ଆନ୍ଧ୍ରର ପୁଣି ଦାଦାଗିରି; କୋଟିଆରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ସଜବାଜ

ନିର୍ବାଚନ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର: ଓଡ଼ିଶାର ଅସ୍ମିତା ଓ ସ୍ୱତନ୍ତ୍ରତା ପ୍ରତି ଅହ୍ୱାନ ସୃଷ୍ଟି କରି ଆନ୍ଧ୍ରପ୍ରଦେଶ ସରକାର ଆସନ୍ତା ଏପ୍ରିଲ ୮ ତାରିଖ ଦିନ ଓଡ଼ିଶାର କୋରାପୁଟ ଜିଲା ପୋଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ଏପ୍ରିଲ ୮ ତାରିଖରେ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ ଡ଼ିସେମ୍ବର ୧୩ ତାରିଖରେ ଏହି ଅଞ୍ଚଳରେ ଓଡ଼ିଶାର ବିରୋଧକୁ ବେଖାତିର କରି ଆନ୍ଧ୍ର ନିର୍ବାଚନ କମିଶନ ସରପଞ୍ଚ ନିର୍ବାଚନ ମଧ୍ୟ କରିଥିଲେ। ଏହା ବିରୁଦ୍ଧରେ ଓଡ଼ିଶା ସୁପ୍ରିମକୋର୍ଟ ଯାଇଥିଲା ବେଳେ ପୁନଶ୍ଚ ଆନ୍ଧ୍ର ସରକାର ଆଗାମୀ ୮ ତାରିଖ ଦିନ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବା ଅତ୍ୟନ୍ତ ଦୁଃଖଦାୟକ। ଓଡ଼ିଶାର ସ୍ୱାତନ୍ତ୍ରତା ଉପରେ ହସ୍ତକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। ଏହି ନିର୍ବାଚନ ବନ୍ଦ କରିବା ପାଇଁ ତୁରନ୍ତ ଓଡ଼ିଶା ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ପ୍ରତ୍ୟକ୍ଷ ଭାବରେ ଘଟଣାକୁ ଗୁରୁତର ସହିତ ନେଇ ଆନ୍ଧ୍ର ରାଜ୍ୟପାଳ ମାନ୍ୟବର ବିଶ୍ୱଭୂଷଣ ହରିଚନ୍ଦନ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ମାନ୍ୟବର ଜଗମୋହନ ରେଡ୍ଡିଙ୍କ ସହିତ ତୁରନ୍ତ ଆଲୋଚନା କରି ନିର୍ବାଚନ ବନ୍ଦ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପତ୍ର ଲେଖି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଦାବି କରିଛନ୍ତି। ଆନ୍ଧ୍ରର ଏହି ଦାଦାଗିରି ବିରୁଦ୍ଧରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବାକୁ ଶ୍ରୀ ବେହେରା ଆହ୍ୱାନ ଜଣାଇଛନ୍ତି।

Comments are closed.