କରୋନା ସଂକ୍ରମିତ ସିଂହୀର ମୃତ୍ୟୁ, ୯ ଆକ୍ରାନ୍ତ

ଚେନ୍ନଇ: ହାଇଦରାବାଦ ପରେ ଏବେ ଚେନ୍ନଇ ଚିଡ଼ିଆଖାନାରେ ସିଂହ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଭାନ୍ଦାଲୁରସ୍ଥିତ ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ ପରେ ଏହି ସଂକ୍ରମଣ ସମ୍ପର୍କରେ ସୂଚନା ମିଳିଛି।

ସମ୍ପୃକ୍ତ ସିଂହୀଠାରେ କରୋନା ସଂକ୍ରମଣର ସମସ୍ତ ଲକ୍ଷଣ ପ୍ରକାଶ ପାଇଥିଲା। ଚିଡ଼ିଆଖାନାରେ ସମ୍ପ୍ରତି ୯ ସିଂହ ସଂକ୍ରମିତ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେବା ସହ ଚିଡ଼ିଆଖାନାକୁ ବନ୍ଦ କରି ଦିଆଯାଇଥିବା କହିଛନ୍ତି। ମେ ମାସରେ ହାଇଦରାବାଦର ନେହରୁ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ବନ୍ୟ ଜନ୍ତୁଙ୍କଠାରେ କରୋନା ଭୂତାଣୁ ଠାବ କରାଯାଇଥିଲା। ଏଥିରେ ୮ ସିଂହ ସଂକ୍ରମିତ ହୋଇଥିଲେ।

ସୂଚନାନୁଯାୟୀ, ଚେନ୍ନଇ ମହାନଗରୀ ସନ୍ନିକଟ ଭାନ୍ଦାଲୁର ଚିଡ଼ିଆଖାନାରେ ମୋଟ ୧୩ ସିଂହ ଅଛନ୍ତି। ସମସ୍ତଙ୍କର ନମୁନା ପରୀକ୍ଷା ପାଇଁ ମଧ୍ୟପ୍ରଦେଶର ଭୋପାଳସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହାଇ ସିକ୍ୟୁରିଟି ଡିଜିସେସ୍‌ (ନିସାଦ୍‌)କୁ ପଠାଯାଇଥିଲାବେଳେ ୯ଟି ସଂକ୍ରମିତ ଥିବା ଜଣାପଡ଼ିଛି। ଏବେ ଅଧିକ ଅନୁଧ୍ୟାନ ପାଇଁ ନମୁନା ଉତ୍ତର ପ୍ରଦେଶର ବରେଲୀସ୍ଥିତ ଇଣ୍ଡିଆନ୍‌ ଭେଟେରିନାରି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ହାଇଦରାବାଦସ୍ଥିତ ସେଣ୍ଟର ଫର ସେଲୁଲାର ଆଣ୍ଡ ମଲେକୁଲାର ବାୟୋଲୋଜିିକୁ ପଠାଯାଇଛି। ଏଥିସହିତ ଚିଡ଼ିଆଖାନାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି।

Comments are closed.