କରୋନା ଏକ ରୋଗ ନୁହେଁ, ବିଜେପିର ଷଡ଼ଯନ୍ତ୍ର: ସମାଜବାଦୀ ପାର୍ଟି ନେତା

ଅଯୋଧ୍ୟା: ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କରୋନା ସଂକ୍ରମଣକୁ ନେଇ ବିିଭିନ୍ନ ସମୟରେ ଚିନ୍ତାବ୍ୟକ୍ତ କରୁଛନ୍ତି । ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା ଓ ଅନ୍ୟାନ୍ୟ ସତର୍କତା ନିମନ୍ତେ ପରାମର୍ଶ ଦେଉଛନ୍ତି । ମାତ୍ର ତାଙ୍କ ଦଳର ଜଣେ ନେତା ତଥା ଗୋଟିଏ ଶାଖାର ରାଜ୍ୟ ଅଧ୍ୟକ୍ଷ ଏବେ ବିଚିତ୍ର ବୟାନ ଦେଇ ଚର୍ଚାକୁ ଆସିଛନ୍ତି । ସମାଜବାଦୀ ପାର୍ଟିର ପଛୁଆ ବର୍ଗ ଶାଖାର ରାଜ୍ୟ ଅଧ୍ୟକ୍ଷ ଚୌଧୁରୀ ଲୋଟନ ରାମ ନିଷାଦ କହିଛନ୍ତି ଯେ କରୋନା ବା କୋବିଡ଼-୧୯ ଆଦୌ ଏକ ମହାମାରୀ ନୁହେଁ, ଏହା ଭାରତୀୟ ଜନତା ପାର୍ଟି (ବିଜେପି)ର ଏକ ଷଡ଼ଯନ୍ତ୍ର । ଲୋକଙ୍କର ମୃତ୍ୟୁ କରୋନାରେ ନୁହେଁ, ଅନ୍ୟ ରୋଗରେ ହେଉଛି ବୋଲି ଲୋଟନରାମ କହିଛନ୍ତି ।
ମଙ୍ଗଳବାର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଯୋଧ୍ୟାରେ ପହଞ୍ଚିଥିବା ଲୋଟନ ରାମ ଗଣମାଧ୍ୟମ ସହ ଆଲୋଚନା କରିବା ଅବସରରେ କହିଛନ୍ତି ଏହି ଭୂତାଣୁ ବିଜେପିର ଏକ ଷଡ଼ଯନ୍ତ୍ର । କରୋନା ଭାଇରସ ଜନିତ ରୋଗ ଏକ ସାଧାରଣ ବେମାରୀ ଓ ଏହା ସାଧାରଣ ଜ୍ବର ପରି । ଡ଼ାକ୍ତରଖାନାରେ ତ ଏହି ରୋଗର ଚିକିତ୍ସା ନିମନ୍ତେ କେବଳ ପାରସିଟାମଲ ଓ ଗରମ ପାଣି ଦିଆଯାଉଛି । ତେଣୁ ଏହି ଚିକିତ୍ସା ତ ଘରେ ବି ହୋଇ ପାରିବ । ଏଥିପାଇଁ ଲୋକମାନେ ଡ଼ାକ୍ତରଖାନା ଯିବାର ଆବଶ୍ୟକତା ନାହିଁ  ବୋଲି ଲୋଟନ ରାମ କହିଛନ୍ତି ।
କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଶାଣ କରିବା ଅବସରରେ ଲୋଟନ ରାମ କ’ଣ କ’ଣ କହିଛନ୍ତି ତାହା ହୁଏତ ତାଙ୍କୁ ଜଣା ନ ଥିବ । ମାତ୍ର ଏହାକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏପରିକି ନିଜ ଦଳର କିଛି ନେତା ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳର ସଭାପତି ଅଖିଳେଶ ଯାଦବ କରୋନାକୁ ନେଇ ଯାବତୀୟ ସତର୍କତା ଆପଣେଇବାକୁ ପରାମର୍ଶ ଦେଉଥିବାବେଳେ ତାଙ୍କରି ଦଳର ପଛୁଆ ବର୍ଗ ରାଜ୍ୟ ସଭାପତିଙ୍କ ଏପରି ମନ୍ତବ୍ୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି ।

Comments are closed.