ମହାମାରୀ ସମୟର ଚାଷବାସ ; ଭାତହାଣ୍ଡିର ସୁରକ୍ଷା ସର୍ବାଗ୍ରେ

– ଭାରତୀୟ ପାଣିପାଗ ବିଭାଗର ଅନ୍ଦାଜ ବଢ଼ୁଛି। ଚଳିତବର୍ଷ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହ ଭଲ ରହିବା ସହ ଜୁନ୍-ସେପ୍ଟେମ୍ବର ଚାରିମାସ ଦେଶରେ ବର୍ଷା ପ୍ରାୟ ସ୍ବାଭାବିକ ରହିବ। ଏହା ବର୍ଷା ଉପରେ ମୁଖ୍ୟତଃ ନିର୍ଭର କରୁଥିବା ଭାରତୀୟ କୃଷି ପାଇଁ ଅବଶ୍ୟ ଏକ ଭଲ ଖବର। ଆମ ସରକାରୀ ପାଣିପାଗ ବିଭାଗ ଏବେ ଯେଉଁସବୁ ପଦ୍ଧତି ଅନୁସରଣ କରି ମୌସୁମି ପ୍ରବାହର ଅନୁମାନ କରୁଛନ୍ତି ସେଥିରେ ନୂଆ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ଅନୁଭୂତି କହୁଛି ଯେ ପୂର୍ବାପେକ୍ଷା ଏହି ଅନ୍ଦାଜ ଅଧିକ ବାସ୍ତବବାଦୀ ହେଉଛି। ତେଣୁ ଏଥର ଏହି ଅନ୍ଦାଜ ଭୁଲ ହେବ ଓ ଆକଳନ ଅନୁସାରେ ମୌସୁମି ବର୍ଷା କମ୍ ହେବ, ସେ ଆଶଙ୍କା କମ୍ ହେବା ପ୍ରାୟ ମନେହେଉଛି। ମାସକାୱାରୀ ଏଥରର ଆକଳନ କହୁଛି ଯେ ପ୍ରଥମେ ଜୁନ୍ ମାସରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ। ଏହା ପରେ ଜୁଲାଇ ମାସରେ ମୌସୁମି ଦୁର୍ବଳ ହୋଇ ଲମ୍ବା ଅବଧି ଯାଏ ପାଗ ଶୁଖିଲା ରହିବ। ଏହା ପରେ ଶେଷ ଦୁଇମାସ ଅଗଷ୍ଟ ଓ ସେପ୍ଟେମ୍ବରରେ ସ୍ବାଭାବିକଠାରୁ ବହୁ ଅଧିକ ବର୍ଷା ହୋଇ ପୂର୍ବ ଦୁଇମାସର ଅଭାବକୁ ପୂରଣ କରିବ। ଏହି ଅନ୍ଦାଜ ଯଦି ଠିକ୍ ହୁଏ ତେବେ ଗତବର୍ଷ ଭଳି ଏବର୍ଷ ଦେଶରେ ବୃଷ୍ଟିପାତ ହୋଇ ଚାଷବାସ ପାଇଁ ପରିସ୍ଥିତି ଅନୁକୂଳ ରହିବ। ଭାରତରେ ଅଗଷ୍ଟ-ସେପ୍ଟେମ୍ବରର ସ୍ବାଭାବିକ ବର୍ଷା ଖରିଫ ଚାଷକୁ ବିଶେଷ ସୁହାଇଥାଏ ଏବଂ ଏହା ଅତି ଅଧିକ ହେଲେ କ୍ଷତି ଘଟାଏ। ତେବେ ସେ ଯା’ହେଉ ଦେଶର ଅଧିକାଂଶ କୃଷିମଣ୍ଡଳ ବର୍ଷା ଉପରେ ନିର୍ଭରଶୀଳ ଥିବାରୁ ଏଥର ମୋଟାମୋଟି ସ୍ବାଭାବିକ ବର୍ଷା ବିଭିନ୍ନ ପ୍ରକାରର ଫସଲ ପାଇଁ ସହାୟକ ହେବା ନିଶ୍ଚିତ। ନିଜ ନିଜର ପାଣିପାଗ ମଣ୍ଡଳକୁ ଦେଖି ଚାଷୀ ସମ୍ପୃକ୍ତ ବିଭାଗଙ୍କ ପରାମର୍ଶକ୍ରମେ ଚାଷ କଲେ ଅବଶ୍ୟ ଉପକୃତ ହେବେ।
ଚଳିତବର୍ଷ ଖରିଫ ଚାଷ ପାଇଁ ଏକ ଅନୁକୂଳ ଓ ଉତ୍ସାହଜନକ ସଙ୍କେତ ପାଣିପାଗରୁ ମିଳିଥିବାବେଳେ ଏ କ୍ଷେତ୍ରରେ ସବୁଠୁ ବଡ଼ ଅନ୍ତରାୟ ସୃଷ୍ଟି କରିଛି ସାଂପ୍ରତିକ କରୋନା ମହାମାରୀ। ମେ ଓ ଜୁନ୍ ମାସ ଖରିଫ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେବେ ସେଥିପାଇଁ ଚାଷୀ ଯେଉଁ ପ୍ରସ୍ତୁତି ଏପ୍ରିଲ ମାସରୁ ଆରମ୍ଭ କରିବା କଥା ତାହା ଲକ୍ଡାଉନ୍ ପ୍ରଭାବରୁ ବିଶେଷ ଭାବେ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ରବି ଫସଲ ସମ୍ପୂର୍ଣ୍ଣ ଅମଳ ହୋଇନାହିଁ। ଏବେ ମଧ୍ୟ ଜମିରେ ୨୦/୨୫ଭାଗ ଫସଲ ଅମଳ ଅବସ୍ଥାରେ ରହିଛି ଓ ସେଥିପାଇଁ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କାମ ଚାଲିବ। କୃଷି ଶ୍ରମିକଙ୍କ ଅଭାବ ଏଥିରେ ଅନ୍ତରାୟ ସାଜିଛି। ଫଳରେ ଖରିଫ ଚାଷ ପାଇଁ ଜମି ପ୍ରସ୍ତୁତି କାମ କିଞ୍ଚିତ୍ ପଛେଇ ଯାଇଛି। କୃଷି କ୍ଷେତ୍ରକୁ ଲକ୍ଡାଉନ ପରିସରରୁ ବାଦ ଦିଆଯିବା ପରେ ଚାଷୀ କାମ ଆରମ୍ଭ କରିଛନ୍ତି। ତରତରରେ ଚାଷବାସ କରିବା ତ ଚାଷୀ ବାପୁଡ଼ା ଭାଗ୍ୟରେ ଲେଖା। ତେଣୁ ଏଥର ମଧ୍ୟ ସେହି ପରିସ୍ଥିତି। ତଥାପି ଦେଶର ବିଭିନ୍ନ ଅଞ୍ଚଳରେ ଚାଷୀ ଏଯାଏ ପ୍ରାମାଣିକ ବିହନ ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିପାରିନାହାନ୍ତି। ଅବଶ୍ୟ ସାର ଯୋଗାଣ ବ୍ୟବସ୍ଥାକୁ ସରକାର ସୁନିଶ୍ଚିତ କରିଛନ୍ତି ଏବଂ ବଜାରରେ ସାର ବିକ୍ରି ବଢ଼ିଛି। ଅନେକ ସ୍ଥାନରେ ଖରାଟିଆ ଚାଷ ଏବେ ହଳବଳଦରେ ନ’ହୋଇ ଯନ୍ତ୍ରଦ୍ବାରା ହେଉଥିବାରୁ ବୁଣାବୁଣି ପାଇଁ ବିଶେଷ ଅସୁବିଧା ହେବନାହିଁ। ତେବେ ଏ କ୍ଷେତ୍ରରେ ଚାଷୀଙ୍କୁ ବ୍ୟାଙ୍କ ଓ ସମବାୟ ଋଣ, ବିହନ ସହିତ ଅନ୍ୟାନ୍ୟ ସାମଗ୍ରୀ ଯେପରି ସୁବିଧାରେ ପର୍ଯ୍ୟାପ୍ତ ପରିମାଣରେ ମିଳିପାରେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ସରକାରଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ। ଏବେ ସବୁଠୁ ବଡ଼କଥା ହେଲା ଏହି ଲକ୍ଡାଉନ୍ ପ୍ରକ୍ରିୟା କେତେକାଳ ଚାଲିବ। ଏହା ଯଦି ଜୁନ୍ ପର୍ଯ୍ୟନ୍ତ ପ୍ରଲମ୍ବିତ ହୁଏ କୃଷି ଉପରେ ଏହାର ବିଭିନ୍ନ ପ୍ରକାର ପ୍ରଭାବ ପଡ଼ିବା ନିଶ୍ଚିତ। ଭାରତରେ ଚାଷ ଶ୍ରମିକ ବହୁଳ ଓ ପରମୁଖାପେକ୍ଷୀ। ଶ୍ରମିକଙ୍କ ଅଭାବ, ବିହନ, ସାର, କୀଟନାଶକ ସଂଗ୍ରହରେ ଅସୁବିଧା, ପରିବହନ, ଗମନାଗମନ ଓ ବିପଣନଜନିତ କଟକଣା ଏ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ଏଥର ଅଦିନିଆ ବର୍ଷା ସତ୍ତ୍ବେ ରବିଫସଲ ଦେଶରେ ଖୁବ୍ ଭଲ ହୋଇଥିଲା। ସେ ଫସଲକୁ ସବୁ ଚାଷୀ ଲକ୍ଡାଉନ୍ କାରଣରୁ ଏଯାଏ ବିକ୍ରିବଟା କରିପାରିନାହାନ୍ତି। ଫଳରେ ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଛି ଯାହା ଖରିଫ ଚାଷ ପାଇଁ ଅନ୍ତରାୟ ହୋଇପାରେ।
ସରକାର ଏବେ କରୋନା ବିଧ୍ବସ୍ତ ଅର୍ଥନୀତିକୁ ସଜାଡ଼ିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। କୃଷିକ୍ଷେତ୍ରରେ ଭାରତର ୭୦ ଭାଗ ଲୋକ କାମ କରନ୍ତି। ଏହା ଗ୍ରାମ୍ୟ ଅର୍ଥନୀତିର ମୂଳାଧାର। ଚାଷୀଙ୍କ ମଧ୍ୟରୁ ୮୨ ଶତାଂଶ ପୁଣି କ୍ଷୁଦ୍ର ଓ ନାମମାତ୍ର ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଭଲ ନୁହେଁ। ଏହାସତ୍ତ୍ବେ ଭାରତର ଜିଡିପି (ମୋଟ ଜାତୀୟ ଆୟ)ରେ କୃଷିକ୍ଷେତ୍ରର ଅବଦାନ ପ୍ରାୟ ୧୮ଭାଗ। ଏହି କ୍ଷେତ୍ରରେ ନିୟୋଜିତ ଲୋକଶକ୍ତି ତୁଳନାରେ ଜିଡିପି ଅନୁପାତ କମ୍ ହୋଇଥିଲେ ହେଁ ଅଧିକାଂଶ ଲୋକ ବଞ୍ଚିବା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ମହାମାରୀ କେବଳ ମଣିଷ ଶିକାର କରେନାହିଁ, ଏହା ଭାତହାଣ୍ଡି ଉଜାଡ଼େ ଓ ଲୋକଙ୍କ ରୋଜଗାର ଛଡ଼ାଇ ନେଇ ସେମାନଙ୍କୁ ଦାଣ୍ଡର ଭିକାରି କରେ। କରୋନାର ପ୍ରଭାବ ଯେ କ’ଣ ହେବ ତାହା ଏବେଠୁ କହିବା ସହଜ ନୁହେଁ; ତଥାପି ବେଳହୁଁ ସାବଧାନ ହୋଇ ସରକାରଙ୍କୁ କୃଷିକ୍ଷେତ୍ର ପ୍ରତି ସତର୍କ ଦୃଷ୍ଟି ଦେବାକୁ ପଡ଼ିବ। ଏଥିପାଇଁ ସୁନିଶ୍ଚିତ ନୀତି, ସ୍ପଷ୍ଟ କାର୍ଯ୍ୟକ୍ରମ, ଉତ୍ତମ ସମନ୍ବୟ ଏବଂ ଉପଯୁକ୍ତ ରୂପାୟନ ଉପରେ ଧ୍ୟାନ ଦେବାର ସମୟ ଆସିଛି।