ମରିବୁ ତ ମାଟି ପାଇଁ

ଚାଲିଥାଏ ଫ୍ରାନ୍ସ ଓ ହଲାଣ୍ଡ ମଧ୍ୟରେ ଭୀଷଣ ଯୁଦ୍ଧ। ସମୃଦ୍ଧଶାଳୀ ଫ୍ରାନ୍ସର ବିଶାଳ ସେନା ବାହିନୀକୁ ଦୃଢ଼ ଭାବେ ସାମ୍‌ନା କରୁଥାନ୍ତି ହଲାଣ୍ଡର କତିପୟ ସେନା। ମାସ ପରେ ମାସ, ବର୍ଷ ପରେ ବର୍ଷ, ଏପରିକି ୬ ବର୍ଷ ଧରି (୧୬୭୨-୧୬୭୮) ଚାଲିଥାଏ ଯୁଦ୍ଧ ସେମିତି। ଟିପେ ବି ପଛକୁ ହଟିବାର ନାଁ ଗନ୍ଧ ନାହିଁ ହଲାଣ୍ଡ ସେନାର। ଅତ୍ୟନ୍ତ ଆଚମ୍ବିତ ଫ୍ରାନ୍ସର ସମ୍ରାଟ ୧୪ଶ ଲୁଇ। ନିଜର ଅତି ବିଶ୍ୱସ୍ତ ମନ୍ତ୍ରୀଙ୍କୁ ପଚାରି ବସିଲେ ଏହାର ରହସ୍ୟ। “ହଲାଣ୍ଡର ପ୍ରତିଟି ମଣିଷ ଜନ୍ମମାତ୍ରେ ହିଁ ମାତୃଭୂମି ପ୍ରତି ସମର୍ପିତ। ଜନ୍ମଭୂମି ପାଇଁ ଜୀବନ ଦେବାକୁ ସେମାନେ ସଦା ପ୍ରସ୍ତୁତ। ଆଉ, ଦେଶପାଇଁ ଶତ୍ରୁ ବିରୋଧରେ ଲଢ଼ି ବୀରଗତି ପ୍ରାପ୍ତ ହେବା ତ ଅତୀବ ଗୌରବର ବିଷୟ ତାଙ୍କ ପାଇଁ। ଯେଉଁଥିପାଇଁ କି ପ୍ରାଣକୁ ବାଜି ଲଗାଇ ବୀର ବିକ୍ରମେ ଯୁଝୁଛନ୍ତି ଆମ ସେନା ସହିତ” – କହିଲେ ମହାମନ୍ତ୍ରୀ। ସେଇଠୁ ନିଜ ସେନାଙ୍କୁ ପଛକୁ ହଟାଇ ଆଣିଥିଲା ଫ୍ରାନ୍ସ। ବିଶିଷ୍ଟ ବିଦ୍ୱାନ ମାର୍ଟିନ ଲୁଥାରଙ୍କ ଭାଷାରେ “ କୌଣସି ଭୂଖଣ୍ଡର ଭାଗ୍ୟ ବା ଭବିଷ୍ୟତ ନିର୍ଭର କରେନା ସେ ଭୂମିର ସମ୍ପଦ ବା ସମୃଦ୍ଧି ଉପରେ ବରଂ ନିର୍ଭର କରେ ମାଟିର ମଣିଷଙ୍କ ମାନସିକତା ଉପରେ, ଲୋକ ଚରିତ୍ର ଉପରେ”। ଯାହାକି ପରିଦୃଷ୍ଟ ହୁଏ ସେ ଦିନର ହଲାଣ୍ଡ ବା ଆଜିର ନେଦରଲ୍ୟାଣ୍ଡ କ୍ଷେତ୍ରରେ। ପଶ୍ଚିମ ୟୁରୋପୀୟ କ୍ଷୁଦ୍ର ଦେଶଟିଏ ହେଉଛି ନେଦରଲ୍ୟାଣ୍ଡ। ଯାହାର ପୂର୍ବରେ ସମୃଦ୍ଧ ଜର୍ମାନୀ ଓ ପଶ୍ଚିମରେ ବେଲ୍‌ଜିୟମ ଅବସ୍ଥିତ।
ଆଜିର ଦିନରେ (୨୦୨୧ ମସିହା) ଲୋକସଂଖ୍ୟା କହିଲେ ମାତ୍ର ୧କୋଟି ୭୬ଲକ୍ଷ ପାଖାପାଖି ହେବ। ଅର୍ଥାତ ଓଡ଼ିଶାର ୧୦-୧୨ ଟି ଜିଲା ସହିତ ସମାନ; କିନ୍ତୁ ସୁଖ-ଶାନ୍ତି-ସମୃଦ୍ଧି-ସଫଳତାରେ ଆମଦେଶ ଠାରୁ କାହିଁ କେତେ ଆଗରେ। କୃଷିକ୍ଷେତ୍ର ହେଉ ଅବା କ୍ରୀଡାକ୍ଷେତ୍ର, ଗବେଷଣା ହେଉ ଅବା ଉଦ୍ଭାବନ, ସବୁକ୍ଷେତ୍ରରେ ତା’ର ପାରଦର୍ଶିତା ଖୁବ ପ୍ରଶଂସନୀୟ। ଏଇମାତ୍ର ସରିଥିବା ବିଶ୍ୱ ଅଲିମ୍ପିକ ପ୍ରତିଯୋଗିତାର ଫଳାଫଳ ହିଁ ତା’ ପରିଚୟ। ମାନେ, ପାରଦର୍ଶିତା ପୁସ୍ତିକାର ପ୍ରଥମ ପୃଷ୍ଠା। ଏଇଥିରୁ ଜାଣିହୁଏ ‘ଡଚ’ ଜାତିର ଜାତକକୁ। ୨୦୧୨ ମସିହାରେ ୬ଟି ସ୍ବର୍ଣ୍ଣ, ୬ଟି ରୋପ୍ୟ ସହ ୨୦ଟି ପଦକ ପାଇ ୧୩ତମ ସ୍ଥାନରେ ଏବଂ ୨୦୧୬ ମସିହାରେ ୮ଟି ସ୍ବର୍ଣ୍ଣ, ୭ଟି ରୋପ୍ୟ ସହ ୧୯ଟି ପଦକ ପାଇ ୧୧ତମ ସ୍ଥାନରେ ଥିଲା; କିନ୍ତୁ ଗତ ୨୦୨୦ ଅଲିମ୍ପିକରେ ୧୦ଟି ସ୍ୱର୍ଣ୍ଣ, ୧୨ଟି ରୋପ୍ୟ ସହ ୩୬ଟି ପଦକ ପାଇ ୭ମ ସ୍ଥାନରେ ଅଛି। ଅର୍ଥାତ୍‌ ଦିନକୁ ଦିନ ତା’ର ପ୍ରଦର୍ଶନ ଉନ୍ନତ ଓ ଉତ୍ସାହପ୍ରଦ ଭାବେ ବିଶ୍ୱ ତାଲିକାର ଶୀର୍ଷକୁ ଉଠି ଚାଲିଛି। ସେଭଳି ସ୍ଥଳେ ୧୩୫କୋଟି ଲୋକସଂଖ୍ୟାର ଦେଶ ଭାରତ ସର୍ବକାଳୀନ ରେକର୍ଡ ଭାଙ୍ଗି ମଧ୍ୟ ପଦକ ତାଲିକାରେ ଥିବା ୯୦ଟି ଦେଶ ମଧ୍ୟରୁ ୧ଟି ସ୍ବର୍ଣ୍ଣ, ୨ଟି ରୋପ୍ୟ ସହିତ ମୋଟ ୭ଟି ପାଇ ୪୮ତମ ସ୍ଥାନରେ ସନ୍ତୁଷ୍ଟ। ପାରା ଅଲିମ୍ପିକରେ ନେଦରଲ୍ୟାଣ୍ଡ ୨୫ଟି ସ୍ବର୍ଣ୍ଣ ସହ ମୋଟ ୫୯ଟି ପଦକ ପାଇ ଶୀର୍ଷ ୫ମ ସ୍ଥାନରେ ଥିଲାବେଳେ ଭାରତ ୫ଟି ସ୍ବର୍ଣ୍ଣ ସହ ୧୯ଟି ପଦକ ହାସଲ କରି ୨୪ତମ ସ୍ଥାନରେ। ଆଜିର ଦିନରେ ୩୩କୋଟିରୁ ଊର୍ଦ୍ଧ୍ବ ଲୋକସଂଖ୍ୟାର ଦେଶ ଯୁକ୍ତରାଷ୍ଟ୍ର ଆମେରିକା (୧୦୩ ଅଲିମ୍ପିକ ପଦକ) ଓ ୧୪୫କୋଟି ଲୋକଙ୍କ ଦେଶ ଚୀନ(ମୋଟ ୮୮ପଦକ)ର ଜନବଳ, ସମ୍ବଳ ଓ ସମ୍ପଦ ଦୃଷ୍ଟିରୁ ନେଦରଲ୍ୟାଣ୍ଡକୁ ତୁଳନା କଲେ, ନେଦରଲ୍ୟାଣ୍ଡ ସର୍ବାଗ୍ରେ ରହିବ। କେବଳ ସେତିକି ନୁହେଁ, ଫିଫା ବିଶ୍ୱକପ ଫୁଟବଲ ଫାଇନାଲକୁ ମଧ୍ୟ ଏହି ଦେଶ ୩ଥର ଉତ୍ତୀର୍ଣ୍ଣ ହୋଇଛି। ଏହିଭଳି ବିଶ୍ୱ କ୍ରୀଡା ପ୍ରତିଯୋଗିତାର ସାଫଲ୍ୟ ହିଁ ସୁଚାଇଥାଏ ଗୋଟେ ଜାତିର ମାଟିପ୍ରୀତିକୁ। ଯେଉଁଦେଶର କ୍ରୀଡା ନୈପୁଣ୍ୟତା ଯେତେ ଅଧିକ, ସେ ଦେଶ ସେତିକି ମାଟି ମନସ୍କ ଓ ଶୃଙ୍ଖଳିତ। କାରଣ କ୍ରୀଡା ହିଁ ଆମ ମଧ୍ୟେ ଦେଶପ୍ରେମକୁ ଉଜାଗର କରିବା ସହିତ ଆଗକୁ ଯିବାର ମନୋବୃତ୍ତି ବଢ଼ାଇଥାଏ। କ୍ରୀଡ଼ାକୁ ଛାଡି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହାର ସଫଳତା ଶୀର୍ଷମୁଖୀ। ଜ୍ଞାନ ପିପାସୁ ଏହି ଡଚ ବାସୀଙ୍କ ଅଧ୍ୟୟନ ଓ ଅଧ୍ୟବସାୟ ପ୍ରତି ଝୁଙ୍କ ଦେଖିଲେ ସ୍ୱତଃ ନଇଁଯାଏ ମଥା।
ଓଡ଼ିଶାର ପ୍ରାୟ ୧/୩ଅଂଶ ଲୋକସଂଖ୍ୟା ବିଶିଷ୍ଟ ଛୋଟ ଦେଶଟି ବିଜ୍ଞାନ ଓ ବୈଷୟିକ, ଅର୍ଥଶାସ୍ତ୍ର, ଶାନ୍ତି ଆଦି କ୍ଷେତ୍ରରେ ୨୧ଟି ନୋବେଲ ପୁରସ୍କାର ପାଇ ନିଜର ଗରିମାମୟ ଉପସ୍ଥିତିକୁ ଜାହିର କରି ପାରିଛି। ସମ୍ମାନଜନକ ଜି-୧୦, ନାଟୋ ଆଦିର ସଦସ୍ୟଥିବା ସମୃଦ୍ଧିଶାଳୀ ଏହି ଦେଶ ଆଜିର ଦିନରେ ସୁଖୀ-ଦେଶ ତାଲିକାର ଶୀର୍ଷ ୫ମ ସ୍ଥାନରେ ଥିବାବେଳେ ମାନବ-ବିକାଶ ସୂଚକାଙ୍କ ତାଲିକାରେ ୮ମ ସ୍ଥାନରେ ଅଛି। ଯେଉଁ ଦେଶର ସନ୍ତାନଗଣ ଅଧ୍ୟୟନ ଓ ଗବେଷଣା ପିପାସୁ ସେ ଦେଶ ଉଦ୍ଭାବନ, ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଆଗରେ ରହିବା ହିଁ ସ୍ୱାଭାବିକ। ସେଇଥିପାଇଁ ତ ସ୍ୱାଭିମାନୀ ଆତ୍ମନିର୍ଭରଶୀଳ ଏହି ଦେଶଟି ଆମଦାନୀ ଅପେକ୍ଷା ଅଧିକ ରପ୍ତାନି କରିଥାଏ। ୨୦୧୮ ମସିହାରେ ନେଦରଲ୍ୟାଣ୍ଡ ଥିଲା ବିଶ୍ୱର ସର୍ବାଧିକ ୨ୟ ଉତ୍ପାଦନକାରୀ ଦେଶ। ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଜିଉଥିବା ଏ ମଣିଷ, ସମାଜପ୍ରତି ଯେମିତି ସମର୍ପିତ, ସେମିିତି ବି ସଚେତନ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି। ସମୟାନୁବର୍ତ୍ତିତା ସହିତ ସମୟର ସଠିକ ଉପଯୋଗ ଓ ପରିଚାଳନା ତାଙ୍କ ସଫଳତାର ଅନ୍ୟ ଏକ ଦିଗ। ଶ୍ରମକାତର ଭାରତୀୟମାନେ ମାଗଣା ପାଇବା ପ୍ରବୃତ୍ତିରେ ସନ୍ତୁଷ୍ଟ ରହି ନିଜକୁ ଭାଗ୍ୟବାନ ମନେ କରୁଥିବାବେଳେ ସେମାନେ କିନ୍ତୁ ଏପ୍ରକାର ରୁଗ୍‌ଣ ମାନସିକତାରୁ ବହୁ ଦୂରରେ। ଆମେ ସମୟ ପାଇଲେ ଗୁଲି-ଖଟି, ତାସ-ପଶା, ପରଚର୍ଚ୍ଚା ଆଦିରେ ମଜ୍ଜି ରହୁଥିଲାବେଳେ ସେମାନେ କିନ୍ତୁ ଆନନ୍ଦ ପାଆନ୍ତି ନୂଆ ନୂଆ କଥା ଶିଖିବା-ଜାଣିବା ଅବା ନୂଆ କିଛି କରିବାରେ। ପ୍ରତିଟି ପ୍ରାଣର ପଣ “ମରିବୁ ତ ମାଟିପାଇଁ, ଜିଇବୁ ତ ଜାତିପାଇଁ”। ଏଣୁ ପିଲାବେଳୁ ଉଜ୍ଜୀବିତ ହୁଏ ଅମୃତ ଅଭିଳାଷ – ମୁଁ କ’ଣ କଲେ ମୋ ସମାଜ ଅଧିକ ସୁଖୀ ହେବ, ସମୃଦ୍ଧ ହେବ, ସୁନାମ ରଚିବ। ଦେଶର ସର୍ବାଙ୍ଗୀଣ ବିକାଶ ଓ ସୁଖକର ସହାବସ୍ଥାନ ପାଇଁ ୧୮୧୫ର ପୁରୁଣା ସମ୍ବିଧାନକୁ ଜଉମୁଦ ଭିତରେ ରଖି, ସମ୍ପୂର୍ଣ୍ଣ ନୂଆ ସମ୍ବିଧାନକୁ ୧୯୮୩ରୁ ଆପଣାଇ ବସିଲେ। ଯେଉଁଥିରେ ପ୍ରତିଟି ବ୍ୟକ୍ତିର ଦାୟିତ୍ୱ, କର୍ତ୍ତବ୍ୟ ଓ ପ୍ରତିବଦ୍ଧତାକୁ ସୂଚା ଯାଇଛି। ମାତ୍ର ଭାରତରେ ଆଜି ବି ପ୍ରଚଳିତ ୨୦୦ ବର୍ଷ ପୂର୍ବର ପୁରୁଣା ଆଇନ-କାନୁନ ଓ ମାଗି ଅଣା ସମ୍ବିଧାନ। ଯେଉଁଠି ବ୍ୟକ୍ତି ଜଣକ ଦେଶପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟକୁ କୋଣଠେସା କରି ଅଧିକାର ଜାହିର କରିବସେ ଅଧିକ ଏଠି। ସେ ଦେଶର ନାଗରିକଙ୍କ ପାଇଁ ପ୍ରଚଳିତ ନୂଆ ସମ୍ବିଧାନରେ ସ୍ପଷ୍ଟ ଉଲ୍ଲେଖ ଅଛି ଶ୍ରେଷ୍ଠ ଆଦର୍ଶ ଉକ୍ତି “ … I will maintain (ମୁଁ ବଜାୟ ରଖିବି)”। ଅର୍ଥାତ ଦେଶର ସୁଖ-ଶାନ୍ତି-ସଂସ୍କୃତି-ସମୃଦ୍ଧି ସବୁକୁ ମୁଁ ଅକ୍ଷୁଣ୍ଣ ରଖିବି। ମାଟିର ମାନ-ମର୍ଯ୍ୟାଦା, ଗୌରବ-ଗରିମା, ବିଧି-ବିଧାନ-ବିଭବ ଆଦି ସବୁ ବଜାୟ ରଖିବି। ଯେଉଁଥିପାଇଁ କି ସେ ଦେଶରେ ଅନ୍ୟାୟ, ଅନୀତି, ଅପକର୍ମ ଆଦି ଆମଦେଶ ଠାରୁ ଅନେକ କମ୍‌।
ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ପ୍ରତି ଦିନରେ ୩/୪ ଜଣ ହତ୍ୟା ବା ଦୁଷ୍କର୍ମରେ ଶିକାର ହେଉଥିଲା ବେଳେ ସଂସ୍କୃତି ଓ ନୈତିକତା ପ୍ରାଣ ନେଦରଲ୍ୟାଣ୍ଡରେ ଏ ପ୍ରକାର ଅପରାଧ ଅତ୍ୟନ୍ତ ନଗଣ୍ୟ। ତଥ୍ୟ ଅନୁଯାୟୀ ସେ ଦେଶରେ ବାର୍ଷିକ ଅପରାଧ ହାର ଶତକଡା ୦.୧। ଅର୍ଥାତ ପ୍ରତି ହଜାରେ ଲୋକରେ ହୁଏତ ଗୋଟେ ଅଧେ ଏମିତି ଅପରାଧ ହୋଇଥାଏ। ଅର୍ଥାତ ବିଶ୍ୱର ଅନ୍ୟତମ ଶାନ୍ତି ଓ ନିରାପଦର ଦେଶ ଭାବେ ସେ ଆଜି ସୁପରିଚିତ। ଏଭଳି ଏକ ଆଦର୍ଶମନା କ୍ଷୁଦ୍ର ଦେଶଠାରୁ ବୃହତ୍‌ ଭାରତର କିଛି ଶିଖିବା ହେଉ। ସଭିଙ୍କ ପ୍ରାଣରେ ଯଦି ଉଜ୍ଜୀବିତ ହୁଅନ୍ତା ରାଷ୍ଟ୍ର ଉତ୍ଥାନର ସଂକଳ୍ପ ମନ୍ତ୍ର “ମରିବୁ ତ ମାଟିପାଇଁ, ଜିଇବୁ ତ ଜାତିପାଇଁ” ତେବେ ଏ ଦେଶର ଦୁର୍ଭାଗ୍ୟ ଅପସରି ସୌଭାଗ୍ୟର ସୂର୍ଯ୍ୟ ହୁଏତ ଉଙ୍କି ମାରନ୍ତା।

ଉପେନ୍ଦ୍ର ବିଶ୍ବାଳ
ଗୋଡିଶୂଳ, ସଜନାଗଡ଼, ବାଲେଶ୍ବର
ଦୂରଭାଷ :୯୪୩୭୪୩୬୦୭୩,
unbiswal05@gmail. com

Comments are closed.