ଟିକା ସଂଗ୍ରହ ପ୍ରସଙ୍ଗ: ଭାଗ ନେଲେ ୨ଟି ସଂସ୍ଥା, ୯ରେ ଖୋଲିବ ‘ନିଲାମ ଦର’

ଭୁବନେଶ୍ୱର: ୧୮ରୁ ୪୪ବର୍ଷର ଯୁବପିଢ଼ିଙ୍କୁ ମାଗଣା ଟିକାକରଣ କରିବା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ବିଶ୍ୱବଜାରରୁ ଟିକା ସଂଗ୍ରହ ଲାଗି ବୈଶ୍ବିକ ଟିକା ଯୋଗାଣ ଦର ଆହ୍ବାନ(ଗ୍ଲୋବାଲ ଟେଣ୍ଡର) ପ୍ରକ୍ରିୟାର ଅବଧି ଶୁକ୍ରବାର ଶେଷ ହୋଇଛି। ଶୁକ୍ରବାର ସୁଦ୍ଧା ୨ଟି ସଂସ୍ଥା ଟିକା ଯୋଗାଣ କରିବା ଲାଗି ଲିଖିତ ପ୍ରସ୍ତାବ(ଟେଣ୍ଡର) ପକାଇଛନ୍ତି। ଉକ୍ତ ସଂସ୍ଥାର କେତେକ ନୀତିଗତ କାଗଜପତ୍ରରେ ତ୍ରୁଟି ରହିଥିବାରୁ ଔଷଧ ନିଗମ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଟିକା ଯୋଗାଣ ଦର ନିଲାମ ଦର (ପ୍ରାଇସ୍‍ ବିଡ୍‌) ଖୋଲାଯାଇ ପାରିନାହିଁ। ପ୍ରାଇସ୍‍ ବିଡ଼୍‍ ଖୋଲିବା ପୂର୍ବରୁ ଉକ୍ତ ସଂସ୍ଥା ସେମାନଙ୍କ ସମସ୍ତ କାଗଜପତ୍ର ପଇଠ କରିବେ ବୋଲି ରାଜ୍ୟ ଔଷଧ ନିଗମକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହାକୁ ନେଇ ଶୁକ୍ରବାର ଖୋଲା ହେବାକୁ ଥିବା ପ୍ରାଇସ୍‌ ବିଡ୍‌କୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟ ଔଷଧ ନିଗମ ପକ୍ଷରୁ ଏନେଇ ଜାରି ସଂଶୋଧିତ ବିଜ୍ଞପ୍ତିରେ ଆସନ୍ତା ୯ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଏହା ଖୋଲାଯିବ ବୋଲି ଦର୍ଶାଯାଇଛି। ତେବେ ନିରାଶା ଭିତରେ ଦୁଇଟି ଟିକା ଉତ୍ପାଦନକାରୀ ସଂସ୍ଥା ରାଜ୍ୟ ଔଷଧ ନିଗମ ଟେଣ୍ଡରରେ ଭାଗ ନେବା ରାଜ୍ୟ ସରକାରଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି।

Comments are closed.