ନ୍ୟାୟିକ ବ୍ୟବସ୍ଥାରେ ମହିଳା ସଶକ୍ତୀକରଣ

ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ମହିଳାଙ୍କ କମ୍‌ ଭାଗିଦାରିତା ଚିନ୍ତାଜନକ ; ଏଥିପ୍ରତି ଗୁରୁତ୍ବ ଦେବାର ସମୟ ଆସିଛି

ସମାଜର ପ୍ରଗତି ସର୍ବଦା ମହିଳାଙ୍କ ପ୍ରଗତି ଉପରେ ନିର୍ଭର କରେ। ଏହା ଆମ ସମ୍ବିଧାନ ପ୍ରଣେତା ଡକ୍ଟର ଆମ୍ବେଦକରଙ୍କ ଉକ୍ତି। ଉପରୋକ୍ତ ଉକ୍ତିଟି ଆଜି ସର୍ବବିଦିତ ଏବଂ ଗ୍ରହଣଯୋଗ୍ୟ। ଆମ ଦେଶରେ ଏହାର ଉଦାହରଣ ମଧ୍ୟ କମ୍‌ ନାହିଁ। ମହିଳାମାନେ ଆଜି ରାଜନୀତି, ଶିକ୍ଷା, ନିଯୁକ୍ତି, ଚିକିତ୍ସା, ବିଜ୍ଞାନ, ଖେଳ, ପ୍ରଶାସନ ଏବଂ ଦେଶ ସୁରକ୍ଷା ଆଦି କ୍ଷେତ୍ରରେ କିଛି ମାତ୍ରାରେ ପ୍ରତିନିଧିତ୍ବ କରିଛନ୍ତି, କିନ୍ତୁ ନ୍ୟାୟିକ ବ୍ୟବସ୍ଥାରେ ମହିଳାଙ୍କ ଅବହେଳିତ ଚିତ୍ର ଖୁବ୍‌ ସ୍ପଷ୍ଟ। ଏକବିଂଶ ଶତାବ୍ଦୀରେ ପଦାର୍ପଣ କରିଥିଲେ ସୁଦ୍ଧା ତଥା ଭାରତ ସ୍ବାଧୀନତାକୁ ୭୪ ବର୍ଷ ପୂରିଥିଲେ ମଧ୍ୟ ମହିଳାଙ୍କ ଅଧିକାର ଏବଂ ଭେଦଭାବ ରହିତ ସମାନତାକୁ ନେଇ ବିଭିନ୍ନ ଗଣମାଧ୍ୟମ ଏବଂ ଖୋଲା ମଞ୍ଚରେ ହେଉଥିବା ଚର୍ଚ୍ଚା ଲୈଙ୍ଗିକ ସମାନତା ପ୍ରତି ପ୍ରଶ୍ନ ଉଠାଉଛି ।
ଆଜି ପର୍ଯ୍ୟନ୍ତ ବିଧାନସଭା ଏବଂ ସଂସଦରେ ମହିଳାଙ୍କୁ ସମାନ ପ୍ରତିନିଧିତ୍ବ ମିଳିବା ତ ଦୂରେ ଥାଉ ୩୩% ସଂରକ୍ଷଣର ସୁଯୋଗ ମଧ୍ୟ ମିଳିପାରିଲା ନାହିଁ। ସଂସଦରେ ମହିଳାଙ୍କ ଉପସ୍ଥିତି ବର୍ତ୍ତମାନ ୭୮ଜଣ ଅର୍ଥାତ୍‌ ୧୪.୪% ରହିଛି। ଏଥିରୁ ଜଣାପଡୁଛି ସମାନ ପ୍ରତିନିଧିତ୍ବର କଥା କେତେ ସତ। ହଁ ଏଥିରେ ଆମେ ଦ୍ବିମତ ହେବା ନାହିଁ ଯେ; ଆମ ରାଜ୍ୟ ସରକାରଙ୍କ ପରି ଆଉ କିଛି ରାଜ୍ୟ ସରକାର ସେମାନଙ୍କ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦% ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିସାରିଛନ୍ତି; କିନ୍ତୁ ସେଥିରେ ନିଜେ ମହିଳା କ୍ଷମତା ଉପଭୋଗ କରୁଛି କି ତାଙ୍କ ପରିବାରର କେହି ପୁରୁଷ ଉପଭୋଗ କରୁଛି ତାହା ଭିନ୍ନ କଥା। ତେବେ ଚର୍ଚ୍ଚାର ବିଷୟ ହେଉଛି ଭାରତର ନ୍ୟାୟ ବ୍ୟବସ୍ଥାରେ ମହିଳାଙ୍କ ଅଂଶଗ୍ରହଣ ଏତେ କମ୍ କାହିଁକି ?
ନିକଟ ଅତୀତରେ ସଂସଦରେ ନ୍ୟାୟ ବ୍ୟବସ୍ଥାରେ ମହିଳାଙ୍କ ଭାଗିଦାରିତାକୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏପରି କିଛି ରଖିଥିଲେ। ତାଙ୍କ ଉତ୍ତର ଅନୁଯାୟୀ, ବର୍ତ୍ତମାନ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ସମୁଦାୟ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ସଂଖ୍ୟା ୩୪ ରହିଛି। ସେଥିମଧ୍ୟରୁ ପ୍ରଧାନ ବିଚାରପତିଙ୍କୁ ମିଶାଇ ୨୮ ଜଣ ନ୍ୟାୟାଧୀଶ କାର୍ଯ୍ୟରତ ଅଛନ୍ତି ଏବଂ ବଳକା ପଦ ଖାଲି ପଡିଛି; ପରିତାପର ବିଷୟ ଯେ ଉକ୍ତ ୨୮ ଜଣଙ୍କ ମଧ୍ୟରେ କେବଳ ଜଣେ ହିଁ ମହିଳା ବିଚାରପତି ଅଛନ୍ତି। ଯଦି ୧୯୫୧ ମସିହାରୁ ଆଜି ପର୍ଯ୍ୟନ୍ତ ଦେଖାଯାଏ ତେବେ ସର୍ବମୋଟ କେବଳ ୮ ଜଣ ମହିଳା ସ​‌େ​‌ର୍ବାଚ୍ଚ ନ୍ୟାୟାଳୟର ବିଚାରପତି ହେବାର ସୌଭାଗ୍ୟ ପାଇଛନ୍ତି। ଅନ୍ୟ ପକ୍ଷରେ ଉଚ୍ଚ ନ୍ୟାୟାଳୟର ଅବସ୍ଥା ନ କହିଲେ ଭଲ। ଆମ ଦେଶରେ ଥିବା ସର୍ବମୋଟ ୨୫ଟି ଉଚ୍ଚ ନ୍ୟାୟାଳୟରେ ସମସ୍ତ ମୁଖ୍ୟ ବିଚାରପତିଙ୍କୁ ମିଶାଇ ସମୁଦାୟ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ସଂଖ୍ୟା ୧୦୭୯ ରହିଛି। ତନ୍ମଧ୍ୟରୁ ୩୮% ଅର୍ଥାତ୍‌ ୪୧୪ ପଦ ଖାଲି ପଡିଥିବାବେଳେ ବଳକା କାର୍ଯ୍ୟରତ ପଦରୁ ମହିଳାଙ୍କ ସଂଖ୍ୟା ୭୮ ରହିଛି। ଅର୍ଥାତ ସଂକ୍ଷେପରେ କହିବାକୁ ଗଲେ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚନ୍ୟାୟାଳୟକୁ ମିଶାଇ ସର୍ବମୋଟ ୭୯ ଜଣ ମହିଳା ବିଚାରପତି ଅଛନ୍ତି। ଅତଏବ ଜଣେ ପରେ ଜଣେ ଅବସର ନେବା ପରେ ଏହି ସଂଖ୍ୟା ଆହୁରି କମିବାର ଆଶଙ୍କା ରହିଛି।
ଆଜି ପର୍ଯ୍ୟନ୍ତ ଜଣେ ବି ମହିଳା ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିନାହାନ୍ତି। ଏଥିପାଇଁ ବିଭିନ୍ନ କାରଣ ଦାୟୀ ରହିଛି। ଅପରପକ୍ଷରେ କେବଳ ଦୁଇଜଣ ମହିଳା ଦୁଇଟି ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଆସନରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଜଣେ ହେଲେ ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଗୀତା ମିତ୍ତଲ୍ ଯିଏ କି ଜାମ୍ମୁକାଶ୍ମୀର ଏବଂ ଲଦାଖ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିଲେ ଏବଂ ଅନ୍ୟ ଜଣେ ହେଲେ ହିମା କୋହଲି ଯିଏକି ବର୍ତ୍ତମାନ ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅଛନ୍ତି। ଏହା ବାଦ ଯଦି ଓଡିଶା କଥା ଦେଖିବା ତେବେ ଅମିୟ କୁମାରୀ ପାଢୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ନ୍ୟାୟାଧୀଶ ରୂପେ ନିଯୁକ୍ତ ହୋଇଛନ୍ତି। ଏହାଛଡା ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକା ମହିଳା ବିଚାରପତି କାର୍ଯ୍ୟ କରିସାରିଥିବା ଉଚ୍ଚ ନ୍ୟାୟାଳୟଗୁଡିକ ହେଲା ଯଥା କ୍ରମେ- ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ (୧୧ ଜଣ), ମାଡ୍ରାସ ଉଚ୍ଚ ନ୍ୟାୟାଳୟ (୯ ଜଣ), ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ (୮ ଜଣ) ଏବଂ ବମ୍ବେ ଉଚ୍ଚ ନ୍ୟାୟାଳୟ(୮ ଜଣ) ରହିଆସିଛନ୍ତି। ଏମିତି ଆହୁରି ଅନେକ ରାଜ୍ୟର ଉଚ୍ଚ ନ୍ୟାୟାଳୟ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ଗୋଟିଏ ବି ମହିଳା ବିଚାରପତି ନାହାଁନ୍ତି। ଅନ୍ୟପଟେ ଜଣାପଡିଛି ଯେ ବର୍ତ୍ତମାନ ନିମ୍ନ ଅଦାଲତଗୁଡିକରେ ସମୁଦାୟ ୧୫୮୦୬ ଜଣ ନ୍ୟାୟାଧୀଶଙ୍କ ମଧ୍ୟରୁ ୪୩୬୦ ଜଣ ମହିଳା ନ୍ୟାୟାଧୀଶ ଅଛନ୍ତି।
ମହିଳାଙ୍କ ନ୍ୟାୟିକ ବ୍ୟବସ୍ଥାରେ ଭାଗିଦାରୀ କମ୍ ହେବା ପୁରୁଷ ଏବଂ ମହିଳାଙ୍କ ସମାନ ପ୍ରତିନିଧିତ୍ବ ପ୍ରତି ଆହ୍ୱାନ ଅଟେ; କିନ୍ତୁ ଧ୍ୟାନ ଦେବାର ବିଷୟ ଏହା ଯେ ସର୍ବୋଚ୍ଚ ଏବଂ ଉଚ୍ଚ ନ୍ୟାୟାଳୟରେ ଅନ୍ୟ କ୍ଷେତ୍ର ଭଳି ମହିଳାଙ୍କ ବିଚାରପତି ନିଯୁକ୍ତି ପାଇଁ କୌଣସି ପ୍ରକାର ସଂରକ୍ଷଣର ବ୍ୟବସ୍ଥା ନାହିଁ। ହଁ, କିନ୍ତୁ ନିମ୍ନ ଅଦାଲତ ଗୁଡିକରେ କିଛି ରାଜ୍ୟ ମହିଳାଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି। ସେହି ସଂରକ୍ଷଣ ସାଧାରଣତଃ ୩୦% ରୁ ୩୩% ରହିଛି। ଭାରତ ସମ୍ବିଧାନର ଧାରା ୧୨୪ ଏବଂ ୨୧୭ ଯଥା କ୍ରମେ ସର୍ବୋଚ୍ଚ ଏବଂ ଉଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତରେ କହିଛି। ସେଥିରେ କୌଣସି ସଂରକ୍ଷଣ ବ୍ୟବସ୍ଥା ଲିପିବଦ୍ଧ ନାହିଁ। ଉଭୟ ନ୍ୟାୟାଳୟରେ ମୁଖ୍ୟ ଏବଂ ଅନ୍ୟାନ୍ୟ ବିଚାରପତି କିଏ ହେବେ ତାହା କଲେଜିଅମ ବ୍ୟବସ୍ଥା ବରିଷ୍ଠତାକୁ ଆଧାର କରି ସ୍ଥିର କରିଥାଏ। ସେଥିରେ ସଂସଦର କୌଣସି ଭୂମିକା ନଥାଏ। କଲେଜିଅମ ସ୍ଥିର କରିବା ପରେ ରାଷ୍ଟ୍ରପତି ସେଥିରେ ମୋହର ଲଗାଇ ଥାଆନ୍ତି। ଉଭୟ ନ୍ୟାୟାଳୟରେ ବିଚାରପତିଙ୍କ ନିଯୁକ୍ତି ପାଇଁ ଯୋଗ୍ୟତା ମଧ୍ୟ ଭିନ୍ନ ଭିନ୍ନ ରହିଛି; କିନ୍ତୁ ଗୋଟିଏ ମାତ୍ର ଯୋଗ୍ୟତା ଉଭୟଙ୍କ ପାଇଁ ସମାନ ରହିଛି। ତାହା ହେଲା ରାଷ୍ଟ୍ରପତିଙ୍କ ଦୃଷ୍ଟିରେ ବ୍ୟକ୍ତିଜଣକ ବିଶିଷ୍ଟ ଆଇନଜ୍ଞ ହୋଇଥିବା ଆବଶ୍ୟକ। ଆଜି ପର୍ଯ୍ୟନ୍ତ ନିଯୁକ୍ତି ସମୟରେ ତାହାର ଗୁରୁତ୍ୱ ଅନୁଭବ ହୋଇପାରୁନାହିଁ। କେବଳ ପ୍ରଥମ ଦୁଇଟି ଯୋଗ୍ୟତା ତଥା ଅଭିଜ୍ଞତା ଏବଂ ବରିଷ୍ଠତାକୁ ଦେଖି କଲେଜିଅମ ନିଷ୍ପତ୍ତି ନେଇଥାଏ। ଯଦି ବିଶିଷ୍ଟ ଆଇନଜ୍ଞ ଯୋଗ୍ୟତାକୁ ବିଚାରକୁ ନିଆଯାଏ ତେବେ ହୁଏତ ବହୁ ସଂଖ୍ୟକ ମହିଳା ଆଇନଜୀବୀ ବିଚାରପତି ହେବାର ସୁଯୋଗ ପାଇ ପାରନ୍ତେ। ଏହାର ଅର୍ଥ ଏହା ନୁହେଁ ଯେ; ବର୍ତ୍ତମାନ ଏବଂ ପୂର୍ବେ ଯେଉଁ ପୁରୁଷ ବିଚାରପତି ରହିଛନ୍ତି ବା ଅଛନ୍ତି ସେମାନେ ଭଲ ଆଇନଜ୍ଞ ନୁହନ୍ତି।
ଏଇ କିଛିଦିନ ତଳେ ପୂର୍ବତନ ପ୍ରଧାନ ନ୍ୟାୟାଧୀଶ ଏସ୍.ଏ.ବୋବଡେ ସର୍ବୋଚ୍ଚ ନ୍ୟାୟାଳୟର ମହିଳା ଆଇନଜୀବୀ ସଂଘ ଦ୍ବାରା ଦାଖଲ ହୋଇଥିବା ଉଚ୍ଚତମ ଏବଂ ଉଚ୍ଚ ନ୍ୟାୟାଳୟରେ ମହିଳାଙ୍କ ନିଯୁକ୍ତି ପ୍ରସଙ୍ଗ ମାମଲାର ଶୁଣାଣି ରାୟରେ କହିଥିଲେ ଯେ ବର୍ତ୍ତମାନ ନ୍ୟାୟାଳୟରେ ମହିଳାଙ୍କୁ ପ୍ରଧାନ ବିଚାରପତି ରୂପେ ନିଯୁକ୍ତି ଦେବାର ସମୟ ଆସି ଯାଇଛି। ଏଥିପାଇଁ ସେ ପ୍ରଶ୍ନ କରିଥିଲେ ଯେ; ଆଉ କେଉଁ ଶୁଭ ସମୟର ଅପେକ୍ଷା ରହିଛି? କିନ୍ତୁ କହିବା ବାହୁଲ୍ୟ ଯେ ଏହା କହିବା ଅତି ସହଜ; କିନ୍ତୁ ବାସ୍ତବରେ କଲେଜିଅମର ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି ଅଟେ। ଭାରତ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା କେ.କେ.ଭେନୁଗୋପାଳ ମଧ୍ୟ ଉକ୍ତ ସମ୍ବେଦନଶୀଳ ବିଷୟ ଉପରେ ଗୁରୁତ୍ବ ଦେବାର ସମୟ ଆସି ଯାଇଛି ବୋଲି କହିଥିଲେ; କିନ୍ତୁ ଦେଖିବାକୁ ଗଲେ ଏଥିରେ ସଂସଦର କୌଣସି ପ୍ରକାର ଭୂମିକା ନଥିବା ହେତୁ ଏଥିରେ ସମ୍ବିଧାନ ସଂଶୋଧନ ଅଣାଯାଇ ପାରିବ ନାହିଁ। ଏହାର ଅର୍ଥ ହେଲା ଏହା ସମ୍ପୂର୍ଣ୍ଣ ରୂପେ କଲେଜିଅମ ବ୍ୟବସ୍ଥା ଉପରେ ନିର୍ଭର କରୁଛି। ଯଦି କଲେଜିଅମ ନ୍ୟାୟିକ ବ୍ୟବସ୍ଥାରେ ଭାଗିଦାରୀ ପାଇଁ ମହିଳାଙ୍କୁ ଅଗ୍ରାଧିକାର ଦିଏ ତେବେ ଭାରତ ଇତିହାସରେ ଏହା ହେବ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହାଦ୍ବାରା ନିର୍ଭୀକ ଏବଂ ସାହସର ସହ ମହିଳାଟିଏ ମଧ୍ୟ ନିଜ ସହିତ ଘଟିଥିବା ସମସ୍ତ ସମ୍ବେଦନଶୀଳ ଘଟଣାବଳୀକୁ ମହିଳା ନ୍ୟାୟାଧୀଶଙ୍କ ସାମ୍ନାରେ ବଖାଣି ପାରିବ। ଆଜି ନ୍ୟାୟିକ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅତି ନଗଣ୍ୟ ଥିବାରୁ ବେଳେବେଳେ ପୀଡିତା ହତୋତ୍ସାହ ହୋଇ ଅଧାରୁ ମାମଲା ବନ୍ଦ କରିଦେଉଛନ୍ତି। ଆଉ ଯେତିକି ମହିଳା ସାହସ କରି ମାମଲା ଲଢନ୍ତି ସେମାନଙ୍କ ମାମଲା ପୁରୁଷ ନ୍ୟାୟାଧୀଶଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଶୁଣାଉଛି। ଯାହା ଫଳରେ କେତେକ ମାମଲା ଅତି ହାଲୁକା ଭାବେ ନିଆଯାଉଥିବାର ନଜିର ରହିଛି। ଏହାର ବଡ ଉଦାହରଣ ହେଲା ଗଲା ବର୍ଷ ମଧ୍ୟପ୍ରଦେଶ ଉଚ୍ଚନ୍ୟାୟାଳୟ ଯୌନ ଉତ୍ପୀଡନ ମାମଲାରେ ଅଭିଯୁକ୍ତକୁ ଜାମିନ ଦେବା ପ୍ରତି ବଦଳରେ ପୀଡିତାଙ୍କୁ ରାଖି ବାନ୍ଧିବା ସହ ୧୧୦୦୦ ଟଙ୍କା ଦେବା ଏବଂ ତା’ସହ ପୀଡିତାଙ୍କ ପୁଅକୁ ୫୦୦୦ ଟଙ୍କା ଦେବାକୁ କହି ତାର ଏକ ଫଟୋ ଦାଖଲ କରିବାକୁ କହିଥିଲେ। ପରବର୍ତ୍ତୀ ସମୟରେ ୯ଜଣ ମହିଳା ଓକିଲ ଏହା ବିରୁଦ୍ଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ବେଆଇନ ବୋଲି ଦର୍ଶାଇଥିଲେ।
ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ମହିଳାଙ୍କ ଅତି ନଗଣ୍ୟ ଭାଗିଦାରିତା ରହିବାର କାରଣ ଅନେକ ରହିଛି। ସେଗୁଡିକ ହେଲା: କଲେଜିୟମର ସମସ୍ତ ୫ ସଦସ୍ୟ ପୁରୁଷ ହେବା ଫଳରେ ମହିଳାଙ୍କ ଗୁରୁତ୍ୱକୁ ଉପେକ୍ଷା କରାଯିବାର ସମ୍ଭାବନା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଅର୍ଥାତ୍‌ ସଂସଦରେ ମହିଳାଙ୍କ ନ୍ୟାୟିକ ବ୍ୟବସ୍ଥାରେ ସମାନ ପ୍ରତିନିଧିତ୍ବର ଦାବି ନ ଉଠାଇବା, ଆଇନ ପାଠ ପଢିବା ସ​‌େ​‌ତ୍ତ୍ବ ପର୍ଯ୍ୟାପ୍ତ ସଂଖ୍ୟକ ମହିଳା ଓକିଲାତି ପେସାକୁ ନଆସିବା, ମହିଳା ଜଣକ ଓକିଲାତି କରୁଥିବା ସମୟରେ ମାତୃତ୍ୱ ଲାଭର ଛୁଟିରେ ରହିଲେ ସେହି ସମୟକୁ ନିୟମିତ କାର୍ଯ୍ୟରତ ହିସାବରେ ଗଣତି ନ କରିବା, ଏବଂ ସର୍ବୋପରି ଗୁରୁତ୍ବପୂର୍ଣ୍ଣ ସରକାରୀ ପଦରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଦାହରଣ ସୃଷ୍ଟି କଲାଭଳି ମହିଳା ଆଇନଜ୍ଞମାନଙ୍କୁ ନିଯୁକ୍ତି ନ ଦେବା ମଧ୍ୟ ରହିଛି। ଏଥିପ୍ରତି ଗୁରୁତ୍ବ ଦେବାର ସମୟ ଆସିଛି।

ଶ୍ରୀଜୟ କୁମାର ସାହୁ

ଶେରଗଡ଼, ଗଞ୍ଜାମ

Comments are closed.