ଓଡ଼ିଆରେ ବୈଷୟିକ ଶିକ୍ଷା ପାଇଁ ପ୍ରାକ୍‌ ପ୍ରସ୍ତୁତି

ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀର ସାଞ୍ଚିସ୍ତୂପ, ବିହାରସ୍ଥିତ ଖ୍ରୀଷ୍ଟପୂର୍ବ ୧୦୮ର ମୁଣ୍ଡେଶ୍ୱରୀ ଦେବୀ ମନ୍ଦିର, ୧ମ ଶତାବ୍ଦୀର ପୁଷ୍କର ମନ୍ଦିର, ୭ମ ଶତାବ୍ଦୀର ହାମ୍ପି ମନ୍ଦିର, ୮ମ ଶତାବ୍ଦୀର ମହାବଳୀପୁରମ୍‌ ମନ୍ଦିର, ୧୦ମ ଶତାବ୍ଦୀର ମୁକ୍ତେଶ୍ୱର ମନ୍ଦିର, ୧୧ଶ ଶତାବ୍ଦୀର ଦିଲୱାରା ମନ୍ଦିର ଓ ଲିଙ୍ଗରାଜ ମନ୍ଦିର, ୧୨ଶ ଶତାବ୍ଦୀର ଜଗନ୍ନାଥ ମନ୍ଦିର, ୧୩ଶ ଶତାବ୍ଦୀର କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଭାରତର ସହସ୍ରାଧିକ ମନ୍ଦିର କାଳର କରାଳ ପ୍ରଭାବକୁ ପ୍ରତିହତ କରି ଶତାଧିକ ବର୍ଷ ପରେ ମଧ୍ୟ ଅଦ୍ୟାବଧି ଦୃଢ ଭାବେ ଦଣ୍ଡାୟମାନ ଅଛନ୍ତି। ଏଗୁଡିକ କେବଳ ଆମର ସଭ୍ୟତା, ସଂସ୍କୃତିର ପରିଚାୟକ ନୁହନ୍ତି, ବୈଷୟିକ ବିଦ୍ୟାରେ ଆମ ଉତ୍କର୍ଷତାର ଜୀବନ୍ତ ପ୍ରତୀକ ମଧ୍ୟ। ଇଂରାଜୀ ଭାଷା, ୟୁରୋପୀୟ ବୈଷୟିକ ବିଦ୍ୟା, ମିଟର-କେଜି-ସେକେଣ୍ଡ ଭଳି ପରିମାପକ ବ୍ୟବସ୍ଥାର ପ୍ରଚଳନର ଶତାଧିକ ବର୍ଷ ପୂର୍ବରୁ ଏସବୁ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ବୃହଦାକାର ଦୀର୍ଘସ୍ଥାୟୀ ସଂରଚନାର ନିର୍ମାଣ ସମ୍ଭବ ହୋଇ ପାରିଥିଲା। ଆର୍ଯ୍ୟଭଟ୍ଟ, ଭାସ୍କର, ବରାହମନ୍ଦିର, ଲଳିତା, ଚରକ, ଶୁଶ୍ରୁତ, ଚାଣକ୍ୟ, କୌଟିଲ୍ୟ ଆଦି ଇଂରାଜୀ ପଢି ନଥିଲେ ମାତ୍ର ସ୍ୱୀୟ କ୍ଷେତ୍ରରେ ସର୍ବଶ୍ରେଷ୍ଠ ହୋଇ ପାରିଥିଲେ। ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ୧୧୮ଜଣଙ୍କ ମଧ୍ୟରୁ ୮୯ଜଣ ଅଣଇଂରାଜୀ ସାହିତ୍ୟ ରଚନା କରି ଏହି ଅନ୍ତର୍ଜାତୀୟ ସମ୍ମାନ ପାଇପାରିଛନ୍ତି। ୧୯୦୧ରେ ପଦାର୍ଥ ବିଜ୍ଞାନର ପ୍ରଥମ ନୋବେଲ ବିଜେତା ୱିଲହେମ୍‍ କନ୍‍ରାଡ ରେଣ୍ଟଜେନ୍‍ଙ୍କ ଠାରୁ ନେଇ ୨୦୨୧ର ବିଜେତା ଜର୍ଜିଓ ପ୍ୟାରିସି ଓ ସ୍ୟୁକୁରୋ ମାନାବେଙ୍କ ପର୍ଯ୍ୟନ୍ତ ବହୁ ପଦାର୍ଥ ବିଜ୍ଞାନୀଙ୍କ ପାଠପଢା ଅଣଇଂରାଜୀ ଭାଷାରେ ହୋଇଛି। ଏସବୁ ତଥ୍ୟର ସାର ହେଉଛି ଇଂରାଜୀ ଭାଷାକୁ ଛାଡି ବୈଷୟିକ ଶିକ୍ଷା ବା ଉଚ୍ଚଶିକ୍ଷା ଅସମ୍ଭବ ବୋଲି ଯେଉଁ ବଦ୍ଧମୂଳ ଧାରଣା ଆମ ଉପରେ ଲଦା ହୋଇଛି ତାହା ଯେ ସଂପୂର୍ଣ୍ଣ ଠିକ୍‍, ସେ କଥା ଆଦୌ ନୁହେଁ।
ନୂତନ ଜାତୀୟ ଶିକ୍ଷାନୀତି ଭାରତୀୟ ଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିଛି। ୨୦୨୧ ମସିହାରେ ମୋଟ ୨୦ଟି ବୈଷୟିକ ମହାବିଦ୍ୟାଳୟକୁ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ବଙ୍ଗାଳୀ ଓ ମରାଠୀ ଭାଷାରେ ବୈଷୟିକ ପାଠ୍ୟକ୍ରମ ପାଇଁ ଅନୁମୋଦନ ମିଳିଛି। ତେଣୁ ଓଡ଼ିଆରେ ମଧ୍ୟ ବୈଷୟିକ ଶିକ୍ଷା ପ୍ରଦାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାତ୍ର ଆମ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଓଡ଼ିଆ ଭାଷାର ସ୍ଥିତି ଯେଉଁପରି ରହିଛି ସେଭଳି ପରିସ୍ଥିତିରେ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ପ୍ରଚଳିତ ଧାରାଗୁଡିକୁ ଓଡ଼ିଆକୁ ପରିବର୍ତ୍ତନ ନକରି କେବଳ ବୈଷୟିକ ପାଠ୍ୟକ୍ରମ ଓଡ଼ିଆରେ ପ୍ରଦାନ କରାଗଲେ, ସେଭଳି ପାଠ୍ୟକ୍ରମ ସଫଳ ହେବାର ସମ୍ଭାବନା ଖୁବ୍‍ କ୍ଷୀଣ। ଓଡ଼ିଆ ଭାଷାରେ ହେଉଥିବା କେତୋଟି ପରୀକ୍ଷାର ପରିସଂଖ୍ୟାନକୁ ତର୍ଜମା କଲେ ଓଡ଼ିଆରେ ବୈଷୟିକ ଶିକ୍ଷାର ଭବିଷ୍ୟତ କଳନା କରି ଉପଯୁକ୍ତ ପଦକ୍ଷେପ ନେବା ସୁବିଧାଜନକ ହେବ।
ଡାକ୍ତରୀ ପାଠ ପଢିବା ପାଇଁ ଆବଶ୍ୟକ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ବା ନିଟ୍‍-୨୦୧୭ର ପ୍ରଶ୍ନପତ୍ର ଇଂରାଜୀ ଓ ହିନ୍ଦୀ ସହିତ ଆଉ ୭ଟି ଭାରତୀୟ ଭାଷାରେ କରିବାର ଘୋଷଣା ପରେ ଓଡ଼ିଶାରେ କିଛିଟା ପ୍ରତିକ୍ରିୟା ପ୍ରକାଶ ପାଇବା ଯୋଗୁଁ ଓଡ଼ିଆ ଭାଷାରେ ମଧ୍ୟ ନିଟ୍‍ ପରୀକ୍ଷା ହେଲା ସତ; ମାତ୍ର ଫଳାଫଳ ନିରୁତ୍ସାହଜନକ ରହିଲା। ଓଡ଼ିଶାର ମୋଟ୍‍ ୨୯,୪୭୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୪୫୨ଜଣ ଓଡ଼ିଆରେ ପରୀକ୍ଷା ଦେଲେ। ୨୦୧୮ରେ ଓଡ଼ିଶାର ନିଟ୍‍ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩୨,୫୨୨କୁ ବୃଦ୍ଧି ପାଇଲା ଅଥଚ ଓଡ଼ିଆ ପ୍ରଶ୍ନପତ୍ର ବାଛିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଲଜ୍ଜାଜନକ ଭାବେ ୨୭୯(୦.୮୦%)କୁ ଖସି ଆସିଥିଲା। ୨୦୧୭ ତୁଳନାରେ ୨୦୧୮ରେ ଅନ୍ୟ ଭାଷାରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲାବେଳେ କେବଳ ଓଡ଼ିଆ ଓ ବଂଗଳା ଭାଷାରେ ସଂଖ୍ୟା କମିଥିଲା। ମାତ୍ର ବଙ୍ଗଳା ଭାଷାର ପରୀକ୍ଷାର୍ଥୀଙ୍କ ସଂଖ୍ୟା(୨୭,୪୩୭) ଓ ପ୍ରତିଶତ(୪୬.୨%) ଓଡ଼ିଆ ତୁଳନାରେ ଖୁବ୍‍ ଅଧିକ। ଏଥିରେ ହିନ୍ଦୀ ପାଇଁ ୧, ୪୬, ୫୪୨; ଗୁଜୁରାଟୀ ପାଇଁ ୫୭, ୨୯୯; ତାମିଲ ପାଇଁ ୨୪, ୭୨୦; ଅହମୀୟା ପାଇଁ ୩,୮୪୮ ଜଣ ଭଳି ବୃହତ୍‌ ସଂଖ୍ୟାରେ ପଞ୍ଜୀକରଣ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ପରୀକ୍ଷା ପାଇଁ ଓଡ଼ିଆ ଭାଷା ଚୟନର ଅର୍ଥ ହେଉଛି ପ୍ରଶ୍ନଗୁଡିକ ଓଡ଼ିଆରେ ହେବା ସହିତ ଇଂରାଜୀରେ ମଧ୍ୟ ମୁଦ୍ରିତ ହୋଇଥିବ। ତଥାପି ଏଭଳି ବିତୃଷ୍ଣା ଭାବ! ଆଉ ଯଦି କେବଳ ଓଡ଼ିଆ ଭାଷାରେ ପ୍ରଶ୍ନ ଆସୁଥାନ୍ତା ତେବେ ବୋଧହୁଏ ଓଡ଼ିଆଭାଷା ଚୟନ କରୁଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଶୂନ୍ୟ ହେଉଥାନ୍ତା।
ନିଟ୍‍-୨୦୨୦ ପାଇଁ ଓଡ଼ିଶାର ୩୮,୪୯୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୮୨୨ଜଣ ଇଂରାଜୀ ସହିତ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ପାଇଁ ପଞ୍ଜୀକରଣ କରିଥିଲେ। ମୋଟ ୧୧ଟି ଭାଷା ମଧ୍ୟରୁ ଓଡ଼ିଆ ହେଉଛି ଏକମାତ୍ର ଭାଷା ଯାହାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ତିନି ଅଙ୍କ ମଧ୍ୟରେ ସୀମିତ। ଅନ୍ୟ ସମସ୍ତ ଭାଷା ପାଇଁ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୪ରୁ ୬ଅଙ୍କ ବିଶିଷ୍ଟ (ହିନ୍ଦୀ-୨,୦୪,୩୯୯; ଗୁଜୁରାଟୀ-୫୯,୦୫୫; ବଙ୍ଗଳା-୩୬,୫୯୩; ତାମିଲ-୧୭,୧୦୧; ମରାଠୀ-୬,୨୫୮; ଅହମୀୟା-୫,୩୨୮)। ନିଟ୍‍-୨୦୨୧ର ପରିସଂଖ୍ୟାନ ମିଳି ପାରିନାହିଁ। ତେବେ ପରୀକ୍ଷାରେ ଭାଷା ସଂଖ୍ୟା ୧୧ରୁ ୧୩କୁ ବୃଦ୍ଧି ପାଇଛି ଏବଂ ଆଞ୍ଚଳିକ ଭାଷା ଚୟନ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩.୪ ଲକ୍ଷକୁ ବୃଦ୍ଧି ପାଇଛି। ପୂର୍ବ ବର୍ଷ ପରି ହିନ୍ଦୀ, ଗୁଜୁରାଟୀ, ବଙ୍ଗାଳୀ ଓ ତାମିଲ ସର୍ବାଧିକ ଚୟନିତ ଭାଷା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିପାରି ଥିବାବେଳେ କ୍ରମାଗତ ଭାବେ ଓଡ଼ିଆ ସର୍ବନିମ୍ନ ସ୍ଥାନରେ ରହିଆସିଛି।
ଓଡ଼ିଆ ଭାଷାର ଏପରି ସ୍ଥିତି କେବଳ ବୈଷୟିକ ପରୀକ୍ଷାରେ ନୁହେଁ, ସଂଘୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରମୁଖ ପରୀକ୍ଷା ବେସାମରିକ ସେବା ବା ସିଭିଲ ସର୍ଭିସେସ୍‍ ପରୀକ୍ଷାରେ ମଧ୍ୟ ସମାନ ଅବସ୍ଥା। ଏହି ପରୀକ୍ଷା ଓଡ଼ିଆ ସମେତ ୨୩ଟି ଭାରତୀୟ ଭାଷା ଓ ଇଂରାଜୀ ମୋଟ ୨୪ଟି ଭାଷାରେ ଦେଇ ହେବ। ୨୦୧୭ ମସିହାରେ ଏହାର ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିବା ମୋଟ୍‍ ୧୩,୦୫୨ ଜଣଙ୍କ ମଧ୍ୟରୁ ୧୦୬୮ଜଣ ହିନ୍ଦୀ, ୯୨ଜଣ ଗୁଜୁରାଟୀ, ୮୭ଜଣ ମରାଠୀ, ୨୮ଜଣ ତାମିଲ, ୧୬ଜଣ ତେଲୁଗୁ ଭାଷାରେ ଉତ୍ତର ଲେଖିଥିବା ବେଳେ ଓଡ଼ିଆରେ ମାତ୍ର ଜଣେ ଲେଖିଥିଲେ। ୨୦୧୮ ଓ ୨୦୧୯ ମସିହାରେ ଆସାମ ବ୍ୟତୀତ ଅନ୍ୟ ସମସ୍ତ ମଧ୍ୟମ ଓ ବଡ ରାଜ୍ୟର ଭାଷାରେ ପରୀକ୍ଷାର୍ଥୀମାନେ ଉତ୍ତର ଲେଖିଥିଲାବେଳେ କେହି ଜଣେ ବି ଓଡ଼ିଆ ମାଧ୍ୟମରେ ଏହି ସମ୍ମାନଜନକ ପରୀକ୍ଷା ଦେଇନଥିଲେ। ଏହା ଓଡ଼ିଶା ଭଳି ଏକ ପୂର୍ବତନ କ-ଶ୍ରେଣୀୟ ବଡରାଜ୍ୟ ତଥା ଅବିଭକ୍ତ ଭାରତର ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟର ପ୍ରମୁଖ ଭାଷା ପାଇଁ ଲଜ୍ଜାଜନକ ନିଶ୍ଚୟ। ସେହିପରି ଏହି ପରୀକ୍ଷାରେ ୪୯ଟି ଇଚ୍ଛାଧୀନ ବିଷୟ (୨୪ଟି ଭାଷା ସାହିତ୍ୟ +୨୫ଟି ଅଣସାହିତ୍ୟ ବିଷୟ) ମଧ୍ୟରୁ ଯେ କୌଣସି ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ହୁଏ। ୨୦୧୭ମସିହାରେ ହିନ୍ଦୀ ସାହିତ୍ୟରେ ୨୬୭ଜଣ, କନ୍ନଡରେ ୧୧୫, ଗୁଜୁରାଟୀରେ ୧୦୧, ମାଲାୟଲାମରେ ୧୧୧, ତାମିଲରେ ୧୦୭, ମୈଥିଳୀରେ ୭୮, ତେଲଗୁରେ ୭୨, ସଂସ୍କୃତ ୭୦, ପଞ୍ଜାବୀରେ ୩୯, ଉର୍ଦୁରେ ୨୬ଜଣ ଉତ୍ତର ଲେଖିଥିବା ବେଳେ ଓଡ଼ିଆ ସାହିତ୍ୟରେ ମାତ୍ର ୫ଜଣ ଲେଖିଥିଲେ। ଏହି ସଂଖ୍ୟା ୨୦୧୮ରେ ୪ଜଣକୁ ଓ ୨୦୧୯ରେ ୩ ଜଣକୁ ହ୍ରାସ ପାଇଥିଲା। ଉପରୋକ୍ତ ୨ଟି ପରିସଂଖ୍ୟାନକୁ ଏକତ୍ର ଦେଖିଲେ ବୁଝିହେବ ଯେ ଓଡ଼ିଆ ଭାଷା ସାହିତ୍ୟକୁ ଇଚ୍ଛାଧୀନ ବିଷୟ ଭାବେ ଚୟନ କରିଥିବା ପରୀକ୍ଷାର୍ଥୀମାନେ ରଚନା, ସାଧାରଣଜ୍ଞାନ ଭଳି ଅନ୍ୟ ବିଷୟଗୁଡିକୁ ଇଂରାଜୀ ଭାଷାରେ ଦେଉଛନ୍ତି। ଏଥିରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଓଡ଼ିଆ ପ୍ରୀତି ଅନୁମେୟ।
ଉପରୋକ୍ତ ପରିସଂଖ୍ୟାନରୁ ଓଡ଼ିଆ ଭାଷା ପ୍ରତି ଯେଉଁ ବିତୃଷ୍ଣା ଭାବ ପରିଲକ୍ଷିତ ହେଉଛି, ତାର କାରଣ ଖୋଜିଲେ ଏୟା ମିଳିବ ଯେ – ଏ ସବୁ ପରୀକ୍ଷାର ପୂର୍ବାପର ପର୍ଯ୍ୟାୟଗୁଡିକରେ ଓଡ଼ିଆ ଭାଷାର ପ୍ରୟୋଗ ନାହିଁ। +୨ ବିଜ୍ଞାନ ପାଠ୍ୟକ୍ରମ ଓ ଭେଷଜ ପାଠ୍ୟକ୍ରମ ଓଡ଼ିଆରେ ନାହିଁ। ତତ୍‍ପରବର୍ତ୍ତୀ ସରକାରୀ ଚାକିରି ଓ ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଭାଷାର ପ୍ରୟୋଗ ପ୍ରଚଳନ ପ୍ରାୟ ନାହିଁ। ବେସାମରିକ ସେବା ପରୀକ୍ଷାର ଉଭୟ ପାର୍ଶ୍ବରେ ମଧ୍ୟ ସମାବସ୍ଥା। ଏଣୁ ଓଡ଼ିଆରେ ବୈଷୟିକ ପାଠ୍ୟକ୍ରମ ପ୍ରଚଳନ କଲେ, ତା’ସହିତ ସଂପୃକ୍ତ ସମସ୍ତ କ୍ଷେତ୍ରରେ ଓଡ଼ିଆ ପ୍ରଚଳନ କରିବାକୁ ହେବ। ଉଚ୍ଚ ମାଧ୍ୟମିକ ସ୍ତରର ବିଜ୍ଞାନ ଶିକ୍ଷା ଓଡ଼ିଆରେ କରିବା ସହିତ ରାଜ୍ୟ ସ୍ତରର ମିଳିତ ପ୍ରବେଶିକା ପରୀକ୍ଷା, କୃଷି ବିଶ୍ୱବିଦ୍ୟାଳୟ ପାଇଁ ଆୟୋଜିତ ପ୍ରବେଶିକା ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ପରବର୍ତ୍ତୀ ସମସ୍ତ ପରୀକ୍ଷାକୁ ଓଡ଼ିଆରେ କରେଇବାକୁ ହେବ। ପରୀକ୍ଷା ପାଇଁ ବିଜ୍ଞାପନ, ଫର୍ମ ପୂରଣ, ପ୍ରବେଶ ପତ୍ର, ଫଳାଫଳ, ନାମଲେଖା ଇତ୍ୟାଦି କେବଳ ଓଡ଼ିଆରେ ହେଉ। ସେହିପରି ପାଠପଢ଼ା ସରିବା ପରେ ଚାକିରି ପାଇଁ ଲୋକସେବା ଆୟୋଗ, କର୍ମଚାରୀ ପ୍ରବରଣ ଆୟୋଗ, ଅଧସ୍ତନ କର୍ମଚାରୀ ପ୍ରବରଣ ଆୟୋଗ ଭଳି ସମସ୍ତ ପରୀକ୍ଷକ ସଂସ୍ଥା ଚାକିରି ସଂପର୍କିତ ସେମାନଙ୍କ ସମସ୍ତ ପ୍ରକ୍ରିୟା କେବଳ ଓ କେବଳ ଓଡ଼ିଆ ଭାଷାରେ କରନ୍ତୁ। ଏ ସବୁ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ଯୋଗ୍ୟତା ୭ମ ଶ୍ରେଣୀ ସ୍ତରର ଓଡ଼ିଆ ଭାଷା ଜ୍ଞାନ ରହିଥିବାରୁ ଏ ସମସ୍ତ ପର୍ଯ୍ୟାୟରେ ଇଂରାଜୀର ଆଦୌ ଆବଶ୍ୟକତା ନାହିଁ। ଦ ଓଡ଼ିଶା ଅଫିସିଆଲ ଲାଙ୍ଗୁଏଜ୍‍ ଆକ୍ଟ,୨୦୧୮ ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାର ନିୟମ ରହିଛି। ପରୀକ୍ଷା ପରେ ଚାକିରି କ୍ଷେତ୍ରରେ ନିଯୁକ୍ତି ପତ୍ର, କାର୍ଯ୍ୟରେ ଯୋଗଦାନ ସଂପର୍କିତ କାଗଜପତ୍ର, ନଥି, ଚିଠିପତ୍ର, ନିବିଦା ବିଜ୍ଞାପନ, ବିଭିନ୍ନ ସାମଗ୍ରୀ କ୍ରୟ ପାଇଁ ବିଜ୍ଞାପନ, ଠିକା ପ୍ରସ୍ତାବ, ବିସ୍ତୃତ ପ୍ରକଳ୍ପ ବିବରଣୀ ଇତ୍ୟାଦି ଓଡ଼ିଆରେ ହେଲେ ଓଡ଼ିଆ ଭାଷାର ବ୍ୟବହାର ଓ ଚାହିଦା ବୃଦ୍ଧି ପାଇବା ସହିତ ଭାଷା ସବଳ ହେବ, ଯାହା ଜ୍ଞାନର ବୋଝକୁ ଉଠାଇବାରେ ସହାୟକ ହେବ। ଏ ସମସ୍ତ ପାରିପାର୍ଶ୍ବିକ କାର୍ଯ୍ୟ ଓଡ଼ିଆରେ ହେଉଥିବାର ଦେଖିଲେ ବିଦ୍ୟାର୍ଥୀମାନଙ୍କର ଓଡ଼ିଆ ଭାଷା ପ୍ରତି ସମ୍ମାନ ଓ ଆଦର ସ୍ୱତଃ ବୃଦ୍ଧି ପାଇବ ଓ ଓଡ଼ିଆରେ ବୈଷୟିକ ପାଠ୍ୟକ୍ରମ ସଫଳ ହୋଇପାରିବ। ଏହାଦ୍ୱାରା ଅନ୍ୟ ଏକ ଲାଭ ହେବ ଯେ – ଓଡ଼ିଆରେ ଠିକା ବିଜ୍ଞାପନକୁ ପଢିବା, ବୁଝିବା ଓ ଆବେଦନ କରିବା ପାଇଁ ଘରୋଇ କମ୍ପାନୀ, ଉତ୍ପାଦକ ଓ କର୍ମକର୍ତ୍ତାମାନେ ଓଡ଼ିଆ ଭାଷା ସାହିତ୍ୟ ସ୍ନାତକଧାରୀଙ୍କୁ ଭାଷା ଅଧିକାରୀ ଭାବେ ନିଯୁକ୍ତି ଦେବା ଆରମ୍ଭ କରିବେ, ଯାହା ପ୍ରକାରାନ୍ତରେ ଆମ ଭାଷାକୁ ସମୃଦ୍ଧ ଓ ପ୍ରସ୍ଫୁଟିତ କରିବ।

ସତ୍ୟଜିତ ନାୟକ
କାମାଖ୍ୟାନଗର, ​‌​‌ଢେଙ୍କାନାଳ
ଦୂରଭାଷ:୯୪୩୭୬୫୩୨୬୦

Comments are closed.