କେନ୍ଦ୍ର ଛଡ଼ାଇନେଲା ଆହାର

୪ ଜରୁରୀ ଯୋଜନା ବନ୍ଦ, କେବିକେର ସାମଗ୍ରିକ ବିକାଶ ବାଧାପ୍ରାପ୍ତ

ଭବାନୀପାଟଣା(ବିଜୟ ଦ୍ୱିବେଦୀ) : କେବିକେ (ଅବିଭକ୍ତ କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ) ଅଧୀନ ଜିଲାଗୁଡ଼ିକରେ ଦାରିଦ୍ର୍ୟ ଓ ବୈଷମ୍ୟ ଦୂରୀକରଣ; ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସମେତ ସାମୂହିକ ପ୍ରଗତି ତଥା ଭିତ୍ତିଭୂମିର ବିକାଶ ପାଇଁ ଅତୀତରେ କେନ୍ଦ୍ର ସରକାର କରିଥିବା ଜରୁରୀ ଯୋଜନାଗୁଡ଼ିକୁ କ୍ରମଶଃ ବନ୍ଦ କରିଦିଆଯିବା ପରେ ଏ ଅଞ୍ଚଳର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହୋଇଥିବା ସ୍ପଷ୍ଟ ଅନୁଭୂତ ହେଉଛି। ଏସବୁ ଯୋଜନାଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା ବୃଦ୍ଧବୃଦ୍ଧାଙ୍କୁ ରନ୍ଧାଖାଦ୍ୟ ଯୋଜନା, ବି.ଆର.ଜି.ଏଫ୍‌ (ବ୍ୟାକ୍‌ୱାର୍ଡ ରିଜିଅନ୍‌ସ ଗ୍ରାଣ୍ଟ ଫଣ୍ଡ୍‌), ଆର୍‌.ଏଲ୍‌.ଟି.ଏ.ପି. (ରିଭାଇଜ୍‌ ଲଙ୍ଗ୍‌ ଟର୍ମ ଏକ୍ସନ୍‌ ପ୍ଲାନ) ଏବଂ ଆଇ.ଏ.ପି. (ଇଣ୍ଟିଗ୍ରେଟେଡ୍‌ ଏକ୍ସନ୍‌ ପ୍ଲାନ)।
କେବିକେ ଅଧୀନରେ ଥିବା ୮ଟି ଜିଲା କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା ଓ ସୋନପୁରର ଅସହାୟ ବୃଦ୍ଧବୃଦ୍ଧା ଯେପରି ଭୋକଉପାସରେ ନ ରହିବେ ସେଥିନିମନ୍ତେ ୧୯୯୫-୯୬ରେ ଦୈନିକ ଗୋଟିଏ ଓଳି ରନ୍ଧା ଖାଦ୍ୟ ଦେବାପାଇଁ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଜାତୀୟ ମାନବାଧିକାର କମିସନଙ୍କ ନିର୍ଦେଶକ୍ରମେ କେନ୍ଦ୍ର ସରକାର ୮ଟି ଜିଲାର ୮୦ଟି ବ୍ଲକରେ ୧୭,୫୮୩ ଟି ଅଙ୍ଗନବାଡି କେନ୍ଦ୍ର ଜରିଆରେ ପ୍ରାୟ ୨ ଲକ୍ଷ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ୧୯ବର୍ଷ ଧରି ରନ୍ଧାଖାଦ୍ୟ ଦେଇଆସୁଥିଲେ। ତେବେ ୨୦୧୪ ସେପ୍ଟେମ୍ବରରୁ କେନ୍ଦ୍ର ସରକାର ଏହି ଯୋଜନାର ଅର୍ଥ ଓ ଚାଉଳ ଯୋଗାଣ ବନ୍ଦ କରିଦେଲେ। ଫଳରେ ଲକ୍ଷାଧିକ ଅସହାୟ ଲୋକ ଖାଦ୍ୟସଙ୍କଟ ସହ ଯୁଝୁଛନ୍ତି। ବଣଜଙ୍ଗଲରେ ରହୁଥିବା ଲୋକେ ପେଟ ପୂରାଇବା ପାଇଁ ଜଙ୍ଗଲୀ କନ୍ଦା, ଜଙ୍ଗଲୀ ଶାଗ, କାଇ ଅଣ୍ଡା ଆଦି ଖାଇ ବିଭିନ୍ନ ମାରାତ୍ମକ ରୋଗ ଓ ପୁଷ୍ଟିହୀନତା ଭୋଗୁଛନ୍ତି। ‘ସମାଜ’ ସମେତ ବିଭିନ୍ନ ଗଣମାଧ୍ୟମରେ ଏଭଳି ଅବସ୍ଥା ସମ୍ପର୍କରେ ତଥ୍ୟମୂଳକ ସମ୍ବାଦ ପ୍ରକାଶିତ ହେବା ପରେ ଜାତୀୟ ମାନବ ଅଧିକାର କମିସନ ତଦନ୍ତ କରାଇବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ଦୈନିକ ଗୋଟିଏ ବେଳା ଜରୁରୀକାଳୀନ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଗୁରୁତ୍ବ ଏଇଥିରୁ ଜାଣିହେବ ଯେ ୨୦୦୨ରେ ଜାତୀୟ ମାନବିକ ଅଧିକାର କମିସନ ଜରୁରୀକାଳୀନ ଖାଦ୍ୟ କାର୍ଯ୍ୟକ୍ରମ କିପରି ଚାଲିଛି ସେ ସମ୍ପର୍କରେ କମିସନ ରିପୋର୍ଟର ଚମନଲାଲଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ପୂର୍ବରୁ ଦିଆଯାଉଥିବା ଜରୁରୀକାଳୀନ ଖାଦ୍ୟର ପରିମାଣ କମ୍‌ ଥିବା ଅନୁଭବ କରିବା ପରେ ତା’ର ପରିମାଣ ବୃଦ୍ଧି ପାଇଁ କମିସନ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ। ଏହାପରେ କେନ୍ଦ୍ର ସରକାର ୨୦୦୩ରୁ ଏହି ଜରୁରୀକାଳୀନ ରନ୍ଧାଖାଦ୍ୟ ପରିମାଣ ୩ ଟଙ୍କା ୩ ପଇସାରୁ ୫ ଟଙ୍କା ୫୦ ପଇସାକୁ ବୃଦ୍ଧି କରିଥିଲେ। ୧୯୯୫-୧୯୯୬ରୁ ଚାଲିଆସୁଥିବା ଜରୁରୀକାଳୀନ ରନ୍ଧାଖାଦ୍ୟ କାର୍ଯ୍ୟକ୍ରମକୁ ହଠାତ ୨୦୧୪ ସାଧାରଣ ନିର୍ବାଚନ ପରେ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ବନ୍ଦ କରିଦେଲେ। ଏହାକୁ ପୁନଃ କାର୍ଯ୍ୟକାରୀ କରି ଚାଉଳ ଓ ଅର୍ଥ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପତ୍ର ଲେଖିଲେଖି ନିରାଶ ହୋଇଛନ୍ତି; କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଇନାହାନ୍ତି। କେନ୍ଦ୍ରରେ ୟୁପିଏ ସରକାର ଥିବା ସମୟରେ କେବିକେ ଅଧୀନ ୮ଟି ଜିଲାର ସାମୂହିକ ବିକାଶ ସହିତ ଆଞ୍ଚଳିକ ବୈଷମ୍ୟ ଦୂର କରିବାପାଇଁ ବିଆର୍‌ଜିଏଫ୍‌ (ବ୍ୟାକ୍‌ୱାର୍ଡ ରିଜିଅନ୍ସ ଗ୍ରାଣ୍ଟ୍‌ ଫଣ୍ଡ୍‌) ବା ପଛୁଆ ଅଞ୍ଚଳ ପାଣ୍ଠି ଯୋଜନା ୨୦୦୭-୨୦୦୮ରୁ କାର୍ଯ୍ୟକାରୀ କରିଥିଲେ। ଏଥିରେ କଳାହାଣ୍ଡି ଓ ଅନ୍ୟ କେବିକେ ଜିଲାକୁ ପ୍ରତିବର୍ଷ ପ୍ରାୟ ୧୬.୯୮ କୋଟି ଟଙ୍କା ଅନୁଦାନ ଆସୁଥିଲା। ଉକ୍ତ ଅର୍ଥରେ ଏସବୁ ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦିର ଭିତ୍ତିଭୂମି ବିକାଶ ସହିତ ଦାରିଦ୍ର୍ୟ ଦୂରୀକରଣ ହୋଇପାରୁଥିଲା। ଏହି ଯୋଜନା ଦ୍ୱାରା ଲକ୍ଷଲକ୍ଷ ଲୋକ ବର୍ଷସାରା କାମ ପାଉଥିଲେ ଏବଂ ଲୋକଙ୍କର ଅର୍ଥନୈତିକ ଅଭିବୃଦ୍ଧି ହୋଇଥିଲା; କିନ୍ତୁ ୨୦୧୪ରେ ବିଜେପି ସରକାର ଆସିବା ପରେ ହଠାତ୍‌ ଉକ୍ତ ଯୋଜନାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା। ଫଳରେ ଉକ୍ତ ଅଞ୍ଚଳରେ ବେରୋଜଗାର ସମସ୍ୟା ଅଧିକ ଉତ୍କଟ ହୋଇଛି। ସେହିପରି ୧୯୯୩-୧୯୯୪ ମସିହାରେ ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ କାର୍ଯ୍ୟକାରୀ ହୋଇଥିବା ଆର୍‌ଏଲ୍‌ଟିପି (ରିଭାଇଜ୍‌ ଲଙ୍ଗ୍‌ ଟର୍ମ ଏକ୍ସନ୍‌ ପ୍ଲାନ) ଯୋଜନାକୁ ମଧ୍ୟ ଏନ୍‌ଡିଏ ସରକାର ୨୦୧୪-୧୫ରୁ ବନ୍ଦ କରିଦେଇଛନ୍ତି। ଏହି ଯୋଜନାରେ ବର୍ଷକୁ ପ୍ରାୟ ଏକଶହ କୋଟି ଟଙ୍କା ସିଧାସଳଖ କେନ୍ଦ୍ରରୁ କେବିକେ ଜିଲାକୁ ଆସୁଥିଲା। ଏହା କାର୍ଯ୍ୟକାରୀ ହେବା ପରେ ଲୋକେ ନିଜ ଗ୍ରାମ ନିକଟରେ ବର୍ଷସାରା କାମ ପାଉଥିଲେ। ଫଳରେ ଦାଦନ ଶ୍ରମିକ ସମସ୍ୟା କମିଯାଇଥିଲା। ଏହି ଯୋଜନା ବନ୍ଦ ହେବାଦ୍ୱାରା ଅଞ୍ଚଳର ବିକାଶ ବାଧାପ୍ରାପ୍ତ ହେବା ସହିତ ଲୋକେ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯିବାପାଇଁ ବାଧ୍ୟ ହେଉଛନ୍ତି। ୨୦୧୦-୨୦୧୧ ମସିହାରେ କଂଗ୍ରେସ ସରକାର ସମୟରେ କେବିକେର ନକ୍ସଲ ପ୍ରଭାବିତ ଜିଲାଗୁଡ଼ିକର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଅଙ୍ଗନବାଡି ଆଦିର ବିକାଶ ପାଇଁ ଇଣ୍ଟିଗ୍ରେଟେଡ୍‌ ଏକ୍ସନ୍‌ ପ୍ଲାନ (ଆଇଏପି) ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଦ୍ୱାରା ମାଓପ୍ରବଣ ଅଞ୍ଚଳରେ ଛୋଟବଡ ଗ୍ରାମକୁ ରାସ୍ତା, ନଳକୂପ, ସ୍କୁଲଘର, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟୁତ୍‌ ଯୋଗାଣ ଆଦି କାର୍ଯ୍ୟ କରାଯାଉଥିଲା। ଏହି ଯୋଜନାରେ କଳାହାଣ୍ଡି ଜିଲାକୁ ୨୦୧୧-୨୦୧୨ରୁ ୨୦୧୩-୨୦୧୪ ପର୍ଯ୍ୟନ୍ତ ବର୍ଷକୁ ୩୦ କୋଟି ଟଙ୍କା ଲେଖାଏଁ ଅର୍ଥ ଆସୁଥିବାବେଳେ କେନ୍ଦ୍ର ସରକାର ୨୦୧୪-୨୦୧୫ରେ ଉକ୍ତ ଅର୍ଥକୁ କମାଇ ୨୦ କୋଟି ଟଙ୍କା କରିଥିଲେ। ପରବର୍ତ୍ତୀ ସମୟରେ ଜରୁରୀକାଳୀନ ଖାଦ୍ୟ, ଆର୍‌ଏଲ୍‌ଟିପି. ଓ ବିଆରଜିଏଫ୍‌ ଯୋଜନା ପରି ଏହି ଆଇଏପି ଯୋଜନାକୁ ମଧ୍ୟ କେନ୍ଦ୍ର ସରକାର ବନ୍ଦ କରିଦେବା ଫଳରେ କଳାହାଣ୍ଡି ସମେତ କେବିକେର ୮ଟି ଜିଲାର ଦାରିଦ୍ର ଦୂରୀକରଣ, ଭିତ୍ତିଭୂମିର ବିକାଶ ସହିତ ଆର୍ଥିକ ଅଭିବୃଦ୍ଧିରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଏହିସବୁ ଯୋଜନା ପୁନର୍ବାର କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ସରକାର କେନ୍ଦ୍ରକୁ ପତ୍ର ଲେଖି ନିଜର ଦାୟିତ୍ୱ ମୁଣ୍ଡରୁ ଝାଡିଝୁଡି ଦେଇ ଚୁପହୋଇ ବସିଯାଇଛନ୍ତି। କେନ୍ଦ୍ର ସରକାରଙ୍କର କେବିକେ ଜିଲା ପ୍ରତି ଆନ୍ତରିକତା ଥିଲେ, ନିଜର ଉଚ୍ଚ ଅଧିକାରୀଙ୍କୁ ପଠାଇ ଏହିସବୁ ଯୋଜନାର କାର୍ଯ୍ୟକାରିତା ଓ ତା’ର ଫଳାଫଳ ନେଇ ସମୀକ୍ଷା କରି ଅର୍ଥମଞ୍ଜୁର କରିପାରିଥାନ୍ତେ। ତାହା ନକରି କେନ୍ଦ୍ର ସରକାର ଉକ୍ତ ଯୋଜନାଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଅଦୂରଦର୍ଶିତା ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ କଳାହାଣ୍ଡି ଜିଲା ଯୋଜନା ଓ ସମନ୍ୱୟ ବିଭାଗର ଉପନିର୍ଦେଶକ ଶ୍ରୀକାନ୍ତ ଦଳେଇ କହିଛନ୍ତି, ଏହି ଯୋଜନାଗୁଡିକ ବନ୍ଦ କରିଦେବା ଫଳରେ ନିଶ୍ଚିତ ଭାବେ କେବିକେ ଜିଲାଗୁଡ଼ିକର ପ୍ରଗତି ବାଧାପ୍ରାପ୍ତ ହୋଇଛି। ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ ଏହି ଯୋଜନାଗୁଡ଼ିକ ଦ୍ବାରା କେବିକେ ଜିଲାଗୁଡ଼ିକର ଭିତ୍ତିଭୂମିର ବିକାଶ ସହିତ ଆର୍ଥିକ ପ୍ରଗତି ହୋଇପାରୁଥିଲା; କିନ୍ତୁ ହଠାତ୍‌ ୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ପର୍ଯ୍ୟାୟକ୍ରମେ ଏହି ଜନହିତକର ଯୋଜନାଗୁଡିକୁ ବନ୍ଦ କରିଦେଇ ଜନସାଧାରଣଙ୍କ ପେଟକୁ ଲାତ ମାରିଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି ଯେ, ଯେବେଠାରୁ କେନ୍ଦ୍ରରେ ବିଜେପି ସରକାର ଆସିଲା, କଳାହାଣ୍ଡି ସମେତ କେବିକେରେ ଥିବା ୮ଟି ଜିଲା ଓ ଓଡିଶା ପ୍ରତି ସବୁବେଳେ ବୈମାତୃକ ମନୋଭାବ ପୋଷଣ କରିବା ସହିତ ବିଭିନ୍ନ ଯୋଜନାର ଅନୁଦାନ କମାଇ ଦେଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ସମ୍ପର୍କରେ ଭବାନୀପାଟଣା ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ୟୁପିଏ ସରକାରଙ୍କ ସମୟରେ ଓଡିଶାକୁ ଯେତେ ଅର୍ଥ ଆସୁଥିଲା, ମୋଦୀ ସରକାରଙ୍କ ଅମଳରେ ତାହା ବୃଦ୍ଧି ପାଇଛି। କେନ୍ଦ୍ର ଦେଉଥିବା ଅର୍ଥକୁ ରାଜ୍ୟ ସରକାର ଠିକ ଭାବେ ବିନିଯୋଗ କରିପାରୁନାହାନ୍ତି। ଏହାର ପ୍ରମାଣ ୨୦୧୪ ମସିହା ପୂର୍ବରୁ ଚାଲିଥିବା ଆର୍‌ଏଲ୍‌ଟିପି, ବିଆରଜିଏଫ୍‌ ଓ ଆଇଏପି ଯୋଜନାର ଅର୍ଥ ଠିକ ଭାବରେ ବିନିଯୋଗ ହୋଇପାରୁନଥିଲା ଏବଂ ଠିକ୍‌ ସମୟରେ ଅର୍ଥ ବିନିଯୋଗ ସାର୍ଟିଫିକେଟ୍‌ ମଧ୍ୟ କେନ୍ଦ୍ର ସରକାର ପାଖରେ ପହଞ୍ଚୁନଥିଲା। ତେଣୁ ବାଧ୍ୟହୋଇ କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ କରିଛନ୍ତି। ତେବେ କେବିକେ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଅନ୍ୟ ଯୋଜନା ଜରିଆରେ ଅଧିକ ଅର୍ଥ ଦେଉଛନ୍ତି। ଏହିସବୁ ପଛୁଆ ଅଞ୍ଚଳରେ କେନ୍ଦ୍ର ସରକାରଙ୍କର ଅର୍ଥ କିପରି ସଦ୍‌ବିନିଯୋଗ ହେବ, ସେଥିପ୍ରତି ଦୃଷ୍ଟି ଦେବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ; କିନ୍ତୁ ତାହା କରାଯାଉନଥିବା ଦେଖିବାକୁ ମିଳୁଛି।

Comments are closed.