ଅଶୁଭ ଦିନର ଅକୁହା ଅନୁଭବ

ଏବେ ଶୋଷଣକାରୀ ଐକ୍ୟବଦ୍ଧ ହେଉଛନ୍ତି; ତେବେ କ୍ରାନ୍ତିକାରୀ ଏକଜୁଟ ହେବାକୁ ବେଶି ସମୟ ଲାଗିବ ନାହିଁ

ସ୍ୱାଧୀନ ଭାରତର ଗଣତାନ୍ତ୍ରିକ ଇତିହାସରେ ୧୯୭୫ ମସିହା ଜୁନ୍‍ ୨୫ ତାରିଖ ଏକ ଅଶୁଭ ଦିନ। ସେ ଦିନ ମଧ୍ୟରାତ୍ରିରେ ମନ୍ତ୍ରିମଣ୍ଡଳ ନ ଡକାଇ ଘରୋଇ ବିଭାଗର ରାଷ୍ଟ୍ରମନ୍ତ୍ରୀ ଓଁ ମେହେଟାଙ୍କ ମାଧ୍ୟମରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରପତି ଫକୀରୁଦ୍ଦିନ ଅଲ୍ଲୀ ଅହମ୍ମଦଙ୍କଠାରୁ ଜରୁରୀସ୍ଥିତି ଘୋଷଣାନାମାରେ ସ୍ୱାକ୍ଷର କରାଇ ନେଲେ। ଭୋରରୁ ଅର୍ଥାତ୍‍ ଜୁନ୍‍ ୨୬ ତାରିଖରୁ ମିଶା (ଅାଭ୍ୟନ୍ତରୀଣ ସୁରକ୍ଷା ଆଇନ୍‍) ବଳରେ ବ୍ୟାପକ ଗିରଫଦାରୀ ଦେଶ ସାରା ଚାଲିଲା। ସ୍ଥଳ ବିଶେଷରେ ଡି.ଆଇ.ଆର୍‍ (ଭାରତ ସୁରକ୍ଷା ରୁଲ୍‍) ପ୍ରୟୋଗ କରାଗଲା। ୧୯୪୨ ଭାରତ ଛାଡ଼ ଆନ୍ଦୋଳନର ନାୟକ ନେହେରୁଙ୍କ ପ୍ରିୟ ରାଜନୈତିକ ଅନୁଜ ଜୟପ୍ରକାଶ ନାରାୟଣ, ତାଙ୍କୁ ଦେଖା କରିବାକୁ ଯାଇଥିବା ଇନ୍ଦିରାଙ୍କ ପ୍ରିୟ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର, ଇନ୍ଦିରାଙ୍କ ସହକର୍ମୀ ଓ ଉପ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକରିଥିବା ମୋରାରଜୀ ଭାଇ ଦେଶାଇଙ୍କ ଭଳି ନେତା ମଧ୍ୟ ବାଦ ପଡ଼ିଲେ ନାହିଁ।
ସାରା ଦେଶ ସ୍ତବ୍ଧ ହୋଇଗଲା। ଦେଶ ବିଦେଶରେ କେହି କଳ୍ପନା କି ବିଶ୍ୱାସ କରିପାରିଲେ ନାହିଁ ଯେ ବିଶ୍ୱ ରାଜନୀତିରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅନୁପମ ପ୍ରତୀକ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସୁକନ୍ୟା ଇନ୍ଦିରା ଗାନ୍ଧୀ ସାମ୍ବିଧାନିକ ଏକଛତ୍ରବାଦ ଲାଗୁ କରିଦେଲେ। କାହିଁକି ଏପରି କଲେ ବୋଲି ଉଠୁଥିବା ପ୍ରଶ୍ନର ଉତ୍ତରରେ କୁହାଗଲା ଯେ ଦେଶ ବିରୋଧୀ ସାଂପ୍ରଦାୟିକ ଶକ୍ତିଙ୍କ ସହ ମିଶି ଜୟପ୍ରକାଶ ନିର୍ବାଚିତ ସରକାରଙ୍କୁ ଅଚଳ କରିବାର ଘୋଷଣା ଓ ଚକ୍ରାନ୍ତ କରିଛନ୍ତି। କିନ୍ତୁ ଅସଲ କାରଣ ଥିଲା ୧୯୭୫ ଜୁନ୍‍ ୧୨ରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଗମୋହନ ଲାଲ ସିହ୍ନା ଦେଇଥିବା ରାୟ।
୧୯୭୧ ମସିହା ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ରାଏବରେଲି ନିର୍ବାଚନ ମଣ୍ଡଳୀରୁ ଇନ୍ଦିରା ଗାନ୍ଧୀ ତାଙ୍କର ପ୍ରତିଦ୍ୱନ୍ଦ୍ବୀ ସମାଜବାଦୀ ନେତା ରାଜନାରାୟଣଙ୍କୁ ବିପୁଳ ଭୋଟରେ ହରାଇ ବିଜୟୀ ହୋଇଥିଲେ। ପରାଜୟକୁ ସ୍ୱୀକାର ନ କରି ରାଜନାରାୟଣ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରେ ନିର୍ବାଚନ ମାମଲା ଦାଏର କରି ଅଭିଯୋଗ କଲେ ଯେ ବିଭିନ୍ନ ବାଟରେ ଅସାଧୁ ଉପାୟ ଅବଲମ୍ବନ କରି ଇନ୍ଦିରା ଗାନ୍ଧୀ ଜିତିଛନ୍ତି। ଲୁଗା କମ୍ବଳ ବଣ୍ଟାଠାରୁ ଆରମ୍ଭ କରି ଗାଈ ବାଛୁରୀ ଚିହ୍ନରେ ମହିଳାମାନଙ୍କୁ ଭାବପ୍ରବଣ କରାଯାଇଥିଲା। ରାଜନାରାୟଣଙ୍କ ଓକିଲ ଶାନ୍ତିଭୂଷଣ କିନ୍ତୁ ତିନିଟି ଅଭିଯୋଗ ଉପରେ ଗୁରୁତ୍ୱ ଦେଲେ ଯାହାପାଇଁ ପ୍ରାମାଣିକ ଲିଖିତ ଦସ୍ତାବିଜ ଥିଲା। ସରକାରୀ ଖର୍ଚ୍ଚରେ ନିର୍ବାଚନ ସଭାର ମଞ୍ଚ ତିଆରି ହୋଇଥିଲା। ମାଇକ୍‍ ବ୍ୟବସ୍ଥା ହୋଇଥିଲା ଓ ସେ ନିର୍ବାଚନ ସଭାରେ ସରକାରୀ ଚାକିରିରେ ଥିବା ଇନ୍ଦିରାଙ୍କ ବ୍ୟକ୍ତିଗତ ସଚିବ ଯଶପାଲ କପୁର ଭାଷଣ ଦେଇ ଭୋଟ ମାଗିଥିଲେ।
ନ୍ୟାୟମୂର୍ତ୍ତି ଜଗମୋହନ ଲାଲ ସିହ୍ନା ଜଣେ ନିରପେକ୍ଷ ବ୍ୟକ୍ତି ଥିଲେ। ସେ ପ୍ରମାଣ ନ ଥିବା ସମସ୍ତ ଅଭିଯୋଗକୁ ଖାରଜ କରି କେବଳ ଅକାଟ୍ୟ ପ୍ରମାଣ ଥିବା ଅଭିଯୋଗକୁ ଗ୍ରହଣ କଲେ ଓ ଇନ୍ଦିରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ରାୟ ଦେଲେ। ସେ ରାୟ ତତ୍‍କ୍ଷଣାତ୍‍ କାର୍ଯ୍ୟକାରୀ କଲେ ସାଂବିଧାନିକ ସଂକଟ ହେବ ବୋଲି ଇନ୍ଦିରାଙ୍କ ଓକିଲ (ଭି.ଏନ୍‍.ଖାରେ) କହିବାରେ ସେ ୨୦ ଦିନର ମହଲତ ମଧ୍ୟ ଦେଲେ। ସେ ମହଲତର ସୁଯୋଗ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ହେଲା। ଜଷ୍ଟିସ କୃଷ୍ଣ ଆୟାର ପୂର୍ବତନ ସାମ୍ୟବାଦୀ ନେତା ଥିଲେ ଓ ତାଙ୍କ ଦଳ ଇନ୍ଦିରାଙ୍କ ସମର୍ଥନ କରୁଥିଲେ ବି ସେ ନିଃସର୍ତ୍ତ ସ୍ଥଗିତାଦେଶ ନ ଦେଇ ସର୍ତ୍ତମୂଳକ ଭାବେ ଉଚ୍ଚ ନ୍ୟାୟାଳୟ ରାୟକୁ ସ୍ଥଗିତ ରଖିଲେ ଯାହା ତାଙ୍କୁ ସୁହାଇଲା ନାହିଁ। ପ୍ରାମାଣିକ ତଥ୍ୟ ଥିବାରୁ ଅାବେଦନରେ ମଧ୍ୟ ଉଚ୍ଚ ନ୍ୟାୟାଳୟ ରାୟ କାଏମ ରହିବ ବୋଲି ଅଧିକାଂଶଙ୍କ ମତ ହେବାରେ ନିଜ ପଦ ବଜାୟ ରଖିବା ଦୃଷ୍ଟିରୁ ଆଇନ୍‍ରେ ସଂଶୋଧନ ଆଣିବାକୁ ଓ ବିନା ପ୍ରଚାରରେ ତାକୁ ପିଛିଲା ଦିନରୁ ଲାଗୁ କରିବାକୁ ଜରୁରୀ ପରିସ୍ଥିତି ଓ ପ୍ରେସ କଟକଣା ଘୋଷଣା ଆବଶ୍ୟକ ହେଲା। ଜନନେତା ହୁଅନ୍ତୁ କି ସାମ୍ବାଦିକ ଯିଏ ଏ ଘୋଷଣାର ସାମାନ୍ୟ ବିରୋଧ କରିବାର ସମ୍ଭାବନା ଥିଲା ସେମାନଙ୍କୁ ବିନା ବିଚାରରେ କାରାରୁଦ୍ଧ କରାଗଲା। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ଅଖଣ୍ଡ ପଞ୍ଜାବର ଜନନେତା ଓ ପୂର୍ବ ମୁଖ୍ୟମନ୍ତ୍ରୀ ଭୀମସେନ ସାଚାର ଏବଂ ତାଙ୍କ ଜାମାତା ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟାରଙ୍କ ଗିରଫଦାରୀ ଏହାର ଜ୍ୱଳନ୍ତ ଉଦାହରଣ। ଉଭୟଙ୍କୁ ଏକା କାରାଗାରରେ ରଖାଯାଇଥିଲା। ଶ୍ରୀ ନାୟାରଙ୍କ ପତ୍ନୀ ଭାରତୀ ଦେବୀ ନ୍ୟାୟାଳୟର ଦ୍ୱାରସ୍ଥ ହେବାରେ ଓ ତାରକୁଣ୍ଡେ ଏବଂ ସଲି ସୋରାବଜିଙ୍କ ଭଳି ଆଇନଜୀବୀ ତାଙ୍କ ପାଇଁ ଲଢ଼ିବାରେ ସରକାର ତାଙ୍କୁ ଖଲାସ କରିଥିଲେ ସତ, କିନ୍ତୁ ଯେଉଁ ଦୁଇଜଣ ନ୍ୟାୟାଧୀଶ ତାଙ୍କ ମାମଲା ଶୁଣୁଥିଲେ ତାଙ୍କୁ ବଦଳି ଓ ପଦ ଅବନତି ମାଧ୍ୟମରେ ଦଣ୍ଡିତ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ଅନୁରୂପ ଓଡ଼ିଶାରେ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଚାଲୁଥିବା ରାଜ୍ୟ ସରକାର ମଧ୍ୟ ବ୍ୟାପକ ଗିରଫଦାରୀ ଆରମ୍ଭ କରିଦେଲେ। ବିଜୁବାବୁ ଓ ରବି ରାୟ ଦିଲ୍ଲୀରେ ମିଶା ବଳରେ ଗିରଫ ହୋଇ ହରିଆଣା ଜେଲରେ ନିକ୍ଷିପ୍ତ ହେବାବେଳେ ଓଡ଼ିଶାରେ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀଙ୍କ ଭଳି ତୁଙ୍ଗ ନେତା କାରାକଷଣ ଭୋଗିଲେ। ଶାସକ ଦଳର ବିଧାୟକ ହୋଇ ମଧ୍ୟ ତ୍ରିଲୋଚନ କାନୁନ୍‍ଗୋ କାରାରୁଦ୍ଧ ହେଲେ ଓ ସୁଦୂର ଟିଟିଲାଗଡ଼ ଜେଲରେ କାରାଯନ୍ତ୍ରଣାରେ ଜର୍ଜରିତ ହେଲେ। ଭ୍ରଷ୍ଟାଚାର ବିରୋଧରେ ଜୟପ୍ରକାଶଙ୍କ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ସହ ଆମେ ଯେଉଁମାନେ ସିଧା ସଳଖ ଯୋଡ଼ି ହୋଇଥିଲୁ ତାଙ୍କର ଜେଲ ଯିବା ଅବଧାରିତ ଓ ସୁନିଶ୍ଚିତ ଥିଲା। ଆମ ଯୁବଗୋଷ୍ଠୀ ଭିତରେ ବ୍ରଜ ତ୍ରିପାଠୀ, ପ୍ରସନ୍ନ ଆଚାର୍ଯ୍ୟ, ରାଜୁ ସିଂହ ପ୍ରମୁଖ ଥିଲେ। ଅଧିକ ଅଡ଼ୁଆ ନ ମୂଲେଇବାକୁ ରମାଦେବୀଙ୍କୁ ମଧ୍ୟ ବାଦ ଦିଆଗଲା। ଜଷ୍ଟିସ ହରିହର ମହାପାତ୍ର ଓ ଉଲ୍ଲିଖିତ ପ୍ରମୁଖ ବ୍ୟକ୍ତିମାନେ ନିଜ ସାଧ୍ୟମତେ ଏକଛତ୍ରବାଦ ବିରୋଧରେ ଜନମତକୁ ଜାଗ୍ରତ ରଖିଥିଲେ ଯାହାର ସୁଫଳ ୧୯୭୭ ଲୋକସଭା ନିର୍ବାଚନରେ ମିଳିଲା। ଓଡ଼ିଶା ସମେତ ଦେଶର ବହୁରାଜ୍ୟ ଗଣତନ୍ତ୍ର ସପକ୍ଷରେ ଓ ଏକଛତ୍ରବାଦ ବିରୋଧରେ ବିପୁଳ ସମର୍ଥନ ଦେଲେ। ଜରୁରୀ ସ୍ଥିତି ଉଠିଲା ଓ ଗଣତନ୍ତ୍ର ପୁନଃପ୍ରତିଷ୍ଠିତ ହେଲା।
ଏକଛତ୍ରବାଦ ବସ୍ତିଗୁଣ୍ଡାରାଜ ଭଳି ଏକ ଅବାଞ୍ଛିତ ସାମୟିକ ଉତ୍ପାତ ଯାହାର ଶିକାର ଅଧିକାଂଶ ସମୟରେ ନିଜେ ଏକଛତ୍ରବାଦୀ ହିଁ ହୋଇଥାଏ। ଅଧୁନା ବିଶ୍ୱରେ ଏକଛତ୍ରବାଦ ପ୍ରତି ଏକ ସମର୍ଥନର ସୁନାମି ଦେଖା ଦେଇଛି। ଆମେରିକା ଭଳି ଗଣତାନ୍ତ୍ରିକ ଦେଶ ହେଉ କି ରୁଷିଆ ଭଳି ସାମ୍ୟବାଦୀ ଦେଶ ହେଉ, ସଂପୃକ୍ତ ଶାସନ ମୁଖ୍ୟମାନେ ସବୁଦିନ ପାଇଁ ଆସନ ଗାଦିରେ ରହିବାକୁ ମନ ବଳେଇଛନ୍ତି। ଏହା କେବଳ ସେ ଦେଶପାଇଁ ନୁହେଁ ସମଗ୍ର ମାନବ ଜାତି ପାଇଁ ବିପଦ। ଅତୀତର ସମସ୍ତ ଅନୁଭୂତି ସେଇ ଶିକ୍ଷା ଦେଉଛି। ଶୋଷଣର ରକ୍ଷାକବଚ ହେଲା ଏକଛତ୍ରବାଦ। ଶୋଷଣ ଯେତେ ବ୍ୟାପକ ହେବ ଏକଛତ୍ରବାଦର ଆବଶ୍ୟକତା ସେତେ ଅଧିକ ହେବ। ସାମନ୍ତବାଦୀ ଶୋଷଣରେ ଏକଛତ୍ରବାଦ ଅନ୍ତନିର୍ହିତ ଥିଲା। ପୁଞ୍ଜିବାଦୀ ଶୋଷଣ ହଠାତ୍‍ ଧରା ପଡ଼ୁ ନ ଥିବାରୁ ତା’ ଉପରେ ଗଣତନ୍ତ୍ରର ଘଟାଟୋପ ଘୋଡ଼ାଇ ଦେବା ଚଳିଲା। ଏବେ କିନ୍ତୁ ପୁଞ୍ଜିବାଦୀ ଶୋଷଣ ସଚେତନ ଗଣମାଧ୍ୟମ ଯୋଗୁ ଆଖିଦୃଶିଆ ହେଉଥିବାରୁ ଗଣତନ୍ତ୍ରର ମୁଖା କାମ ଦେଉ ନାହିଁ। ଲୋକେ କାମ ନ ପାଇଲେ ଦରଦାମ୍‍ ବଢ଼ିଲେ ଆଗ ଭଳି ଭାଗ୍ୟକୁ ନ ନିନ୍ଦି ବ୍ୟବସ୍ଥାକୁ ପ୍ରଶ୍ନ କରୁଛନ୍ତି।
ଏଣିକି ବ୍ୟବସ୍ଥା ନିଜକୁ ଅଧିକ ନଗ୍ନ କରିବାକୁ ଚାହିଁବ ନାହିଁ। ତେଣୁ ଗଣତନ୍ତ୍ରର ଓଢ଼ଣିକୁ ହଟାଇ ପ୍ରଶ୍ନବାଣ ରୋକିବାକୁ ଏକଛତ୍ରବାଦର ରୂପ ପ୍ରଦର୍ଶନ କରିବ। ଜରୁରୀସ୍ଥିତି ବେଳେ ସେଇ ରୂପ ପ୍ରକଟିତ ହୋଇଥିଲା। ନିର୍ଭୀକ ଲୋକମତ ସେ ରୂପକୁ ହଟାଇ ଗଣତନ୍ତ୍ରକୁ ଫେରାଇ ଆଣିଲା। ଏବେ ସେ ଅନୁଭୂତିକୁ ପାଥେୟ କରି କିଛି ଚତୁର ଲୋକ ଏକଛତ୍ରବାଦକୁ ଗଣତନ୍ତ୍ରର ରଙ୍ଗରେ ଆକର୍ଷଣୀୟ କରାଇବାରେ ଲାଗିଛନ୍ତି; ଯଥା, ନିର୍ବାଚନ ହେବ କିନ୍ତୁ ଖର୍ଚ୍ଚ ବହୁଳ। ଫଳରେ ମୁକ୍ତ ମଣିଷ ନ ଜିଣି ବନ୍ଧକ ମଣିଷ ଜିତିବ। ଖବର ଉପରେ ନିୟନ୍ତ୍ରଣ ରହିବ ନାହିଁ, କିନ୍ତୁ ବିଜ୍ଞାପନ ଓ ଅନ୍ୟାନ୍ୟ ସାଧନକୁ ଚାବିକାଠି ଭାବେ ବ୍ୟବହାର କରି ଖବରକୁ ଚାପି ହେବ। ଶୋଷିତ ମଣିଷକୁ ଏକାଠି ହେବାକୁ ନ ଦେଇ ତା’କୁ ଜାତି, ଧର୍ମ, ଭାଷା, ଲିଙ୍ଗ, ଅଞ୍ଚଳ ଆଦି ଥିବା ସମସ୍ତ ଛୋଟ ବଡ଼ ବିଭେଦରେ ବିଭାଜିତ କରିବାକୁ ହେବ। ଏ ଉଦ୍ୟମ ଚାଲିଛି। ବେଶି ଦିନ ଚାଲିବ ନାହିଁ।
ଶାସକର ବିରୋଧ ସତ୍ତ୍ବେ ବିଭିନ୍ନ ଦେଶର ଜନଗଣ ନିଜ ନିଜ ଭିତରେ ସଂପର୍କ ରଖି ପେଟକୁ ଦାନା, ପିଠିକି କନା, ରହିବାକୁ ବାସ ଓ ସୁମଧୁର ଭାଷଣ ଦାବି କରି ଐକ୍ୟବଦ୍ଧ ହେଉଛନ୍ତି। ପୂର୍ବେ ସ୍ୱାଧୀନତା ବନାମ୍‍ ସ୍ୱଚ୍ଛଳତାକୁ ନେଇ ଅର୍ଥାତ୍‍ ଗଣତନ୍ତ୍ର ଆଗ ନା ସମାଜବାଦ ଆଗ ତର୍କ ହେଉଥିଲା। ଏବେ ଦୁହେଁ ପରିପୂରକ ହୋଇଯାଇଛନ୍ତି। ଆଜିର ଭାରତର ସମ୍ବିଧାନ ସେଥିପାଇଁ ବିଶ୍ୱକୁ ବାଟ ଦେଖାଇ ଉଭୟ ଗଣତନ୍ତ୍ର ଓ ସମାଜବାଦକୁ ମୂଳ ଆଦର୍ଶଭାବେ ସ୍ଥାପିତ କରିଛି। ସେତେବେଳେ ଗଣତାନ୍ତ୍ରିକ ଦେଶର ନେତାମାନେ ଭାରତର ଜରୁରୀ ସ୍ଥିତିକୁ ବିରୋଧ କରିଥିଲେ। ନିକଟରେ ମ୍ୟାମାର୍‌ରେ ସାମରିକ ଶାସନକୁ ବିଶ୍ୱବାସୀ ବିରୋଧ କରିଛନ୍ତି। ଏବେ ଶୋଷଣକାରୀ ଐକ୍ୟବଦ୍ଧ ହେଉଛନ୍ତି। କ୍ରାନ୍ତିକାରୀ ଏକଜୁଟ ହେବାକୁ ସମୟ ଲାଗିବ କିନ୍ତୁ ବେଶି ସମୟ ନୁହେଁ. ଜରୁରୀସ୍ଥିତିର ଅଶୁଭ ଦିନ ଯେମିତି ବେଶି ଦିନ ରହିଲା ନାହିଁ, ସେମିତି ଆଜିର ଅଶୁଭ ଅବସ୍ଥା ଯେ ଅଚିରେ ଯିବ ତାହା ହିଁ ଲେଖକର ଅକୁହା ଅନୁଭବ।

ଚିତ୍ତରଞ୍ଜନ ମହାନ୍ତି

chittaranjansamatamanch@gmail.com

Comments are closed.