ସମ୍ବଲପୁରରେ ମା’ ସମଲେଶ୍ୱରୀ

0

ଆବିର୍ଭାବ – ରାଜା ବଳରାମ ଦେବ(୧୫୪୦-୧୫୫୭) ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା କରିବା ପୂର୍ବରୁ ଏହା ଏକ କ୍ଷୁଦ୍ର ଗ୍ରାମ ଥିଲା। ୧୫୪୦ରୁ ୧୫୫୭ ବଳରାମ ଦେବଙ୍କ ରାଜତ୍ୱକାଳ ବୋଲି ନିର୍ଣ୍ଣିତ ହୋଇଛି। ବଳରାମ ଦେବ ପ୍ରଥମେ ବରଗଡ଼ରେ ଜୀରାନଦୀର ବାମପାଶ୍ୱର୍ରେ ଅସ୍ଥାୟୀ ରାଜଧାନୀ ପ୍ରତିଷ୍ଠା କରି ନୂତନ ସ୍ଥାନ ଅନ୍ୱେଷଣ ନିମନ୍ତେ ସମ୍ବଲପୁର ନିକଟବର୍ତ୍ତୀ ମହାନଦୀର ଅପରପାଶ୍ୱର୍ରେ ଚାଉଁରପୁର ଗ୍ରାମରେ ଶିବିର ପକାଇଥିଲେ। ସେଠାରେ ତାଙ୍କର ଶିକାରୀ କୁକୁରଙ୍କୁ ଠେକୁଆମାନେ ଘଉଡ଼ାଇବା ଓ କୁକୁର ପ୍ରାଣବିକଳରେ ପଳାୟନ କରୁଥିବା ଦେଖି ସେ ଚକିତ ହୋଇଯାଇଥିଲେ। ରାତିରେ ପ୍ରତ୍ୟକ୍ଷ ଦେବୀ ଶ୍ରୀ ଶ୍ରୀ ସମଲେଶ୍ୱରୀ ତାଙ୍କ ସମ୍ମୁଖରେ ଉଭା ହୋଇ, ସେ ଗୁମ୍ଦର୍ହରେ ଅବସ୍ଥାନ କରୁଥିବା ସୂଚାଇ ମହାନଦୀର ପୂର୍ବତଟରେ ଶିମୁଳି ବୃକ୍ଷମୂଳରେ ତାଙ୍କୁ ପ୍ରତିଷ୍ଠା କରି ମନ୍ଦିର ନିର୍ମାଣ କରିବା ଲାଗି ରାଜାଙ୍କୁ ନିର୍ଦେଶ ଦେଇଥିଲେ ବୋଲି କିମ୍ବଦନ୍ତୀରୁ ସୂଚିତ ହୁଏ। ଶିମିଳି ବୃକ୍ଷକୁ ସମ୍ବଲପୁର ଅଞ୍ଚଳରେ ସେମେଲ୍ କୁହାଯାଏ। ସେମେଲ୍ ବୃକ୍ଷମୂଳରେ ତାଙ୍କର ଆସ୍ଥାନ ଥିବାରୁ ସେ ସମଲେଇ, ସମଲାଇ, ସୋମଲାଇ ଓ ପରେ ସମଲେଶ୍ୱରୀ ନାମରେ ନାମିତ ହୋଇଥିବା ଅନୁମାନ କରାଯାଏ। କାଳକ୍ରମେ ସମସ୍ତ ଚୌହାନ ବଂଶୀୟ ରାଜା ଦେବୀ ସମଲେଶ୍ୱରୀଙ୍କୁ ଇଷ୍ଟଦେବୀ ରୂପେ ଗ୍ରହଣ କରିଥିଲେ।
ଉପାସ୍ୟ ଦେବଦେବୀ, ପୂଜାନୀତି ଓ ଦେବୀଦର୍ଶନ –ମୁଖ୍ୟପୀଠରେ କ୍ଷତ୍ରିୟ ପୂଜକଗଣ ଦେବୀ ସମଲେଶ୍ୱରୀଙ୍କୁ ଭୁବନେଶ୍ୱରୀ ମନ୍ତ୍ରରେ ପୂଜାର୍ଚ୍ଚନା କରିଥା’ନ୍ତି। ଗମ୍ଭୀରା ମଧ୍ୟରେ ଚଣ୍ଡୀ, ଚାମୁଣ୍ଡି, ଭୁବନେଶ୍ୱରୀ, ଛତ୍ରବାଉତି, ବେଢ଼ାକାନ୍ଥରେ ଦଶମହାବିଦ୍ୟା-ଉଗ୍ରତାରା, ଦୁର୍ଗା, ମଙ୍ଗଳା, ଜ୍ୱାଳାମୁଖୀ, ବନଦୁର୍ଗା, ବାରାହୀ, ଛିନ୍ନମସ୍ତା, ମାତଙ୍ଗୀ, ରାମଚଣ୍ଡୀ ଓ ମା’ କାଳୀ ପ୍ରମୁଖ ପୂଜିତା। ପୃଷ୍ଠଭାଗରେ ମନ୍ଦିର ପରିକ୍ରମାର ଦୁଇକୋଣରେ ହନୁମାନ ଓ ଘଣ୍ଟାସିନୀ ତଥା ସମ୍ମୁଖ କୋଣରେ ବଞ୍ଜାରୀ ପୂଜା ପାଉଛନ୍ତି। ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ବା ସମଲେଇଗୁଡ଼ି ଦୁଇଭାଗରେ ବିଭକ୍ତ- ବଡ଼ଗୁଡ଼ି(ବଡ଼ଦେଉଳ) ଓ ସାନଗୁଡ଼ି(ସାନଦେଉଳ)। ସାନଗୁଡ଼ିକୁ ମଣ୍ଡପ ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। ମଣ୍ଡପ ମନ୍ଦିରରେ ଦେବୀ ସମଲେଶ୍ୱରୀଙ୍କ ବିଗ୍ରହ ଆଡ଼କୁ ମୁହଁକରି ଶୀତଳା ଠାକୁରାଣୀଙ୍କ ବିଗ୍ରହ ପ୍ରତିଷ୍ଠିତ। ଏଥିସହ ବିଘ୍ନରାଜ ଗଣେଶ ଓ ଅନ୍ୟ ଦେବଦେବୀଙ୍କ ବିଗ୍ରହ ମଧ୍ୟ ରହିଛି। ମଣ୍ଡପ ମନ୍ଦିର ୧୮୨୫ ପରବର୍ତ୍ତୀ କାଳରେ ନିର୍ମିତ ହୋଇଥିବା ସୂଚିତ ହୁଏ । ମନ୍ଦିର ପରିସରରେ ଦୁଇମୁଖ୍ୟ ପ୍ରବେଶଦ୍ୱାର ମଝିରେ ଭୈରବ ମନ୍ଦିର, ପଶ୍ଚିମରେ ମାଉଳିଗୁଡ଼ି ଓ ଉତ୍ତରରେ ହନୁମାନ ମନ୍ଦିର ସହ ଆଖଡ଼ା ପ୍ରାଙ୍ଗଣ ରହିଛି। ମନ୍ଦିର ପ୍ରାଙ୍ଗଣରେ ରହିଛି ଅରୁଣ ସ୍ତମ୍ଭ।
ଦେବୀ ସମଲେଶ୍ୱରୀଙ୍କୁ ଦୁଇଓଳି ଅନ୍ନଭୋଗ ଅର୍ପଣ କରାଯାଏ। ପ୍ରତ୍ୟୁଷ ୫ଟାରେ ଗମ୍ଭୀରା ଖୋଲାଯିବା ପରେ ନିତ୍ୟପୂଜା ହୁଏ। ଦିନ ୧୨ଟାରେ ଅନ୍ନଭୋଗ ସମର୍ପିତ ହୋଇଥାଏ ଏବଂ ମାତ୍ର ୩୦ ମିନିଟ ନିମନ୍ତେ ପହଡ଼ ପଡ଼େ। ତା’ପରେ ଦିନତମାମ ପୂଜାର୍ଚ୍ଚନା ଜାରି ରହେ। ରାତ୍ରି ୮ଟାରେ ଆଳତି ଓ ୯ଟାରେ ଅନ୍ନଭୋଗ ଅର୍ପଣ କରାଯାଏ। ରାତ୍ରି ୧୦ଟାରେ ଗମ୍ଭୀରାଦ୍ୱାର ବନ୍ଦ କରାଯାଏ। ପର୍ବପର୍ବାଣି ଦିନରେ ରାତ୍ରି ୧୧ଟା ପର୍ଯ୍ୟନ୍ତ ଓ ମହାଳୟା ଦିନ ରାତ୍ରି ୨ଟା ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଚାଲିଥାଏ। ଭୈରବ ବାବାଙ୍କୁ ମଧ୍ୟ ଦୁଇଓଳି ଅନ୍ନଭୋଗ ଅର୍ପଣ କରାଯାଏ। କ୍ଷତ୍ରିୟଙ୍କ ସହ ବ୍ରାହ୍ମଣମାନେ ମଧ୍ୟ ଅନ୍ନଭୋଗ ପ୍ରସ୍ତୁତ କରିଥା’ନ୍ତି।
ମଙ୍ଗଳବାର ଏବଂ ଶନିବାର ଅଧିକ ଭକ୍ତ ସମାଗମ ହୋଇଥାଏ। ଛତ୍ର, ମୁକୁଟ, କିରିଟୀ, କର୍ଣ୍ଣାଞ୍ଚଳ, ବେଲ-ପତ୍ରି, ପଦ୍ମମୁଖ, କଣ୍ଠିମାଳ, ନଥ ଓ କିଆଫୁଲ ପ୍ରଭୃତି ସ୍ୱର୍ଣ୍ଣାଳଙ୍କାରରେ ଭୂଷିତା ଦେବୀଙ୍କ ମନୋହର ଭୁବନମୋହିନୀ ରୂପ ଭକ୍ତଙ୍କୁ ଅଭୟ ପ୍ରଦାନ କରିଥାଏ। ମନ୍ଦିର ତଥା ମନ୍ଦିର ପରିସର ଓ ଆଖପାଖରେ ଉପାସ୍ୟ ଦେବଦେବୀଙ୍କର ମୋଟ ୧୧୬ଟି ଆସ୍ଥାନ ରହିଛି। ନୂଆଁଖାଇ ଦିନ ସମସ୍ତ ଆସ୍ଥାନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ।
ବାହନ ସିଂହ – ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ, ସିଂହବାହିନୀ। ସର୍ବଶକ୍ତିମାନ ବାହନ ସିଂହ ସମଗ୍ର ବିଶ୍ୱକୁ ଧାରଣ କରିଥିବା ବିଷୟ ଆମ ଶାସ୍ତ୍ରପୁରାଣରେ ବର୍ଣ୍ଣିତ। ‘ଦେବୀପୁରାଣ’ର ବର୍ଣ୍ଣନାନୁସାରେ ଦେବୀବାହନ ଭଗବାନ ସିଂହଙ୍କର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗରେ ସକଳ ଦେବଦେବୀ ବିରାଜିତ। ଭଗବାନ ସିଂହ ବହୁଳ ଭାବରେ ମହିମାମଣ୍ଡିତ ଓ ସିଂହପୂଜାର ପରମ୍ପରା ପ୍ରାଚୀନ କାଳରୁ ପ୍ରଚଳିତ।
ପ୍ରମୁଖ ପର୍ବପର୍ବାଣି ଓ ଆଖଡ଼ା – ବର୍ଷର ପ୍ରାରମ୍ଭରେ ମହାବିଷୁବ ସଂକ୍ରାନ୍ତିକୁ ପଣାସଂକ୍ରାନ୍ତି ଭାବରେ ପାଳନ କରାଯାଇଥାଏ। ଏହିଦିନ ଅଧିଷ୍ଠାତ୍ରୀ ଦେବୀଙ୍କ ଆଡ଼କୁ ମୁହଁକରି ସାନଗୁଡ଼ି ବା ମଣ୍ଡପ ମନ୍ଦିରରେ ଅଧିଷ୍ଠିତ ଶୀତଳା ଠାକୁରାଣୀଙ୍କଠାରେ ପଣାଭୋଗ ସମର୍ପିତ ହୋଇଥାଏ। ଏହା ପରେ ସମବେତ ଭକ୍ତଙ୍କୁ ଏହି ଭୋଗ ବିତରଣ କରାଯାଇଥାଏ। ଉକ୍ତ ଦିନ ହନୁମାନ ଜୟନ୍ତୀ ମଧ୍ୟ ପାଳନ କରାଯାଇଥାଏ। ଏହି ଅବସରରେ ଆଖଡ଼ା ହନୁମାନ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏହାପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭୈରବବାବାଙ୍କ ଜଳଶାୟୀ ଉତ୍ସବ ଜ୍ୟେଷ୍ଠପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ସନ୍ଧ୍ୟାରେ ପାଳନ କରାଯାଇଥାଏ ତଥା ଭୈରବ ମନ୍ଦିର ଭିତରେ ଜଳଲାଗି କରାଯିବା ସାଙ୍ଗକୁ ଜଳପୂର୍ଣ୍ଣ ବା ଜଳଶାୟୀ କରାଯାଇ ଦ୍ୱାରଧୀଶ ଭୈରବ ବାବାଙ୍କ ଆରାଧନା କରାଯାଇଥାଏ। ଶ୍ରାବଣ ପୂର୍ଣ୍ଣିମାଦିନ ଶ୍ରବଣାଭିଷେକ ତଥା ଜନ୍ମାଷ୍ଟମୀ ଦିନ ଅମ୍ବିକାପୂଜା କରାଯାଇଥାଏ। ଏହି ଅବସରରେ ଦେବୀଙ୍କର ପୂଜାର୍ଚ୍ଚନା ନିମନ୍ତେ ସ୍ୱତନ୍ତ୍ର ଆୟୋଜନ କରାଯାଇଥାଏ। ଶ୍ରବଣାଭିଷେକ ରାତ୍ରିରେ ଶୁଭସ୍ତୂପ ସ୍ଥାପନ କରାଯାଏ। ଭାଦ୍ରବ ଶୁକ୍ଳ ପଞ୍ଚମୀ ଦିନ ପାଳିତ ହୋଇଥାଏ ନୂଆଁଖାଇ ପର୍ବ। ଏହା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଗଣପର୍ବ। ନୂଆଁଖାଇ ପରେ ଆଶ୍ୱିନ ଅମାବାସ୍ୟା ଦିନ ଦେବୀଙ୍କର ଧବଳମୁଖୀ ବେଶ ହୁଏ। ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗାଦର୍ଶନର ପୁଣ୍ୟ ମିଳେ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଦଶହରା ସମୟରେ ଅମାବାସ୍ୟା ବା ମହାଳୟା ଦିନ ମନ୍ଦିରରେ ସର୍ବାଧିକ ସଂଖ୍ୟକ ଭକ୍ତଙ୍କର ସମାବେଶ ହୋଇଥାଏ। କୁମାର ପୂର୍ଣ୍ଣିମା ତଥା ଗଜଲକ୍ଷ୍ମୀ ପୂଜାଦିନ ମନ୍ଦିରରେ ବାର୍ଷିକ ଧ୍ୱଜାରୋହଣ ଅନୁଷ୍ଠିତ ହୋଇଥାଏ। ଧ୍ୱଜାରୋହଣ ପରେ ଦେବୀଙ୍କର ଶାରଦୀୟ ଦଶହରା ଉତ୍ସବ ସମ୍ପୂର୍ଣ୍ଣ ହୋଇଥାଏ। ଉକ୍ତ ଦିନ ଦେବୀଙ୍କର ରାଜରାଜେଶ୍ୱରୀ ବେଶ ହୋଇଥାଏ।

ସୌଜନ୍ୟ: ସତ୍ୟବାଦୀ ଡେସ୍କ

Comments
Loading...