେତ ଗୋ ସମ୍ପଦ ଉଦ୍ଧାର ଘଟଣା ପରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଗୋ ସୁରକ୍ଷା ପାଇଁ ତୀବ୍ର ପ୍ରତିବାଦ କରି ଆସୁଛି। ଆଗାମୀ ୨୧ ତାରିଖରେ ବର୍କି ଇଦ ପର୍ବରେ ବ୍ୟାପକ ଗୋ ହତ୍ୟା ଆଶଙ୍କାରେ ସମିତି ଓ ବିଭିନ୍ନ ସଙ୍ଗଠନ ମାନେ ମିଳିତ ଭାବରେ ଏକ ମାନବ ଶୃଙ୍ଖଳ କରି ଏହାର ପ୍ରତିବାଦ କରିବାର ଯୋଜନା କରିଥିଲେ। ତେବେ ଏହି ମାନବ ଶୃଙ୍ଖଳକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି ବୋଲି ରବିବାର ସମିତି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ମାର୍ଗ ଠାରେ ସ୍ଥିତ ହୋଟେଲ ସିଲା ଟାୱାର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତିର ସଦସ୍ୟ ମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ସମ୍ମିଳନୀରେ ଦିଆଯାଇଥିବା ସୂଚନାନୁଯାୟୀ, ବିଗତ ୩୫ ବର୍ଷ ଧରି ଲଗାତାର ଗୋ ହତ୍ୟା ବିରୋଧରେ ସମିତି ଆନ୍ଦୋଳନ କରି ଆସିଛି। ବାରମ୍ବାର ଅନୁରୋଧ, ତାଗିଦ ଓ ଆନ୍ଦୋଳନ ସତ୍ୱେ ପ୍ରଶାସନ ସମ୍ପୁର୍ଣ୍ଣ ଗୋ ହତ୍ୟା ବନ୍ଦ କରିବା ଓ ସୁରକ୍ଷା କରିବାରେ ବିଫଳ ହୋଇଛି। ଏଣୁ ସମିତି ପକ୍ଷରୁ ଗୋ ସୁରକ୍ଷା ପାଇଁ ନିର୍ଣ୍ଣାୟକ ଆନ୍ଦୋଳନ ଆରମ୍ଭ କରାଯାଇଥିଲା ଏବଂ ଏଥିରେ ଅନେକ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମର୍ଥନ ଦେଇଛନ୍ତି।

ବିଗତ ଦିନରେ ଛତିଶଗଡରୁ ପଶ୍ଚିମବଙ୍ଗ ତଥା ବାଙ୍ଗଲାଦେଶ ପର୍ଯ୍ୟନ୍ତ କଣ୍ଟେନର ଗୁଡିକରେ ଗୋ ଚୋରା ଚାଲାଣ, ୨୫ ଶହ ଗାଈ ଚମଡା ବୋଝେଇ ଗାଡି ଧରାପଡିବା, ୨୦ ରୁ ଉର୍ଦ୍ଧ ଅଧିକ ବେଆଇନ କଂସେଇଖାନା ଗୁଡିକରେ ବିନା ଲାଇସେନ୍ସରେ ପ୍ରତ୍ୟହ ଶତାଧିକ ଗୋ ହତ୍ୟା, ଗୋ ସମ୍ପଦ ଉଦ୍ଧାର ଆଦି ଘଟଣା ସମ୍ମୁଖକୁ ଆସିଥିଲା। ଏହା ସହିତ ଆଗାମୀ ୨୧ ତାରିଖରେ ଗୋ ହତ୍ୟାର ଯୋଜନା ସର୍ମ୍ପକରେ ଜାଣି ଏହାକୁ ରୋକିବା ସହିତ ସମ୍ବଲପୁରରେ ସମ୍ପୁର୍ଣ୍ଣ ଗୋ ହତ୍ୟା ବନ୍ଦ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସଙ୍ଗଠନ ମାନଙ୍କ ଜରିଆରେ ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ଗୋ ସୁରକ୍ଷା ନିମନ୍ତେ ଆଗାମୀ ୨୧ ତାରିଖରେ ୩ ହଜାର ମହିଳା ମାନଙ୍କ ଦ୍ୱାରା ମାନବ ଶୃଙ୍ଖଳ ଓ ପ୍ରଶାସନ ଆଇନର ରକ୍ଷା କରି ଗୋ ହତ୍ୟା ବନ୍ଦ କରିବାରେ ବିଫଳ ହେଲେ ବେଆଇନ କଂସେଇଖାନା ଗୁଡିକୁ ବନ୍ଦ କରି ପାଇଁ ୭ ହଜାର ଯୁବ ବାହିନୀର ବ୍ୟବସ୍ଥା କରାଯାଇଥିଲା। ଏଥି ନିମନ୍ତେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ଅନେକ ସଦସ୍ୟଙ୍କ ସହିତ ପର୍ଯ୍ୟାୟ କ୍ରମରେ ବୈଠକ ଅନୁଷ୍ଠିତ ହୋଇଥିଲା।

 

ତେବେ ସମିତିର ପ୍ରାକ ପ୍ରସ୍ତୁତି ଓ ବିରୋଧ ପରେ ପୁଲିସ ପ୍ରଶାସନ ସହିତ ସମିତି ସଦସ୍ୟ ମାନଙ୍କର ଏକାଧିକ ବୈଠକ ଓ ଆଲୋଚନା ହୋଇଥିଲା। ଏହି କ୍ରମରେ ଶନିବାର ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ଶନିବାର ପୁଲିସର ବିଭିନ୍ନ ପଦାଧିକାରୀ ଓ ସମିତିର ପଦାଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଆରକ୍ଷୀ ଅଧିକ୍ଷକ ସମ୍ବଲପୁରରେ ସମ୍ପୁର୍ଣ୍ଣ ଗୋ ହତ୍ୟା ବନ୍ଦ ପାଇଁ ପୁଲିସ ବିଭାଗ ନିର୍ଭର ପ୍ରତିଶୃତି ଦେବା ସହିତ କେବଳ ଜୁଲାଇ ୨୧ କୁର୍ବାନୀ ଦିନରେ ନୁହେଁ ଆଗକୁ ମଧ୍ୟ ଆଇନର ପୁଲିସ ରକ୍ଷା କରିବ ଏବଂ ଗୋ ହତ୍ୟା ସମ୍ପୁର୍ଣ୍ଣ ବନ୍ଦ କରିବା ସହିତ ଗୋ ହତ୍ୟାକାରୀଙ୍କ ବିରୋଧରେ କଡା ପଦକ୍ଷେପ ମଧ୍ୟ ନିଆଯିବ ବୋଲି କହିଥିଲେ। ପୂର୍ବରୁ ଶାନ୍ତି କମିଟୀ ବୈଠକରେ ଅନ୍ୟ ସମ୍ପ୍ରଦାୟ ତରଫରୁ ଆଇନର ରକ୍ଷା ଓ ସମ୍ମାନ ସହିତ ଗୋ ହତ୍ୟା କରା ନ ଯିବାର ନିର୍ଭର ପ୍ରତିଶୃତି ଦିଆଯାଇଥିବା ଆରକ୍ଷୀ ଅଧିକ୍ଷକ ବୈଠକରେ ସୂଚନା ଦେଇ ୨୧ ତାରିଖର ମାନବ ଶୃଙ୍ଖଳ ସ୍ଥଗିତ ରଖିବା ପାଇଁ କହିଥିଲେ। ଏହା ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି ବୈଠକରେ ମହାନଗର ନିଗମ କମିଶନର, ବରିଷ୍ଠ ପୁଲିସ ଅଧିକାରୀ ଙ୍କ ସହିତ ସମ୍ପୁର୍ଣ୍ଣ ଗୋ ହତ୍ୟା ବନ୍ଦ ଓ ତୁରନ୍ତ ଗୋଶାଳା ନିର୍ମାଣ ଉପରେ ବିସ୍ତୃତ ଆଲୋଚନା ପରେ ସମ୍ପୁର୍ଣ୍ଣ ଗୋ ହତ୍ୟା ବନ୍ଦର ପ୍ରତିଶୃତି ପ୍ରଶାସନ ଦେଇଥିଲା। ଅପର ପକ୍ଷରେ ପୁଲିସ ପ୍ରଶାସନ ମଧ୍ୟ ସକ୍ରିୟ ରୂପେ କାର୍ଯ୍ୟ କରି ଇତି ମଧ୍ୟରେ ଗୋ ଚୋରା ଚାଲାଣକାରୀ ମାନଙ୍କୁ ଧରିବା ଆରମ୍ଭ କରିଛି।

ପ୍ରଶାସନର ନିର୍ଭର ପ୍ରତିଶୃତି ପରେ ସମିତି ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଦସ୍ୟ ମାନେ ଉପସ୍ଥିତ ରହି ବିସ୍ତୃତ ଆଲୋଚାନା ପରେ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇ ଆଗାମୀ ୨୧ ତାରିଖର ମାନବ ଶୃଙ୍ଖଳକୁ ସାମୟିକ ଭାବରେ ସ୍ଥଗିତ ରଖିବା ନିମନ୍ତେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ନିଆଯାଇଥିଲା ବୋଲି ସମିତି ସଭାପତି ଗିରିଶ ପଟେଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନାଉରୀ ନାୟକ, ପ୍ରଦୀପ ବହିଦାର, ସତ୍ୟନାରାୟଣ ପଣ୍ଡା, ଜୟବ୍ରତ ଦେ, ଶିବ ଅଗ୍ରୱାଲ, ସୁଧିର ରଞ୍ଜନ ବହିଦାର ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

ଏସପିଙ୍କ ମନ୍ତବ୍ୟ
ସମ୍ବଲପୁରରେ ସମ୍ପୁର୍ଣ୍ଣ ଗୋ ହତ୍ୟା ବନ୍ଦ ପ୍ରତିଶୃତି ସର୍ମ୍ପକରେ ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧରଙ୍କୁ ପଚରାଯିବାରୁ ସେ ଏହାକୁ ସ୍ୱିକାର କରିଛନ୍ତି। ସମ୍ବଲପୁରରେ ବେଆଇନ ଭାବରେ ଗୋ ହତ୍ୟାକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ପୁଲିସ ଆହୁରୀ କଡା ପଦକ୍ଷେପ ନେବ। ବିଗତ ଦିନରେ ମିଳିଥିବା ସୂଚନା ପରେ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୋ ହତ୍ୟା କାରବାରରେ ଲିପ୍ତ ବ୍ୟକ୍ତି ମାନଙ୍କୁ ଧରିବା ସହିତ ଗୋ ସମ୍ପଦ ଉଦ୍ଧାର ମଧ୍ୟ କରିଛି ବୋଲି ଆରକ୍ଷୀ ଅଧିକ୍ଷକ ଗଙ୍ଗାଧର କହିଛନ୍ତି।

Comments are closed.