କର୍ଣ୍ଣାଟକ ଓ ଆସାମରେ ଡାକ୍ତରଙ୍କୁ ଆକ୍ରମଣ, ନିନ୍ଦା କଲା ଓମ୍‌ସା

ଭୁବନେଶ୍ୱର: କର୍ଣ୍ଣାଟକ ଓ ଆସାମରେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ କରାଯାଇଛି। ଏହାକୁ ଓମ୍‌ସା ଘୋର ନିନ୍ଦା କରିଛି। ଜାତୀୟ ଚରିତ୍ରକୁ ଏହା ସଂହାର କରିଛି ବୋଲି ଓମ୍‌ସାର ରାଜ୍ୟ ସଭାପତି ଡା.ନାରାୟଣ ରାଉତ ପ୍ରତିକ୍ରିୟାରେ କହିଛନ୍ତି।

ମହାମାରୀ କରୋନା ସମୟରେ ଡାକ୍ତରଙ୍କୁ ଆକ୍ରମଣର ବହୁତ ନଜିର ଆସିଛି। ସମାଜରେ ସବୁଠାରୁ ଅଧିକ ସମ୍ମାନ ପାଇଁ ଡାକ୍ତରୀ ବିଦ୍ୟା ଆପଣାଇ ବହୁ ବର୍ଷ ଅଧ୍ୟୟନ କରିଥିବା ଡାକ୍ତରଙ୍କୁ କିଛି ଲୋକ ଦୁର୍ବ୍ୟବହାର ଦେଖାଇ ସମାଜକୁ ତଳକୁ ଖସାଇ ଦେଉଛନ୍ତି। ଆଗକୁ ସ୍ୱାସ୍ଥ୍ୟସେବା ପ୍ରଦାନରେ ଏହା ପ୍ରତିବନ୍ଧକ ସୃଷ୍ଟି କରିବ। ଡାକ୍ତର ବୃତ୍ତି ଏକ ମହାନ ବୃତ୍ତି। ରାଜ୍ୟରେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ୪୦ ହଜାର ଡାକ୍ତର ଦରକାର ଥିଲାବେଳେ ମାତ୍ର ୮ ହଜାର ଡାକ୍ତର ସାଢ଼େ ୪କୋଟି ଲୋକଙ୍କୁ ସେବା ଯୋଗାଉଛନ୍ତି। କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ଦୁଃଖ ଓ ପରିତାପର ବିଷୟ। ସରକାର ଡାକ୍ତରଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ଦିଅନ୍ତୁ। ଅଭିଯୁକ୍ତଙ୍କୁ ଏନ୍‍ଏସ୍‍ଏ ଅନୁସାରେ ଦଣ୍ଡ ଦିଆଯାଉ। କର୍ମକ୍ଷେତ୍ରକୁ ସୁସ୍ଥ ରଖିନ୍ତୁ। ଏହାଦ୍ୱାରା ଜନସାଧାରଣ ଉପଯୁକ୍ତ ସେବା ପାଇପାରିବେ।

ସେହିପରି ଆମ ରାଜ୍ୟର ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏହାକୁ ଓମ୍‌ସା ବିରୋଧ କରିବାରୁ ଦୁର୍ବୃତ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବୋଲି ସେ କହିଛନ୍ତି।

Comments are closed.