ଡ.ପ୍ରଭାସ ଆଚାର୍ଯ୍ୟ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ

କଟକ: ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀଭାବେ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ସର୍ବଭାରତୀୟ ସଭାପତି ଶ୍ରୀ ରାଜକୁମାର ଡ. ଆଚାର୍ଯ୍ୟଙ୍କୁ ଏହି ନୂତନ ପଦରେ ଅବସ୍ଥାପିତ କରିଛନ୍ତି। ଏଥିସହିତ ମୁଖ୍ୟ ପରିଚାଳକଙ୍କ ସମସ୍ତ ଦାୟିତ୍ୱ ତାଙ୍କୁ ନ୍ୟସ୍ତ କରାଯାଇଛି।

ପ୍ରକାଶ ଯେ, ଡ. ଆଚାର୍ଯ୍ୟ ମୟୂରଭଞ୍ଜ ଜିଲାର ବିଶୋୟୀଠାରେ ଜନ୍ମଗ୍ରହଣ କରିଥିଲେ। ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକୋତ୍ତର, ପିଏଚଡି ସହ ଗ୍ରାମ୍ୟ ବିକାଶ ଓ ଓଡ଼ିଆ ସାହିତ୍ୟରେ ମଧ୍ୟ ସେ ସ୍ନାତକୋତ୍ତର, ଡିଗ୍ରୀ ହାସଲ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ବିଶେଷଭାବେ ରାଜ୍ୟରେ ଶରୀର ଓ ଅଙ୍ଗଦାନ ସଚେତନତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ସେ ବେଶ୍‌ ସୁପରିଚିତ। ରେଳବାଇରେ ଇଞ୍ଜିନିୟରିଂ କାର୍ଯ୍ୟରୁ ସେ ସ୍ୱେଚ୍ଛାକୃତ ଅବସର ନେଇ ଲୋକସେବକ ମଣ୍ଡଳରେ ଯୋଗ ଦେଇଥିଲେ। ସମ୍ପ୍ରତି ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରିୟବ୍ରତ ମହାନ୍ତିଙ୍କୁ ‘ସମାଜ’ର ଯୁଗ୍ମ ମୁଖ୍ୟ ପରିଚାଳକଭାବେ ଅବସ୍ଥାପିତ କରାଯାଇଛି।

Comments are closed.