ଦୁର୍ନୀତି ବ୍ୟାଧିର ନିଦାନ

ଭିଜିଲାନ୍ସ ଜାଲରୁ ବର୍ତ୍ତିବା ପାଇଁ ପେଟିରେ କୋଡିଏ ଲକ୍ଷ ଟଙ୍କା ଭର୍ତ୍ତି କରି ପଡୋଶୀଙ୍କ ଛାତ ଉପରକୁ ଫିଙ୍ଗିଦେଲେ ସରକାରୀ ବାବୁ। ଗଲା ୧୦ ତାରିଖ ଦିନ ଏହା ଥିଲା ସବୁ ଖବରକାଗଜ ପୃଷ୍ଠା ମଣ୍ଡନ କରିଥିବା ଚର୍ଚ୍ଚିତ ଖବର। ପ୍ରକାଶିତ ବିବରଣୀ କହେ, ପୁଲିସ୍ ଗୃହ ନିର୍ମାଣ ନିଗମର ଉପପ୍ରବନ୍ଧକଙ୍କ ଘରେ ଭିଜିଲାନ୍ସ ଚଢାଉବେଳେ ବାବୁଙ୍କ ନଭଶ୍ଚୁମ୍ବୀ ଅଟ୍ଟାଳିକା ଓ ଅକଳନ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ବିସ୍ମିତ ହୋଇପଡ଼ିଥିଲେ। ଏମିତି ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ବାବୁଙ୍କ ଭିତରୁ ଜଣେ ଅଧେ ଭିଜିଲାନ୍ସ ହାତରେ ଧରା ପଡିବା ଏକ ସାଧାରଣ କଥା। ଏଇ ଅଳ୍ପ ଦିନ ତଳେ ଧରା ପଡିଥିଲେ ଷ୍ଟାଫ୍‌ ସିଲେକ୍ସନ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ଭାବରେ କାମ କରୁଥିବା ଏମିତି ଜଣେ ଲାଞ୍ଚୁଆ ବାବୁ। ଭିଜିଲାନ୍ସ ଚଢ଼ଉବେଳେ ଯେତେ ଖୋଜିଲେ ସେତେ ବାହାରିଲା ସେ କରିତ୍‌କର୍ମା ବାବୁଙ୍କ ଘରୁ। ଅଭିଯୋଗ ଅନୁଯାୟୀ ଏହି ବ୍ୟକ୍ତିଗତ ସଚିବଙ୍କ ଜରିଆରେ କୁଆଡେ ମୋଟା ଅଙ୍କର ଲାଞ୍ଚ ଦେଇ ନିଯୁକ୍ତି ପାଉଥିଲେ ହଜାର ହଜାର ପିଲା। ଭାବିଲେ ଦେଖି ଭବିଷ୍ୟତ ପାଇଁ କେତେ ଭୟଙ୍କର ଏହାର ପରିଣତି ! ଯେଉଁମାନେ ଜମିବାଡି ବିକି ଲକ୍ଷଲକ୍ଷ ଟଙ୍କା ଦେଇ ନିଯୁକ୍ତି ପାଇଲେ, ସେମାନେ ବି ଦୁର୍ନୀତିକୁ ଆୟୁଧ କରିବେ ସୁଧମୂଳ ଆଦାୟ ପାଇଁ। ଏହି କାରଣରୁ ଆମ ଦେଶରେ କ୍ରମଶଃ ବଢ଼ିଚାଲିଛି ଦୁର୍ନୀତିର ଦୈର୍ଘ୍ୟପ୍ରସ୍ଥ।
ଦୁର୍ନୀତି ଓ ଜାଲିଆତିରେ ଦେଶ ଆଗକୁ ବଢୁଛି ଖୁବ ଦ୍ରୁତ ଗତିରେ। ‘ଟ୍ରାନ୍ସପରେନ୍ସି ଇଣ୍ଟରନେସନାଲ’ ତଥ୍ୟ ଅନୁସାରେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ଭାରତ କ୍ରମାଗତ ଭାବରେ ଉପରକୁ ଉଠୁଛି। ସ୍ବାଧୀନତା ପ୍ରାପ୍ତିର ପ୍ରାରମ୍ଭିକ ଅବସ୍ଥାରେ ଦୁର୍ନୀତି ଯେ ନଥିଲା ତା ନୁହେଁ, ମାତ୍ର ତା’ର ପରିସର ଥିଲା ସୀମିତ। ବ୍ୟକ୍ତିଗତ ଫାଇଦା ହାସଲ ପାଇଁ କ୍ଷମତା ଅପବ୍ୟବହାରକୁ ନେତା ଓ ସରକାରୀ ବାବୁମାନେ ଦୁର୍ନୀତି ବୋଲି ଭାବୁଥିଲେ ଏବଂ ସେଥିରୁ ସେମାନେ ଦୂରେଇ ରଖୁଥିଲେ ଯଥା ସମ୍ଭବ। କୌଣସି କାରଣରୁ କାହା ଉପରେ ଦୁର୍ନୀତିର ଛିଟା ପଡିବା ମାତ୍ରେ ସେ ପଦତ୍ୟାଗ କରୁଥିଲେ ବିବେକର ତାଡନାରେ। ମାତ୍ର ଆମ ଗଣତନ୍ତ୍ରର ବୟସ ବଦଳିବା ସହିତ ବଦଳି ଗଲା ଦୁର୍ନୀତିର ସଂଜ୍ଞା ତଥା ଆମ ନେତା ମନ୍ତ୍ରୀ ଓ ବାବୁମାନଙ୍କର ଆଚରଣ ଓ ଉଚ୍ଚାରଣ। ଏବେ ପ୍ରଚୁର କଳା ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିଣିବା ଓ ଜିଣି ସାରିବା ପରେ କ୍ଷମତାର ଅପବ୍ୟବହାର କରି କଳାଟଙ୍କା ଠୁଳ କରିବା ହେଉଛି ନେତୃତ୍ବର ଅଘୋଷିତ ନୀତି। ପଞ୍ଚାୟତରୁ ସଂସଦ ଯାଏ ସବୁ ସ୍ତରର ନେତାଙ୍କୁ ଏବେ ଗ୍ରାସିଛି ରାଷ୍ଟ୍ର ଧନକୁ ଆତ୍ମସାତ୍ କରିବାର ନିଶା। କିଏ ଏଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କଠାରୁ ଲାଞ୍ଚ ଖାଉଛି ତ କିଏ ଚିଟଫଣ୍ଡ ଲୁଟେରାଙ୍କ ସହ ମିଶି କାଟୁଛି ଗରିବଙ୍କ ତଣ୍ଟି। ଅର୍ଥ ଆତ୍ମସାତ୍‌ ହେଉ କି ଯୌନ କେଳେଙ୍କାରୀ ହେଉ, ଲୋକଙ୍କ ଆଖିରେ ଧରାପଡି ନିନ୍ଦିତ ହେଲା ପରେ ବି ଗାଦି ଛାଡିବାକୁ ପ୍ରସ୍ତୁତ ନୁହନ୍ତି ଲୋକଙ୍କୁ ଭଣ୍ଡେଇ ତଣ୍ଡେଇ ଗାଦି ହାସଲ କରିଥିବା ନେତାମାନେ।
ସାଧାରଣତଃ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଓ ପ୍ରତିବଦ୍ଧତା ଉପରେ ନିର୍ଭର କରେ ଶାସନର ସ୍ବଚ୍ଛତା। ଏମାନଙ୍କ ସହାୟତା ବିନା ରାଷ୍ଟ୍ରଧନକୁ କେହି ଆତ୍ମସାତ କରି ପାରେନି କି ଦେଶରେ ଉଧେଇ ପାରେନି ଦୁର୍ନୀତିର ଚାରା। ମାତ୍ର ଆମ ଦେଶରେ ରାଜକୋଷ ଲୁଣ୍ଠନ ହୁଏ ପ୍ରାଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ । ରାଷ୍ଟ୍ରଧନକୁ ଲୁଣ୍ଠନ କରିବା ପାଇଁ ରାଜନେତା ଓ ଏମାନଙ୍କ ଭିତରେ ଗଢ଼ିଉଠେ ଅସାଧୁ ସଂପର୍କ। ସବୁ ସ୍ତରରେ ଦୁର୍ନୀତି ପାଇଁ ଏହିମାନେ ହିଁ କ୍ଷେତ୍ର ପ୍ରସ୍ତୁତ କରନ୍ତି ଏବଂ ଏମାନଙ୍କୁ ଜଣାଥାଏ ଦୁର୍ନୀତି କରି ସହଜରେ ଖସିଯିବାର କୌଶଳପୂର୍ଣ୍ଣ ତରିକା। ଖ୍ୟାତନାମା ଆଇଏଏସ ଅଧିକାରୀ ପଦ୍ମଭୂଷଣ ସି.ପି.ଶ୍ରୀବାସ୍ତବଙ୍କ ମତରେ ଆମ ଦେଶରେ ଅଧିକାଂଶ ଆଇଏଏସ ଓ ଆପିଏସ ଅଧିକାରୀ ନିଜ ବିବେକ ସହିତ ସାଲିସ କରି ନିଅନ୍ତି ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ। ଯେଉଁଠି ଉପରିସ୍ଥ ହାକିମମାନଙ୍କର ବିବେକ ବଳିଗ୍ରସ୍ତ, ସେଠାରେ ତଳିଆ କର୍ମଚାରୀଙ୍କୁ ଜଗିବ କିଏ? କେ.ସି. ସାହିନ୍ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ- ଉଚ୍ଚ ପଦରେ ଥିବା ବ୍ୟକ୍ତି ଯଦି ଭ୍ରଷ୍ଟାଚାରରେ ଜଡ଼ିତ ରହେ, ତେବେ ତାର ପ୍ରଭାବ ସହକର୍ମୀ ଓ ଅଧସ୍ତନଙ୍କ ଉପରେ ପଡିବା ସ୍ବାଭାବିକ। ତଳୁ ଉପର ଯାଏ ସମସ୍ତେ ଏଭଳି ମନୋଭାବ ପୋଷଣ କରିବା କାରଣରୁ ତ ବ୍ଲକ କାର୍ଯ୍ୟାଳୟଠାରୁ ସଚିବାଳୟ ଯାଏ ସବୁଠି ଏବେ ଚାଲିଛି ଭଣ୍ଡେଇବାର ଫିସାଦ ଓ ରୁଣ୍ଡେଇବାର ଗଳଦ୍ଘର୍ମ ପ୍ରତିଯୋଗିତା।
ଆଗରୁ ଦୁର୍ନୀତି ଅଭିଯୋଗ ଆସୁଥିଲା କେବଳ ଲୋକ ପ୍ରତିନିଧି ଓ ସରକାରୀ ବାବୁମାନଙ୍କ ବିରୋଧ​‌େ​‌ର। ଏବେ ପୁଣି ଆଙ୍ଗୁଠି ଉଠିଲାଣି ନ୍ୟାୟପାଳିକା ଓ ଗଣମାଧ୍ୟମ ଆଡ଼କୁ। ଦେଶରୁ ଦୁର୍ନୀତି ହଟାଇବାକୁ ହେଲେ ଦୁର୍ନୀତିଖୋରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦରକାର। ହେଲେ ସେମାନଙ୍କୁ ଧରିବ କିଏ ? ଧରିବା ଦାୟିତ୍ବରେ ଥିବା ବାବୁମାନେ ତ ସମାନ ରୋଗରେ ଆକ୍ରାନ୍ତ। ଆଶ୍ଚର୍ଯ୍ୟର କଥା ଲାଞ୍ଚୁଆ ବାବୁମାନେ ଠାକୁର ଖାଇ ଖଟୁଲି ଖାଇଯିବା ପର୍ଯ୍ୟନ୍ତ ସ୍ଥିତି ହେବା ଯାଏଁ ଭିଜିଲାନ୍ସ ବିଭାଗ ବା ସଂପୃକ୍ତ ବିଭାଗର ଉଚ୍ଚାଧିକାରୀ ସେଥିପ୍ରତି ଆଖି କାହିଁକି ବୁଜି ଦେଇଥାନ୍ତି? ଏହି ଭିତିରି କାରଣ ଯୋଗୁଁ ଦୁର୍ନୀତି ଅଭିଯୋଗର ତଦନ୍ତ ପ୍ରକ୍ରିୟା ମଧ୍ୟ ଏଠି ଖୁବ ମନ୍ଥର ଓ ଶିଥିଳ। ବର୍ଷ ବର୍ଷ ଧରି ଦୋଷୀ ସାବ୍ୟସ୍ତ ହୋଇ ପାରନ୍ତିନି ଚିଟଫଣ୍ଡ ଲୁଟିଆ। ପ୍ରମାଣ ଅଭାବରୁ ଖସି ଯାଆନ୍ତି ଅନେକ ଲାଞ୍ଚୁଆ ଅଧିକାରୀ। ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଉଛି ଅପରାଧୀ ବିରୋଧରେ ପ୍ରମାଣ ଠୁଳ କରିବା ବଦଳରେ ଏଠି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟାକରେ ତଦନ୍ତକାରୀ ଦଳ। ତେବେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବ କେମିତି? ଦେଶର ସବୁଠାରୁ ବଡ ତଦନ୍ତକାରୀ ସଂସ୍ଥାର ଶୀର୍ଷ ଅଧିକାରୀଙ୍କ ବିରୋଧରେ ଯଦି ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆସେ ତେବେ କେମିତି ହଟିବ ଦୁର୍ନୀତି ?
ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମଙ୍କ ମତରେ ଦୁର୍ନୀତିର ବିଲୋପ ପାଇଁ ସ୍ବଚ୍ଛ ନେତା, ସଚ୍ଚୋଟ ଜନତା ଓ ନିଷ୍ଠାପର ଅଧିକାରୀ ଆବଶ୍ୟକ। ବିଶ୍ବକବି ରବୀନ୍ଦ୍ରନାଥ ଠାକୁର କହିଥିଲେ ଦୁର୍ନୀତି ଏକ ସାମାଜିକ ବ୍ୟାଧି ଏବଂ ମଣିଷର ସ୍ବଭାବ ଓ ଚରିତ୍ରରେ ପରିବର୍ତ୍ତନ ନ ଆସିଲେ ସେ ବ୍ୟାଧିରୁ ମିଳିବନି ମୁକ୍ତି। ଆଇନ କାନୁନ କେବଳ ଏକ ଉପଚାର ହୋଇପାରେ, ମାତ୍ର ଅସଲ ନିଦାନ ହେଉଛି ନୈତିକ ଶିକ୍ଷା।

ପ୍ରଫୁଲ୍ଲ କୁମାର ସାହୁ

ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ପଡ଼ିଆବେଡ଼ା, ମୟୂରଭଞ୍ଜ
ଦୂରଭାଷ:୬୩୭୧୬୪୨୪୬୪

Comments are closed.