ଭାରତୀୟ ଖେଳାଳି ୩ ଦିନ ପରସ୍ପରକୁ ଭେଟି ପାରିବେନି

ସାଉଥାମ୍ପଟନ୍‍: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍‍ ଦଳ ଗୁରୁବାର ଏକ ସ୍ୱତନ୍ତ୍ର (ଚାର୍ଟର) ବିମାନରେ ଆସି ଲଣ୍ଡନ୍‍ରେ ପହଞ୍ଚି ଯାଇଛନ୍ତି। ଭାରତୀୟ ସ୍ପିନର ଅକ୍ଷର ପଟେଲ ଜଣାଇଛନ୍ତି ଯେ ୩ ଦିନ ଭାରତୀୟ ଖେଳାଳି ସଂଗରୋଧରେ ରହିବେ। ଏହି ୩ ଦିନ ମଧ୍ୟରେ କେହି କାହାରିକୁ ଭେଟି ପାରିବେ ନାହିଁ। ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ଦେଇ ଅକ୍ଷର କହିଛନ୍ତି, ୨ ଘଣ୍ଟା ଏକ ଚଳଚ୍ଚିତ୍ର ଦେଖିଲି। ପରେ ୬ ଘଣ୍ଟା ଶୋଇଲି। ପରେ ଜଳଖିଆ କଲି। ଆମକୁ କୁହାଯାଇଛି ଯେ ୩ ଦିନ ପର୍ଯ୍ୟନ୍ତ ଆମେ କେହି କାହାରିକୁ ଭେଟିପାରିବୁ ନାହିଁ। ତେଣୁ ଏହି ସମୟରେ ଆମେ ସଂଗରୋଧରେ ରହିବୁ। ସୂଚନାଯୋଗ୍ୟ; ଗୁରୁବାର ଲଣ୍ଡନରେ ପହଞ୍ଚିବା ପରେ ଭାରତୀୟ ଖେଳାଳି ବସ୍‍ରେ ସାଉଥାମ୍ପଟନ୍‍ ଯାତ୍ରା କରିଥିଲା। ସାଉଥାମ୍ପଟନ୍‍ର ଏଜିଏସ୍‍ ବୌଲ ଷ୍ଟାଡିୟମ୍‍ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଜୁନ୍‍ ୧୮ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପର ଫାଇନାଲ ଖେଳିବ। ତେଣୁ ଏହି ଷ୍ଟାଡିୟମ୍‍ ମଧ୍ୟରେ ଥିବା ହୋଟେଲରେ ଭାରତୀୟ ଖେଳାଳିଙ୍କ ରହିବାର ବନ୍ଦୋବସ୍ତ କରାଯାଇଛି। ଶୁକ୍ରବାରରୁ ୩ ଦିନ ପର୍ଯ୍ୟନ୍ତ ଖେଳାଳି ଓ ସେମାନଙ୍କ ପରିବାରବର୍ଗ ଏହି ହୋଟେଲରେ ସଂଗରୋଧରେ ରହିବେ।

ଏହାପରେ ଭାରତୀୟ ଦଳକୁ ଅଭ୍ୟାସ କରିବାର ସୁଯୋଗ ଦିଆଯିବ। ସାଉଥାମ୍ପଟନ୍‍ରେ ପହଞ୍ଚିବା ପରେ ଭାରତୀୟ ପୁରୁଷ ଓ ମହିଳା ଖେଳାଳିଙ୍କର ଆର୍‍ଟି-ପିସିଆର୍‍ ପରୀକ୍ଷା କରା ଯାଇଥିଲା। ସଂଗରୋଧ ସମୟରେ ଖେଳାଳିଙ୍କ ନିୟମିତ କୋଭିଡ୍‍-୧୯ ପରୀକ୍ଷା କରାଯିବ। ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ୍‍ ପରେ ଅଗଷ୍ଟ ୪ରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବ। ଭାରତୀୟ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ବ୍ରିଷ୍ଟଲରେ ଜୁନ୍‍ ୧୬ରୁ ଏକମାତ୍ର ଟେଷ୍ଟମ୍ୟାଚ୍‍ ଖେଳିବ। ଏହାପରେ ଉଭୟ ଦଳଙ୍କ ମଧ୍ୟରେ ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ୍‍ ଖେଳାଯିବ।

Comments are closed.