ଭାରତରେ ଖୁବ୍‌ଶୀଘ୍ର ଶିଶୁଙ୍କ ପାଇଁ ଟିକା

ନୂଆଦିଲ୍ଲୀ/ଲଣ୍ଡନ: ଭାରତୀୟ ଶିଶୁଙ୍କ ପାଇଁ ଖୁବ୍‌ଶୀଘ୍ର କରୋନା ଟିକା ଆସିବ। ଭାରତୀୟ ଶିଶୁଙ୍କ ପାଇଁ ଟିକା ପ୍ରସ୍ତୁତ ଲାଗି ସ୍ବଦେଶୀ କମ୍ପାନୀ ଭାରତ ବାୟୋଟେକ ଏହାର ଟିକା କୋଭାକ୍ସିନର ପରୀକ୍ଷା ଆରମ୍ଭ କରିସାରିଛି। ୮ସପ୍ତାହ ମଧ୍ୟରେ ଭାରତ ବାୟୋଟେକର ପରୀକ୍ଷା ଶେଷ ହେବ। ଭାରତ ବାୟୋଟେକ ବ୍ୟତୀତ ବିଦେଶୀ କମ୍ପାନୀ ଜାଇଡସ୍ କାଡିଲା ଭାରତୀୟ ଶିଶୁଙ୍କ ପାଇଁ ଟିକା ପ୍ରସ୍ତୁତି ଲାଗି ଆଗ୍ରହୀ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି। ମନ୍ତ୍ରଣାଳୟ କହିବା ଅନୁଯାୟୀ ଭାରତୀୟ ଶିଶୁଙ୍କ ଠାରେ ଟିକା ପରୀକ୍ଷା ଲାଗି ଜାଇଡସ କାଡିଲା ଖୁବଶୀଘ୍ର ଆବେଦନ କରିବାକୁ ଯାଉଛି। ଟିକା ପରୀକ୍ଷା ନିମନ୍ତେ ଜାଇଡସ୍ କାଡିଲା ଭାରତୀୟ ଔଷଧ ନିୟନ୍ତ୍ରକ କର୍ତ୍ତୃପକ୍ଷ (ଡିଜିସିଆଇ)ଙ୍କ ନିକଟରେ ଆବେଦନ କରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଜାଇଡସ୍ ୫ରୁ ୧୨ବର୍ଷଙ୍କ ପାଇଁ ଟିକା ଆଣିବାକୁ ଥିବାବେଳେ କୋଭାକ୍ସିନ ୧୨ରୁ ୧୮ବର୍ଷର ଶିଶୁଙ୍କ ପାଇଁ ଟିକା ତିଆରି କରିବ। ଅନ୍ୟପଟେ ଫାଇଜର ଓ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକାକୁ ୧୨ରୁ ୧୫ବର୍ଷର ଶିଶୁଠାରେ ଜରୁରୀ ବ୍ୟବହାର ନିମନ୍ତେ ବ୍ରିଟେନ ସରକାର ଅନୁମତି ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଫାଇଜର ୧୨ରୁ କମ୍‌ ବର୍ଷର ଶିଶୁଙ୍କ ପାଇଁ ଟିକା ଉପଲବ୍ଧ କରାଇବା ଲାଗି ଆଶା ବ୍ୟକ୍ତ କରିଛି। ୨୦୨୨ ପ୍ରାରମ୍ଭ ଏହା ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି। ପୂର୍ବରୁ ଫାଇଜର ଟିକାକୁ ଆମେରିକା ଓ କାନାଡା ଏହାର ୧୨ବର୍ଷରୁ ଊର୍ଦ୍ଧ୍ବ ଶିଶୁଙ୍କ ଠାରେ ପ୍ରୟୋଗ ଅନୁମତି ଦେଇଛି। ସେହିପରି ଆମେରିକାର ମଡେର୍ଣ୍ଣା କମ୍ପାନୀ ପ୍ରସ୍ତୁତ କରିଥିବା ଟିକା ୧୨ବର୍ଷର ଶିଶୁଙ୍କ ନିମନ୍ତେ ପ୍ରଭାବୀ ହେଉଥିବା କହିଥିଲା।

Comments are closed.