ଚାରିପଟେ ଓଡ଼ିଶା, ମଝିରେ ଛତିଶଗଡ଼

ବରଗଡ଼(ବାଲାଜୀ ବିଭୁରଂଜନ ତରାସିଆ) : ଓଡିଶାର ଚାଲିଚଳଣି, ଓଡିଆ ଭାଷା ଓ ସଂସ୍କୃତିକୁ ସଂପୂର୍ଣ୍ଣ ରୂପେ ଶହଶହ ବର୍ଷ ଧରି ଜାବୁଡି ଧରଥିଲେ ମଧ୍ୟ ସେମାନେ ଶାସନ-ପ୍ରଶାସନ ବ୍ୟବସ୍ଥାରେ ଛତିଶଗଡ ରାଜ୍ୟର ପ୍ରଜା। ଏପରି ଏକ ​‌େ​‌ଦ୍ବୖତ ପରିଚୟ ଓ ବିଚିତ୍ର ସ୍ଥିତି ଭିତରେ ବଂଚୁଛନ୍ତି ବରଗଡ଼ ଜିଲାର ଉପାନ୍ତ ଅଂଚଳ ଅମ୍ବାଭୋନା ବ୍ଲକ ନିକଟସ୍ଥ ସଂକରା (ଏବେ ନାମଫଳକରେ ହିନ୍ଦୀରେ ଏହାର ନାଁ ସାଂକରା ଲେଖାଯାଇଛି) ଗ୍ରାମର ଅଧିବାସୀ। ଗଁାର ଚାରିଦିଗରେ ଓଡିଶାର ସୀମା ଥିବାବେଳେ ଏହା ବର୍ତ୍ତମାନ ଛତିଶଗଡ ଅଧୀନରେ ରହିଛି।
ଛତିଶଗଡ଼ ଅନ୍ତର୍ଗତ ତତ୍କାଳୀନ ସାରଙ୍ଗଗଡ ରାଜ୍ୟର ରାଜା ଜବାହର ସିଂ ସମ୍ବଲପୁର ରାଜଜେମାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଯୌତୁକସ୍ୱରୂପ ରାଜଜେମା ଚୁଡି ପିନ୍ଧିବା ପାଇଁ ସଂକରା ଗ୍ରାମକୁ ସମ୍ବଲପୁର ରାଜା ସାରଙ୍ଗଗଡ ରାଜାଙ୍କୁ ଉପହାର ଦେଇଥିଲେ। ସଂକରା ଗ୍ରାମରୁ ଯେତିକି ରାଜସ୍ୱ ଅସୁଲ ହେବ, ସେହି ଟଙ୍କାରେ ରାଜଜେମା ଚୁଡି ପିନ୍ଧିବେ ବୋଲି ଚୁକ୍ତି କରି ସମ୍ବଲପୁର ରାଜା ସାରଙ୍ଗଗଡ ରାଜାଙ୍କୁ ଉକ୍ତ ଗ୍ରାମର ମାଲିକାନା ସମର୍ପି ଦେଇଥିଲେ। ସେହିଦିନଠାରୁ ସଂକରା ଗ୍ରାମର ଚତୁଃପାର୍ଶ୍ବରେ ଓଡ଼ିଶାର ସୀମା ଥିଲେ ହେଁ ଉକ୍ତ ଗ୍ରାମଟି ସାରଙ୍ଗଗଡ ଅଧୀନକୁ ଚାଲିଯାଇଥିଲା ଓ ଏବେ ଏହା ଛତିଶଗଡ ଅଧୀନରେ ରହିଛି। ସଂକରା ଗ୍ରାମର ପୂର୍ବରେ ଅନ୍ତରାଡି, ପଶ୍ଚିମରେ ଗଣ୍ଠିଆପାଲି, ଦକ୍ଷିଣରେ କପାସିରା ଓ ଉତ୍ତରରେ ମହାନଦୀ ରହିଛି। ବର୍ତ୍ତମାନ ସଂକରା ଛତିଶଗଡ ରାଜ୍ୟର ରାୟଗଡ ଜିଲା, ବରମକେଲା ବ୍ଲକ ଓ ସରିଆ ଥାନା ଅଧୀନରେ ରହିଛି।
ସମ୍ବଲପୁରରୁ ସାରଙ୍ଗଗଡକୁ ସଂକରା ପ୍ରଦତ୍ତ ହୋଇଥିଲେ ମଧ୍ୟ ଏହି ଗ୍ରାମଟି ସଂପୂର୍ଣ୍ଣ ଭାବେ ଓଡିଆ ସଂସ୍କୃତିରେ ବନ୍ଧା ହୋଇ ରହିଥିଲା ଏବଂ ସାରଙ୍ଗଗଡ ରାଜନ୍ୟ ବର୍ଗ ମଧ୍ୟ ସଂକରାର ମୌଳିକତାକୁ ପୃଷ୍ଠପୋଷକତା ଦେଇଆସୁଥିଲେ। ୫ହଜାର ଲୋକସଂଖ୍ୟା ବିଶିଷ୍ଟ ଉକ୍ତ ଗ୍ରାମରେ ୩ହଜାର ୨୫ ଜଣ ଭୋଟର ରହିଛନ୍ତି। ୨୦ ଟି ୱାର୍ଡକୁ ନେଇ ଗଠିତ ସଂକରା ପଂଚାୟତରେ ରୋବା, ରାମପୁର ଓ ମୁହୂଦି ତିନିଟି ଗ୍ରାମ ରହିଛି। ଏହିସବୁ ଗ୍ରାମର ଅଧିବାସୀ ଓଡିଆରେ ସ୍ୱଚ୍ଛନ୍ଦରେ କଥାବାର୍ତ୍ତା କରୁଥିବାବେଳେ ସମସ୍ତ ଓଡିଆ ପର୍ବପର୍ବାଣି ରଥଯାତ୍ରା, ନୂଆଁଖାଇ, ଗୁଣ୍ଡିଖାଇ, ଭାଇଜିଉଁତିଆ, ପୁଷ୍‌ପୁନି ଆଦି ପାଳନ କରୁଛନ୍ତି। ଗ୍ରାମର ଇଷ୍ଟଦେବୀ ମା ସମଲେଶ୍ୱରୀ। ସଂକରା ଗ୍ରାମରୁ ୧୯୯୦ ମସିହା ପର୍ଯ୍ୟନ୍ତ ମଦ ଭାଟି, ଗଂଜେଇ କୋଠି ଆଦିର ନିଲାମ ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ କରାଯାଉଥିଲା ଏବଂ ରାଜସ୍ୱ ଓଡିଶା ସରକାରଙ୍କ ପାଖକୁ ଯାଉଥିଲା; ମାତ୍ର ପରେ ଏହା ଆଉ ସମ୍ବଲପୁରକୁ ଗଲା ନାହିଁ, ବରଂ ରାୟଗଡ ଜିଲାକୁ ଗଲା।
୧୯୬୮ ମସିହାରେ ସଂକରା ଗ୍ରାମକୁ ସମ୍ବଲପୁର ଜିଲା ଅଧୀନ କରାଇବା ପାଇଁ ତଥା ଓଡିଶାରେ ମିଶାଇବା ପାଇଁ ଆନ୍ଦୋଳନ ମଧ୍ୟ ହୋଇଥିଲା। ତତ୍କାଳୀନ ଭଟଲି ବିଧାୟକ ନଟବର ବନଛୋର, ବ୍ରଜରାଜନଗର ବିଧାୟକ ପ୍ରସନ୍ନ ପଣ୍ଡା, ବୃନ୍ଦାବନ ବେହେରା, ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ୧୯୭୧ ମସିହା ଯାଏଁ ଏହି ଆନ୍ଦୋଳନ ଜାରି ରଖିଥିଲେ। ଏପରିକି ଓଡିଶାରେ ରହିବା ପାଇଁ ରାୟଗଡ ଜିଲାପାଳ, ସମ୍ବଲପୁର ଜିଲାପାଳ ଓ ଆର୍‌ଡିସିଙ୍କଠାରେ ଜନଶୁଣାଣି ମଧ୍ୟ ହୋଇଥିଲା; ମାତ୍ର ସଂକରା ଓଡିଶାରେ ରହିପାରିଲା ନାହିଁ ଓ ଛତିଶଗଡ ଅଧୀନକୁ ଚାଲିଗଲା। ରାଜସ୍ୱ ଗାଁ ଭାବରେ ସଂକରା ରାୟଗଡ ଜିଲାର ଏକ ଗାଁ ଭାବେ ଗଣା ହେଲେ ମଧ୍ୟ ଆଜିଯାଏଁ ସେଠାରେ ଛତିଶଗଡି ସଂସ୍କୃତିର କୌଣସି ଛାପ ନାହିଁ। ୨୦୧୭ ମସିହା ଯାଏଁ ଓଡିଶା ସରକାରଙ୍କ ପ୍ରାଥମିକ ସ୍କୁଲରେ ପିଲା ଓଡିଆ ଭାଷାରେ ପାଠ ପଢ଼ୁଥିଲେ; ମାତ୍ର ଛତିଶଗଡ ସରକାର ଏବେ ବାଳାଶ୍ରମ ଓ କନ୍ୟାଶ୍ରମ କରିବା ସହିତ ହଷ୍ଟେଲର ବ୍ୟବସ୍ଥା କରିଛନ୍ତି; ଫଳରେ ଗ୍ରାମର ସରକାରୀ ସ୍କୁଲଟି ପିଲା ଅଭାବରୁ ବନ୍ଦ ହୋଇ ଭାଙ୍ଗିରୁଜି ଗଲାଣି। ଛତିଶଗଡ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କନ୍ୟାଶ୍ରମ, ଶିଶୁ ବିଦ୍ୟାମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେ ଆଉ ଓଡିଆ ଭାଷା ପଢ଼ାଯାଉ ନାହିଁ ଓ ପିଲାମାନେ ହିନ୍ଦୀ ଶିକ୍ଷା କରୁଛନ୍ତି। ୧୯୨୬ ମସିହାରେ ସାରଙ୍ଗଗଡ ରାଜା ପ୍ରତିଷ୍ଠା କରିଥିବା ପ୍ରାଥମିକ ବିଦ୍ୟାଳୟରେ ପୂର୍ବରୁ ଓଡିଆ ଭାଷା ପଢ଼ାଯାଉଥିଲା; ମାତ୍ର ଏବେ ଉକ୍ତ ସ୍କୁଲରେ ମଧ୍ୟ ଆଉ ଓଡିଆ ଭାଷା ଶିକ୍ଷା ଦିଆଯାଉ ନାହିଁ, ବରଂ ସମସ୍ତ ବିଷୟ କେବଳ ହିନ୍ଦୀ ମାଧ୍ୟମରେ ପଢ଼ାଯାଉଛି। ଗ୍ରାମବାସୀ ପିଲାଙ୍କୁ ଓଡିଆରେ ପାଠ ପଢ଼ାଇବା ପାଇଁ ଖୁବ୍‌ ଆଗ୍ରହୀ ଥିବାବେଳେ ସରକାରୀ ସ୍ତରରେ ଏନେଇ କୌଣସି ପ୍ରକାର ସୁବିଧା ମିଳୁନାହିଁ।
ଅନ୍ୟପକ୍ଷରେ ସଂକରା ଗ୍ରାମରେ ପ୍ରତିଦିନ ୭ଟି ସ୍ଥାନରେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ପାଠ କରାଯାଉଛି। ଦୁଇଟି ଜଗନ୍ନାଥ ମନ୍ଦିର ସମେତ ୮ଟି ଦେବଦେବୀଙ୍କ ମନ୍ଦିର ରହିଛି। ସବୁଠି ଓଡିଆ ରୀତିନୀତିରେ ପୂଜା ହେଉଛି। ଛତିଶଗଡ ସରକାର ଏହି ଓଡିଆ ଭାଷାଭାଷୀ ଲୋକଙ୍କ ପାଇଁ ଓଡିଆ ପଢ଼ିବା ଓ ଶିଖିବା ପାଇଁ କୌଣସି ବ୍ୟବସ୍ଥା କରୁନଥିବାବେଳେ ପୂର୍ବରୁ ଚାଲୁଥିବା ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକୁ କିପରି ଚାଲୁ ରଖାଯାଇପାରିବ ଓ ଓଡିଆ ଶିକ୍ଷା ଦିଆଯାଇପାରିବ, ସେନେଇ ଓଡିଶା ସରକାର ମଧ୍ୟ କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି।

Comments are closed.