ମର୍ତ୍ତ୍ୟରୁ ନିଖୋଜ ମହାପୁରୁଷ !

ବିଶ୍ୱ ଓ ଦେଶର ଜନସଂଖ୍ୟା ସହିତ ତାଳ ଦେଇ ଧନୀ, ନିର୍ଦ୍ଧନଙ୍କ ସଂଖ୍ୟା ଓ ବ୍ୟବଧାନ ବି ବଢ଼଼ିଚାଲିଛି। ପୁଞ୍ଜିପତି, ବ୍ୟବସାୟୀଙ୍କ ସୁରକ୍ଷା ପାଇଁ, ଧନ ବଢ଼େଇବା ଲାଗି ନିଇତି ଆଇନ ଗଢ଼ା ହେଉଛି, ଭଙ୍ଗା ବି ହେଉଛି। ସେମାନଙ୍କ ସପକ୍ଷରେ ଓ ସମର୍ଥନରେ ସମସ୍ତେ ଅଛନ୍ତି; ହେଲେ ନିରୀହ, ଅସହାୟ ଓ ସାଧାରଣ ମଣିଷଙ୍କ ପାଇଁ ପାଟି ଖୋଲିବାକୁ କାହାର ସମୟ ନାହିଁ କି ଆଗ୍ରହ ନାହିଁ। ଯେଉଁ କେତେଜଣ ତଥାକଥିତ ସମାଜସେବୀ, ମହାନପୁରୁଷ, ଦେଶପ୍ରେମୀ ମୁହଁ ଖୋଲୁଛନ୍ତି, ସେମାନେ ଲୋକଙ୍କ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଦେଖୁଛନ୍ତି। ସ୍ୱାର୍ଥ ପୂରଣ ପାଇଁ ଅସହାୟଙ୍କୁ ଢାଲ କରୁଛନ୍ତି, ସେମାନଙ୍କ କାନ୍ଧରେ ଚଢ଼ି ଉପରକୁ ଉଠୁଛନ୍ତି। ଥରେ ଉପରକୁ ଉଠିଗଲା ପରେ ତଳେ ପଡ଼ିଥିବା ଦୁଃଖୀଙ୍କ କଥା, ଅବହେଳିତଙ୍କ କଥା ପାସୋରି ଦେଉଛନ୍ତି। ଆହା ପଦେ କହିବାକୁ କି ପିଠି ଥାପୁଡେଇ ଆଶ୍ୱାସନା ଟିକେ ଦେବାକୁ ସେମାନଙ୍କର ସମୟ ହେଉନି କି ଦେଖାମିଳୁନି। ଯେଉଁଥିପାଇଁ ସେମାନେ ଗାନ୍ଧୀ, ଗୋପବନ୍ଧୁଙ୍କ ପରି ମହାପୁରୁଷ ହୋଇପାରୁନାହାନ୍ତି। ପରାଧୀନ ଭାରତ ଅପେକ୍ଷା ସ୍ୱାଧୀନ ଭାରତରେ ମହାପୁରୁଷଙ୍କ ଅପେକ୍ଷା ମହାନପୁରୁଷଙ୍କ ସଂଖ୍ୟା ଢେର ବଢ଼଼ିଚାଲିଛି। ସେମାନେ ମୁହଁରେ, ଦେହରେ ଯେତେ ପ୍ରଲେପ ଲେପି, ଯେତେ ସଫେଦ ପାଇଜାମା ପିନ୍ଧି ଦେଖେଇ ହେଲେ ମଧ୍ୟ କେହି ତାଙ୍କୁ ମହାପୁରୁଷର ମାନ୍ୟତା ଦେଉନାହାନ୍ତି କି ମହାପୁରୁଷ ବୋଲି ସମ୍ବୋଧନ କରୁନାହାନ୍ତି।
ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ, ବିକାଶ ପାଇଁ ସାରା ଜୀବନ ନିଃସ୍ୱାର୍ଥପର ଭାବେ ସଂଗ୍ରାମ ଓ ଲଢ଼େଇ କରିଥିବା ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପରି ମହାପୁରୁଷଙ୍କୁ ବର୍ତ୍ତମାନ ସମାଜରେ ଆଉ ଦେଖିବାକୁ ମିଳୁନି। ସଂସଦରେ, ସଭାରେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶକୁ ମନେ ପକାଉଛନ୍ତି। ଅବର୍ତ୍ତମାନରେ ଖାଲି ସେମାନଙ୍କୁ ଝୁରି ହେଉଛନ୍ତି। ଆଖିରେ ଅମୃତାଞ୍ଜନ ମାରି ମିଛିମିଛିକା ଲୁହ ଗଡ଼଼ଉଛନ୍ତି। ଜୀବନରେ, କର୍ମରେ କେତେ ସେମାନଙ୍କ ଆଦର୍ଶ ପାଳନ କରୁଛନ୍ତି, ତାହା ନିଜର ଅନ୍ତରଆତ୍ମା ହିଁ କହିପାରିବ।
ମହାପୁରୁଷମାନେ ଲୋକଙ୍କ ଦୁଃଖ ଦେଖି ମ୍ରିୟମାଣ ହୋଇପଡୁଥିଲେ। ଶୟନେ ସପନେ ଲୋକଙ୍କ ଉନ୍ନତି କଥା ଚିନ୍ତା କରୁଥିଲେ। ସାଧାରଣ ଲୋକଙ୍କ ସୁଖଦୁଃଖରେ ସହଭାଗୀ ହେଉଥିଲେ। ସେମାନଙ୍କୁ ଦେଖିବା ପାଇଁ, ସେମାନଙ୍କ ମୁହଁରୁ ଦି’ପଦ କଥା ଶୁଣିବାକୁ ଲୋକେ ମାଇଲ ମାଇଲ ବାଟ ଛୁଟି ଆସୁଥିଲେ। ସଭା କି ସମିତିରେ ସେମାନେ କଥା ପଦେ କହିଦେଲେ ତାହା ବେଦର ଗାର ହୋଇଯାଉଥିଲା। ଲୋକେ ଚାକିରି ଛାଡି, ପତ୍ନୀ ଓ ପରିବାର ଛାଡି ସେମାନଙ୍କ ସହ ସାମିଲ ହେଉଥିଲେ। ସାଧାରଣଲୋକଙ୍କ ସ୍ୱାର୍ଥ ହାସଲ ପାଇଁ, ହକ୍‍ ହାସଲ ପାଇଁ ମହାପୁରୁଷମାନେ ନିଜ ସ୍ୱାର୍ଥ, ସୁବିଧା ଛାଡି ଲୋକଙ୍କ ସହ ଛିଡା ହେଉଥିଲେ। ଜେଲ ଯାଉଥିଲେ, ଚାବୁକ ପ୍ରହାର ଖାଉଥିଲେ ସିନା କିନ୍ତୁ ଲୋକଙ୍କ ସ୍ୱାର୍ଥ ପାଇଁ କେବେ ପଛଘୁଞ୍ଚା ଦେଉନଥିଲେ। ଆଖିରୁ ଲୁହ ଆଉ ଶରୀରରୁ ଲହୁ ନିଗାଡି ଦେଉଥିଲେ ସାଧାରଣ ମଣିଷଙ୍କ ପାଇଁ। ସେଇଥିପାଇଁ ତ ସେମାନେ ମହାପୁରୁଷ।
ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଶର ଅନେକ ବିକାଶ ଘଟିଛି। ଶିକ୍ଷାଠାରୁ ଆରମ୍ଭକରି ସୂଚନା ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ; ସବୁ କ୍ଷେତ୍ରରେ ଆମେ ଆଗେଇଥିଲେ ମଧ୍ୟ ଶିକ୍ଷିତ ସମାଜରୁ ମଣିଷପଣିଆଟା ଧୀରେ ଧୀରେ ଉଭେଇ ଯାଉଥିବା, ଦୂରେଇ ଯାଉଥିବା ଅନୁଭୂତ ହେଉଛି। ତା’ନିକଟରେ ଅମିଣଷପଣିଆଟା ତାକୁ କବଳିତ କରିଚାଲିଛି। ଶିକ୍ଷିତଙ୍କ ସଂଖ୍ୟା ବଢ଼଼ିଛି। ବଢ଼଼ିଛନ୍ତି ଧନୀ। ବଢ଼଼ିଛି ପ୍ରଭାବଶାଳୀଙ୍କ ତାଲିକା। କିଏ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ତ କିଏ ଦେଶର ପ୍ରଭାବୀଙ୍କ ଭିତରେ ବି ଗଣାହେଉଛନ୍ତି। ଏହି ପ୍ରଭାବୀ ମଣିଷମାନେ ସିନା ଶ୍ରେଷ୍ଠ ତାଲିକାରେ ସ୍ଥାନ ପାଉଛନ୍ତି, କିନ୍ତୁ ସାଧାରଣ ମଣିଷର ହୃଦୟରେ ସ୍ଥାନ ପାଇପାରୁନାହାନ୍ତି କି ରହିପାରୁନାହାନ୍ତି। ସେମାନଙ୍କ କ୍ଷମତା, ଅର୍ଥ, ପ୍ରତିପତ୍ତି ସାଧାରଣ ମଣିଷକୁ ପ୍ରଭାବିତ କରିପାରୁନାହିଁ। ଯେଉଁଥିପାଇଁ ଅନେକ ନେତା, ମନ୍ତ୍ରୀ, ବିତ୍ତଶାଳୀ ମଣିଷ ସାଧାରଣ ମଣିଷର ମାନସପଟରୁ ମୁହୂର୍ତ୍ତଟେ ଉଭା ହୋଇ ପୁଣି ହଜିଯାଉଛନ୍ତି। ଆକାଶରେ ଦୃଶ୍ୟମାନ ଧୂମକେତୁ ପରି। ଆକାଶରେ ଧୂମକେତୁକୁ ଦେଖିବା ପାଇଁ ଗାଁ ଗହଳିରେ ପିଲା ରୁଣ୍ଡ ହୁଅନ୍ତି। ଧୂମକେତୁ ଧୂମକେତୁ ବୋଲି ଜୋରରେ ପାଟିକରନ୍ତି। କେଇ ମୁହୂର୍ତ୍ତ ପାଇଁ ଗାଁ ଦାଣ୍ଡ କୋଳାହଳମୟ ହୋଇପଡେ; କିନ୍ତୁ ମୁହୂର୍ତ୍ତକ ପରେ ଧୂମକେତୁ ଉଭେଇ ଗଲା ପରେ ପିଲାଙ୍କ କୋଳାହଳ ବି ଥଣ୍ଡା ପଡ଼ିଯାଏ। ଚନ୍ଦ୍ର ନିରନ୍ତର ଭାବେ ଶୀତଳ ଆଲୋକ ଦେଇଚାଲିଛି। ସେ ଧୂମକେତୁ ପରି ହଠାତ୍‍ ଉଭା ହୋଇ ପୁଣି ଅଦୃଶ୍ୟ ହେଉନାହିଁ। ସେଥିପାଇଁ ଚନ୍ଦ୍ର ସବୁବେଳେ, ସବୁକାଳେ ସମସ୍ତଙ୍କର ପ୍ରିୟ ହୋଇରହିଛି। ଧୂମକେତୁ ଓ ଚନ୍ଦ୍ର ପରି ବର୍ତ୍ତମାନ ମହାନପୁରୁଷ ଓ ମହାପୁରୁଷଙ୍କ ଅବସ୍ଥା। ମହାପୁରୁଷଙ୍କ ଉଜ୍ଜ୍ୱଳ ଆଲୋକ ସବୁକାଳେ ସବୁ ସମୟରେ ସମାଜକୁ, ସଭ୍ୟତାକୁ, ମଣିଷଙ୍କୁ ଦିଗଦର୍ଶନ ଦେଇଚାଲିଛି। ଚନ୍ଦ୍ରର ନିରନ୍ତର ଆଲୋକ ପରି ମହାପୁରୁଷଙ୍କ କର୍ମ ଓ କାର୍ଯ୍ୟ ଆଗାମୀ ପିଢ଼ି ପାଇଁ ସେମିତି ଆଲୋକବର୍ତ୍ତିକା ହୋଇରହିଥିବ। ସେମାନଙ୍କ ଅକ୍ଷୟ କୀର୍ତ୍ତି ଓ କୃତୀ କେବେ ବି ମଳିନ ପଡ଼ିବ ନାହିଁ। ପୁରୁଣା ସୁନା ଯେପରି ଅଧିକ ଚିକ୍‍ ଚିକ୍‍ କରେ, ଠିକ୍‌ ସେହିପରି ସମୟ ଗଡ଼଼ିବା ସହିତ ସେମାନେ ବି ସେମିତି ଚିକ ଚିକ କରୁଥିବେ।
ବର୍ତ୍ତମାନ ବ୍ୟକ୍ତିକେନ୍ଦ୍ରିକ, ସ୍ୱାର୍ଥକେନ୍ଦ୍ରିକ ସମାଜରେ ମହାପୁରୁଷ ସୃଷ୍ଟି ହୋଇପାରୁନାହାନ୍ତି। ସତେ ଯେମିତି ମର୍ତ୍ତ୍ୟରୁ ମହାପୁରୁଷ ନିଖୋଜ ହୋଇଯାଇଛନ୍ତି। ଆନ୍ଦୋଳନ, ସତ୍ୟାଗ୍ରହ ପଛରେ ବ୍ୟକ୍ତି ଓ ଗୋଷ୍ଠୀ ସ୍ୱାର୍ଥ ଅଧିକ ଲୁଚି ରହୁଛି। ସାଧାରଣଲୋକେ ସେମାନଙ୍କୁ ଗୋଟାପଣେ ବିଶ୍ୱାସକୁ ନେଇ ପାରୁନାହାନ୍ତି କି ନିଜର ବୋଲି ଭାବିପାରୁନାହାନ୍ତି। ବିନା ଅର୍ଥରେ ବିନା ସ୍ୱାର୍ଥରେ ମହାପୁରୁଷମାନେ ଯେଉଁ କାର୍ଯ୍ୟ କରୁଥିଲେ, ଯେଉଁ ସଫଳତା ସାଉଁଟୁଥିଲେ ବର୍ତ୍ତମାନ ତଥାକଥିତ ଶିକ୍ଷିତ ବୁଦ୍ଧିଜୀବୀ, ସମାଜସେବୀ, ଆନ୍ଦୋଳନକାରୀ ତାହା ସାଉଁଟି ପାରୁନାହାନ୍ତିି କି ସମସ୍ତଙ୍କର ନିଜର ହୋଇପାରୁନାହାନ୍ତି। ଯେଉଁଥିପାଇଁ ସେମାନେ ମହାତ୍ମା କି ମହାପୁରୁଷ ଆଖ୍ୟା ପାଇପାରୁନାହାନ୍ତି। ସେମାନଙ୍କ ଅବର୍ତ୍ତମାନରେ ଆମେ ଦୁଃଖରେ, କଷ୍ଟରେ, ଯନ୍ତ୍ରଣାରେ କେବଳ ସେମାନଙ୍କୁ ସ୍ମରଣ କରୁଛୁ ସିନା, କିନ୍ତୁ ସେମାନଙ୍କ ପରି ଜଣେ ଜଣେ ମହାପୁରୁଷ ସୃଷ୍ଟି ପାଇଁ ସଚେତନ ମଣିଷ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଆଗାମୀ ଶତାବ୍ଦୀରେ ମହାପୁରୁଷ ସୃଷ୍ଟି ହେବା ନ ହେବା କେବଳ ସମୟ ହିଁ ମୂକସାକ୍ଷୀ ରହିବ।

ସୁରେନ୍ଦ୍ର ପଲାଇ
ପିପଳ, ଭୁତମୁଣ୍ଡାଇ, ଜଗତସିଂହପୁର
ଦୂରଭାଷ:୯୮୬୧୦୬୮୪୪୧

Comments are closed.