ବ୍ୟବସାୟୀଙ୍କଠାରୁ ୫୨ ଲକ୍ଷ ଠକି ଭଣ୍ଡ ବାବା ଗିରଫ

ପୁଣେ: ଧନପ୍ରାପ୍ତି ଲୋଭ ଦେଖାଇ ଜଣେ ଭଣ୍ଡ ବାବା ଜନୈକ ବ୍ୟବସାୟୀଙ୍କଠାରୁ ବିଭିନ୍ନ ସମୟରେ ୫୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ପୁଣେ ପୁଲିସ ଗୁରୁବାର ସମ୍ପୃକ୍ତ ବାବା ଆଶାରାମ ପୱାର (୪୧)କୁ ଗିରଫ କରିବା ପରେ ଘଟଣା ସାମ୍ନାକୁ ଆସିଛି। ପୁଲିସ ଡିସିପି ଶ୍ରୀନିବାଶ ଘାଡଗେଙ୍କ ସୂଚନାନୁଯାୟୀ, ଗଣେଶ ନଗର ଅଞ୍ଚଳର ଜନୈକ ବ୍ୟବସାୟୀ ବାବା ଉପରେ ବିଶ୍ବାସ କରି ୨୦୧୬-୧୭ରୁ ବିଭିନ୍ନ ସମୟରେ ତା’ ମାଧ୍ୟମରେ ପୂଜାପାଠ କରାଇବା ସହ ବିପୁଳ ଅର୍ଥ ଦେଇ ଆସୁଥିଲେ। ଏକାଧିକ ପୂଜା ପରେ ମଧ୍ୟ ଧନ ପ୍ରାପ୍ତି ନ ହେବାରୁ ବାବା ଉପରେ ବ୍ୟବସାୟୀଙ୍କର ସନ୍ଦେହ ଆସିଥିଲା ଓ ସେ ଟଙ୍କା ଦେବା ବନ୍ଦ କରିଦେଇଥିଲେ।

ଇତିମଧ୍ୟରେ ବାବାକୁ ସେ ପ୍ରାୟ ୫୦ଲକ୍ଷ ଟଙ୍କା ଦେଇ ସାରିଥିଲେ। ଶେଷରେ ବ୍ୟବସାୟୀ ଜଣଙ୍କ ପୁଲିସର ସହାୟତା ଲୋଡ଼ିଥିଲେ। ପୁଲିସ ଖୋଳତାଡ଼ କରିବାରେ ଜଣାପଡ଼ିଛି ଯେ ବାବା ଆଶାରାମ ବିରୋଧରେ ପୂର୍ବରୁ ନରବଳୀ ଭଳି ଏକାଧିକ ଅଭିଯୋଗ ରହିଛି। ଏବେ ପୁଲିସ ତା’ ଉପରେ ତଦନ୍ତ ଚଳାଇଛି।

Comments are closed.