ପଞ୍ଜୁରି ପଦ୍ଧତିରେ ମାଛଚାଷ ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ:ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଜଳଭଣ୍ଡାରଗୁଡ଼ିକରେ ପଞ୍ଜୁରି ପଦ୍ଧତିରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହି ବ୍ୟବସ୍ଥାରେ ଜଳଭଣ୍ଡାରରେ ମାଛଚାଷ ଦ୍ୱାରା ବର୍ଷକୁ ୧ଲକ୍ଷ ୨୫ ହଜାର ଟନରୁ ଅଧିକ ମାଛ ଉତ୍ପାଦନ କରାଯାଇପାରିବ। ଏହା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ବୋଲି କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ଆୟୋଜିତ ଏକ ଆଭାଷୀ ବୈଠକରେ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରି ପଦ୍ଧତିରେ ମାଛଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଉଦ୍ୟୋଗୀଙ୍କ ସହ ଆଲୋଚନା କରି ସେମାନେ ଆରମ୍ଭ କରିଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ ପଚାରି ବୁଝିଥିଲେ। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ସେମାନଙ୍କୁ କହିଛନ୍ତି। ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ ଋଣ ପାଇପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସଂପ୍ରତି ହୀରାକୁଦ ଜଳଭଣ୍ଡାରର ୪୪ଟି ସ୍ଥାନରେ ଏହି ମାଛ ଚାଷ କରାଯିବ। ଜଳଭଣ୍ଡାରରେ ପଞ୍ଜୁରି ନିର୍ମାଣ କରି ମାଛଚାଷ କରିବା ଏକ ନୂଆ ପଦ୍ଧତି ହୋଇଥିବାରୁ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରାଯାଇଛି। ସରକାର ବୃହତ ଓ ମଧ୍ୟମ ଜଳଭଣ୍ଡାରରେ ପଞ୍ଜୁରି ପଦ୍ଧତିରେ ମାଛଚାଷକୁ ପ୍ରୋତ୍ସାହିତ କରିବାକୁ ନୂତନ ନୀତି ପ୍ରଣୟନ କରିଛନ୍ତି। ଏଥିରେ ଉଦ୍ୟୋଗୀଙ୍କୁ ରିଆତି ପ୍ରଦାନ ବ୍ୟବସ୍ଥା ରହିଛି।

ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରି ପଦ୍ଧତିରେ ମାଛଚାଷ ପାଇଁ ୩୯ଜଣ ଉଦ୍ୟୋଗୀ ରାଜ୍ୟ ସରାକରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଜଳଭଣ୍ଡାରରେ ୧୫ହଜାର ପଞ୍ଜୁରି ନିର୍ମାଣ କରାଯାଇ ମାଛଚାଷ କରିବା ସୁଯୋଗ ରହିଛି। ଉଦ୍ୟୋଗୀଙ୍କୁ ସୁବିଧା ପ୍ରଦାନ ନେଇ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ନେଇ ବ୍ୟବସ୍ଥା କରାଯିବ। ଏହାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଇଡକୋ ସହିତ ସ୍ୱତନ୍ତ୍ର ବୈଠକ କରାଯିବାକୁ ସ୍ଥିର ହୋଇଛି।

Comments are closed.