ଭୋକଉପାସରେ ଦେଶ ଲାଗି ଜୀବନ ବାଜି ଲଗାଇଥିବା ସୈନ୍ୟଙ୍କ ପରିବାର: ମୂଲ ଲାଗି ପେଟ ପୋଷୁଛନ୍ତି ପତ୍ନୀ ମଞ୍ଜୁଳା ଓ ପ୍ରେମଲତା

-ବ୍ୟାଙ୍କ ଓ ଜିଲା ସୈନିକ ବୋର୍ଡରୁ ନିରାଶ
-ମଜୁରି ଟଙ୍କାରେ ମେଣ୍ଟୁଛି ଭୋକ
ବଲାଙ୍ଗିର: କାହ୍ନୁଚରଣ ବହିଦାର। ଭାରତୀୟ ସେନା ବାହିନୀର ଉତ୍ତରପ୍ରଦେଶର ରୁରକି ସ୍ଥିତ ଇଂଜନିୟରିଂ ରେଜିମେଣ୍ଟରୁ ଅବସର ନେଇଥିଲେ। ଅବସର ପରେ ସେ କଣ୍ଟାବାଞ୍ଜି ଏସବିଆଇରୁ ପେନ୍ସନ୍ ପାଉଥିଲେ। ୨୦୧୬ ମାର୍ଚ୍ଚ ୭ ତାରିଖରେ ଶ୍ରୀ ବହିଦାରଙ୍କର ମୃତ୍ୟୁ ହୋଇଗଲା। ସ୍ୱର୍ଗତ ବହିଦାରଙ୍କ ଅବର୍ତ୍ତମାନରେ ପରିବାରର ଅବସ୍ଥା ବହୁତ ଖରାପ। ସ୍ତ୍ରୀ ପ୍ରେମ ମଞ୍ଜୁଳା ବହିଦାର ଓ ୪୦ ବର୍ଷୀୟ ଅବିବାହିତ ଝିଅ ରହୁଛନ୍ତି କଣ୍ଟାବାଞ୍ଜି ଫାଟକ ପଡ଼ାରେ। ଭିକ ନୁହେଁ…ମୁଲ ଲାଗି ଚଳୁଛନ୍ତି ସେମାନେ। ସ୍ୱାମୀଙ୍କ ମୃତ୍ୟୁ ପରେ ପାରିବାରିକ ପେନ୍ସନ୍ ପାଇଁ ଏସ୍ବିଆଇକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଫେରାଇ ଦିଆଯାଇଥିଲା। ପୁରୀରେ ଥିବା ସେଣ୍ଟ୍ରାଲ ପେନସନ ପ୍ରୋସେସିଂ ସେଣ୍ଟର(ସିପିପିସି)ର ଦ୍ୱାରସ୍ଥ ହୋଇଥିଲେ।
ସମ୍ବଲପୁର ସ୍ଥିତ ଜିଲା ସୈନିକ ବୋର୍ଡରୁ ଆବଶ୍ୟକୀୟ ପ୍ରମାଣପତ୍ର ଧରି ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। କଣ୍ଟାବାଞ୍ଜିରୁ ସମ୍ବଲପୁରର ଦୂରତା ୨୩୦ କିଲୋମିଟର। ସମ୍ବଲପୁର ଯିବାକୁ ଅଣ୍ଟିରେ ଧନ ନାହିଁ। ଭୁତି କରିବୁ ହେଲେ ଆଞ୍ଚଳା ବଢାଇ କାହାକୁ ଭିକ ମାଗିବା ପରଲୋକାଗତ ସ୍ୱାମୀ ଶିଖାଇ ନାହାନ୍ତି ବୋଲି କହନ୍ତି ପତ୍ନୀ ପ୍ରେମମଞ୍ଚୁଳା। ସବୁଆଡେ ଯାଇ ନିରାଶ ହେବା ପରେ ମା’ ଝିଅ ଭାଗ୍ୟକୁ ଭରସା କରି ପଡ଼ିଛନ୍ତି। ପେଟ ଚାଖଣ୍ଡକ ପାଇଁ ସବୁଦିନ କସରତ କରୁଛନ୍ତିି ସେମାନେ।
ବଲାଙ୍ଗିର ଟିକ୍ରାପଡ଼ାରେ ଘର ଅବସରପ୍ରାପ୍ତ ସୈନିକ ପିତାମ୍ବର ନନ୍ଦଙ୍କର। ସେନାବାହିନୀର ସିକନ୍ଦରାବାଦ ଇଏମ୍ଇ ବିଭାଗରେ ଚାକିରି କରୁଥିଲେ ସେ। ଅବସର ପରେ ବଲାଙ୍ଗିର ୟୁକୋ ବ୍ୟାଙ୍କରେ ଗାର୍ଡ ଭାବେ କାମ କରିଥିଲେ। ୨୦୧୨ ଜୁନ ୪ ଶ୍ରୀ ନନ୍ଦଙ୍କର ମୃତ୍ୟୁ ହେଇଗଲା। ସେ ଅବସର ପରେ ପେନସନ୍ ପାଉଥିବା ବେଳେ ତାଙ୍କ ମୃତ୍ୟୁ ପରେ ପତ୍ନୀ ପ୍ରେମଲତା ନନ୍ଦ ପେନ୍ସନ୍ ପାଇବାରୁ ବଞ୍ଚିତ। ଏକମାତ୍ର ପୁଅ ସରୋଜ(୩୫ ବର୍ଷ) ବିଦ୍ୟୁତ ବିଭାଗରେ ଏନ୍ଏମ୍ଆର୍ ଭାବେ କାମ କରୁଛନ୍ତି। ଯାହା ରୋଜଗାର କରୁଛନ୍ତି ତାହା ପରିବାର ଚଳାଇବା ପାଇଁ ନିଅଣ୍ଟ। ସ୍ୱର୍ଗତ ନନ୍ଦଙ୍କ ପତ୍ନୀ ପ୍ରେମଲତାଙ୍କ ବୟସ ହେଲାଣି। ଔଷଧ ସହ ପରିବାର ଚଳାଇବାକୁ ଅଧିକ ଟଙ୍କା ଦରକାର ହେଉଥିବା ବେଳେ ପେନ୍ସନ୍ ମିଳିଥିଲେ ତାହା ଭରଣା ହୁଅନ୍ତା। କିନ୍ତୁ ସ୍ୱାମୀଙ୍କ ମୃତ୍ୟୁ ପରେ ଶ୍ରୀମତୀ ନନ୍ଦ ବି ପ୍ରେମ ମଞ୍ଚୁଳାଙ୍କ ଭଳି ପେନ୍ସନ ପାଇବାରୁ ବଞ୍ଚିତ ହେଉଛନ୍ତି। ପେନସନ ପାଇବାକୁ ବାରମ୍ବାର ବିଭିନ୍ନ ଅଫିସକୁ ଦୌଡି ଦୌଡି ନିରାଶ ହୋଇଛନ୍ତି।
ପ୍ରେମ ମଞ୍ଜୁଳା କି ପ୍ରେମଲତା କେବଳ ନୁହନ୍ତି, ମୁରିବାହାଲ ବ୍ଲକ ଅଞ୍ଚଳରେ ଜଣେ ମହିଳାଙ୍କ ସହ ଅନେକ ସେନାବାହିନୀରୁ ଅବସର ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦହଗଞ୍ଜ ହେଉଛନ୍ତି। ସେମାନଙ୍କ ପାଖରେ ସୂଚନାର ଅଭାବ ସହ ପେନସନ ସଂପର୍କିତ କାଗଜପତ୍ର ବିଷୟରେ ଆବଶ୍ୟକ ସୂଚନା ନଥିବାରୁ ଅବହେଳା ଓ ଅଣଦେଖାର ଶିକାର ହେଉଛନ୍ତି। ପାରିବାରିକ ପେନ୍ସନ ପାଇବାରୁ ବଞ୍ଚିତ ହେଉଛନ୍ତି। ବଲାଙ୍ଗିର ଅବସରପ୍ରାପ୍ତ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥଙ୍କ ସହ ପ୍ରେମଲତା ଓ ପ୍ରେମ ମଞ୍ଚଳାଙ୍କ ସଂପର୍କରେ ଆଲୋଚନା କରାଯାଇଥିଲା। ଶ୍ରୀ ରଥଙ୍କ କହିବା ଅନୁସାରେ, ସେନାବାହିନୀରୁ ଅବସର ପରେ ପେନ୍ସନ୍ ପାଇଁ ଆବଶ୍ୟକ କାଗଜପତ୍ର ଦିଆଯାଏ। ତାହା ବ୍ୟାଙ୍କରେ ଦାଖଲ କରିବା ପରେ ପେନ୍ସନ୍ ମିଳେ। ପେନ୍ସନ୍ ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ର(ଲିଗାଲ ହେଆର୍) ତଥା ମୃତ୍ୟୁକାଳୀନ ପ୍ରମାଣପତ୍ର ଦେବା ପାଇଁ ନିୟମ ରହିଛି। ଏହି ଦସ୍ତାବେଜ ଦିଆଯାଉଥିବା ବେଳେ ବ୍ୟାଙ୍କ ଅସହଯୋଗ କରୁଥିବା ଶ୍ରୀ ରଥ ଅଭିଯୋଗ କରିଛନ୍ତି। ସମ୍ବଲପୁରରେ ଜିଲା ସୈନିକ ବୋର୍ଡ କାର୍ଯ୍ୟାଳୟ ରହିଛି। ଏହା ଅଧୀନରେ ବଲାଙ୍ଗିର ଜିଲା ମଧ୍ୟ ଅଂଶିଦାର। ବଲାଙ୍ଗିର ଜିଲାରେ ସୈନିକ ବୋର୍ଡ ପକ୍ଷରୁ କ୍ୟାମ୍ପ କୋର୍ଟ କରାଯାଇ ଅବସର ଓ ମୃତ ସୈନିକଙ୍କ ପରିବାର କେମିତି ସୁବିଧା ପାଇବେ ସେ ସଂପର୍କରେ ବିଚାର କଲେ ଅନେକେ ଉପକୃତ ହୁଅନ୍ତେ। ତାହା କରାଯାଉ ନାହିଁ। ଫଳରେ ଅବସର, ମୃତ୍ୟୁ ପରେ ସୈନିକ ଓ ସେମାନଙ୍କ ପରିବାର ଲୋକେ ପେନସନ ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି ସଂପାଦକ ଶ୍ରୀ ରଥ।