ଅସୁସ୍ଥ ମିଲ୍‍ଖାଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଦୌଡ଼କୁଦ ଜଗତର କିମ୍ବଦନ୍ତୀ ପୁରୁଷ ମିଲ୍‍ଖା ସିଂହ କିଛିଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ। ଉଡ଼ନ୍ତା ଶିଖ୍‍ ଭାବେ ପରିଚିତ ମିଲ୍‍ଖା ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ୨ ସପ୍ତାହ ତଳେ ମିଲ୍‍ଖା ସିିଂହ କରୋନା ସଂକ୍ରମିତ ହେବା ପରେ ଘରେ ଥିଲେ। କିଛିଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଚଣ୍ଡିଗଡ଼ର ଏକ ହାସପାତାଳରେ ଭର୍ତ୍ତି କରା ଯାଇଥିଲା। ହେଲେ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବାରୁ ତାଙ୍କୁ ଘରକୁ ପଠାଇ ଦିଆ ଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ମିଲ୍‍ଖାଙ୍କୁ ଗୁରୁବାର ଚଣ୍ଡିଗଡ଼ର ଏକ ସରକାରୀ ହାସପାତାଳରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫୋନ୍‍ ଯୋଗେ ମିଲ୍‍ଖାଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାସହ ମିଲ୍‍ଖାଙ୍କୁ କହିଛନ୍ତି ଯେ ସେ ଜଲ୍‍ଦି ସୁସ୍ଥହୋଇ ଟୋକିଓ ଅଲିମ୍ପିକ୍‍ସ ଭାଗନେବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍‍ଙ୍କ ଭଲ ପ୍ରଦର୍ଶନ ପାଇଁ ଉତ୍ସାହ ପ୍ରଦାନ କରିବେ।

ଏହି କ୍ରୀଡ଼ାବିତ୍‍ଙ୍କୁ ମିଲ୍‍ଖାଙ୍କ ଆଶୀର୍ବାଦ ଓ ପ୍ରେରଣା ନିଶ୍ଚିତ ଭାବେ ଆବଶ୍ୟକ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ମହାନୁଭବତା ଦେଖି ତାଙ୍କୁ କେନ୍ଦ୍ର ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ୍‍ ରିଜିଜୁ ପ୍ରଶଂସା କରିଛନ୍ତି। ଟ୍ୱିଟର ପୃଷ୍ଠାରେ ରିଜିଜୁ ଲେଖିଛନ୍ତି, ମିଲ୍‍ଖା ସିଂହଙ୍କୁ ଫୋନ୍‍କରି ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଏକ ଚମତ୍କାର ଆଚରଣ। ମିଲ୍‍ଖା ସିଂହଙ୍କ ସୁପୁତ୍ର ତଥା ବିଶିଷ୍ଟ ଗଲ୍‍ଫ ଖେଳାଳି ଜୀବ୍‍ ମିଲ୍‍ଖା ସିଂହ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ୩ଟି ଅଲିମ୍ପିକ୍‍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ମିଲ୍‍ଖା ସିଂହ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪୦୦ ମିଟର ସ୍ୱର୍ଣ୍ଣପଦକ ଜିତିବାରେ ଏକମାତ୍ର ଭାରତୀୟ। ସେ ୧୯୫୮ ଓ ୧୯୬୨ ଅଲିମ୍ପିକ୍‍ସରେ ସ୍ୱର୍ଣ୍ଣପଦକ ଜିତିଥିଲେ।

Comments are closed.