ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି ଅନିରୁଧ ଜଗନାଥଙ୍କ ପରଲୋକ

ନୂଆଦିଲ୍ଲୀ: ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ସାର୍‌ ଅନିରୁଧ ଜଗନାଥଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ ହୋଇଥିଲା। ସାର୍‌ ଅନିରୁଧ ପେସାରେ ଜଣେ ବାରିଷ୍ଟର ଥିଲେ ମଧ୍ୟ ୧୯୮୦ ଓ ୧୯୯୦ ଦଶକରେ ମରିସସ୍‌ ରାଜନୀତିକୁ ଆଚ୍ଛଦିତ କରି ରଖିଥିଲେ। ଆଧୁନିକ ମରିସସ୍‌ର ନିର୍ମାତା ଭାବେ ପରିଚିତ ଅନିରୁଧ ଭାରତୀୟ ବଂଶୋଦ୍ଭବ। ସେ ଭାରତର ଅତ୍ୟନ୍ତ ଅନ୍ତରଙ୍ଗ ଥିଲେ। ପତ୍ନୀ ସରୋଜିନୀଙ୍କ ସହ, ପୁଅ ପ୍ରବୀନ୍ଦ ଓ ଝିଅ ଶାଳିନୀଙ୍କୁ ସେ ଛାଡ଼ି ଯାଇଛନ୍ତି। ପ୍ରବୀନ୍ଦ ସମ୍ପ୍ରତି ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାର୍‍ ଅନିରୁଦ୍ଧ ଜଗନ୍ନାଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ୱିଟ୍‍ରେ ରାଷ୍ଟ୍ରପତି କହିଛନ୍ତି, ସେ ଜଣେ ବିଶ୍ୱନେତା ଥିଲେ। ପଦ୍ମବିଭୂଷଣରେ ସମ୍ମାନୀତ ସ୍ୱର୍ଗତ ଅନିରୁଦ୍ଧ ଭାରତର ଏକ ପ୍ରକୃତ ବନ୍ଧୁ ଥିଲେ ବୋଲି ବର୍ଣ୍ଣନା କରି ରାଷ୍ଟ୍ରପତି କହିଛନ୍ତି, ଭାରତ ମରିସସ୍‍ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ଅଟେ।

ଭାରତ ସହିତ ବନ୍ଧୁତ୍ବ ପାଇଁ ତାଙ୍କୁ ଭାରତ ସରକାର ‘ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି ସେ ଜଣେ ମହାନ ପ୍ରବାସୀ ଭାରତୀୟ ବୋଲି କହିଛନ୍ତି।

Comments are closed.