‘ସମଲେଇ ଯୋଜନା ପ୍ରସ୍ତୁତ’: ମାଁ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କା

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ପୀଠର ବିକାଶ ନିମନ୍ତେ ଗତ ବର୍ଷ ସମ୍ବଲପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ଘୋଷଣା କରିଥିଲେ। ତେବେ କରୋନା ସଙ୍କଟ ଯୋଗୁଁ ଏହି କାର୍ଯ୍ୟ ପ୍ରାୟ ଏକ ବର୍ଷ ବିଳମ୍ବିତ ହୋଇଥିବା ବେଳେ ସଂକ୍ରମଣ କମିବା ପରେ ପୁର୍ନବାର ଶକ୍ତି ପୀଠର ବିକାଶ ନିମନ୍ତେ ପର୍ଯ୍ୟାୟ କ୍ରମେ ବିଗତ ଦିନରେ ବିଭିନ୍ନ ଉଚ୍ଚକ୍ଷମତା ସମ୍ପନ୍ନ ସଚିବସ୍ତରୀୟ ଗସ୍ତ ହୋଇଥିଲା। ସେହି ସମୟରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଶକ୍ତି ପୀଠର ବିକାଶ ନିମନ୍ତେ ପୁନଃ ବିକାଶର ରୂପରେଖ ଖୁବ ଶୀଘ୍ର ଘୋଷଣା କରିବେ ବୋଲି ଗତ ମାସ ୧୯ ତାରିଖ ସମ୍ବଲପୁର ଠାରେ କହିଥିଲେ। ଏହି କ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତିକ୍ଷିତ ମାଁ ସମଲେଶ୍ୱରୀ ମନ୍ଦିରର ପୁନଃ ବିକାଶ ଯୋଜନା Samaleswari Temple Area Management & Local Economy Initiatives (SAMALEI)  ‘ସମଲେଇ ଯୋଜନା’ର ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନାନୁଯାୟୀ ମାଁ ସମଲେଶ୍ୱରୀ ମନ୍ଦିରର ପୁନଃ ବିକାଶ ପାଇଁ ୨୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। ଯୋଜନା ଅନୁଯାୟୀ ସୁଦୃଶ୍ୟ ତୋରଣ, ପରିକ୍ରମା ଓ ମହାନଦୀ ଆଳତି ଭକ୍ତ ମାନଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରିବ। ଏହା ସହିତ ମାନବୀୟ ଦୃଷ୍ଟିକୁ ବିଚାର କରି ପ୍ରଭାଭିତ ଲୋକଙ୍କ ପାଇଁ ଉଦାର ଥଇଥାନ ପ୍ୟାକେଜର ମଧ୍ୟ ବ୍ୟବସ୍ଥା କରାଯାଇଛି। ପୁରୀର ଶ୍ରୀଜଗନ୍ନାଥ ଓ ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର ପରେ ୫ଟି ଉପକ୍ରମ ଅଧିନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ମାଁ ସମଲେଶ୍ୱରୀ ପୀଠ ଅଞ୍ଚଳକୁ ବିକାଶ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଚିଠା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା। ଷୋଡଶ ଶତାବ୍ଦୀର ଏହି ମନ୍ଦିରର ପୁନଃ ବିକାଶ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ଏହି ଯୋଜନାରେ ମାଁ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମାଁଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ ପାଇଁ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ ମନ୍ଦିରକୁ ଆସୁଥିବା ଭକ୍ତ ମାନେ ଯେଭଳି ସୁବଧାରେ ଦର୍ଶନ କରିବେ, ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗ ମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମ ଗୃହ ନିର୍ମାଣ କରାଯିବ। ଏହା ସହିତ ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ। ଭକ୍ତ ମାନେ ପୂର୍ବ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ୱାର ଦେଇ ବାହାରକୁ ବାହାରିବେ। ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ମନ୍ଦିର କାର୍ଯ୍ୟାଳୟ ଓ ଜନତାଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଓ ଜରୁରୀ ସୁବିଧାର ବିକାଶ କରାଯିବ। ମନ୍ଦିର ନିକଟସ୍ଥ ଗୋପାଲଜୀ ମଠର ସଂରକ୍ଷଣ ସହିତ ଏହାର ବିକାଶକୁ ମୂଳ ଯୋଜନା ସହିତ ସମନ୍ୱିତ କରାଯିବ। ମନ୍ଦିରର ଚାରିପଟରେ ଭକ୍ତ ମାନେ ଯେପରି ସୁବିଧାରେ ପରିକ୍ରମା କରି ପାରିବେ, ସେଥି ପାଇଁ ୧ କିମି ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ ହେବ। ସମ୍ବଲପୁରର ଜଳବାୟୁକୁ ଦୃଷ୍ଟିରେ ରଖି ପରିକ୍ରମା ପଥରେ ଛାୟାପ୍ରଦ ବୃକ୍ଷ ଆଦି ରୋପଣ କରାଯିବ। ଯାତ୍ରୀ ମାନଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ସୁବିଧାର ବିକାଶ ସହିତ ପାର୍କିଂ ସ୍ଥାନ, ସ୍ୱତନ୍ତ୍ର ଭେଣ୍ଡିଂ ଜୋନ, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର, ଯାତ୍ରୀ ନିବାସ ଆଦି ବ୍ୟବସ୍ଥା କରାଯିବ। ସେବାୟତ ତଥା ସେମାନଙ୍କର ପରିବାର ପାଇଁ ବାସଗୃହ ମନ୍ଦିର ନିକଟରେ ରହୁଥିବା ସେବାୟତ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାରର ମୌଳିକ ସୁବିଧାର ବିକାଶ କରାଯିବ। ମାଁ ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥି ପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତା କରାଯିବ। ମହାନଦୀ ଆଳତୀ ପାଇଁ ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ ନିର୍ମାଣ କରାଯିବ ଏବଂ ସେହିଠାରୁ ଉଭୟ ମହାନଦୀ ଓ ମାଁଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ ଏବଂ ପ୍ରତ୍ୟହ ମହାନଦୀ ଆଳତୀ ଭକ୍ତ ମାନଙ୍କୁ ଆଧ୍ୟାତ୍ମିକ ଅନୁଭୂତି ଦେବ। ବର୍ତ୍ତମାନର ରିଙ୍ଗ ରୋଡକୁ ଚଉଡା କରାଯିବ ଏବଂ ସ୍ୱତନ୍ତ୍ର ଭାବରେ ନଦୀର କୂଳେ କୂଳେ ଚଲାପଥ ଓ ଅବସର ସୁବିଧା ରହିବ। ନଦୀ କୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯିବ ଏବଂ ଲୋକ ମାନେ ଯେପରି ସୁବିଧାରେ ପରମ୍ପରା ଓ ରିତିନିତି ପାଳନ କରିପାରିବେ, ସେଥି ପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯିବ। ମହାନଦୀର ଦୃଶ୍ୟ ଅବଲୋକ ପାଇଁ ପାଭିଲିୟନ, ପ୍ଲାଜା ଓ ଡେକ ଆଦି ନିର୍ମାଣ କରାଯିବ। ପୁରୁଣା ଦିନ ଭଳି ମହାନଦୀରୁ ମନ୍ଦିର ସ୍ପଷ୍ଟ ଦେଖାଯିବାର ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପ ଅଧିନରେ ୨୨ ଏକର ଜମିରେ ହ୍ରଦ କୂଳ ବିକାଶ ଯୋଜନା ରହିଛି। ଏଥିରେ ୱେଟ ଲ୍ୟାଣ୍ଡର ବିକାଶ ସହିତ ୫ ଏମଏଲଡିର ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଫୁଡ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଙ୍ଗମଞ୍ଚର ମଧ୍ୟ ବ୍ୟବସ୍ଥା ରହିବ। ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀର ବିକ୍ରି ପାଇଁ ଭେଣ୍ଡିଂ ବ୍ୟବସ୍ଥା କରାଯିବ। ରେଳ ଷ୍ଟେସନରୁ ମନ୍ଦିରର ଉତ୍ତରା ପାର୍ଶ୍ବକୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ। ଯାହା ଫଳରେ ଟ୍ରାଫିକ ସମସ୍ୟା ଦୂର ହେବ। ବର୍ତ୍ତମାନ ଶ୍ମଶାନକୁ ପୂର୍ବ ପଟକୁ ସ୍ଥାନାନ୍ତର କରାଯିବ ଏବଂ ଆଧୁନିକ ସୁବିଧାର ବିକାଶ କରାଯିବ। ଶ୍ମଶାନରୁ ୨ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତା ଦ୍ୱାରା ମହାନଦୀ ସହ ସଂଯୁକ୍ତ କରାଯିବ, ଫଳରେ ନଦୀଘାଟକୁ ଯାଇ ପରିମ୍ପରା ଓ ରୀତିନୀତି ପାଳନ କରିପାରିବେ। ଶ୍ମଶାନ ପାଖରେ ଶେଷକୃତ୍ୟ, ସ୍ଥାନ ଶ୍ରାଦ୍ଧ ମଣ୍ଡପ ଓ ବିଶ୍ରାମ ଗୃହର ବ୍ୟବସ୍ଥା କରାଯିବ। ଯୋଜନା ପାଇଁ ପ୍ରଭାବିତ ହେଉଥିବା ଜନତାଙ୍କ ପାଇଁ ମାନବୀୟ ଦୃଷ୍ଟିରୁ ଏକ ଉଦାର ଥଇଥାନ ଓ ପୁର୍ନବାସ ପ୍ୟାକେଜ ପ୍ରସ୍ତୁତ କରାଯାଉଛି। ଏଥିରେ ଘରୋଇ ଜମିରେ ଘର ସରକାରୀ ଜମିରେ ଥିବା ବସ୍ତି, ସରକାରୀ ଜମିରେ ଅନ୍ୟ ବାସଗୃହ, ସରକାରୀ ଜମିରେ ଦୋକାନ ଘର, ସରକାରୀ ଜମିରେ ଭେଣ୍ଡର ମାନଙ୍କ ପାଇଁ ସୁବିଧା ପାଇଁ ପ୍ୟାକେଜରେ ବିସ୍ତୃତ ବ୍ୟବସ୍ଥା କରାଯିବ। ସେହିପରି ସରକାରୀ ଜମିରେ ଥିବା କ୍ଲବ, ଧାର୍ମିକ ଅନୁଷ୍ଠାନ, ସରକାରୀ ଅଫିସ ଓ ପ୍ରତିଷ୍ଠାନ ମାନଙ୍କ ପାଇଁ ସହାୟତା ପ୍ରଦାନ କରାଯିବ। ଏହା ସହିତ ଆଗାମୀ ମାର୍ଚ୍ଚ ୧୫ ସୁଦ୍ଧା ଜନତା ସେମାନଙ୍କର ମତାମତ ଦେବାକୁ ମଧ୍ୟ କୁହାଯାଇଛି। ସମଲେଇ ପ୍ରକଳ୍ପ ପାଇଁ ବୁଧବାର ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Comments are closed.