ନଷ୍ଟସ୍ୟ କାନ୍ୟା ଗତିଃ

ସାଧନା ଓ ସିଦ୍ଧି, କୌଣସି ଶକ୍ତିଲାଭର ଦୁଇ ସର୍ତ୍ତ। ‘ଶକ୍ତି’ ଅନୁଯାୟୀ, ସାଧନାର କିସମ ଓ ପ୍ରକ୍ରିୟା ଭିନ୍ନ ହୋଇଥାଏ। ଗୁରୁ ଦ୍ରୋଣାଚାର୍ୟ୍ୟଙ୍କ ଠାରୁ ଅର୍ଜୁନଙ୍କ ଅସ୍ତ୍ର ଶିକ୍ଷାଲାଭ, ଏକଲବ୍ୟ ଗୁରୁଙ୍କ ମୂର୍ତ୍ତି ସ୍ଥାପନରେ ଧନୁର୍ବିଦ୍ୟାରେ ସଫଳତା ଓ କର୍ଣ୍ଣଙ୍କର ପର୍ଶୁରାମଙ୍କଠାରୁ ବିଦ୍ୟାଲାଭ ଘଟଣାରୁ ‘ସାଧନା’ ବିଷୟରେ ସମ୍ୟକ୍‌ ଧାରଣା କରିହୁଏ। ସେମିତି ବିଶ୍ବାମିତ୍ରଙ୍କର ରାଜର୍ଷିରୁ ବ୍ରହ୍ମର୍ଷି ହେବାର ବାଟବଣା କୃଚ୍ଛ୍ର ସାଧନାରୁ ‘ସାଧନା’ ଯେ ଦଣ୍ଡ ବୈଠିକିରେ ନ ଥାଏ, ତା’ ବି ବୁଝିହୁଏ। ଏବେ ସଭିଏଁ ‘ଗାୟତ୍ରୀ’ ପାଠ କରୁଛନ୍ତି। ପାଠ ବା ଗାନ କରିବା ଶୈଳୀ ହେଲା ‘ଗାୟତ୍ରୀଛନ୍ଦ’। ଏ ମନ୍ତ୍ର ଏକ ଲକ୍ଷ ପୁରଣ କଲେ ସିଦ୍ଧି ଲାଭ ହୁଏ। ଗାୟତ୍ରୀ ତ ‘ଚତୁର୍ବର୍ଗ ଫଳପ୍ରଦା’। ଧର୍ମ, ଅର୍ଥ, କାମ, ମୋକ୍ଷ ୟେ ହେଲେ ଚତୁର୍ବର୍ଗ।

ପୂର୍ବେ ବା ଶାସ୍ତ୍ରରେ ବ୍ରାହ୍ମଣମାନେ କେବଳ ଗାୟତ୍ରୀ ପାଠର ଅଧିକାର ଜାହିର କରୁଥିଲେ। ଏବେ ଇୟେ ସାର୍ବଜନୀନ ହୋଇଯାଇଛି। ଯେ ଇଚ୍ଛା ସେ ଗାନ କରିପାରିବ, ତା’ ପୁଣି ତବଲାରେ, ନୃତ୍ୟାଙ୍ଗନାଙ୍କ ଘୁଙ୍ଗୁରର ତାଳେ ତାଳେ ଗାନ ହୋଇ ବେଶ୍‌ ‘ଆସର’ ଜମଉଛି। ତାକୁ ବି ବୌଦ୍ଧିକ ଆସର କୁହାଯାଉଛି! ମାତ୍ର ସିଦ୍ଧି କାଇଁ? ଚତୁର୍ବର୍ଗ ଲାଭ କାଇଁ? କାହାର ଦି’ବର୍ଗ କି ଏକ ବର୍ଗ। ୟେ କିନ୍ତୁ ଗାୟତ୍ରୀ ଜପର ବା ସିଦ୍ଧିର ପରିଣତି ନୁହଁ। ପୂର୍ବେ ବ୍ରାହ୍ମଣମାନେ ଗାୟତ୍ରୀ ସିଦ୍ଧି ପରେ, ସଂସାର କରୁଥିଲେ। ତେଣୁ ବ୍ରାହ୍ମଣମାନେ ଧନୀ ନ ଥିଲେ ବି ଦରିଦ୍ର ନ ଥିଲେ। ଗାୟତ୍ରୀ ସିଦ୍ଧି ହେଉନଥିବା ବ୍ରାହ୍ମଣମାନେ ପ୍ରାୟତଃ ସନ୍ନ୍ୟାସୀ ହୋଇଯାଉଥିଲେ। କାରଣ ଚତୁର୍ବର୍ଗର ଢାଲ ବିନା ସଂସାର ବା ଗାର୍ହସ୍ଥ୍ୟ ଜୀବନ ସମସ୍ୟା ବହୁଳ ହେଉଥିଲା, ଯାହା ଆଜି ପ୍ରତି ପରିବାରରେ, ଜୀବନରେ ଘଟୁଛି। ଏକବକ୍ତ ହବିଷ୍ୟାନ୍ନ ବା ଫଳାହାରରେ ଏକ ମାସ ମଧ୍ୟରେ ଏକାଗ୍ର ଚିତ୍ତରେ ଏକଲକ୍ଷ ଏଇ ମନ୍ତ୍ର ପୁରଶ୍ଚରଣ ହେଲା ସିଦ୍ଧିର ସର୍ତ୍ତ। ଭାରତ ବିଖ୍ୟାତ ସନ୍ନ୍ୟାସୀ ଶିଳା ମହାରାଜଙ୍କ ଜୀବନାଦର୍ଶ ମନକୁ ଆସୁଛି। ଏ ସନ୍ନ୍ୟାସୀ ମହାରାଜ ଗାୟତ୍ରୀ ସିଦ୍ଧିରେ ସଫଳ ନ ହେବାରୁ, ଅଭିମାନରେ ସନ୍ନ୍ୟାସୀ ହୋଇଗଲେ। ମାତ୍ର ପୂର୍ବବତ୍‌ ପ୍ରତ୍ୟହ ବ୍ରାହ୍ମମୁହୂର୍ତ୍ତରୁ ଗାୟତ୍ରୀ ମନ୍ତ୍ର ପାଠ ଅବ୍ୟାହତ ରଖିଥା’ନ୍ତି। ବେଶ୍‌ ଆକର୍ଷଣୀୟ ରୂପର ଏ ବିରକ୍ତ ବ୍ରହ୍ମଚାରୀଙ୍କ ଏକନିଷ୍ଠ ସାଧନାରେ ମା’ ଗାୟତ୍ରୀ ସେଦିନ ସନ୍ତୁଷ୍ଟ ହୋଇ ଆବିର୍ଭୂତା ହୋଇଗଲେ।

ସୂର୍ଯ୍ୟୋଦୟ ଆହୁରି ବାକିଥିଲା। ଅଣ୍ଟେ ପାଣିରେ, ଜଳାଶୟରେ ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାରରେ ହଠାତ୍‌ ତେଜୋମୟୀ ଦେବୀଙ୍କ ଆବିର୍ଭାବ ସୂର୍ୟ୍ୟଙ୍କ ପ୍ରଚଣ୍ଡ ଆବିର୍ଭାବର ଭ୍ରମ ସୃଷ୍ଟି କରିଦେଲା। ବିସ୍ମିତ ସନ୍ନ୍ୟାସୀଙ୍କ ସମ୍ମୁଖରେ ତାଙ୍କ ଆରାଧ୍ୟା ଦେବୀ ବିଳମ୍ବରେ ହେଲେ ବି ଆବିର୍ଭୂତା। ହସ ହସ ମୁହଁରେ ବାତ୍ସଲ୍ୟ ଭାବରେ ଦେବୀ ପଚାରିଲେ ‘‘କ’ଣ ମାଗୁଛୁ, ମାଗୁନୁ?’’ ହଜାର ଗୁଣ ଅଭିମାନ ବଢ଼ିଗଲା ଏ ସନ୍ନ୍ୟାସୀ ବ୍ରହ୍ମଚାରୀଙ୍କ। ତାଚ୍ଛଲ୍ୟ କରି କହିଲେ, ‘‘ଯେତେବେଳେ ମାଗୁଥିଲି ତ ଦେଲୁନାହିଁ। ଏବେ ତ ଲେଙ୍ଗୁଟି ପିନ୍ଧାଇଲୁଣି। ଆଉ ମାଗିବି କ’ଣ? ତେବେ ଯାଯାବର ଭଳି ବୁଲୁଥିବାରୁ ସବୁ ଗାଧୁଆ ତୁଠରେ ମୋ କଉପୀନ କାଚିବାକୁ ପଥର ମିଳୁନି। ତୋ ଦତ୍ତ କଉପୀନ ସଫା ପାଇଁ ପଥର ଖଣ୍ଡେ ଦେ’’। ଏତିକି ତାଚ୍ଛଲ୍ୟରେ କହି ଅଭିମାନଭରା ଛଳ ଛଳ ଆଖିରେ ମା’ ଗାୟତ୍ରୀଙ୍କୁ ଚାହିଁ ରହିଲେ। ଆଉ ଟିକେ ହସିଦେଲେ ଗାୟତ୍ରୀ ଦେବୀ। ବୁଝିଲେ, ଭକ୍ତର ଅଭିମାନ। ‘ତଥାସ୍ତୁ’ ତ କହିଲେ, ପୁଣି କହିଲେ, ‘‘ହଉ ସବୁଠି ଏଥର ତୁ ପଥର ପାଇବୁ, ତଥାପି ଆଉ ଯେତେବେଳେ ବି ଡାକିବୁ କିଛି ସାହାଯ୍ୟ ପାଇଁ ମିଳିବ ତତେ’’। ଅନ୍ତର୍ଦ୍ଧାନ ହୋଇଗଲେ ଦେବୀ। ସତକୁ ସତ ଏଇ ସନ୍ନ୍ୟାସୀ ଯେଉଁ ତୁଠ, ଯେଉଁଠି ସକାଳୁ ସ୍ନାନ କରନ୍ତି ଏକ ବିଚିତ୍ର ଓ ଆକର୍ଷଣୀୟ ପଥର ସେଠି ପଡ଼ିଥାଏ। ‘ଶିଳାଖଣ୍ଡ’ ମହାରାଜ ସେଦିନୁ ସେ ବନିଗଲେ।

ଏ ଦେଶର ବିଭିନ୍ନ ସ୍ଥାନରେ ଏ ପଥର ସବୁ ଏବେ ପୂଜିତ ହୁଏ। ଦିନେ ରାତିରେ ଶିଳାଖଣ୍ଡଜୀ ରାତ୍ରିଭୋଜନ ପାଇଁ ଜଣଙ୍କ ଘରେ ପହଞ୍ଚିଲେ। ସେମାନେ ବି ଗାୟତ୍ରୀ ଭକ୍ତ ଥିଲେ। ଅଭ୍ୟାଗତଙ୍କୁ ବେଶ୍‌ ତୃପ୍ତିକର ଭୋଜନ ଦେବା ପରେ ତାଙ୍କ ବିଶ୍ରାମ ବ୍ୟବସ୍ଥା କରିଦେଲେ। ମାତ୍ର ଆର ଘରୁ ସ୍ବାମୀ ସ୍ତ୍ରୀଙ୍କ କଳି ସେ ଶୁଣି ପାରିଲେ। ସ୍ତ୍ରୀ କହିଲେ, ‘‘ଅତିଥିଙ୍କୁ ତ ମୁଁ ମୋ ଭାଗ ଖାଇବାକୁ ଦେଇ ତମ ଭାଗ ତମ ପାଇଁ ରଖିଥିଲି। ୪ଦିନ ହେଲା ଉପବାସ ଥିଲ। ତମେ ତାକୁ କାହିଁକି ନେଇ ପଛରେ ତାଙ୍କ ପତରରେ କୁଢ଼େଇ ଦେଲ? କାଲି ସକାଳୁ କୋଉ ବଳ ପାଇବ, ଉଠି ଭିକ୍ଷା କରି ଯିବାକୁ?’’ ସ୍ବାମୀ କହିଲେ, ‘‘ତମେ ବି ତ ଉପବାସ ମୋ ପରି ରହିଛ। ମୁଁ କେମିତି ଏକୁଟିଆ ଖାଇଦେଇଥାନ୍ତି?’’ ଏମିତି ଖେଣ୍ଟାଖେଣ୍ଟି ଶୁଣି, ସେ ବୁଝିଲେ ଏମାନଙ୍କ ଦାରିଦ୍ର୍ୟ ଓ ଅନାହାର କଥା। ଆଖି ତାଙ୍କର ଲୁହ ଛଳଛଳ ହୋଇଗଲା ଏମାନଙ୍କ ଦୁଃଖରେ। ମନେ ପଡ଼ିଲେ ମା’ ଗାୟତ୍ରୀ। କହିଲେ, ‘‘ମା’ ଦରକାର ବେଳେ ଡାକିବାକୁ କହିଥିଲୁ ପରା। ଏମାନଙ୍କ ଦାରିଦ୍ର୍ୟ ଦୂର କରିଦେ ମା’। ଚତୁର୍ବର୍ଗ ତାଙ୍କୁ ଦେ ମା’।’’ ସତକୁ ସତ ପରଦିନ ସୂର୍ଯ୍ୟୋଦୟରେ ତାଙ୍କୁ ଗାୟତ୍ରୀ ସିଦ୍ଧ ଚତୁର୍ବର୍ଗ ଫଳପ୍ରାପ୍ତ ଦେଖିଲା। ବିସ୍ତୃତ ବର୍ଣ୍ଣନା ପରିସର ଏଠାରେ ନାହିଁ। ତେବେ ସାଧନା ଓ ସିଦ୍ଧି ଲାଭ କଥାରୁ ଏ ଯାଏ ବାଟ ଭାଙ୍ଗି ଗଲୁ।

ଆଜିକାଲି ତ ତୀବ୍ର ବିଜ୍ଞାନଯୁଗ। କଥା କଥାକେ ପ୍ରମାଣ ଲୋଡ଼ା। ଈଶ୍ବରଫିଶ୍ବର ଗପର କି ଫଳ? ‘‘ଦେଖା ଈଶ୍ବରଙ୍କୁ ତା’ ହେଲେ ଆମେ ମାନିବୁ।’’ ଆରେ ବାବୁ, ଈଶ୍ବର କ’ଣ ନରେନ୍ଦ୍ର ମୋଦୀଜୀ କି ନବୀନଜୀ ହୋଇଛନ୍ତି ଯେ ତାଙ୍କ କେହି ମୁଖ୍ୟ ବତିପେଲାଙ୍କୁ କରାୟତ୍ତ କରି ତାଙ୍କ ସହ ତମର ଭେଟ କରାଇଦେବୁ? ବିଦ୍ୟାଲାଭ ଓ ସିଦ୍ଧି ପାଇଁ ଏବେ ‘ଅନ୍‌ଲାଇନ୍‌’ ବ୍ୟବସ୍ଥା। ଇଞ୍ଜେକ୍‌ସନରେ ଗୋମାତାଙ୍କ ଠେଇ ଭଲ କିସମର ବାଛୁରୀ ଜନ୍ମ କରେଇବାର ଯୁଗ ଇୟେ। ପାଠ ବି ସେମିତି ‘ଅନ୍‌ଲାଇନ’ରେ ହାବିସ ହେବ। ଦଣ୍ଡମୁକ୍ତ ବିଦ୍ୟାଳୟର ଏ ବେଚ୍ଛାପର ଯୁବକ ଯୁବତୀଙ୍କୁ ଭଲ ମଉକା ମିଳିଲା। କାହାକୁ ବି ଇୟେ ଦୁର୍ଭାଗ୍ୟ। କିଏ ଦୋମାହାଲା ଉପରେ ତ କିଏ ବରଡାଳରେ ତ କିଏ ଗାଁମୁଣ୍ଡ ମୁଣ୍ଡିଆ ଉପରେ ହାଜର। ଗୁରୁ ହେଲେ ‘ମୋବାଇଲ’। ଏବେ ତ ବୋଲାଯାଉଛି, ‘‘ଗୁରୁଙ୍କୁ ନ ମଣିବ ଯନ୍ତ୍ର ଇଏ ତ ସ୍ବପ୍ନ ଫଳ ମାତ୍ର’’। ବହିବସ୍ତାନି ଆଉ ଲୋଡ଼ା ନାହିଁ। ‘ମୋବାଇଲ’ ଦାବି ବାପମା’ଙ୍କ ଠାରେ। ‘‘ଭଲ ଦାମୀ ମୋବାଇଲ ନ ହେଲେ, ନେଟ୍‌ ଧରିବନି।’’ ଚାଟଶାଳୀରୁ ଅବଧାନଙ୍କ ବେତ ମାଡ଼ ଖିଆ ଏ ବୃଦ୍ଧେ ‘ନେଟ୍‌’ କଥା କ’ଣ ବୁଝିବେ। କିରେ ମାଷ୍ଟ୍ରେ ନ ଥାଇ, ଗୁରୁ ନ ଥାଇ କି ପାଠପଢ଼ା? ଇଞ୍ଜେକ୍‌ସନରେ ସିନା ରକ୍ତ ପୂରେଇ ହେବ କି ଟାଣିହେବ ମା’ ସ୍ତନରୁ ଦୁଧ କୋଉ ଟାଣିହେବ? ହୃଦୟରେ ଢଳ ଢଳ ହେଉଥିବା ମାତୃସ୍ନେହ, ଗୁରୁ ଆଶୀର୍ବାଦକୁ କୋଉ ଥର୍ମୋମିଟର ବା ଲାକ୍ଟୋମିଟରରେ ମାପି ହେବ? ବିଦ୍ୟାଲାଭ ପାଇଁ ସିଦ୍ଧି ଓ ଯୋଗ ଅପରିହାର୍ୟ୍ୟ। ଏକୁ ଏ ଆଇଏଏସ୍‌ ଦେବଦୂତେ କୋଉ ବୁଝିବେ? ତାଙ୍କୁ ମେଢ଼ି ବା ମୁଣ୍ଡି ମାନୁଥିବା ଏ ମନ୍ତ୍ରୀଗଣ ବି କୋଉ କଳି ପାରିବେ?

ଶ୍ଳୋକ କହିଲା, ‘‘ନିର୍ଗୁଣସ୍ୟ ହତଂ ରୂପଂ ଦୁଃଶୀଳସ୍ୟ ହତଂ କୁଳମ୍‌। ଅସିଦ୍ଧସ୍ୟ ହତା ବିଦ୍ୟା ଅଭୋଗେନ ହତଂ ଧନମ୍‌’’। ଗୁଣହୀନ ଲୋକର ରୂପ ବ୍ୟର୍ଥ, ଦୁରାଚାରୀ ଦୁଃଶୀଳ ଲୋକର ବଂଶ ମର୍ୟ୍ୟାଦା ନଷ୍ଟ, ସିଦ୍ଧି ବିନା ବିଦ୍ୟା ଓ ଭୋଗ ବିନା ଧନ ନିରର୍ଥକ, ନିଷ୍ଫଳ। ସେହିପରି ‘‘ସତ୍ୟେନ ରକ୍ଷତେ ଧର୍ମୋ, ବିଦ୍ୟା ଯୋଗେନ ରକ୍ଷତେ, ମୃଜୟା ରକ୍ଷତେ ପାତ୍ରଂ କୁଳଂ ଶୀଳେନ ରକ୍ଷତେ।’’ ଅର୍ଥାତ୍‌ ସତ୍ୟ ଭାଷଣରେ ଧର୍ମ, ଯୋଗରେ ବିଦ୍ୟା, ମଜା ଯିବାରେ ପାତ୍ର ଓ ସଦାଚାରରେ କୁଳ ଓ କର୍ତ୍ତା ରକ୍ଷା ହୁଏ। ଭଗବାନଙ୍କୁ ଭାବରାଜ୍ୟରୁ ଆଣି କାଠ, ପାଷାଣରେ ଆରୋପିତ କରିବା ପରି ସାକ୍ଷାତ୍‌-ଈଶ୍ବର ଗୁରୁଙ୍କୁ ମୋବାଇଲରେ ସ୍ଥାନିତ କରିବା ବିଚିତ୍ର ବା ଅବାନ୍ତର କ’ଣ?

ଶକୁନ୍ତଳା ଶାଶୂଘର ଯିବା ବେଳ ଦୃଶ୍ୟରେ ହଠାତ୍‌ କ୍ରନ୍ଦନରୋଳକୁ ବୁଝି ନ ପାରି, ବିଲାତି ଦର୍ଶକ ପଚାରିଲେ, ‘‘ସ୍ବାମୀ ସ୍ତ୍ରୀ ଏକାଠି ହୋଇଯିବାର ଏ ମହାର୍ଘ ମୁହୂର୍ତ୍ତରେ, ଅସାଧାରଣ ପୁଲକ ବଦଳରେ ଏ କ୍ରନ୍ଦନର ରୋଳ କିଆଁ?’’ ଆଖି ଛଳଛଳ ହୋଇଯାଇଥିବା ଭାରତୀୟ କହିଲେ, ‘‘ବାପଘରୁ ବିଦାୟ ବେଳେ ‘ହନିମୁନ୍‌’ରେ ଜୁଡ଼ୁବୁଡ଼ୁ ତମ ସଭ୍ୟତା ତାକୁ ବୁଝିପାରିବନି। ଏଠି ତମ ଭଳି ଖୁରୁଙ୍ଗ ଡିଆଁ କାହୁଁ ସମ୍ଭବ। ଛାତିରୁ ତ କଲିଜା ଖଣ୍ଡ ଖଣ୍ଡ ହୋଇ ଖସିପଡ଼ୁଥିବ। ବିଚ୍ଛନ୍ଦଚରଣ ଲେଖିଲେ, ‘‘ଗୃହୀଜନ ସୁଲଭ ଏ ଶୋକାବେଗ ପୁଣି, ଲକ୍ଷି ହେଉଛନ୍ତି ମୁନି ଚିତ୍ତ ମଧ୍ୟେ ଗୁଣି। ବନବାସୀ ତାପସ ମୁଁ ମାୟା ମୋ ଏସନ, କନ୍ୟା ତେଜି ନୋହୁଥିବେ କିସ ଗୃହୀଜନ।’’

ବିଦ୍ୟାଧ୍ୟୟନ, ଦାନ, ଗୁରୁ ଓ ମନ୍ତ୍ର ଗ୍ରହଣ ପରମ୍ପରାରେ ବିଶ୍ବରେ ଅଦ୍ବିତୀୟ ଏ ଦେଶର ସଂସ୍କୃତି ଓ ସଂସ୍କାର ଯେ ଆଜି ବାଟବଣା ତା’ ମହାକାଳର ବିଡ଼ମ୍ବନା। ଏକୁ ଏମାନେ ବୁଝିବେ କେମିତି? ‘‘ନଷ୍ଟସ୍ୟ କାନ୍ୟା ଗତିଃ?’’

Comments are closed.