ବିକାଶର ମାୟାଦର୍ପଣ

ବାସ୍ତବରେ କ୍ଷମତା, ଦର୍ପ ଓ ଅହଙ୍କାରର କୋଳାହଳ ଭିତରେ ଗଢ଼ାଚାଲିଛି ସହସ୍ର କୋଟି ଟଙ୍କାର ପ୍ରକଳ୍ପ; କିନ୍ତୁ ଇଏ କ’ଣ କେବଳ ଇତିହାସର ସ୍ରୋତମୁକୁରରେ ଧରି ରଖିବାପାଇଁ ନିଜର ପ୍ରତିବିମ୍ବ?

ମନେକରନ୍ତୁ କୌଣସି ଏକ ନିଃଶବ୍ଦ ମୁହୂର୍ତ୍ତରେ ଆପଣ କୋଣାର୍କ ବା ଖଜୁରାହୋର ଏକ କଳାକୃତି ପାଖରେ ଠିଆ ହୋଇଛନ୍ତି। ସବୁଆଡ଼ ଚୁପ୍‌ଚାପ୍‌, ଶୂନ୍‌ଶାନ୍‌। ଆପଣଙ୍କୁ ଘେରି ରହିଛି ଏକ ଅନିର୍ବଚନୀୟ ଅତଳ ଶୂନ୍ୟତା, ଏକ ମୂର୍ଚ୍ଛିତ ନୀରବତା! ମୂର୍ତ୍ତିଟିର ପ୍ରତି ରେଖା ପ୍ରତି ଛନ୍ଦରେ ଆପଣ ଅନୁଭବ କରୁଛନ୍ତି ଉତ୍‌କୀର୍ଣ୍ଣ ହୋଇ ଉଠୁଛି ଏକ ମୌନ ଲାବଣ୍ୟମୟୀ ଗାମ୍ଭୀର୍ଯ୍ୟ। ସମଗ୍ର ଚେତନା ମୋହମଗ୍ନ। ହଠାତ୍‌ ସେଇ ନୀରବ ନିଥର ମୁହୂର୍ତ୍ତରେ ଆପଣ ଅନୁଭବ କରୁଛନ୍ତି ସତେ ଯେପରି ପ୍ରତିମାଟି ଭିତରୁ ଭାସି ଆସୁଛି ଏକ ଶବ୍ଦମର୍ମର- ‘ଶିଳ୍ପୀ ତା’ର ସତ୍ତାକୁ ନିଃଶେଷ କରି ସୃଷ୍ଟି କରିଛି ମୋର ଏ ସୌନ୍ଦର୍ଯ୍ୟ। ଏମିତି ମୁଁ ରହିଥିବି କାଳକାଳ ଧରି। ମୋତେ ଗଢ଼ିଥିବା ଶିଳ୍ପୀ ହୁଏତ ଆଜି କାଳର ସ୍ରୋତରେ ନିଶ୍ଚିହ୍ନ। ଏଇମିତି କିନ୍ତୁ ମୁଁ କହୁଥିବି କେତେ କାହାଣୀ, ଯେଉଁ କାହାଣୀ ଗୋଟାଏ ଜାତି ନିଜକୁ ହିଁ ନିଜେ କହିଥାଏ। ଜୟ-ପରାଜୟ, ସବୁ ଛଳନା ପ୍ରତାରଣା, ଶଙ୍କଟ ଓ ଶଠତା ଭିତରେ ମଧ୍ୟ ଗାଇଥାଏ ଜୀବନର ଜୟଗୀତି।’
ଭାରତବର୍ଷର ରାଜଧାନୀର ବୁକୁ ଉପରେ ଗଢ଼ା ଚାଲିଛି ନୂଆନୂଆ ଅଟ୍ଟାଳିକା। ନାଁ ତା’ର ‘ସେଣ୍ଟ୍ରାଲ ଭିଷ୍ଟା’। ମାଇଲ୍‌ମାଇଲ୍‌ ଧରି ଭଙ୍ଗାଯାଉଛି ଇତିହାସକୁ ଛାତିରେ ଧରି ରଖିଥିବା ବହୁ ସ୍ମରଣୀୟ କୀର୍ତ୍ତି, ଯାହା ସହିତ ଭାରତବର୍ଷର ଆତ୍ମା ଯୋଡ଼ି ହୋଇ ରହିଥିଲା। ଗଢ଼ାଯାଉଛି ଆଧୁନିକ ଇମାରତ୍‌; ଯେମିତି ଗଢ଼ା ହୋଇଛି ମୁକେଶ୍‌ ଅମ୍ବାନୀଙ୍କ ‘ଆଣ୍ଟିଲା’, ପୃଥିବୀର ସବୁଠାରୁ ଦାମୀ ବାସଗୃହ। ପାଖରେ କିନ୍ତୁ ରହିଛି ଗରିବଙ୍କ ବସ୍ତି। ଅଜଗର ପରି ଲମ୍ବି ରହିଛି ଭାରତୀୟ ଦାରିଦ୍ର୍ୟର ଭଗ୍ନାଂଶ। ଏଇ ଇମାରତ୍‌ ସବୁ କହିବାକୁ ଚାହୁଁଛନ୍ତି- ‘ଆମେ ଏ ମାଟିରୁ ଆସିନୁ। ଆସିଛୁ ଭିନ୍ନ ଏକ ଲୋକରୁ। ଆମେ ଜଣେଇବାକୁ ଚାହୁଁଛୁ ଆମେ ତୁମଭଳି ନୋହୁଁୁ, ତୁମଠୁ ଅଧିକ।’ ଏପଟେ କିନ୍ତୁ ପ୍ରକୃତି ତା’ର ସଂହାରଲୀଳା ରୂପ ଧାରଣ କରିଛି। କରୋନା ମହାମାରୀ। ଅର୍ଥନୀତି ବିପନ୍ନ। ଗରିବର ଅଣ୍ଟା ଭାଙ୍ଗିଯାଉଛି। ଗଙ୍ଗାନଦୀରେ ଭାସୁଛି ନିର୍ବାଣମୁଖୀ ଶହଶହ ମୃତଦେହ। ଏସବୁ ବୋଧହୁଏ କେଉଁ ଦୁଃଖୀ ବା କେଉଁ ଅସହାୟର; କରୋନା ଯାହାଙ୍କ ଜୀବନ ନେଇଛି। ତଥାପି ଗଢ଼ା ଚାଲିଛି ‘ସେଣ୍ଟ୍ରାଲ ଭିଷ୍ଟା’। ଗୋଟାଏ ସହସ୍ର କୋଟିର ପ୍ରକଳ୍ପ, ଯେଉଁଠି ତିଆରି ହେବ ସଂସଦଗୃହ ଓ ଅନ୍ୟ କିଛି ସହିତ ଶାସନ ମୁଖିଆଙ୍କ ପ୍ରାସାଦ।
ଇତିହାସର ପୃଷ୍ଠା ଓଲଟାନ୍ତୁ ଦେଖିବେ ଏମିତି ମଧ୍ୟ ଦିନେ ଗଢ଼ା ହୋଇଥିଲା ତାଜମହଲ। ପ୍ରାଣପ୍ରିୟା ପତ୍ନୀଙ୍କ ମୃତ୍ୟୁର ବିରହ ବେଦନାରେ ଅଧୀର ଶାହାଜାହାନ ଗଢ଼ିଥିଲେ ଏଇ ଇମାରତ। ଭାରତବର୍ଷରେ ସେଇ ସମୟରେ ପଡ଼ିଥାଏ ଅତି ଭୟଙ୍କର ଦୁର୍ଭିକ୍ଷ। ଛାତିକୁ ଥରେଇ ଦେଉଥିବା ‘ଡେକାନ୍‌ ଫ୍ୟାମିନ’। ଲକ୍ଷଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ମୁଠାଏ ଭାତ ପାଇଁ କ୍ଷୁଧାର୍ତ୍ତଙ୍କ ଆର୍ତ୍ତ ଚିତ୍କାର ଭିତରେ ଗଢ଼ା ଚାଲିଥାଏ ତାଜମହଲ। ମୋଗଲ ଟ୍ରେଜେରୀ ଶୂନ୍ୟ ହୋଇଯାଉଛି। ଶାହାଜାହାନ ଅର୍ଥ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଜୋର୍‌ କରି ସଂଗ୍ରହ କରୁଛନ୍ତି ‘କର’। ତଥାପି ଅର୍ଥର ଅଭାବ। ନିରୁପାୟ ହୋଇ ‘ଶାହାନ୍‌ଶାହା’ ନୂଆକରି ଭାରତବର୍ଷରେ ଆସ୍ଥାନ ଜମାଇଥିବା ବ୍ରିଟିଶ୍‌ ‘ଇଷ୍ଟଇଣ୍ଡିଆ କମ୍ପାନୀ’ଠାରୁ ଟଙ୍କା ଧାର ମାଗିଲେ। ଚତୁର ଇଂରେଜମାନେ ବୁଝିଗଲେ ଏହାହିଁ ସୁଯୋଗ। ଦେଶର କିଛି ଅଂଶକୁ ନେଇଗଲେ କମ୍ପାନୀ ସ୍ଥାପନା କରିବାପାଇଁ। ଭାରତବର୍ଷର ଇତିହାସରେ ସେଇ କଳଙ୍କିତ ଅଧ୍ୟାୟର ସୂତ୍ରପାତ ହୋଇଗଲା, ଯାହାର ନାଁ ‘କଲୋନାଇଜେସନ୍‌’ ବା ଉପନିବେଶକରଣ; କିନ୍ତୁ ଇତିହାସର ଏହାହିଁ ପରିହାସ ଯେ ଏଇ ହତଭାଗ୍ୟ ସମ୍ରାଟ ନିଜ ରାଜତ୍ବକାଳ ଭିତରେ ମାତ୍ର ଥରକ ପାଇଁ ଆସିଥିଲେ ‘ତାଜମହଲ’। ​‌େଶଷରେ ପ୍ରାଣପ୍ରିୟା ପତ୍ନୀଙ୍କ ସ୍ମୃତିସୌଧ ଭିତରେ ଅତି ଦୟନୀୟ ଭାବରେ ବନ୍ଦୀ ହୋଇ ମୃତ୍ୟୁବରଣ କରିଥିଲେ। ଏଇ ସପ୍ତାଶ୍ଚର୍ଯ୍ୟରୁ ଗୋଟିଏକୁ ଗଢ଼ିବାପାଇଁ ଖର୍ଚ୍ଚ ହୋଇଥିଲା ସେଇ ସମୟରେ ଚାରିକୋଟି ଅଠରଲକ୍ଷ ଟଙ୍କା; ଯେଉଁ ସମୟରେ ଗୋଟିଏ ଟଙ୍କାରେ ମିଳୁଥିଲା ଦୁଇଶହ ଅଶୀ ସେର ଚାଉଳ। ତାଜମହଲ ଦାବି କରିନଥିଲା କେବଳ ଏଇ ଅକଳ୍ପନୀୟ ଅର୍ଥ, ଦାବି ମଧ୍ୟ କରିଥିଲା ରକ୍ତ- ଏ ରକ୍ତ ଚଉସ୍ତରି ଲକ୍ଷ ଲୋକଙ୍କର, ଯେଉଁମାନେ ଦୁର୍ଭିକ୍ଷରେ ପ୍ରାଣ ହରାଇଥିଲେ। ସତରେ ଏହାର ନିର୍ମାଣ ଅଭ୍ୟନ୍ତରରେ ରହିଛି ବହୁ ଲୁହ, ଲହୁ ଓ ଦୀର୍ଘଶ୍ବାସର ଇତିହାସ।
ଭାରତର ଇତିହାସରେ ଏଇଭଳି ଖିଆଲି ଶାସକଙ୍କର ଅମାର୍ଜିତ ମନର ଦୃଷ୍ଟାନ୍ତ ବିରଳ ନୁହେଁ। ମହମ୍ମଦବିନ୍‌ ତୁଗ୍‌ଲକ୍‌। ଖିଆଲ ଉଠିଲା ତାଙ୍କର, ଶାସନକୁ ସେ ଶୃଙ୍ଖଳିତ କରିବେ। ଅଧିକ ଗତିଶୀଳ କରିବେ; ନିରାପଦ ରହିବ ରାଜଧାନୀ ଦିଲ୍ଲୀ। ଦିଲ୍ଲୀରୁ ଦୌଲତାବାଦ ଉଠିଯିବ ରାଜଧାନୀ। ରାଜକୋଷରୁ ବିପୁଳ ଅର୍ଥର ବ୍ୟୟ ହେଲା; କିନ୍ତୁ ବ୍ୟର୍ଥ ହେଲା ଏଇ ବିଶୃଙ୍ଖଳ ମନର ପ୍ରୟାସ। କେବଳ ସେତିକି ନୁହେଁ, ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଲା। ସମଗ୍ର ପୃଥିବୀରେ ସେତେବେଳେ ରୁପାର ଅଭାବ। ତାଙ୍କର ଉର୍ବର (?)ମସ୍ତିଷ୍କରୁ ଅଚାନକ ସୃଷ୍ଟିହେଲା ଏକ ଧାରଣା; ଅର୍ଥନୀତିରେ ସେ ସୁଧାର ଆଣିବେ। ସେ ରୌପ୍ୟ ମୁଦ୍ରା ବଦଳରେ ପ୍ରଚଳନ କଲେ ତାମ୍ର ମୁଦ୍ରା। ତା’ ପରେପରେ ପୁଣି ସ୍ବର୍ଣ୍ଣ ମୁଦ୍ରା। ଘୋର ସଂକଟ ଭିତରକୁ ଠେଲି ହୋଇଗଲା ଭାରତର ଅର୍ଥନୀତି। ଇତିହାସ ପରେ ତାଙ୍କୁ ପରିଚିତ କରେଇଲା ଏକ ଅବ୍ୟବସ୍ଥିତ ଚିତ୍ତସମ୍ପନ୍ନ ‘ଅର୍ଦ୍ଧ ପାଗଳ’ ରାଜା ଭାବରେ।
ଇତିହାସ କ’ଣ ଆଜି ତା’ର କଡ଼ ଲେଉଟାଇଛି? ଆମ ଦେଶର ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସ୍ଥପତି ହେଉଛନ୍ତି ଗଉତମ ଭାଟିଆ। ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ପଞ୍ଜାବ ବୋରୋକ୍‌ ଆଣ୍ଡ୍‌ ମେମୋରିଜ୍‌ ଅଫ୍‌ ଆର୍କିଟେକ୍ଚର’ରେ ଲେଖିଛନ୍ତି ‘ଭାରତବର୍ଷ ଭଳି ଏକ ଗରିବ ରାଷ୍ଟ୍ରରେ ହିଁ କେବଳ ଜଣକର ଖିଆଲ ଉପରେ ଏଭଳି ମୂଲ୍ୟବାନ ନିର୍ମାଣ ଭଙ୍ଗାଯାଇପାରେ।’ ୧୭୯୨ ମସିହାରେ ତିଆରି ହୋଇଥିଲା ଆମେରିକାର ହ୍ବାଇଟହାଉସ୍‌, ୧୪୯୫ରେ ତିଆରି ହୋଇଥିଲା ରୁଷିଆର କ୍ରେମଲିନ୍‌। ଏପର୍ଯ୍ୟନ୍ତ ଅତୁଟ ରହିଛି ତା’ର କାଳଜୟୀ ଗରିମା। ସେଇ ତୁଳନାରେ ନୂଆଦିଲ୍ଲୀର ଇତିହାସ କେତେ ବା ପୁରୁଣା?
ଇତିହାସରେ କାହା ସହିତ ତୁଳନା କରାଯିବ ଏ ଖିଆଲକୁ? ଦ୍ବିତୀୟ ବିଶ୍ବଯୁଦ୍ଧର ଭୟଙ୍କର ରକ୍ତସ୍ରାବୀ ଦୁଷ୍କାଳ। ହିଟ୍‌ଲର ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଛନ୍ତି। ସ୍ବପ୍ନ ଦେଖୁଛନ୍ତି ସମଗ୍ର ଇଉରୋପ କାହିଁକି, ସମଗ୍ର ପୃଥିବୀକୁ ପଦାନତ କରିବେ। ପ୍ରତିଷ୍ଠା କରିବେ ତାଙ୍କର ସଦ୍ୟ ବିଜିତ ପୃଥିବୀ ପାଇଁ ଏକ ରାଜଧାନୀ ଜର୍ମାନୀରେ। ଏକ ଅହଂ ପ୍ରଣୋଦିତ ଆସ୍ଫାଳନ। ଘନିଷ୍ଠ ନାଜି ସହକର୍ମୀ ଆଲ୍‌ବର୍ଟ ସ୍ପିଅରଙ୍କୁ ଆଦେଶ ଦେଉଛନ୍ତି, ଭାଙ୍ଗିରୁଜି ତାରି ଉପରେ ତିଆରି କର ଆଉ ଏକ ଚାକଚକ୍ୟଭରା ନୂଆ ରାଜଧାନୀ- ନାଁ ତା’ର ହେବ ‘ଜର୍ମାନୀଆ’; କିନ୍ତୁ ମହାକାଳ ତ ସ୍ଥିର! ଅମାପ ତା’ର କ୍ଷୁଧା। ସେଇଥିରେ ହେଲେ ସେ ବିଲୀନ।
ଆଜି କରୋନା ଛପିଛପି ଆସି ବାରମ୍ବାର ତା’ର ଉଗ୍ର ତାଣ୍ଡବ ନୃତ୍ୟ ପ୍ରଦର୍ଶନ କରୁଛି। ଭାରତବର୍ଷରେ ଜୀବିକା, ଜୀବନ, ଶିକ୍ଷା, ଅର୍ଥନୀତି ସବୁକିଛି ବିପନ୍ନ। ପାରସ୍ପରିକ ସ୍ନେହ ଓ ବିଶ୍ବାସ ବଦଳରେ ଚାରିଆଡ଼େ ଅବିଶ୍ବାସର ଘୂର୍ଣ୍ଣି। ଚାରିଆଡ଼ୁ ଯେମିତି ଘେରି ଆସୁଛି ବିଷଣ୍ଣତାର କୁହୁଡ଼ି। ଏହାରି ପୃଷ୍ଠଭୂମିରେ ଗଢ଼ାଚାଲିଛି ମାୟା ନଗରୀ। ବିକାଶର ମାୟାଦର୍ପଣରେ ସେ ମହାନଗରୀ! ଖର୍ଚ୍ଚ ହେବ ୧୩,୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା। ଆକାଶଛୁଆଁ ବଜେଟ। ଦେଶର କେତେକ ରାଜ୍ୟର ସମୁଦାୟ ବଜେଟ୍‌ ମଧ୍ୟ ତା’ଠାରୁ କମ୍‌; କିନ୍ତୁ କିଏ ଶୁଣିବ? ସ୍ବପ୍ନର ସାଗରରେ ବେଳେବେଳେ ଏମିତି ମଧ୍ୟ କେତେକଙ୍କର ଉଗ୍ର ଲହରୀ ସୃଷ୍ଟି ହୁଏ, ଯେତେବେଳେ ସେମାନଙ୍କ ମନର ଅଭ୍ୟନ୍ତରରେ ଥିବା ଅନ୍ଧ ଆସକ୍ତିର ମାଦକଶକ୍ତି ଭୟଙ୍କର ରୂପ ଧାରଣକରି କଥା କହିବାକୁ ଆରମ୍ଭ କରେ। ପ୍ରଶ୍ନ ଉଠୁଛି ଆଜି କ’ଣ ସେଇଆ ହିଁ ଘଟୁଛି! ମହାମାରୀର ପ୍ରକୋପରେ ଗରିବ ଖଟିଖିଆଙ୍କ ସଂସାର- ଆଜି ଏକ ଉଜୁଡ଼ା ସଂସାର। ଗାନ୍ଧିଜୀ ଭାରତର ଦରିଦ୍ରତମ ଲୋକର ଦୁଃଖ ଦୂର କରିବାପାଇଁ ଶୁଣୁଥିଲେ ନିଜର ଅନ୍ତରପୁରୁଷଙ୍କ ଆହ୍ବାନ। ଲଜ୍ଜା ଓ ପରିତାପର କଥା ହେଉଛି ତାଙ୍କର ସାଧନାପୀଠ, ସରଳତା ଓ ତ୍ୟାଗର ପ୍ରତୀକ ‘ସାବରମତୀ ଆଶ୍ରମ’କୁ ମଧ୍ୟ ଭାଙ୍ଗି ନୂଆକରି ଗଢ଼ାଯାଉଛି। ପରିଣତ କରାଯିବ ଏକ ମନଲୋଭା ‘ଟୁରିଷ୍ଟ ଡେଷ୍ଟିନେସନ୍‌’, ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ। ବାପୁଙ୍କର ତ୍ୟାଗ ଓ ସରଳତାର ଶେଷ ଛାୟା ଟିକକ କ’ଣ ନିଷ୍ପ୍ରଭ ହୋଇଯିବ ଏକ ଅନମନୀୟ ଅହଂକାରରେ? ବାସ୍ତବରେ କ୍ଷମତା, ଦର୍ପ ଓ ଅହଂକାରର କୋଳାହଳ ଭିତରେ ଗଢ଼ା ଚାଲିଛି ଏଇସବୁ ସହସ୍ର କୋଟିର ପ୍ରକଳ୍ପ; କିନ୍ତୁ ଇଏ କ’ଣ କେବଳ ଇତିହାସର ସ୍ରୋତମୁକୁରରେ ଧରି ରଖିବାପାଇଁ ନିଜର ପ୍ରତିବିମ୍ବ? କିଏ ଦେବ ତା’ର ଉତ୍ତର!

ହେମେନ୍ଦ୍ର ନାରାୟଣ ଦାସ
ଦୂରଭାଷ:୯୪୩୭୪୧୦୭୨୨
hemendra.das@gmail.com

Comments are closed.