ଶତାୟୁ ‘ସମାଜ’ ଲୋକଙ୍କ ଖବରକାଗଜ

ମହୀଧରପୁରରେ ଶତବାର୍ଷିକ ସମାରୋହରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ

ମହୀଧରପୁର : ଶତାୟୁ ‘ସମାଜ’ କୌଣସି ବ୍ୟକ୍ତିଗତ ମାଲିକାନାରେ ନାହିଁ। ଏହା ହେଉଛି ଲୋକମାନଙ୍କ ଖବରକାଗଜ। ଜନସାଧାରଣ ହେଉଛନ୍ତି ଏହାର ମାଲିକ। ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର ଅନୁଷ୍ଠିତ ‘ସମାଜ’ର ଶତବାର୍ଷିକୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଏହା କହିଛନ୍ତି।
ମୁଖ୍ୟ ଅତିଥି ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା କହିଲେ, ଯେତେବେଳେ ଦେଶ ସ୍ୱାଧୀନତା ପାଇ ନ ଥିଲା ସେତେବେଳେ ‘ସମାଜ’ ଖବରକାଗଜ ଜନ୍ମ ନେଇଥିଲା। ବ୍ରିଟିଶ ସରକାର ବିରୋଧରେ ‘ସମାଜ’ ସ୍ୱର ଉତ୍ତୋଳନ କରିବାକୁ ପଛାଇ ନ ଥିଲା। ସେ କହିଲେ, ଏହି ଅନୁଷ୍ଠାନ ଶତାୟୁ ହେବାର ମୂଳମନ୍ତ୍ର ହେଉଛି ଏହାର କର୍ମଚାରୀଙ୍କ ପରିଶ୍ରମ।
ସମ୍ମାନିତ ଅତିଥି ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ କହିଲେ ଯେ ଉତ୍କଳମଣି ଗୋପବନ୍ଧୁ ଓ ପଦ୍ମଭୂଷଣ ରାଧାନାଥ ରଥଙ୍କ ପରି ବ୍ୟକ୍ତିଙ୍କ ତ୍ୟାଗ ଯୋଗୁଁ ‘ସମାଜ’ ଆଜି ପର୍ଯ୍ୟନ୍ତ ତିଷ୍ଟି ରହିଛି। ସ୍ମୃତିଚାରଣ କରି ସେ କହିଲେ ଯେ ଏକଦା ଭୁବନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ହଜାରହଜାର ଲୋକ ବାସହରା ହୋଇଥିଲେ। ରାଧାନାଥ ବାବୁ ୮ ଦିନ ସେଠାରେ ରହି ରିଲିଫ ବଣ୍ଟନ କରିଥିଲେ। ଅନ୍ୟ ଖବରକାଗଜଗୁଡ଼ିକରେ ରାଜସ୍ୱ ପାଇଁ ଅଶ୍ଲୀଳ ବିଜ୍ଞାପନ ପ୍ରକାଶିତ ହେଉଥିଲେହେଁ ‘ସମାଜ’ରେ ଆଜି ପର୍ଯ୍ୟନ୍ତ ସେଭଳି ବିଜ୍ଞାପନ ପ୍ରକାଶ ପାଇ ନାହିଁ ବୋଲି ସେ କହିଥିଲେ।
‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଗୋପବନ୍ଧୁ ଓ ‘ସମାଜ’ର ସ୍ୱାତନ୍ତ୍ର୍ୟ ଉପରେ ଆଲୋକପାତ କରିବା ସହ ଏହି ଖବରକାଗଜ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଷଷ୍ଠ ଶ୍ରେଣୀର ଛାତ୍ର ସୁବ୍ରତ ସାହୁ ସୁନ୍ଦର ଭାବେ ଉତ୍ତର ଦେଇଥିବାରୁ ସମ୍ପାଦକ ଶ୍ରୀ ତ୍ରିପାଠୀ ତାଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ। ଖବରକାଗଜ କହିଲେ ‘ସମାଜ’କୁ ହିଁ ବୁଝାଏ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ମଞ୍ଚାସୀନ ଅତିଥି ‘ସମାଜ’ର ବାର୍ତ୍ତା ସମ୍ପାଦକ ତପନ ମିଶ୍ର କହିଲେ, ସମାଜ ୧୯୧୯ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ମହିଧରପୁର ଉଚ୍ଚ ବିଦ୍ୟାଳୟର ୧୯୦୯ରେ ପ୍ରତିଷ୍ଠା ହୋଇଥିଲା। ତେଣୁ ଏକ ଶତାୟୁ ଶିକ୍ଷାନୁଷ୍ଠାନରେ ଶତାୟୁ କାର୍ଯ୍ୟକ୍ରମ ହେବା ଏକ ସୌଭାଗ୍ୟର କଥା। ଗୋପବନ୍ଧୁଙ୍କ କାର୍ଯ୍ୟରେ ସତ୍ୟ, ସେବା, ସଂସ୍କାର, ଶିକ୍ଷା, ସ୍ୱଚ୍ଛତା, ସୁଶାସନ, ସର୍ବଭାରତୀୟତା ଆଦିର ବାର୍ତ୍ତା ଦେଖିବାକୁ ମିଳେ।
‘ସମାଜ’ ସମ୍ପାଦନା ବିଭାଗର ପରାମର୍ଶଦାତା ମହେଶ ଶର୍ମା କହିଲେ, ଏବେ ଡିଜିଟାଲ ମିଡ଼ିଆ ଗଣମାଧ୍ୟମ ଜଗତରେ ବିପ୍ଳବ ସୃଷ୍ଟି କରିଛି। ତେଣୁ ଲୋକଙ୍କ ରୁଚିକୁ ସମ୍ମାନ ଜଣାଇ ସମାଜ ମଧ୍ୟ ଡିଜିଟାଲ ମିଡିଆ ଜଗତରେ ପାଦ ଥାପି ସାରିଛି। ଓଡ଼ିଆ ସହିତ, ହିନ୍ଦି ଓ ଇଂରାଜୀ ଭାଷାରେ ସମାଜର ଡିଜିଟାଲ ଚାନେଲ ଖବର ପରିବେଷଣ କରୁଛି ବୋଲି ସେ କହିଥିଲେ। ପାରିକୂଳ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ମୁଖ୍ୟ ବକ୍ତାଭାବେ ଯୋଗଦେଇ କହିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମରେ ‘ସମାଜ’ର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋପବନ୍ଧୁଙ୍କ ବିଚାରଧାରା, ତ୍ୟାଗ ଓ ନିଷ୍ଠା ଥିଲା ଅନନ୍ୟ। ସେଥିପାଇଁ ‘ସମାଜ’ ଶତାୟୁ ହୋଇ ପାରିଛି ବୋଲି ସେ କହିଥିଲେ। ଜିଲା ଶିକ୍ଷାଧିକାରୀ ସଚିଦାନନ୍ଦ ବେହେରା କହିଲେ, ‘ସମାଜ’ ହେଉଛି, ଏକମାତ୍ର ଖବରକାଗଜ ଯିଏ ସବୁବେଳେ ସତ୍ୟ ଖବର ପରିବେଷଣ କରେ। ମହୀଧରପୁରର ବରିଷ୍ଠ ନାଗରିକ ରାଜକିଶୋର ଜେନା ଗୋପବନ୍ଧୁ ‘ସମାଜ’ ରୂପକ ଯେଉଁ ଚାରା ରୋପଣ କରିଥିଲେ। ଯାଇଥିଲେ ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ମହୀଧରପୁର ସରପଞ୍ଚ ବିନୋଦ କୁମାର ବେହେରା କହିଲେ, ଗାନ୍ଧିଜୀଙ୍କ ଶିଷ୍ୟ ଥିଲେ ପଣ୍ଡିତ ଗୋପବନ୍ଧୁ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୋପବନ୍ଧୁ ସମାଜ ଅନୁଷ୍ଠାନ ଗଢିଥିଲେ। ମହୀଧରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁବନେଶ୍ୱର ବେହେରା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗୋପବନ୍ଧୁଙ୍କ ଅବଦାନ ଥିଲା ଅତୁଳନୀୟ। ସେ ଜଣେ ସ୍ୱାଧୀନଚେତା ମଣିଷ ଥିଲେ ବୋଲି କହିଥିଲେ।
ମହୀଧରପୁର ‘ସମାଜ’ ପ୍ରତିନିଧି ତାପସ ଜେନାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ସମାଜ’ ଅନୁଗୋଳ ଶାଖା ପରିଚାଳକ ନିରଞ୍ଜନ ହୋତା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବେଦପାଠ କରିଥିଲେ ଦିବ୍ୟ ଶାନ୍ତନୁ ନାଥ। ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Comments are closed.